ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 13 ରେ ନୂଆଦିଲ୍ଲୀସ୍ଥିତ 26, ଆଲିପୁର ରୋଡଠାରେ ଡ.ବାବାସାହେବ ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀର ଉଦଘାଟନ କରିବେ ।
ଡ. ବାବାସାହେବ ଆମ୍ବେଦକର ଡିସେମ୍ବର 6, 1956 ରେ ଏହି ସ୍ଥାନରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ ।
ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳ, 26, ଆଲିପୁର ରୋଡକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ 2003 ରେ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ମାରକୀ ନିର୍ମାଣ ପାଇଁ 21 ମାର୍ଚ୍ଚ, 2016 ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଯୋଗୁଁ ଏହି ସ୍ମାରକୀକୁ ଏକ ପୁସ୍ତକର ସ୍ୱରୁପ ପ୍ରଦାନ କରାଯାଇଛି ।
ଏହି ସ୍ମାରକୀ ଜରିଆରେ ସ୍ଥିର ଓ ଗତିଶୀଳ ମାଧ୍ୟମ ଏବଂ ଦୃଶ୍ୟଶ୍ରାବ୍ୟ ସାମଗ୍ରୀ ତଥା ମଲ୍ଟି ମିଡିଆ ପ୍ରଯୁକ୍ତି କୌଶଳର ବ୍ୟାପକ ଉପଯୋଗ ମାଧ୍ୟମରେ ଡ.ଆମ୍ବେଦକରଙ୍କ ଜୀବନୀ ଓ ରାଷ୍ଟ୍ର ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ବୌଦ୍ଧିକ ତଥା ମନନଶୀଳ ଧାରଣା ପ୍ରଦର୍ଶନ କରାଯିବ ।
ଏହି ସ୍ମାରକୀରେ ଧ୍ୟାନ କରିବା ପାଇଁ ଏକ ହଲ ନିର୍ମିତ ହୋଇଛି । ତୋରଣ ଦ୍ୱାର, ବୋଧୀ ବୃକ୍ଷ, ମ୍ୟୁଜିକାଲ ଫାଉଣ୍ଟେନ ଏବଂ ସ୍ମାରକୀ ସମ୍ମୁଖରେ ମନୋରମ ଆଲୋକର ବ୍ୟବସ୍ଥା ସହିତ ଅନ୍ୟ ପ୍ରମୁଖ କ୍ଷେତ୍ରଗୁଡିକ ପ୍ରତି ଧ୍ୟାନ ଦିଆଯାଇଛି ।