


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ ।
ଗସ୍ତ କାଳରେ ଘୋଘାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚାଳାଚଳ ସେବାର ଶୁଭାରମ୍ଭ କରିବେ । ଏହା ସୌରାଷ୍ଟ୍ର ଅଞ୍ଚଳର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ ମଧ୍ୟରେ ଯାତାୟାତରେ ଯଥେଷ୍ଟ ସମୟ କମାଇବ । ଘୋଘା ଓ ଦହେଜ ମଧ୍ୟରେ ଯାତ୍ରା ପାଇଁ ପୂର୍ବରୁ 7-8 ଘଣ୍ଟା ସମୟ ଲାଗୁଥିବା ବେଳେ ଫେରୀ-ସେବା ଦ୍ଵାରା ଏହା ପ୍ରାୟ ଏକ ଘଣ୍ଟାକୁ ହ୍ରାସ ପାଇବ । ସଂପୂର୍ଣ୍ଣ ଭାବେ ଫେରୀ-ସେବା କାର୍ଯ୍ୟକାରୀ ହେଲେ ଏହା ଜରିଆରେ ମୋଟର ଗାଡି ମଧ୍ୟ ପରିବହନ କରାଯାଇପାରିବ । ତେବେ ପ୍ରଧାନମନ୍ତ୍ରୀ ରବିବାର ଦିନ ଉଦ୍ଘାଟନ କରୁଥିବା ପ୍ରଥମ ପର୍ଯ୍ୟାୟ ନୌସେବା (ଫେରୀ-ସେବା)ଦ୍ଵାରା କେବଳ ଯାତ୍ରୀମାନେ ଯାତାୟାତ କରିପାରିବେ ।
ଫେରୀ-ସେବା ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ପ୍ରଥମେ ଘୋଘାରୁ ଦହେଜ ପର୍ଯ୍ୟନ୍ତ ନୌଯାତ୍ରା କରିବେ । ଦହେଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ।
ସେହିପରି ଘୋଘାଠାରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ସର୍ବୋତ୍ତମ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ । ଶ୍ରୀ ଭାବନଗର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନ ଲିମିଟେଡ ପକ୍ଷରୁ ଏହି ପ୍ଳାଣ୍ଟ ନିର୍ମାଣ କରାଯାଇଛି ।
ଦହେଜ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ବଦୋଦରା ଯିବେ । ସେଠାରେ ଏକ ଜନସଭାରେ ସେ ବଦୋଦରା ନଗର କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ରକୁ ଲୋକାର୍ପିତ କରିବେ । ଏଥିସହିତ ୱାଘୋଦିଆ ଆଞ୍ଚଳିକ ଜଳଯୋଗାଣ ସ୍କିମ, ବ୍ୟାଙ୍କ ଅଫ ବରୋଦାର ନୂତନ ମୁଖ୍ୟାଳୟକୁ ବଦୋଦରାଠାରେ ଉଦ୍ଘାଟନ କରିବେ ।
ଗସ୍ତକାଳରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ)ର ହିତାଧିକାରୀମାନଙ୍କୁ ଗୃହ ଚାବି ପ୍ରଦାନ କରିବେ । ସେହିପରି ସମନ୍ଵିତ ପରିବହନ କେନ୍ଦ୍ର, ଆଞ୍ଚଳିକ ଜଳଯୋଗାଣ ସ୍କିମ, ଗୃହ ନିର୍ମାଣ ଓ ଫ୍ଲାଇଓଭର ପ୍ରକଳ୍ପ ଭଳି ଅନେକ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟକ୍ରମର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ । ବଦୋଦରାଠାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଗମର ଏକ ମାର୍କେଟିଙ୍ଗ ଟର୍ମିନାଲ ସହିତ ମୁନ୍ଦ୍ରା-ଦିଲ୍ଲୀ ପେଟ୍ରୋଲିୟମ ପାଇପଲାଇନ ସଂପ୍ରସାରଣ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।