ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ରପତି,
ମହାମହିମ ମିଃ. ସିରିଲ ରାମାଫୋସା,
ଭାରତ ଏବଂ ଦକ୍ଷିଣ ଆଫ୍ରିକା କର୍ପୋରେଟ/ଉଦ୍ୟୋଗ ଜଗତର ନେତୃବୃନ୍ଦ;
ଭାଇ ଓ ଭଉଣୀମାନେ ।
ନମସ୍କାର!
ଭାରତ-ଦକ୍ଷିଣ ଆଫ୍ରିକା ବ୍ୟବସାୟ ମଞ୍ଚରେ ଆପଣମାନଙ୍କ ସହିତ ମୁଁ ଏଠାରେ ଉପସ୍ଥିତ ହୋଇ ଆନନ୍ଦିତ । ଆପଣଙ୍କୁ ପାଇଁ ଆମେ ଅତ୍ୟନ୍ତ ଗର୍ବିତ, ମହାମହିମ ରାଷ୍ଟ୍ରପତି ।
ଆସନ୍ତାକାଲି ଆମର 70ତମ ଗଣତନ୍ତ୍ର ଦିବସ ପ୍ୟାରେଡରେ ଆପଣ ସମ୍ମାନିତ ଅତିଥି ଭାବେ ଯୋଗଦେବା ଆମ ପାଇଁ ଗୌରବର ବିଷୟ । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଜାତୀୟ ଆନ୍ଦୋଳନକୁ ଯୋଡ଼ୁଥିବା ଇତିହାସର ସେହି ଅବିଭାଜିତ ସମ୍ପର୍କ ଠାରୁ ଆମର ଭାଗୀଦାରୀ ରହିଆସିଛି ।
ବର୍ତ୍ତମାନ, ଆମର ଭାଗୀଦାରୀ ଏକ ସହଭାଗୀ ଏବଂ ସମୃତି ଭବିଷ୍ୟତ ପାଇଁ, ଆମ ଲୋକମାନଙ୍କ ଲାଗି ମାଦିବା ଏବଂ ମହାତ୍ମାଙ୍କ ସ୍ୱପ୍ନକୁ ପୂରଣ କରିବ । ଆମ ଲୋକମାନଙ୍କ ଏବଂ ସାରା ବିଶ୍ୱ ପାଇଁ ଏକ ଉତ୍ତମ ଭବିଷ୍ୟତ ଲାଗି ଆମେ ଲଗାତାର ସମ୍ପର୍କ ଏବଂ ସହଭାଗୀତାର ସନ୍ଧାନରେ ରହିଛୁ ।
ଲାଲ କିଲ୍ଲା ଘୋଷଣାନାମା ଜରିଆରେ 22 ବର୍ଷ ପୂର୍ବରୁ ଆମେ ଆମର ରଣନୈତିକ ଭାଗୀଦାରୀ ପ୍ରତିଷ୍ଠା କରିଥିଲୁ । ମୁଁ ବିଶ୍ୱାସ କରେ ଯେ ଦୁଇ ପୁରୁଣା ବନ୍ଧୁ ଏବଂ ସହଭାଗୀଙ୍କ ମଧ୍ୟରେ ନିରନ୍ତର ବାର୍ତାଳାପ ଆମକୁ ପ୍ରତିଟି କ୍ଷେତ୍ରରେ ପରସ୍ପରର ନିକଟତର କରିଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ନିବିଡ଼ ସହଯୋଗ ପାଇଁ ଆମେ ଆମର ପ୍ରତିବଦ୍ଧତା ପ୍ରତି ଦୃଢ଼ ରହିଛୁ । ବର୍ତ୍ତମାନ ସମୟରେ, ଦୁଇ ପୁରୁଣା ବନ୍ଧୁଙ୍କ ମଧ୍ୟରେ ନୂତନ ଆରମ୍ଭ ଏବଂ ଅଭିନବ ଅଭିବୃଦ୍ଧି କାହାଣୀ ଆରମ୍ଭ ହୋଇଛି ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବ୍ୟାପାର କାରବାର ବୃଦ୍ଧି ପାଇଛି ଏବଂ ଏହା 2017-18 ରେ 10 ବିଲିୟନ ଡଲାର ଟପିଛି । 2018ରେ ଦୁଇଟି ବୃହତ ବାଣିଜ୍ୟିକ ପଦକ୍ଷେପ ଏଥିରେ ସହାୟକ ହୋଇଛି । ପ୍ରଥମ ହେଉଛି 2018 ଏପ୍ରିଲରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ବ୍ୟାପାର ଶିଖର ସମ୍ମିଳନୀ । ଏବଂ ଅନ୍ୟଟି ହେଉଛି 2018 ନଭେମ୍ବରେ ସେହି ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତରେ ନିବେଶ ପାଇଁ ବ୍ୟାପାର ମଞ୍ଚର ଆୟୋଜନ ।
ତେବେ, ଆହୁରି ଅନେକ ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ବାସ୍ତବାୟିତ କରିବା ଲାଗି ମୁଁ ସମସ୍ତ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକୀୟ ସରକାରୀ ସଂସ୍ଥା, ନିବେଶ ପ୍ରୋତ୍ସାହନ ସଂଗଠନଗୁଡ଼ିକ ସହିତ ଉଭୟ ରାଷ୍ଟ୍ରର ବ୍ୟବସାୟ ନେତୃତ୍ୱଙ୍କୁ ଆହ୍ୱାନ କରୁଛି । ଆମ ରାଜ୍ୟଗୁଡ଼ିକରେ ଆଫ୍ରିକୀ ରାଷ୍ଟ୍ରଗୁଡ଼ିକରୁ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଏବଂ ଉପସ୍ଥିତି ଦେଖି ମୁଁ ଆନନ୍ଦିତ ।
ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ଆନନ୍ଦିତ ହୋଇଥିଲି । ଏହା ଆହୁରି ଉତ୍ସାହପ୍ରଦ ଥିଲା ଯେ ଗତ ସପ୍ତାହରେ ଭାଇବ୍ରାଂଟ ଗୁଜରାଟ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବହୁସଂଖ୍ୟାରେ ଆମର ବନ୍ଧୁ ଏବଂ ସହଭାଗୀମାନଙ୍କୁ ସ୍ୱାଗତ କରାଯାଇଥିଲା । ଗୋଟିଏ ଦିନ ସ୍ୱତନ୍ତ୍ର ଭାବେ "ଆଫ୍ରିକା ଦିବସ” ଭାବେ ଉତ୍ସର୍ଗ ହୋଇଥିଲା ।
ଆମେ ଅନୁଭବ କରିବା ତୁଳନାରେ ଆମର ସମ୍ପର୍କ ଆହୁରି ଗଭୀର ବୋଲି ଏହା ଦର୍ଶାଉଛି । ଏହା ଆମର ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗୀଦାରୀ ପାଇଁ ମଧ୍ୟ ଚମକ୍ରାର । ଭାଇ ଓ ଭଉଣୀମାନେ ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ 2.6 ଟ୍ରିଲିୟନ ଡଲାରରେ ପହଁଚିଛି ଏବଂ ଏହା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି ।
ଆହୁରି, ଆମେ ବିଶ୍ୱର ପଂଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଅଗ୍ରସର ହେଉଛୁ । ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ରିପୋର୍ଟ ଭାରତ 77ତମ ସ୍ଥାନକୁ ଉନ୍ନିତ ହୋଇଛି-ଗତ ଚାରି ବର୍ଷ ମଧ୍ୟରେ ଏହା 65ଟି ସ୍ଥାନ ଉପରକୁ ଉଠିଛି ।
ୟୁଏନସିଟିଏଡି ଦ୍ୱାରା ତାଲିକାଭୁକ୍ତ ଆମେ ହେଉଛୁ ଶୀର୍ଷ ବିଦେଶୀ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀ ମଧ୍ୟରୁ ଅନ୍ୟତମ । କିନ୍ତୁ ଆମେ ସନ୍ତୁଷ୍ଟ ହୋଇରହିନାହୁଁ । ଦୈନିକ ଆଧାରରେ, ଆମ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେ ଆବଶ୍ୟକ ପରିବର୍ତନ ଏବଂ ସଂସ୍କାର ଆଣୁଛୁ ।
ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।
ଆମର ଉଦ୍ୟୋଗଜଗତ ଚତୁର୍ଥ ଶିଳ୍ପ ବିପ୍ଲବ ଏବଂ କୃତ୍ରିମ ବୌଦ୍ଧିକତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଥ୍ରୀଡିପ୍ରିଣ୍ଟିଙ୍ଗ, ରୋବୋଟିକ୍ସ ସମେତ ଅଭିନବ ପ୍ରଯୁକ୍ତି ଦିଗରେ ଅଗ୍ରସର ହୋଇଛି । ମାନବ ଜାତିର ଏକ ଷଷ୍ଠାଂଶ ଭାଗ,ଆମର 130 କୋଟି ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଆମ ସରକାର ସମସ୍ତ ପ୍ରୟାସ କରୁଛନ୍ତି ।
ଆମେ ଏକ ପରବର୍ତୀ ପିଢ଼ିର ଭିତିଭୂମି ସହିତ ଏକ "ନୂତନ ଭାରତ” ନିର୍ମାଣ କରିବା ପ୍ରତିବଦ୍ଧ ଏବଂ ଆମେ ଗତି,ଦକ୍ଷତା ଏବଂ ପରିମାଣ ଉପରେ ମଧ୍ୟ ଜୋର ଦେଉଛୁ ।
ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି,
ମହାମହିମ,
ନୂତନ ଦକ୍ଷିଣ ଆଫ୍ରିକା ପାଇଁ ଆପଣଙ୍କ ସଂକଳ୍ପ ଦିଗରେ 2018ରେ ଆପଣ ନେଇଥିବା ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ଲାଗି । ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଣ କରିବା ଏବଂ ତିନି ବର୍ଷରେ ଏକନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆପଣଙ୍କ ପ୍ରୟାସ ପାଇଁ ଆମର ଅଭିନନ୍ଦନ ।
ମୁଁ ଆନନ୍ଦିତ ଯେ ଭାରତ ଏହି ଲକ୍ଷ୍ୟ ଦିଗରେ ଯୋଗଦାନ ଦେଉଛି । ଦକ୍ଷିଣ ଆଫ୍ରିକାରେ ଆମର ନିବେଶ ନିରନ୍ତର ଭାବେ ବୃଦ୍ଧି ପାଉଛି । ଏହା 10 ବିଲିୟନ ଡଲାରରେ ପହଁଚିଲା, ଯାହା ସ୍ଥାନୀୟ ଭାବେ 20,000 ଚାକିରି ସୃଷ୍ଟି ସୃଷ୍ଟି କରିଛି ।
ଭ୍ରାତୃ ରାଷ୍ଟ୍ର ଭାବେ ଭାରତ ନୀତିଗତ ସଂସ୍କାର ଏବଂ ତୃଣମୂଳସ୍ତରର ସଂସ୍ଥା ପ୍ରତିଷ୍ଠା କ୍ଷେତ୍ରରେ ଅଭିଜ୍ଞତା ବାଂଟିବା ଲାଗି ଆନନ୍ଦର ସହ ପ୍ରସ୍ତୁତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ କମ୍ପାନୀଗୁଡ଼ିକର ଆହୁରି ଅଧିକ ନିବେଶକୁ ଆମେ ପ୍ରୋତ୍ସାହିତ କରୁଛୁ ଏବଂ ଆମର ବିଶ୍ୱାସ ଯେ ଅଧିକ ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିବେ ।
ସମସ୍ତ ଉପଲବ୍ଧ ସୁଯୋଗ, ବିଶେଷ କରି ଖାଦ୍ୟ ଏବଂ କୃଷି ପ୍ରକ୍ରିୟାକରଣ, ଗଭୀର ଖଣିଜ ଉତୋଳନ, ପ୍ରତିରକ୍ଷା,ଅର୍ଥ-ପ୍ରଯୁକ୍ତି, ବୀମା ଏବଂ ଭିତ୍ତିଭୂମି କ୍ଷେତ୍ରରେ ପ୍ରବେଶ ଲାଗି ନୂତନ ଭାରତ ଆପଣଙ୍କୁ ସ୍ୱାଗତ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ।
ସେହିପରି, ଦକ୍ଷିଣ ଆଫ୍ରିକା ସହିତ ଭାରତ ଷ୍ଟାର୍ଟ ଅପ୍ସ, ସ୍ୱାସ୍ଥ୍ୟ ସେବା ଏବଂ ଫାର୍ମା, ବାୟୋ-ଟେକ ଏବଂ ଆଇଟି ଆଧାରିତ କ୍ଷେତ୍ରରେ ଭାଗୀଦାର ହୋଇପାରିବ ।
ଗାନ୍ଧୀ ମାଣ୍ଡେଲା ସ୍କିଲ୍ସ ଇନଷ୍ଟିଟ୍ୟୁଟ ନିକଟରେ ଆରମ୍ଭ ହେବା ସହିତ ଦକ୍ଷିଣ ଆଫ୍ରକାର ଦକ୍ଷତା ବିକାଶ କ୍ଷେତ୍ରରେ ଭାଗୀଦାର ହୋଇ ଆମେ ଆନନ୍ଦିତ । ଏହି ପ୍ରୟାସ ଆମ ଯୁବପିଢ଼ିକୁ ସଶକ୍ତ କରିବ ।
ରତ୍ନପଥର ଏବଂ ଅଳଙ୍କାର କ୍ଷେତ୍ରରେ ଆମ ଦୁଇ ଦେଶ ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇପାରିବ । ହୀରାର ସିଧାସଳଖ କ୍ରୟ ଲାଗି ଉଭୟ ଦେଶ ଦିଗ ସନ୍ଧାନ କରିପାରିବେ ।
ଏହା ଅର୍ଥବ୍ୟବସ୍ଥାର ପରିମାଣ ବୃଦ୍ଧିକୁ ସୁନିଶ୍ଚିତ କରିବ ଏବଂ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ମୂଲ୍ୟରେ ହ୍ରାସ ଆଣିପାରିବ । ନବୀନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ, ବିଶେଷ କରି "ଅନ୍ତର୍ଜାତୀୟ ସୌର ମେଂଟ'' ଜରିଆରେ ଭାରତ ସହିତ ଦକ୍ଷିଣ ଆଫ୍ରିକା ହାତ ମିଳାଇପାରିବ ।
ବ୍ୟବସାୟୀ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବର୍ତ୍ତମାନର ଭିସା ବ୍ୟବସ୍ଥାରେ ସରଳୀକରଣ ଏବଂ ସିଧାସଳଖ ଯୋଗାଯୋଗ ଦ୍ୱାରା ବ୍ୟବସାୟିକ ସୁଗମତା ବୃଦ୍ଧି ପାଇବା ସହ ଜନ-ଜନ ସମ୍ପର୍କ ମଧ୍ୟ ଉନ୍ନତ ହେବ ।
ଭାଇ ଓ ଭଉଣୀମାନେ,
ଭାରତ-ଦକ୍ଷିଣ ଆଫ୍ରିକା ଭାଗୀଦାରୀରେ ଆହୁରି ଅନେକ ଅଦୃଶ୍ୟ/ଅଲକ୍ଷ୍ୟ ସମ୍ଭାବନା ରହିଯାଇଛି । ଆମ ଦୁଇ ଦେଶ ଏବଂ ଲୋକମାନଙ୍କ କଲ୍ୟାଣ ପାଇଁ ସହଭାଗୀ ଅଭିବୃଦ୍ଧି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ।
ମହାମହିମଙ୍କ ଗସ୍ତ ଦ୍ୱାରା ଏହି ସମ୍ପର୍କକୁ ଆଗେଇ ନେବା ଲାଗି ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିଛି ।
ଏହି ସହଭାଗୀ ପ୍ରୟାସରେ ମହାମହିମ, ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବା ଲାଗି ମୁଁ ପ୍ରତିବଦ୍ଧ ।
ଧନ୍ୟବାଦ ।
ଅଶେଷ ଧନ୍ୟବାଦ ।