

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର 11, 2017ରେ ନୂଆଦିଲ୍ଲୀର ପୁସା IARI ଠାରେ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଘାଟନୀ ସମାରୋହରେ ଯୋଗଦେବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ “ପ୍ରଯୁକ୍ତି ଏବଂ ଗ୍ରାମୀଣ ଜୀବନ” ଆଧାରିତ ପ୍ରଦର୍ଶନୀ ବୁଲି ଦେଖିବେ । ଏହି ସମ୍ମିଳନୀରେ ଶତାଧିକ ଉତ୍ତମ କାର୍ଯ୍ୟପଦ୍ଧତି ଓ ପ୍ରୟୋଗ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ସମାବେଶ କାଳରେ ଗ୍ରାମୀଣ ନବସୃଜନକାରୀଙ୍କ ସହିତ ମତ ବିନିମୟ କରିବେ ।
ସେଠାରେ ସେ ନାନାଜୀ ଦେଶମୁଖ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।
ପ୍ରଧାନମନ୍ତ୍ରୀ ସମାରୋହରେ ନାନାଜୀ ଦେଶମୁଖଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବେ । ଜିଲ୍ଲାସ୍ତରୀୟ ଉନ୍ନତିମୂଳକ କାର୍ଯ୍ୟର ସହଯୋଗ ଏବଂ ତଦାରଖ ଲାଗି ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ ହେବ । ପ୍ରଧାନମନ୍ତ୍ରୀ ସମାବେଶ ଅବସରରେ ଗ୍ରାମ ସମ୍ବାଦ ଆପ୍ ର ଶୁଭାରମ୍ଭ କରିବେ । ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ବିକାଶ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସମସ୍ତ ତଥ୍ୟ ଏହି ଆପ୍ ଜରିଆରେ ଉପଲବ୍ଧ ହେବ । ସୂଚନାରୁ ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାର କରି ଏହି ଆପ୍ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଭାରତୀୟ କୃଷି ଗବେଷଣା ପରିଷଦରେ ଏକ ଫେନୋମିକ୍ସ ପ୍ଳାଣ୍ଟକୁ ମଧ୍ୟ ଉଦ୍ଘାଟନ କରିବେ ।
ପରିଶେଷରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ପ୍ରତିନିଧି, ଜଳସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନବସୃଜନକାରୀ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସମେତ ପ୍ରାୟ 10,000 ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।