ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଗସ୍ତ କରି ତିନୋଟି ପ୍ରମୁଖ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।
ଏହି ଅବସରରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ରାଜ୍ୟପାଳ ଶ୍ରୀ ଇ. ଏସ. ଏଲ ନରସିଂହନ ଏବଂ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମଧ୍ୟ ଉପସ୍ଥିତ ଥିଲେ ।
ଦେଶର ଇନ୍ଧନ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଷ୍ଟ୍ରାଟେଜିକପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ)ର 1.33ଏମଏମଟି ବିଶାଖାପାଟଣାଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ସୁବିଧାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରକଳ୍ପର ବ୍ୟୟ 1125 କୋଟି ଟଙ୍କା । ଏହା ଦେଶର ସବୁଠୁ ବଡ଼ ଭୂତଳ ଭଣ୍ଡାରଣ ସୁବିଧା ।
ସେ କୃଷ୍ଣାପଟ୍ଟନମରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଉପକୂଳ ସ୍ଥାପନା ପ୍ରକଳ୍ପ ପ୍ରତିଷ୍ଠା ଲାଗି ଆଧାରଶିଳା ରଖିଥିଲେ । 100 ଏକରରେ ପରିବ୍ୟାପ୍ତ ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ 580 କୋଟି ଟଙ୍କା । ଏହି ପ୍ରକଳ୍ପ ନଭେମ୍ବର 2020 ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ଏବଂ ଅତ୍ୟାଧୁନିକ ଏହି ଉପକୂଳ ସ୍ଥାପନା ପ୍ରକଳ୍ପ ଦ୍ୱାରା ଆନ୍ଧ୍ରପ୍ରଦେଶ ଲାଗି ପେଟ୍ରୋଲିୟମ ଉତ୍ପାଦର ସୁରକ୍ଷା ସୁନିଶ୍ଚିତ ହେବ ।
ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଉପରେ ପ୍ରମୁଖତା ସହିତ ଗୁରୁତ୍ୱାରୋପ କରାଯାଇ, ପ୍ରଧାନମନ୍ତ୍ରୀ ଓଏନଜିସିର ଏସ-1 ବଶିଷ୍ଠ ନାମକ ବିକାଶ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଥିଲେ, ଯାହା ଆନ୍ଧ୍ର ପ୍ରଦେଶରେ କୃଷ୍ଣା ଗୋଦାବରୀ (କେଜି) ଉପକୂଳ ଦୂରବର୍ତ୍ତୀ ବେସିନରେ ରହିଛି । ପ୍ରକଳ୍ପର ବ୍ୟୟ ପାଖାପାଖି 5700 କୋଟି ଟଙ୍କା । ଏହି ପ୍ରକଳ୍ପ 2020 ସୁଦ୍ଧା ତୈଳ ଆମଦାନୀକୁ 10% କମ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ ।