ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ସମେତ ଚାରୋଟି ରାଜ୍ୟ ଉତ୍ତର ପ୍ରଦେଶ, ବିହାର ଏବଂ ଜାମ୍ମୁ-କାଶ୍ମୀରର ଜିଲ୍ଲାପାଳମାନଙ୍କ ସହ ଖୋଲା ଶୌଚମୁକ୍ତ କାର୍ଯ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ସଂପୃକ୍ତ ରାଜ୍ୟଗୁଡିକରେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ସ୍ୱଚ୍ଛତା ଲକ୍ଷ୍ୟ ପୂରଣ ଦିଗରେ ଏ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ସଂପର୍କରେ ସେମାନଙ୍କର ମତ ଏବଂ ଅନୁଭୂତି ବିଷୟରେ ଜଣାଇବା ପାଇଁ ପ୍ରୋତ୍ସାହିତ କରିଥିଲେ । ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଯେ ଏହି କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟବେକ୍ଷକ ଦଳ ଗଠନ କରାଯିବାର ଆବଶ୍ୟକତା ରହିଛି ।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକୁ ଏକ ଜନ-ଆନ୍ଦୋଳନରେ ପରିବର୍ତ୍ତିତ କରିବାକୁ ପଡିବ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ଏବଂ ସ୍କୁଲ ପିଲାମାନେ ଏ କ୍ଷେତ୍ରରେ ସଚେତନତାର ବାର୍ତ୍ତାବାହକ ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।