- ୟୁଏଇ ସରକାରଙ୍କ ଶ୍ରେଷ୍ଠ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବା ମୋ ପାଇଁ ଏକ ସମ୍ମାନର ବିଷୟ : ପ୍ରଧାନମନ୍ତ୍ରୀ
ମୋର ଫ୍ରାନ୍ସ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଭାଗିଦାରିତାକୁ ପ୍ରତିଫଳିତ କରୁଛି । 2019 ଅଗଷ୍ଟ 22-23 ମଧ୍ୟରେ ମୁଁ ଫ୍ରାନ୍ସରେ କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବି । ଏଥିରେ ସାମିଲ ରହିଛି ରାଷ୍ଟ୍ରପତି ମାକ୍ରନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ଫିଲିପଙ୍କ ସହ ଏକ ବୈଠକ । ମୁଁ ମଧ୍ୟ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବି ଏବଂ 1950 ଓ 1960ରେ ଫ୍ରାନ୍ସରେ ଦୁଇଟି ଏୟାର ଇଣ୍ଡିଆ ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମୃତିରେ ଏକ ସ୍ମାରକୀ ଉତ୍ସର୍ଗ କରିବି । ପରେ ଅଗଷ୍ଟ 25-26 ମଧ୍ୟରେ ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୁଁ ବିଆରିଜ ପାର୍ଟନର ଭାବେ ଜି7 ଶିଖର ସମ୍ମିଳନୀର ପରିବେଶ, ପାଣିପାଗ, ମହାସାଗର ଏବଂ ଡିଜିଟାଲ ରୂପାନ୍ତରଣ ଅଧିବେଶନରେ ଅଂଶଗ୍ରହଣ କରିବି ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ଚମକ୍ରାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ଓ ବୃହତର ବିଶ୍ୱ ପରିପ୍ରେକ୍ଷୀରେ ଶାନ୍ତି ଓ ସମୃଦ୍ଧିକୁ ବୃଦ୍ଧି କରିବା ନେଇ ଉଭୟ ଦେଶ ଏକ ମିଳିତ ପରିକଳ୍ପନା ମାଧ୍ୟମରେ କାର୍ଯ୍ୟ କରୁଥିବାରୁ ଏହା ଅଧିକ ସୁଦୃଢ଼ ହୋଇଛି । ଦୁଇ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଏବଂ ଅର୍ଥନୈତିକ ଭାଗୀଦାରିତା ସହିତ ସନ୍ତ୍ରାସବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରମୁଖ ବୈଶ୍ୱିକ ସମସ୍ୟାଗୁଡିକର ସମାଧାନ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ ମଧ୍ୟ କରୁଛୁ । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ଗସ୍ତ ଫଳରେ ପାରସ୍ପରିକ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତି ପାଇଁ ଫ୍ରାନ୍ସ ସହିତ ଆମର ଦୀର୍ଘ ଓ ମୂଲ୍ୟବାନ ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେବ ।
ଅଗଷ୍ଟ 23-24 ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସମୟରେ, ମୁଁ ଆବୁଧାବିର ମହାମାନ୍ୟ ରାଜକୁମାର ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଂଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ବିଷୟଗୁଡିକ ସମ୍ବନ୍ଧରେ ଆଲୋଚନା କରିବି ।
ମୁଁ ମଧ୍ୟ ମହାମାନ୍ୟ ରାଜକୁମାରଙ୍କ ସହ ଯୁଗ୍ମ ଭାବେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବି । ଏହି ଗସ୍ତ ସମୟରେ ୟୁଏଇ ସରକାରଙ୍କ ଦ୍ୱାରା ପ୍ରଦତ ଶ୍ରେଷ୍ଠ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବା ମୋ ପାଇଁ ଏକ ସମ୍ମାନର ବିଷୟ ହେବ । ବିଦେଶରେ ନଗଦ ବିହୀନ କାରବାର ନେଟୱର୍କକୁ ପ୍ରସାରିତ କରିବା ପାଇଁ ମୁଁ ମଧ୍ୟ ଆନୁଷ୍ଠାନିକ ଭାବେ ରୁପେ କାର୍ଡର ଶୁଭାରମ୍ଭ କରିବି ।
ଭାରତ ଓ ୟୁଏଇ ମଧ୍ୟରେ ନିୟମିତ ଭାବେ ହେଉଥିବା ଉଚ୍ଚସ୍ତରୀୟ ଭାବ ବିନିମୟ ଆମ ଦୃଢ଼ ସମ୍ପର୍କକୁ ପ୍ରମାଣିତ କରିଥାଏ । ୟୁଏଇ ହେଉଛି ଆମର ତୃତୀୟ ବୃହତ୍ ବାଣିଜ୍ୟ ଅଂଶୀଦାର ଏବଂ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରିବାରେ ଚତୁର୍ଥ । ଏହି ସମ୍ପର୍କରେ ଗୁଣାତ୍ମକ ବୃଦ୍ଧି ଆଣିବା ହେଉଛି ଆମର ପ୍ରମୁଖ ବୈଦେଶିକ ନୀତିର ସଫଳତା ମଧ୍ୟରେ ଅନ୍ୟତମ । ଏହି ଗସ୍ତ ଫଳରେ ୟୁଏଇ ସହିତ ଆମର ବହୁମୁଖି ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବ ।
ମୁଁ ମଧ୍ୟ 2019 ଅଗଷ୍ଟ 24-25 ମଧ୍ୟରେ ବାହାରିନ ଗସ୍ତ କରିବି । ଏହି ଗସ୍ତ ହେବ ଭାରତର ଜଣେ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ବାହାରିନ ଗସ୍ତ । ଦ୍ୱିପାକ୍ଷିକ ସମ୍ପର୍କକୁ ପୁନଶ୍ଚ ସୁଦୃଢ଼ କରିବା ପାଇଁ ଏବଂ ଆଂଚଳିକ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ବିଷୟ ସମ୍ବନ୍ଧରେ ମତ ବିନିମୟ କରିବା ପାଇଁ ମୁଁ ମହାମାନ୍ୟ ରାଜକୁମାର ଶେଖ ଖଲିଫା ବିନ ସଲମନ ଅଲ ଖଲିଫାଙ୍କୁ ଭେଟିବି । ମୁଁ ମଧ୍ୟ ବାହାରିନର ରାଜା ମହାଭାଗ ଶେଖ ହାମଦ ବିନ ଇସା ଅଲ ଖଲିଫା ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଭେଟିବି ।
ଏଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମତ ବିନିମୟ କରିବାର ସୁଯୋଗ ମଧ୍ୟ ମତେ ମିଳିବ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗଲ୍ଫ ଅଂଚଳର ସର୍ବ ପୁରାତନ ଶ୍ରୀନାଥଜୀ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କାର୍ଯ୍ୟରେ ଭାଗନେବା ମୋ ପାଇଁ ଗର୍ବର ବିଷୟ । ମୋର ଦୃଢ଼ ବିଶ୍ୱାସ ଯେ ଏହି ଗସ୍ତ ଫଳରେ ଏହି କ୍ଷେତ୍ରରେ ଆମର ସମ୍ପର୍କ ପୁନଶ୍ଚ ସୁଦୃଢ଼ ହେବ ।