ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡ଼େମୀ ଗସ୍ତରେ ଯାଇ ସେଠାରେ 92ତମ ଫାଉଣ୍ଡେସନ୍ କୋର୍ସରେ ତାଲିମ ପାଉଥିବା ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି । ଏହି ପାଠ୍ୟକ୍ରମରେ ମୋଟ 360ଜଣ ଅଧିକାରୀ ତାଲିମ ନେଉଛନ୍ତି ।
ତାଲିମ ନେଉଥିବା ଅଧିକାରୀମାନେ ଚାରିଟି ଗୋଷ୍ଠୀରେ ବିଭାଜିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବପୂର୍ଣ୍ଣ ମତ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାୟ ଚାରିଘଣ୍ଟା ଧରି ଜାରି ରହିଥିଲା । ମନରେ କୌଣସି ପ୍ରକାର ଭୟ ଅଥବା ସଂକୋଚ ନରଖି ନିର୍ଭୟରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ନିଜର ଚିନ୍ତନ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ତାଲିମ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ଯୁବ ଆଇଏଏସ ଅଧିକାରୀମାନେ ପ୍ରଶାସନ ଠାରୁ ଆରମ୍ଭ କରି ଶାସନ ପ୍ରକ୍ରିୟା, ପ୍ରଯୁକ୍ତି ଏବଂ ନୀତି ପ୍ରଣୟନ ସଂପର୍କୀତ ବିଷୟ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରଶାସନିକ କାର୍ଯ୍ୟକୁ ଗଭୀର ଭାବେ ଅଧ୍ୟୟନ କରିବା ସହ ଏହା ଉପରେ ଗବେଷଣା କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ସେମାନେ ପ୍ରଶାସନିକ ବ୍ୟବସ୍ଥାକୁ ଉତ୍ତମ ରୂପେ ବୁଝିପାରିବେ । ଯୁବ ପ୍ରଶାସନିକ ଅଧିକାରୀମାନେ ଏକ ଜାତୀୟ ଦୃଷ୍ଟିଭଙ୍ଗୀର ବିକାଶ ଘଟାଇବା ସକାଶେ ସେମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କୁ ପ୍ରଶାସନିକ କାର୍ଯ୍ୟକାଳରେ ବିଶେଷ ଭାବେ ସହାୟକ ହେବ । ଅଧିକାରୀମାନେ ସେମାନଙ୍କ ମନର ଭାବନାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ପଷ୍ଟ ଭାବେ ପ୍ରକଟ କରିଥିଲେ ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଏକାଡ଼େମୀର ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ । ପ୍ରଶିକ୍ଷଣ କେନ୍ଦ୍ରରେ ଭାରତର ପ୍ରଶାସନିକ ସେବା ଅଧିକାରୀମାନଙ୍କୁ କିଭଳି ତାଲିମ ପ୍ରଦାନ କରାଯାଉଛି ସେ ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ୟକ ଭାବେ ଅବଗତ କରାଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡ଼େମୀ (ଏଲବିଏସଏନଏଏ) ପରିସରରେ ଥିବା ଅତ୍ୟାଧୁନିକ ଗାନ୍ଧୀ ସ୍ମୃତି ପାଠାଗାର ପରିଦର୍ଶନ କରିଥିଲେ । ଏହାପରେ ଟ୍ରେନି ଅଧିକାରୀମାନଙ୍କ ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ ।
ପୂର୍ବରୁ ଏକାଡ଼େମୀଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସେମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ ଏହି ଗସ୍ତ ବେଳେ କ୍ୟାବିନେଟ ସଚିବ ଶ୍ରୀ ପି କେ ସିହ୍ନା, ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ଉପମା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।