2022 ସୁଦ୍ଧା ଏକ ନୂଆ ଭାରତ ନିର୍ମାଣ ଦିଗରେ ସମର୍ପିତ ଭାବେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅଫିସର 4 କାନ୍ଥ ମଧ୍ୟରେ ସୀମିତ ନ ରହି ଏକ ଆଧୁନିକ ଭାରତ ଗଠନ ଦିଗରେ ଖୋଲା ମନରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନୂଆଦିଲ୍ଲୀଠାରେ ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଓ ଉପସଚିବମାନଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
380 ଜଣ ନିର୍ଦ୍ଦେଶକ ଏବଂ ଉପସଚିବଙ୍କୁ 4ଟି ଦଳରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତ୍ୟେକ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ମୁକ୍ତ ଭାବେ ମତ ବିନିମୟ କରିଥିଲେ । ଚଳିତ ମାସରେ ଏହିସବୁ ଗୋଷ୍ଠୀ ପର୍ଯ୍ୟାୟକ୍ରମେ ମତ ବିନିମୟ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗତକାଲି ଅନ୍ତିମ ପର୍ଯ୍ୟାୟ ମତ ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଗୋଷ୍ଠୀ ସହ ପାଖାପାଖି 2 ଘଣ୍ଟା ଧରି ମତ ବିନିମୟ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କ ସମସ୍ୟା ଓ ଆପତ୍ତି-ଅଭିଯୋଗକୁ ଠିକ୍ ଭାବେ ହୃଦୟଙ୍ଗମ କରି ସୃଜନାତ୍ମକ ଢ଼ଙ୍ଗରେ ଏସବୁର ସମାଧାନ କରାଯିବା ଆବଶ୍ୟକ । ଉତ୍ତମ ପ୍ରଶାସନ ବିନା ଦେଶ ଆଗକୁ ବଢ଼ି ପାରିବ ନାହିଁ । ନିର୍ଦ୍ଦେଶକ ଏବଂ ଉପସଚିବ ସ୍ତରରେ ପୃଥକ ପୃଥକ ଦଳମାନ ଗଠନ କରି ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସୁଚିନ୍ତିତ କାର୍ଯ୍ୟ କରିବାକୁ ପଡିବ, ଯାହାକି ଭଲ ପରିଣାମ ଆଣିଦେବ ।
ଏହି ମତ ବିନିମୟ କାଳରେ ଉତ୍ତମ ପ୍ରଶାସନ, ଭ୍ରଷ୍ଟାଚାର, ସାଧାରଣ ଉଦ୍ୟୋଗ, ସରକାରୀ ଇ-ବଜାର, ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, କୃଷି, ପରିବହନ, ଜାତୀୟ ସଂହତି, ଜଳ ସମ୍ବଳ, ସ୍ୱଚ୍ଛ ଭାରତ, ସାଂସ୍କୃତିକ ଐତିହ, ଯୋଗାଯୋଗ ଏବଂ ପର୍ଯ୍ୟଟନ ଭଳି ପ୍ରସଙ୍ଗ ଉପରେ ବିସ୍ତୃତ ବିଚାର ବିମର୍ଶ କରାଯାଇଥିଲା ।
ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ କ୍ୟାବିନେଟ ସଚିବାଳୟର ପଦସ୍ଥ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।