ମହାମହିମ
ଏବଂ ମୋର ବନ୍ଧୁ ରାଷ୍ଟ୍ରପତି ମିର୍ଜିୟୋଏବ,
ଉଜବେକିସ୍ଥାନରୁ ଆସିଥିବା ସମ୍ମାନିତ ଅତିଥି ଏବଂ ମୋର ବନ୍ଧୁଗଣ,
ଭାରତୀୟ ସୁଧୀମଣ୍ଡଳର ସଦସ୍ୟ,
ନମସ୍କାର ।
ରାଷ୍ଟ୍ରପତିଜୀ,
ଭାରତକୁ ଏହା ଆପଣଙ୍କ ପ୍ରଥମ ସରକାରୀ ଗସ୍ତ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ଯାତ୍ରା ଆପଣ, ଆପଣଙ୍କ ପରିବାର ଏବଂ ଏକ ସଶକ୍ତ ପ୍ରତିନିଧି ଦଳଙ୍କ ସହିତ କରୁଛନ୍ତି । ଆପଣ ଏବଂ ଆପଣଙ୍କ ପରିବାର ତଥା ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ମୋତେ ଅତ୍ୟନ୍ତ ଆନନ୍ଦ ଅନୁଭୂତ ହେଉଛି । ଉଜବେକିସ୍ତାନ ଏବଂ ଭାରତ ମଧ୍ୟରେ ସାମଞ୍ଜସ୍ୟ ଏବଂ ନିକଟତର ସଂପର୍କର ମୂକସାକ୍ଷୀ ହେଉଛି ଆମ ଇତିହାସ ଏବଂ ସଂସ୍କୃତି । ‘ଅତିଥି’, ‘ବନ୍ଧୁ’ ଏବଂ ‘ନିକଟ ସଂପର୍କୀୟ’- ଏଭଳି କିଛି ଶବ୍ଦ ଦୁଇ ଦେଶରେ ସମାନ ଭାବେ ପରିଚିତ । ଏହା କେବଳ ଭାଷାର ସମାନତା ନୁହେଁ । ଏହା ହେଉଛି ହୃଦୟ ଏବଂ ଭାବନାର ମିଳନ । ମୁଁ ଗର୍ବିତ ଏବଂ ପ୍ରସନ୍ନ ଯେ ଆମ ଦୁଇ ଦେଶର ସଂପର୍କର ମୂଳଦୂଆ ଅତି ସୁଦୃଢ । ରାଷ୍ଟ୍ରପତିଜୀ,ଆପଣଙ୍କ ସହିତ ମୋର ପରିଚୟ 2015 ରେ ମୋର ଉଜବେକିସ୍ତାନ ଗସ୍ତ ସମୟରେ ହୋଇଥିଲା । ଅପଣଙ୍କର ଭାରତ ପ୍ରତି ସଦଭାବନା, ବନ୍ଧୁତା ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ମୋତେ ଅନେକ ମାତ୍ରାରେ ପ୍ରଭାବିତ କରିଛି । ଏହା ଆମର ଚତୁର୍ଥ ସାକ୍ଷାତ । ମୁଁ ଏହା ଅନୁଭବ କରୁଛି ଯେ ଆପଣ ଜଣେ ଘନିଷ୍ଠ ବନ୍ଧୁ । ଅତି ନିକଟତର ବନ୍ଧୁ । ମୋତେ ଆହୁରି ମଧ୍ୟ ଅଧିକ ଆନନ୍ଦ ଅନୁଭୂତ ହେଉଛି ଯେ ଆପଣଙ୍କ ସହିତ ଏକ ସଶକ୍ତ ପ୍ରତିନିଧି ଦଳ ରହିଛନ୍ତି । ଆପଣଙ୍କ ଆଦେଶ ଏବଂ ମାର୍ଗଦର୍ଶନ ଉପରେ ବିଗତ କିଛି ଦିନ ମଧ୍ୟରେ ଭାରତରେ ତାଙ୍କର ସଫଳ ସାକ୍ଷାତ ହୋଇଛି । ଆଜି ଆମ ଭିତରେ ଅନେକ ଫଳପ୍ରଦ ଆଲୋଚନା ହୋଇଛି । ଭାରତ ଏବଂ ଉଜବେକିସ୍ତାନର ଐତିହାସିକ ସଂପର୍କକୁ ଆହୁରି ମଜବୁତ କରିବା ଏବଂ ଆମର ରଣନୈତିକ ଭାଗିଦାରୀତାକୁ ଆହୁରି ସୁଦୃଢ କରିବାର ଆମ ଲକ୍ଷ୍ୟ ଏବଂ ଯୋଜନା ବିଷୟରେ ଆମେ ଆଲୋଚନା କରିଛୁ । ଆମର ପୁରୁଣା ବନ୍ଧୁତ୍ୱ ସଂପର୍କକୁ ସାମ୍ପ୍ରତିକ ସମୟରେ ଆହୁରି ସମୃଦ୍ଧ କରିବା ପାଇଁ ଆମେ ଦୀର୍ଘମିଆଦୀ ଲକ୍ଷ୍ୟ ପ୍ରସ୍ତୁତ କରିଛୁ । ଆଞ୍ଚଳିକ ଗୁରୁତ୍ୱର ବିଷୟ, ଯାହା ଆମ ସୁରକ୍ଷା, ଶାନ୍ତି, ସମୃଦ୍ଧି ଏବଂ ସହଯୋଗ ସହ ଜଡିତ, ଏହା ଉପରେ ମଧ୍ୟ ସଫଳ ଆଲୋଚନା କରାଯାଇଛି । ଏହି ବିଷୟ ଉପରେ ଏବଂ ସାଂଘାଇ ସହଯୋଗ ସଂଗଠନ ସମେତ ଅନ୍ତର୍ରାଷ୍ଟ୍ରୀୟ ମଞ୍ଚଗୁଡିକରେ, ଆମେ ଆମର ସହଯୋଗକୁ ଆହୁରି ଗଭୀର କରିବାର ନିଷ୍ପତ୍ତି ନେଇଛୁ । ଆଜିର ଏହି ସାକ୍ଷାତରେ ଆମ ଦୁଇ ଦେଶ ମଧ୍ୟରେ ପ୍ରାଚୀନ ଏବଂ ପ୍ରଗାଢ ସଂପର୍କକୁ ଆମ ଲୋକମାନଙ୍କର ଆଶା ଏବଂ ଆକାଂକ୍ଷା ଅନୁରୂପ ବିସ୍ତୃତ କରିବାର ସମୟ ଆସିଛି ବୋଲି ଆମେ ସହମତ ହୋଇଛୁ ।
ମହାମହିମ,
ଆପଣ ଅନେକ ସାହସୀ ଏବଂ ମଜବୁତ ପଦକ୍ଷେପ ଏବଂ ସଂସ୍କାର ଦ୍ୱାରା ଉଜବେକିସ୍ତାନରପୁରୁଣା ବ୍ୟବସ୍ଥାକୁ ପଛରେ ପକାଇ ଆଧୂନିକତା ଆଡକୁ ଆହୁରି ଦୃତ ଗତିରେ ଅଗ୍ରସର ହେଉଛନ୍ତି । ଏହା ହେଉଛି ଆପଣଙ୍କ ନେତୃତ୍ୱ ଏବଂ ଲକ୍ଷ୍ୟର ପରିଣାମ । ମୁଁ ଏହାକୁ ସ୍ୱାଗତ କରୁଛି । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଗକୁ ଆହୁରି ମଧ୍ୟ ସଫଳତା ପାଇଁ ଶୁଭକାମନା ଜଣାଉଛି ।
ମହାମହିମ,
ଉଜବେକିସ୍ତାନର ପ୍ରାଥମିକତାଗୁଡିକ ଅନୁଯାୟୀ ଭାରତ ସେହି ପ୍ରଚେଷ୍ଟାରେ ସହଯୋଗ କରିବା ପାଇଁ ସଂକଳ୍ପବଦ୍ଧ । ଆମର ବର୍ତ୍ତମାନର ସହଯୋଗକୁ ନୂତନ କ୍ଷେତ୍ରଗୁଡିକରେ ବୃଦ୍ଧି କରିବା ପାଇଁ ଆମେ ଆଜି ସ୍ୱତନ୍ତ୍ର ଆଲୋଚନା କରିଥିଲୁ । ଆମେ ବ୍ୟାପାର ଏବଂ ପୁଞ୍ଜିନିବେଶର ସଂପର୍କ ବୃଦ୍ଧି କରିବା ନେଇ ସହମତି ଜଣାଇଛୁ । ଆମେ 2020 ପର୍ଯ୍ୟନ୍ତ ଏକ ବିଲିୟନ ଡଲାରର ଦ୍ୱିପାକ୍ଷିକ ବ୍ୟାପାରର ଲକ୍ଷ୍ୟ ରଖିଛୁ । ଆମେ ଅଗ୍ରାଧିକାର ବାଣିଜ୍ୟ ବା ପ୍ରିଫେରେନସିଆଲ ଟ୍ରେଡ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାର ନିଷ୍ପତ୍ତି ମଧ୍ୟ ନେଇଛୁ । ଉଜବେକିସ୍ତାନର ପ୍ରସ୍ତାବ ଅନୁଯାୟୀ ଆମେ ଉଜବେକିସ୍ତାନରେକମ ଖର୍ଚ୍ଚରେ ଘର ନିର୍ମାଣ ଓ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ 200 ନିୟୁତ ଡଲାରର ଋଣ ଦେବା ଲାଗି ସ୍ଥିର କରିଛୁ । ଏହାବ୍ୟତୀତ Exim Bank ର କ୍ରେତା କ୍ରେଡିଟ ଅଧୀନରେଏବଂ 800 ନିୟୁତ ଡଲାର ପର୍ଯ୍ୟନ୍ତ ଆମେ ଉଜବେକିସ୍ତାନର ପ୍ରସ୍ତାବଗୁଡିକୁ ସ୍ୱାଗତ କରିବୁ । ମହାକାଶ, ମାନବ ସମ୍ବଳ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜବେକିସ୍ତାନର ହିତ ପାଇଁ ଭାରତର ଅନୁଭୂତିରୁ ଲାଭ ଉଠାଇବାର ପ୍ରସ୍ତାବ ଆମେ ରଖିଛୁ । ଭାରତ ଏବଂ ଉଜବେକିସ୍ତାନର ରାଜ୍ୟଗୁଡିକ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ଆମେ ସ୍ୱାଗତ କରୁଛୁ । ଆଜି ଆଗ୍ରା ଏବଂ ସମରକନ୍ଦ ମଧ୍ୟ ଟ୍ଵିନିଂ ଚୁକ୍ତି ଏବଂ ଗୁଜରାଟ ଓ ଉଜବେକିସ୍ତାନ ମଧ୍ୟରେ ଚୁକ୍ତି କରାଯାଇଛି । ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ସଂଯୋଗ କ୍ଷେତ୍ରକୁ ବୃଦ୍ଧି କରିବା ଉପରେ ଆମେ ବିଚାର କରିଛୁ । ବ୍ୟାପାର ଏବଂ ସଂଯୋଗ ପାଇଁ ଚାବାହାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଭାରତ ଆସଗାବାତ ଚୁକ୍ତିର ଫେବୃଆରୀ 2018 ରେ ସଦସ୍ୟ ହୋଇଥିଲା । ଏଥିରେ ସମର୍ଥନ ପାଇଁ ଆମେ ଉଜବେକିସ୍ତାନ ପାଖରେ କୃତଜ୍ଞ । ଆମେ ଆନନ୍ଦିତ ଯେ ଉଜବେକିସ୍ତାନ ଆନ୍ତର୍ଜାତିକ ଉତ୍ତର-ଦକ୍ଷିଣ ପରିବହନ ପଥ(International North South Transport Corridor) ରେ ସାମିଲ ହେବା ନେଇ ସହମତି ଜଣାଇଛି ।
ମହାମହିମ,
ଆପଣଙ୍କ ବରିଷ୍ଠ ପରାମର୍ଶଦାତା ଏବଂ ମନ୍ତ୍ରୀ କାଲି ଗାନ୍ଧୀ ପରିମଳ ସମ୍ମେଳନର ସମାପନ ସମାରୋହରେ ସାମିଲ ହେଉଛନ୍ତି । ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଏବଂ ଶାନ୍ତିର ବାର୍ତ୍ତା ପ୍ରତି ଆପଣଙ୍କ ମନରେ ଯେଉଁ ସମ୍ମାନ ରହିଛି, ତାହା ଭାରତୀୟଙ୍କ ଦୃଦୟକୁ ବେଶ୍ ଛୁଇଁ ପାରିଛି । ତାସକେଣ୍ଟ ସହିତ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ସ୍ମୃତି ଜଡିତ । ଶାସ୍ତ୍ରୀଜୀଙ୍କ ସ୍ମାରକୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ସ୍କୁଲର ପୁନରୁଦ୍ଧାର ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଏହି ଦୁଇ ମହାନ ଜନନାୟକଙ୍କ ଜନ୍ମ ତିଥିର ପୂର୍ବ ସଂଧ୍ୟାରେ ଭାରତରେ ଆପଣଙ୍କ ଉପସ୍ଥିତି ଆମ ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛି ।
ମହାମହିମ,
ଏହା ପ୍ରସନ୍ନତାର ବିଷୟ ଯେ ଆମ ସୁରକ୍ଷା ସଂପର୍କରେ ବୃଦ୍ଧି ପରିଲକ୍ଷିତ ହେଉଛି । ଆଜିର ସାକ୍ଷାତ ସମୟରେ ଆମେ ସଂଯୁକ୍ତ ସମରାଭ୍ୟାସ ଏବଂ ସୈନିକ ପ୍ରଶିକ୍ଷଣ ସମେତ ଆବଶ୍ୟକ କ୍ଷେତ୍ରଗୁଡିକରେ ସୁରକ୍ଷା ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଥିଲୁ । ରାଷ୍ଟ୍ରପତିଜୀ, ଆପଣଙ୍କ ସହ ଆଲୋଚନା ପୁନର୍ବାର ସ୍ପଷ୍ଟ କରିଦେଇଛି ଯେ ଭାରତ ଏବଂ ଉଜବେକିସ୍ତାନ ଏକ ସୁରକ୍ଷିତ ଏବଂ ଉନ୍ନତ ବାହ୍ୟ ବାତାବରଣ ଚାହାଁନ୍ତି । କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ଉଜବେକିସ୍ତାନର ପ୍ରୟାସଗୁଡିକର ଆମେ ପ୍ରଶଂସା କରୁଛୁ । ଏଥିରେ ଭାରତ ଉଜବେକିସ୍ତାନ ସହିତ ଯଥାସମ୍ଭବ ସହଯୋଗ କରିବ । ସ୍ଥିର,ଗଣତାନ୍ତ୍ରିକ ଏବଂ ସାମଗ୍ରୀକ ଏବଂ ସମୃଦ୍ଧ ଆଫଗାନିସ୍ତାନ ଆମ ସଂପୂର୍ଣ୍ଣ କ୍ଷେତ୍ରର ହିତ ପାଇଁ କାର୍ଯ୍ୟ କରୁଛି । ମୁଁ ଅତ୍ୟନ୍ତ ଖୁସି ଯେ ଏହି ବିଷୟରେ ଆମ ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ସଂପର୍କ ବଜାୟ ରଖିବାର ନିଷ୍ପତ୍ତି ଆମେ ନେଇଛୁ । ସାଂସ୍କୃତିକ ଏବଂ ଲୋକ-ଲୋକ ମଧ୍ୟରେ ସଂପର୍କ ହେଉଛି ଆମ ସଂପର୍କର ଆଧାର ସ୍ତମ୍ଭ । ଇ-ଭିସା,ପର୍ଯ୍ୟଟନ, ଶିକ୍ଷାର ବିନିମୟ ଏବଂ ବିମାନ ସଂଯୋଗ ଆଦି ବିଷୟ ଉପରେ ଆଜି ଆମେ ଆଲୋଚନା କରିଥିଲୁ ।
ମହାମହିମ,
ଏବେ ଆମେ ଏକ ନୂତନ ଦିଗ ଆଡକୁ ଅଗ୍ରସର ହେଉଛୁ ଯେଉଁଥିରେ ଆମର ଦ୍ୱିପାକ୍ଷିକ ସଂପର୍କ ନୂତନ ଶିଖରକୁ ଛୁଇଁବ ଏବଂ ଆମର ରଣନୈତିକ ଭାଗୀଦାରୀତା କୁ ଆହୁରି ମଜବୁତ କରିବ । ପୁନର୍ବାର ଆପଣଙ୍କ ଏବଂ ଆପଣଙ୍କ ପ୍ରତିନିଧି ଦଳଙ୍କୁ ସ୍ୱାଗତ କରି ଭାରତରେ ଆପଣଙ୍କ ଆନନ୍ଦମୟ ଏବଂ ଫଳପ୍ରଦ ପ୍ରବାସର କାମନା କରୁଛି ।
ବହୁତ ବହୁତ ଧନ୍ୟବାଦ
ଧନ୍ୟବାଦ ।