ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ସିକ୍କିମ ଓ ଲାଦାଖର 53ଜଣ ITBP ପରିଭ୍ରମଣକାରୀ ଛାତ୍ର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ITBP ଛାତ୍ରମାନେ ଏକ ସମୃଦ୍ଧ ଓ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ସମ୍ପର୍କରେ ସେମାନଙ୍କର ଭବିଷ୍ୟଦୃଷ୍ଟି ଅବଗତ କରାଇଥିଲେ । ସେମାନଙ୍କ ସ୍ଵପ୍ନ ସାକାର କରିବା ଲାଗି ଆବଶ୍ୟକ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ପ୍ରେରଣା ଦେଇଥିଲେ । ଜୀବନକୁ ଅଧିକ କ୍ରିୟାଶୀଳ ଓ ଫଳଦାୟକ କରିବା ଲାଗି ସେମାନେ ଶାରୀରିକ ଓ ମାନସିକସ୍ତରରେ ସତେଜ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିଲାଗି ଯୋଗର ଭୂମିକା ସମ୍ପର୍କରେ ସେ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ଜ୍ଞାନ ଆହରଣର ମହିମା ବିଷୟରେ ଗୁରୁତ୍ଵ ଦେଇଥିଲେ ଏବଂ କହିଥିଲେ ଯେ, ସବୁବେଳେ ଜଣେ ଅଧ୍ୟୟନକାରୀ ଛାତ୍ର ଭାବେ ନିଜକୁ ପରିଗଣିତ କରି ଆଗକୁ ବଢିବା ଆବଶ୍ୟକ ।
ପରିଭ୍ରମଣକାରୀ ଛାତ୍ରମାନେ ଆଲୋଚନା କାଳରେ ଡିଜିଟାଲ ଭାରତ ସମ୍ପର୍କରେ ଅଧିକ ଜାଣିବାକୁ ଚାହିଁଥିଲେ । ବେନଗଦୀ କାରବାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କାର୍ଯ୍ୟକ୍ରମ ଦ୍ଵାରା ଲୋକେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବୁଝାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲିଖିତ “Exam Warriors” ପୁସ୍ତକ ସମ୍ପର୍କରେ ଛାତ୍ରମାନେ ଉଲ୍ଲେଖ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାପମୁକ୍ତ ଜୀବନ ବିତାଇବାକୁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ।