ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ଅତି ଅନଗ୍ରସର ଜିଲ୍ଲାମାନଙ୍କର ସମ୍ମିଳନୀରେ ଉଦ୍ବୋଧନ ଦେବେ । ନୂଆଦିଲ୍ଲୀର ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ ନୀତି ଆୟୋଗଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ସମ୍ମିଳନୀରେ ଦେଶର 100ଟି ଅତି ଅନଗ୍ରସର ଜିଲ୍ଲାର ପ୍ରଭାରୀ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ କାଳରେ ସବୁ ପ୍ରଭାରୀ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ବିକାଶ ପ୍ରସଙ୍ଗ ନେଇ ମତ ବିନିମୟ କରିବେ ।
2022 ସୁଦ୍ଧା ନିଉ ଇଣ୍ଡିଆ ବା ନବ ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଓ ପରିକଳ୍ପନା କରିଛନ୍ତି ତାକୁ ଦୃଷ୍ଟିରେ ରଖି ନୀତି ଆୟୋଗଙ୍କ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦେଶର ଅନେକଗୁଡିଏ ଅଂଚଳ ବିଶେଷ କରି 100ଟି ଅତି ଅନଗ୍ରସର ଜିଲ୍ଲାର ବିକାଶ ଲାଗି ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପଦକ୍ଷେପ ନେବେ । ବିଭିନ୍ନ ପରିମାପକର ମୂଲ୍ୟାୟନ ଆଧାରରେ 100 ଟି ଅତି ଅନଗ୍ରସର ଜିଲ୍ଲାକୁ ବଛା ଯାଇଛି । ଏହିସବୁ ଜିଲ୍ଲାଗୁଡିକର ବିକାଶ ଲାଗି ଜଣେ ଜଣେ ସ୍ୱତନ୍ତ୍ର ବରିଷ୍ଠ ପଦାଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ ଜଣେ ଜଣେ ଅତିରିକ୍ତ ସଚିବ ଅଥବା ଯୁଗ୍ମ-ସଚିବ ପାହ୍ୟାର ବରିଷ୍ଠ ଅଧିକାରୀମାନଙ୍କୁ ଏହି 100 ଟି ଜିଲ୍ଲାର ପ୍ରଭାରୀ ଭାବେ ନିୟୋଜିତ କରାଯାଉଛି । ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ଉପଯୁକ୍ତ ତଦାରଖ ଓ ସମନ୍ୱୟ କରିବେ । ଏହିସବୁ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ କି କି କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ସେଥିନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଅହରହ ସମନ୍ୱୟ ଓ ସମ୍ପର୍କରେ ରହିବେ ।