ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15 ଫେବୃଆରୀ 2019ରେ ଝାନସୀ ଗସ୍ତ କରିବେ । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଝାନସୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ ।
ଝାନସୀରେ ପ୍ରତିରକ୍ଷା କରିଡର ପାଇଁ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ । ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଲାଗି ଦେଶରେ ଦୁଇଟି ପ୍ରତିରକ୍ଷା କରିଡର ସ୍ଥାପନ ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ଗୋଟିଏ ତାମିଲନାଡ଼ୁରେ ଏବଂ ଅନ୍ୟଟି ଉତ୍ତର ପ୍ରଦେଶରେ ନିର୍ମାଣ କରାଯିବ । ଉତ୍ତରପ୍ରଦେଶ ପ୍ରତିରକ୍ଷା କରିଡରର 6ଟି ନୋଡାଲ ପଏଣ୍ଟ ମଧ୍ୟରୁ ଝାନସୀ ଗୋଟିଏ । ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଂଚଳରେ ଏପରି ଏକ କରିଡର ପ୍ରତିଷ୍ଠା ଲାଗି ଫେବୃଆରୀ 2018ରେ ଅନୁଷ୍ଠିତ ଉତ୍ତର ପ୍ରଦେଶ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
297 କିଲୋମିଟର ଦୂରତା ବିଶିଷ୍ଟ ଝାନସୀ-ଖଇରାର ରେଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ବିଦ୍ୟୁତକରଣ ଦ୍ୱାରା ଏହି ଲାଇନରେ ଟ୍ରେନର ଦ୍ରୁତ ଯାତାୟାତ ସମ୍ଭବ ହେବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ତଥା ପରିବେଶ ସୁରକ୍ଷା ହୋଇପାରିବ ।
ପଶ୍ଚିମ ଉତ୍ତର ପ୍ରଦେଶକୁ ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ପଶ୍ଚିମ-ଉତ୍ତର ଆନ୍ତଃକ୍ଷେତ୍ରୀୟ ବିଦ୍ୟୁତ ସଂଚାରଣ ବ୍ୟବସ୍ଥାକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।
ପାହାଡ଼ି ନଦୀବନ୍ଧ ଆଧୁନିକୀକରଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଝାନସୀ ଜିଲ୍ଲାର ଧାସନ ନଦୀ ଉପରେ ପାହାଡ଼ି ଜଳ ସଂରକ୍ଷଣ ନଦୀବନ୍ଧ ପ୍ରକଳ୍ପ ରହିଛି ।
ସମସ୍ତଙ୍କୁ ପାନୀୟ ଜଳଯୋଗାଣ ଲାଗି ସରକାରଙ୍କ ସଂକଳ୍ପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ କ୍ଷେତ୍ରରେ ପାଇପ ଜଳ ଯୋଗାଣ ଲାଗି ଶିଳାନ୍ୟାସ କରିବେ । ମରୁଡ଼ି ପ୍ରବଣ ବୁନ୍ଦେଲଖଣ୍ଡ କ୍ଷେତ୍ରକୁ ଜଳଯୋଗାଣ ସୁନିଶ୍ଚିତ କରିଥିବାରୁ ଏହି ପ୍ରକଳ୍ପକୁ ବେଶ ମହତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଅମୃତ ଯୋଜନା ଅଧୀନରେ ଝାନସୀ ସହରାଂଚଳ ପାନୀୟ ଜଳଯୋଗାଣ ଯୋଜନା ପର୍ଯ୍ୟାୟ-2 ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ ।
ଏହି ଅବସରରେ ଝାନସୀରେ ଏକ ରେଳଡବା ମରାମତି କାରଖାନା ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ସୁବିଧା ବୁନ୍ଦେଲଖଣ୍ଡ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
425 କିଲୋମିଟର ଲମ୍ବ ଝାନସୀ-ମାଣିକପୁର ଏବଂ ଭୀମସେନ-ଖାଇରାର ରେଳ ଲାଇନର ଦୋହରୀକରଣ ପାଇଁ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ । ଏହା କେବଳ ଟ୍ରେନଗୁଡ଼ିକର ଯାତାୟାତକୁ ସୁଗମ କରିବ ନାହିଁ ବରଂ ବୁନ୍ଦେଲଖଣ୍ଡ କ୍ଷେତ୍ରର ସାମଗ୍ରୀକ ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହେବ ।