#MannKiBaat: India celebrated Republic Day with immense enthusiasm, says PM
#MannKiBaat: Prime Minister Modi recalls Mahatma Gandhi, urge countrymen to keep 2 minutes silence
#MannKiBaat: PM Modi motivates youngsters appearing for exams
Appear for exams with pleasure & not under any pressure, says PM Modi #MannKiBaat
PM’s mantra for students appearing for exams – Smile more to score more #MannKiBaat
#MannKiBaat: Marks or mark sheet have limited influence on our lives. Knowledge gained matters most, says PM Modi
Compete with yourself, not others. Do not be let down by failures: PM Modi to youngsters #MannKiBaat
Coordination is must between our sense of mission and sense of ambition, says the Prime Minister #MannKiBaat
Accept capabilities of your children, mentor them in best ways, spend time with them: PM Modi to parents #MannKiBaat
Expecting too much from our children makes them stressed. Accept & back them in doing what they are well capable of: PM #MannKiBaat
Three things vital for exam preparation – proper rest, good sleep, sports or any other such activity: PM Modi during #MannKiBaat
Prime Minister Modi conveys greetings to Indian Coast Guard, salutes their role in safeguarding the nation #MannKiBaat

ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର ।

26 ଜାନୁୟାରୀ, ଆମର ଗଣତନ୍ତ୍ର ଦିବସକୁ ଦେଶର କୋଣ ଅନୁକୋଣରେ ଉତ୍ସାହ ଏବଂ ଉଦ୍ଦୀପନା ସହ ଆମେ ସମସ୍ତେ ପାଳନ କଲୁ । ଭାରତର ସମ୍ବିଧାନ, ନାଗରିକଙ୍କ କର୍ତ୍ତବ୍ୟ, ନାଗରିକଙ୍କ ଅଧିକାର, ଗଣତନ୍ତ୍ର ପ୍ରତି ଆମର ଅଙ୍ଗୀକାରବଦ୍ଧତା, ପ୍ରକାରାନ୍ତରେ ଏହା ଏକ ସଂସ୍କାର ଉତ୍ସବ ମଧ୍ୟ ଅଟେ ଯାହା ଆଗାମୀ ପିଢ଼ିମାନଙ୍କୁ ଗଣତନ୍ତ୍ର ପ୍ରତି, ଗଣତାନ୍ତ୍ରିକ ଦାୟୀତ୍ୱ ପ୍ରତି ସଚେତନ ମଧ୍ୟ କରୁଛି ଏବଂ ସଂସ୍କାରସମ୍ପନ୍ନ ମଧ୍ୟ କରୁଛି । କିନ୍ତୁ ଆଜି ମଧ୍ୟ ଆମ ଦେଶରେ ନାଗରିକମାନଙ୍କ କର୍ତ୍ତବ୍ୟ ଏବଂ ନାଗରିକମାନଙ୍କ ଅଧିକାର ଉପରେ ଯେତେ ବିତର୍କ ହେବା ଆବଶ୍ୟକ, ଯେତେ ଗଭୀରତାର ସହ ବିତର୍କ ହେବା ଆବଶ୍ୟକ, ଯେଉଁ ବ୍ୟାପକ ଭାବରେ ଆଲୋଚନା ହେବା କଥା ତାହା ହେଉ ନାହିଁ  । ମୁଁ ଆଶା କରୁଛି ଯେ ପ୍ରତ୍ୟେକ ସ୍ତରରେ ସବୁବେଳେ ଅଧିକାର ଉପରେ ଯେତେ ଗୁରୁତ୍ୱ ଦିଆଯାଉଛି, କର୍ତ୍ତବ୍ୟଗୁଡ଼ିକ ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଉ  । ଅଧିକାର ଏବଂ କର୍ତ୍ତବ୍ୟର ଉଭୟ ଧାରଣା ଉପରେ ହିଁ ଭାରତର ଗଣତନ୍ତ୍ରର ରେଳ ଦୃତଗତିରେ ଆଗେଇ ପାରିବ  ।

ଆସନ୍ତାକାଲି ଜାନୁୟାରୀ 30 ତାରିଖ  । ଆମର ପୂଜ୍ୟ ବାପୁଙ୍କର ପୁଣ୍ୟତିଥି  । ଜାନୁୟାରୀ 30 ତାରିଖ ଦିନ ଆମେ ସମସ୍ତେ 11ଟାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାଉଁ  । ଏକ ସମାନ ରୂପରେ, ଏକ ଦେଶ ରୂପେ ଜାନୁୟାରୀ 30 ତାରିଖ, ଦିନ 11ଟା ବେଳେ 2 ମିନିଟ ପାଇଁ ଶ୍ରଦ୍ଧାଞ୍ଜଳି ଗୋଟିଏ ସହଜ ଅଭ୍ୟାସରେ ପରିଣତ ହେବା ଉଚିତ  । ଦୁଇ ମିନିଟ ହୋଇଥାଉ ପଛେ, କିନ୍ତୁ ସେଥିରେ ଏକତା, ସଂକଳ୍ପ ଏବଂ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଭାବ ପରିପ୍ରକାଶ ହୋଇଥାଏ  । ଆମ ଦେଶରେ ସେନାବାହିନୀ ପ୍ରତି, ସୁରକ୍ଷା ବାହିନୀ ପ୍ରତି ଗୋଟିଏ ଆଦରର ଭାବନା ରହିଛି  । ଏହି ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ବିଭିନ୍ନ ବୀରତ୍ୱ ପୁରସ୍କାରରେ ଯେଉଁ ବୀର ଯବାନମାନେ ସମ୍ମାନିତ ହୋଇଛନ୍ତି ସେମାନଙ୍କୁ ଓ ସେମାନଙ୍କ ପରିବାରବର୍ଗଙ୍କୁ ମୁଁ ଅଭିନନ୍ଦନ ଜଣାଉଛି  । ଏହି ପୁରସ୍କାରଗୁଡ଼ିକ ମଧ୍ୟରେ କିର୍ତ୍ତୀଚକ୍ର, ଶୌର୍ଯ୍ୟଚକ୍ର, ପରମ ବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ ଏଭଳି ଅନେକ ଶ୍ରେଣୀ ରହିଛି  । ମୁଁ ବିଶେଷକରି ଯୁବଗୋଷ୍ଠୀକୁ ଅନୁରୋଧ କରିବାକୁ ଚାହୁଁଛି, ଆପଣମାନେ ସାମାଜିକ ଗଣମାଧ୍ୟମରେ ବହୁତ ସକ୍ରିୟ ରହୁଛନ୍ତି  । ଆପଣ ଗୋଟିଏ କାମ କରିପାରିବେ କି ? ଏଥର ଯେଉଁ ବୀରମାନଙ୍କୁ ଏହି ପୁରସ୍କାରମାନ ମିଳିଛି, ଆପଣ ନେଟ(Internet)ରେ ଖୋଜିପାରନ୍ତି  । ସେମାନଙ୍କ ସଂପର୍କରେ ଦୁଇପଦ ଭଲ କଥା ଲେଖନ୍ତୁ ଏବଂ ଚାହିଁଲେ ନିଜର ସାଙ୍ଗସାଥିଙ୍କ ପାଖକୁ ପହଂଚାନ୍ତୁ  । ଆମେ ଯେତେବେଳେ ସେମାନଙ୍କ ସାହସ, ବୀରତ୍ୱ ଏବଂ ପରାକ୍ରମର କଥା ବିସ୍ତୃତ ଭାବେ ଜାଣୁ, ସେତେବେଳେ ଆମକୁ ଆଶ୍ଚର୍ଯ୍ୟ ଲାଗେ, ଗର୍ବ ମଧ୍ୟ ଅନୁଭୂତ ହୁଏ, ପ୍ରେରଣା ମଧ୍ୟ ମିଳିଥାଏ  । ଆମେ ଯେତେବେଳେ 26 ଜାନୁୟାରୀକୁ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇଥିବା ଖବର ଶୁଣି ଆନନ୍ଦିତ ହୋଇଥିଲୁ, ସେତେବେଳେ କାଶ୍ମୀରରେ ଦେଶର ସୁରକ୍ଷା ପାଇଁ ଠିଆ ହୋଇଥିବା ଯବାନ ବରଫ ଅତଡ଼ା ଖସିବା ଯୋଗୁଁ ମୃତ୍ୟୁବରଣ କଲେ  । ମୁଁ ଏହି ସମସ୍ତ ବୀର ଯବାନମାନଙ୍କୁ ଆଦର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି  । ପ୍ରଣାମ କରୁଛି  ।

 

ମୋର ଯୁବବନ୍ଧୁଗଣ, ଆପଣମାନେ ତ ଭଲଭାବରେ ଜାଣିଛନ୍ତି ଯେ ମୁଁ ସବୁବେଳେ “ମନର କଥା” ହୃଦୟର କଥା କହିଆସିଛି  । ଜାନୁୟାରୀ, ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ – ଏହି ମାସଗୁଡ଼ିକ ପ୍ରତ୍ୟେକ ପରିବାର ପାଇଁ ପରୀକ୍ଷାର ମାସ ହୋଇଥାଏ  । ପ୍ରାୟତଃ ଘରେ ଜଣେ, ଦୁଇଜଣ ପିଲାଙ୍କର ପରୀକ୍ଷା ଥାଏ  । କିନ୍ତୁ ସାରା ପରିବାର ପରୀକ୍ଷାର ବୋଝ ତଳେ ଥାଏ  । ତେଣୁ ଭାବିଲି ଯେ, ଏହା ଉଚିତ ସମୟ ଅଟେ  । ମୋର ବିଦ୍ୟାର୍ଥୀ ବନ୍ଧୁମାନଙ୍କ ସହ କଥା ହେବା ପାଇଁ, ସେମାନଙ୍କ ଅଭିଭାବକମାନଙ୍କ ସହିତ କଥା ହେବାପାଇଁ, ସେମାନଙ୍କ ଶିକ୍ଷକମାନଙ୍କ ସହ କଥାହେବା ପାଇଁ ମୋର ଇଚ୍ଛା ହେଲା  । ଅନେକ ବର୍ଷ ଧରି, ମୁଁ ଯେଉଁଠି ବି ଯାଇଛି, ଯାହାକୁ ଭେଟିଛି, ପରୀକ୍ଷାଟି ଗୋଟିଏ ଅସୁବିଧାର କାରଣ ଭାବରେ ଦେଖା ଦେଇଛି  । ପରିବାର ବ୍ୟସ୍ତ, ଛାତ୍ର-ଛାତ୍ରୀ ବ୍ୟସ୍ତ, ଶିକ୍ଷକ ବ୍ୟସ୍ତ, ଗୋଟିଏ ବଡ଼ ବିଚିତ୍ର ମନୋବୈଜ୍ଞାନିକ ପରିବେଶ ପ୍ରତ୍ୟେକ ଘରେ ଦୃଷ୍ଟିଗୋଚର ହୋଇଥାଏ  । ମୋତେ ସବୁବେଳେ ଲାଗେ ଯେ, ଏଭଳି ପରିବେଶରୁ ବାହାରି ଆସିବା ଉଚିତ  । ତେଣୁ ଆଜି ମୁଁ ଯୁବବନ୍ଧୁମାନଙ୍କ ସହିତ ବିସ୍ତୃତ ଭାବରେ କିଛି କଥା ହେବାକୁ ଚାହୁଁଛି  । ଏ ସଂପର୍କରେ ମୁଁ ଯେତେବେଳେ ଘୋଷଣା କଲି, ସେତେବେଳେ ଅନେକ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀମାନେ ମୋତେ ସନ୍ଦେଶ(Message) ପଠାଇଲେ, ପ୍ରଶ୍ନ ପଠାଇଲେ, ପରାମର୍ଶ ଦେଲେ, କଷ୍ଟ ମଧ୍ୟ ପରିପ୍ରକାଶ କଲେ, ଅସୁବିଧା ସମ୍ପର୍କରେ ଆଲୋଚନା କଲେ  । ସେଗଡୁ ଠିକ ଦେଖିବା ପରେ ମୋ ମନକୁ ଯେଉଁ କଥାଗଡୁ ଠିକ ଆସିଲା, ତାହା ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି  । ମୋତେ ସୃଷ୍ଟିଙ୍କର ଗୋଟିଏ ଟେଲିଫୋନ୍ ବାର୍ତ୍ତା ମିଳିଲା, ଆପଣ ମଧ୍ୟ ଶୁଣନ୍ତୁ ସୃଷ୍ଟି କ’ଣ କହିବାକୁ ଚାହୁଁଛନ୍ତି  :

“ସାର୍, ମୁଁ ଆପଣଙ୍କୁ ଏତିକି କହିବାକୁ ଚାହୁଁଛି ଯେ, ପରୀକ୍ଷା ସମୟରେ ପ୍ରାୟ ଏଭଳି ହେଉଛି ଯେ, ଆମ ଘରେ, ସାହି ପଡ଼ିଶାରେ, ଆମ ସୋସାଇଟିରେ ଅତି ଭୟଙ୍କର ବାତାବରଣ ସୃଷ୍ଟି ହୋଇଯାଏ । ଯାହା ଫଳରେ ଛାତ୍ରଛାତ୍ରୀମାନେ ପ୍ରେରଣା ପାଇବା ବଦଳରେ ନିରୁତ୍ସାହିତ ହୋଇଯାଉଛନ୍ତି”।

 

ମୁଁ ଆପଣଙ୍କୁ ଏତିକି ପଚାରିବାକୁ ଚାହୁଁଛି ଯେ, ଏହି ପରିବେଶ କ’ଣ ଆନନ୍ଦଦାୟକ ହେଇପାରିବନି ? ଅବଶ୍ୟ ଏ ପ୍ରଶ୍ନ ସୃଷ୍ଟି ପଚାରିଛନ୍ତି, କିନ୍ତୁ ଏ ପ୍ରଶ୍ନ ଆପଣ ସମସ୍ତଙ୍କ ମନରେ ଥିବ  । ପରୀକ୍ଷା ଗୋଟିଏ ଖୁସିର ଅବସର ହେବା ଉଚିତ । ବର୍ଷଯାକ ପରିଶ୍ରମ କରିଛନ୍ତି, କିଛି ଏକ କରି ଦେଖାଇବାର ବେଳ ଆସିଛି – ଏହା ଏଭଳି ଉତ୍ସାହ ଉଦ୍ଦୀପନାର ପର୍ବ ହେବା ଉଚିତ । ଖୁବ କମ ଲୋକ ଥାଆନ୍ତି, ପରୀକ୍ଷା ଯେଉଁମାନଙ୍କ ପାଇଁ ଆନନ୍ଦ(Pleasure), ଅଧିକାଂଶ ଲୋକଙ୍କ ପାଇଁ ତ ପରୀକ୍ଷା ଗୋଟିଏ ମାନସିକ ଚାପ(Pressure)। କିନ୍ତୁ ପରୀକ୍ଷାକୁ ଆନନ୍ଦ କିମ୍ବା ମାନସିକ ଚାପ ଭାବରେ ଗ୍ରହଣ କରିବେ – ତାହା ଆପଣ ସ୍ଥିର କରିବେ । ଯିଏ ଆନନ୍ଦ ଭାବରେ ଗ୍ରହଣ କରିବ ସେ ପାଇବ ଏବଂ ଯିଏ ମାନସିକ ଚାପ ଭାବିବ ସେ ଅନୁତାପ କରିବ  । ତେଣୁ ମୋ ମତରେ ପରୀକ୍ଷା ଗୋଟିଏ ଉତ୍ସବ  । ପରୀକ୍ଷାକୁ ଗୋଟିଏ ଉତ୍ସବ ଭାବରେ ଗ୍ରହଣ କରନ୍ତୁ  । ଯେତେବେଳେ ଉତ୍ସବ ବା ପର୍ବ ହୋଇଥାଏ ସେତେବେଳେ ଆମେ ଆମ ଭିତରେ ଥିବା ଉତ୍କର୍ଷକୁ ହିଁ ପରିପ୍ରକାଶ କରିଥାଉ  । ଉତ୍ସବ ସମୟରେ ହିଁ ସମାଜର ଶକ୍ତି ଅନୁଭୂତ ହୋଇଥାଏ  । ଯାହା ଉତ୍ତମରୁ ଉତ୍ତମ ତାହା ପ୍ରଘଟ ହୋଇଥାଏ  । ସାଧାରଣତଃ ଆମକୁ ଲାଗେ ଯେ ଆମେମାନେ କେତେ ବିଶୃଙ୍ଖଳିତ  । କିନ୍ତୁ ଯେତେବେଳେ 40-45 ଦିନ ଧରି ଚାଲୁଥିବା କୁମ୍ଭ ମେଳାର ବ୍ୟବସ୍ଥା ଦେଖୁଁ ସେତେବେଳେ ଜଣାପଡ଼େ ଯେ, ଲୋକମାନଙ୍କ ମଧ୍ୟରେ ଅସ୍ଥାୟୀ ବ୍ୟବସ୍ଥା ଏବଂ ଶୃଙ୍ଖଳା କେତେ ମାତ୍ରାରେ ରହିଛି  । ଏହା ଉତ୍ସବର ଶକ୍ତି  । ପରୀକ୍ଷା ସମୟରେ ସାରା ପରିବାରରେ, ସାଙ୍ଗସାଥିମାନଙ୍କ ମଧ୍ୟରେ ଗୋଟିଏ ଉତ୍ସବର ବାତାବରଣ ସୃଷ୍ଟି ହେବା ଉଚିତ  । ଆପଣ ଦେଖିବେ ଏହି ମାନସିକ ଚାପ, ଆନନ୍ଦରେ ପରିବର୍ତ୍ତିତ ହୋଇଯିବ  । ଉତ୍ସବର ଆନନ୍ଦ ପରିବେଶକୁ ବୋଝମୁକ୍ତ କରିଦେବ  । ମୁଁ ବିଶେଷକରି ପିତା-ମାତାଙ୍କୁ ଅନୁରୋଧ କରୁଛି ଯେ, ଏହି ତିନି ଚାରି ମାସକୁ ଏକ ଉତ୍ସବର ବାତାବରଣରେ ପରିଣତ କରନ୍ତୁ  । ସାରା ପରିବାର ଗୋଟିଏ Team ଭାବରେ ଏହି ଉତ୍ସବକୁ ସଫଳ କରିବାରେ ନିଜର ଭୂମିକା, ନିଜ ନିଜର ଭୂମିକା ଉତ୍ସାହର ସହିତ ତୁଲାନ୍ତୁ । ଲକ୍ଷ୍ୟ କରିବେ, ଧିରେ ଧିରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ । ବାସ୍ତବିକତା ଏହା ଯେ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏ……। କଚ୍ଛ ଠାରୁ କାମରୂପ ଯାଏ, ଅମ୍ରେଲୀ ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ଯାଏ ଏହି ତିନି ଚାରି ମାସ କେବଳ ପରୀକ୍ଷା ହିଁ ପରୀକ୍ଷା ଚାଲିଥାଏ  । ଏହା ଆମ ସମସ୍ତଙ୍କ ଦାୟୀତ୍ୱ ଯେ ଆମେ ପ୍ରତି ବର୍ଷ ଏହି ତିନ-ଚାରି ମାସକୁ ନିଜ ନିଜ ଢଙ୍ଗରେ, ନିଜ ନିଜ ପରମ୍ପରାକୁ ନେଇ, ନିଜ ନିଜ ପରିବାରର ପରିବେଶକୁ ଉତ୍ସବରେ ପରିବର୍ତ୍ତିତ କରନ୍ତୁ  । ତେଣୁ ମୁଁ ଆପଣଙ୍କୁ କହିବି ଯେ smile more score more – ହସଖୁସିରେ ରହନ୍ତୁ ଅଧିକ ମାର୍କ ରଖନ୍ତୁ । ଏହି ସମୟକୁ ଯେତେ ଆନନ୍ଦର ସହିତ ବିତାଇବେ, ସେତେ ଅଧିକ ନମ୍ବର ପାଇବେ, କରି ଦେଖନ୍ତୁ ନା  । ଆପଣ ଲକ୍ଷ୍ୟ କରିଥିବେ, ଯେ ଆପଣ ଯେତେବେଳେ ହସନ୍ତି, ଆପଣ ନିଜକୁ ଆରାମ(Relax) ଅନୁଭବ କରନ୍ତି  । ଆପଣ ସହଜରେ ଆରାମ ହୋଇଯାଆନ୍ତି ଏବଂ ଆରାମ ହୋଇଗଲେ ଆପଣଙ୍କୁ ବର୍ଷ ବର୍ଷ ପୁରୁଣା କଥା ମଧ୍ୟ ସହଜରେ ମନେ ପଡ଼ିଯାଏ  । ବର୍ଷେ ପୂର୍ବେ ଶିକ୍ଷକ ଶ୍ରେଣୀଗୃହରେ କ’ଣ କହିଥିଲେ ସେହି ପୁରା ଦୃଶ୍ୟ ମନେପଡ଼ିଯାଏ  । ଆପଣ ଜାଣିବା ଦରକାର ଯେ, ସ୍ମୃତି ଓ ସ୍ମରଣ ଶକ୍ତି କୁ ମନେପକାଇବାର ସାମର୍ଥ୍ୟ, ଆରାମ କରିବା ବେଳେ ସବୁଠାରୁ ଅଧିକ ରହିଛି  । ଆପଣ ଚିନ୍ତାଗସ୍ତ୍ର ଥିବା ବେଳେ ସବୁ ଦ୍ଵାର ବନ୍ଦ ହୋଇଯାଏ  । ବାହାର କଥା ଭିତରକୁ ପ୍ରବେଶ କରିପାରେନି କି ଭିତର କଥା ବାହାରକୁ ଆସିପାରେନି  । ଚିନ୍ତା ପ୍ରକ୍ରିୟାରେ ସ୍ଥାଣୁତା ଆସିଯାଏ, ତାହା ନିଜେ ଗୋଟିଏ ବୋଝ ପାଲଟିଯାଏ  । ପରୀକ୍ଷା ସମୟରେ ଆପଣ ଅନୁଭବ କରିଥିବେ ଯେ ଆପଣଙ୍କୁ ସବୁ ମନେପଡ଼େ  । ବହି ମନେପଡ଼େ, ବିଷୟ ମନେପଡ଼େ, ପୃଷ୍ଠା ନମ୍ବର ମନେପଡ଼େ, ପୃଷ୍ଠାର ଉପରେ ଲେଖା ହୋଇଛି କି ତଳେ ଲେଖା ହୋଇଛି ତାହା ମଧ୍ୟ ମନେପଡ଼େ, ହେଲେ ସେ ନିର୍ଦ୍ଦିଷ୍ଟ ଶବ୍ଦଟି ମନେପଡ଼େନି  । କିନ୍ତୁ ଯେମିତି ଆପଣ ପରୀକ୍ଷା ଦେଇ ବାହାରକୁ ଆସନ୍ତି, ହଠାତ୍ ଆପଣଙ୍କୁ ମନେପଡ଼ିଯାଏ – ଆରେ, ଏହାହିଁ ତ ଥିଲା  । ଭିତରେ କାହିଁକି ମନେପଡ଼ିଲାନି, କାରଣ ମାନସିକ ଚାପରେ ଥିଲେ  । ବାହାରେ କାହିଁକି ମନେ ପଡ଼ିଗଲା ? ଆପଣ ନିଜେ ହିଁ ତ ଥିଲେ  । କେହି ତ କହି ନାହାନ୍ତି  । କିନ୍ତୁ ଯାହା ଭିତରେ ଥିଲା, ତାହା ବାହାରି ଆସିଲା, କାରଣ ଆପଣ Relax ହୋଇଗଲେ  । ତେଣୁ ସ୍ମରଣ ଶକ୍ତି ବୃଦ୍ଧି କରିବାର ଯଦି ସବୁଠାରୁ ବଡ଼ ଔଷଧ କିଛି ଅଛି, ତାହା ହେଲା ଚାପମୁକ୍ତ ମନ ଅଥବା ଆରାମ କରିବା । ଏହା ମୁଁ ମୋର ନିଜସ୍ୱ ଅନୁଭୂତିରୁ କହୁଛି ଯେ, Pressure ସମୟରେ ଆମେ ନିଜକଥା ମଧ୍ୟ ଭୁଲିଯାଉ; କିନ୍ତୁ ଆରାମ ସମୟରେ ହଠାତ୍ ଆମକୁ ଏମିତି କଥାସବୁ ମନେ ପଡ଼ିଯାଏ ଯାହା ଆମେ କଳ୍ପନା ମଧ୍ୟ କରିପାରିବାନି  । ଆପଣ ଜାଣିନାହାନ୍ତି ସେକଥା ନୁହେଁ, ଏ କଥା ମଧ୍ୟ ନୁହେଁ ଯେ ଆପଣଙ୍କ ପାଖରେ ସୂଚନା ନାହିଁ  । ଏ କଥା ମଧ୍ୟ ନୁହେଁ ଯେ ଆପଣ ପରିଶ୍ରମ କରି ନାହାନ୍ତି  । କିନ୍ତୁ ଆପଣ ଯେତେବେଳେ ଭାରାକ୍ରାନ୍ତ ମନରେ ଥାଆନ୍ତି, ସେତେବେଳେ ଆପଣଙ୍କ ଜ୍ଞାନ ଦବିଯାଏ ଏବଂ Tension ତା’ ଉପରେ ବୋଝ ହୋଇଯାଏ  । ତେଣୁ ଏହା ଆବଶ୍ୟକ  । ‘A happy mind is the secret for a good mark-sheet’  । ବେଳେବେଳେ ଲାଗେ ଯେ, ଆମେ ପରୀକ୍ଷାକୁ ଉଚିତ ଦୃଷ୍ଟିଭଙ୍ଗୀରେ ଦେଖିପାରୁ ନାହୁଁ  । ଲାଗେ, ସତେଯେମିତି ଏହା ଜୀବନ-ମରଣର ପ୍ରଶ୍ନ  । ଆପଣ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ତାହା ବର୍ଷଯାକ ଆପଣ ପଢ଼ିଥିବା ପାଠର ପରୀକ୍ଷା  । ଏହା ଆପଣଙ୍କ ଜୀବନର ପରୀକ୍ଷା ନୁହେଁ  । ଆପଣ କେମିତି ଜୀବନ ଅତିବାହିତ କରିଛନ୍ତି, କେମିତି ଜୀବନ ଅତିବାହିତ କରୁଛନ୍ତି, କେମିତି ଜୀବନ ଜୀଇଁବାକୁ ଚାହୁଁଛନ୍ତି, ତାହାର ପରୀକ୍ଷା ନାହିଁ, ଆପଣଙ୍କ ଜୀବନରେ Class room ରେ Notebook ରେ ଦିଆଯାଇଥିବା ପରୀକ୍ଷା ବ୍ୟତୀତ ମଧ୍ୟ ଅନେକ ପରୀକ୍ଷାର ମୁହୂର୍ତ୍ତ ଆସିଥିବ  । ତେଣୁ, ଜୀବନରେ ସଫଳତା କିମ୍ବା ବିଫଳତା ସହ ପରୀକ୍ଷାର କିଛି ସମ୍ପର୍କ ନାହିଁ  । ଏଭଳି ବୋଝରୁ ଆପଣ ମୁକ୍ତ ହୋଇଯାଆନ୍ତୁ  । ଆମ ସମସ୍ତଙ୍କ ଆଗରେ ଆମର ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କର ଏକ ବହୁତ ପ୍ରେରଣାଦାୟୀ ଉଦାହରଣ ରହିଛି  । ସେ ବାୟୁସେନାରେ ଯୋଗଦେବାକୁ ଗଲେ, ଫେଲ(Fail) ହୋଇଗଲେ  । ମନେ କରନ୍ତୁ, ସେହି ବିଫଳତା ଯୋଗୁଁ ସେ ହତୋତ୍ସାହ ହୋଇ ଜୀବନରେ ହାର ମାନିଯାଇଥାନ୍ତେ, ତେବେ ଭାରତ କ’ଣ ଏତେ ବଡ଼ ବୈଜ୍ଞାନିକ ପାଇଥାନ୍ତା ? ଏତେ ବଡ଼ ରାଷ୍ଟ୍ରପତି ପାଇଥାନ୍ତା ? ପାଇ ନଥାନ୍ତା  । ରିଚା ଆନନ୍ଦଜୀ ମୋତେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି :-

“ଆଜିର ସମୟରେ ଶିକ୍ଷା ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ଯାହା ଦେଖୁଛି, ତାହା ହେଲା ଯେ ଶିକ୍ଷା ପରୀକ୍ଷା କେନ୍ଦ୍ରିତ ହୋଇ ରହିଯାଇଛି । ମାର୍କ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହୋଇ ଯାଇଛି । ଏହା ଫଳରେ ପ୍ରତିଯୋଗିତା ନଶ୍ଚିତ ଭାବରେ ବହୁ ମାତ୍ରାରେ ବଢିଯାଇଛି; କିନ୍ତୁ ତା’ସହିତ ବିଦ୍ୟାର୍ଥୀମାନଙ୍କ ମନରେ ଚିନ୍ତା ମଧ୍ୟ ବହତୁ ବଢିଯାଇଛି । ତେଣୁ ଶିକ୍ଷାର ଏହି ବର୍ତ୍ତମାନର ଅବସ୍ଥା ଏବଂ ଏହାର ଭବିଷ୍ୟତକୁ ନେଇ ଆପଣଙ୍କ ଚିନ୍ତାଧାରା ସମ୍ପର୍କରେ ଅବଗତ ହେବାକୁ ଚାହୁଁଛି  ।”

 

ଅବଶ୍ୟ ସେ ନିଜେ ହିଁ ଉତ୍ତର ଦେଇସାରିଛନ୍ତି  । କିନ୍ତୁ ରିଚାଜୀ ଚାହୁଁଛନ୍ତି ଯେ ମୁଁ ଏ ସମ୍ପର୍କରେ ନିଜ କଥା କିଛି କହେଁ  । Marks ଏବଂ Mark Sheetର ଏକ ସୀମିତ ଉପଯୋଗ ରହିଛି  । ଜୀବନରେ ତାହାହିଁ ସବୁକିଛି ନୁହେଁ  । ଜୀବନ ତ ଏ କଥାକୁ ନେଇ ଚାଲେ ଯେ ଆପଣ କେତେ ଜ୍ଞାନ ଅର୍ଜନ କରିଛନ୍ତି  । ଜୀବନ ତ ଏ କଥାକୁ ନେଇ ଚାଲେ ଯେ, ଆପଣ ଯାହା ଶିଖିଲେ ତାହା ଜୀବନରେ କାର୍ଯ୍ୟକାରୀ କଲେ କି ? ଜୀବନ ତ ଏ କଥାକୁ ନେଇ ଚାଲେ ଯେ ଆପଣ ପାଇଥିବା sense of mission ଏବଂ ଆପଣଙ୍କ sense of ambition ମଧ୍ୟରେ କି ପ୍ରକାର ତାଳମେଳ ରହୁଛି  । ଯଦି ଆପଣ ଏହି କଥାରେ ବିଶ୍ୱାସ କରିବେ ତା’ହେଲେ Marks ମନକୁ ମନ ଆପଣଙ୍କ ପାଖକୁ ଚାଲିଆସିବ  । ଆପଣଙ୍କୁ Marks ପଛରେ ଗୋଡ଼ାଇବାକୁ ପଡ଼ିବନି  । ଜୀବନରେ ଆପଣଙ୍କୁ ଜ୍ଞାନ(Knowledge) କାମରେ ଲାଗିବ, ଦକ୍ଷତା(Skill) କାମରେ ଲାଗିବ, ଆତ୍ମବିଶ୍ୱାସ କାମରେ ଲାଗିବ, ସଂକଳ୍ପଶକ୍ତି କାମରେ ଲାଗିବ  । ଆପଣ ହିଁ ମୋତେ କହନ୍ତୁ, ଆପଣଙ୍କ ପରିବାରର କେହି ଡାକ୍ତର ଥିବେ ଏବଂ ପରିବାରର ସବୁ ଲୋକ ସେହି Family Doctorଙ୍କ ପାଖକୁ ଯାଉଥିବେ  । ଆପଣଙ୍କ ମଧ୍ୟରୁ କେହି ସେହି Family Doctorଙ୍କୁ ପଚାରି ନଥିବେ ଯେ ସେ କେତେ ନମ୍ବର ରଖି ପାସ୍ ହୋଇଥିଲେ  । କେହି ପଚାରି ନଥିବେ ଆପଣ ଅନୁଭବ କରିଥିବେ ସେ ଜଣେ ଡାକ୍ତର ହିସାବରେ ଭଲ  । ଆପଣ ଭଲ ହେଉଛନ୍ତି, ତେଣୁ ଆପଣ ତାଙ୍କ ସେବା ଗ୍ରହଣ କଲେ  । ଆପଣ କୌଣସି ବଡ଼ ମୋକଦ୍ଦମା ଲଢ଼ିବା ପାଇଁ କୌଣସି ଓକିଲ ପାଖକୁ ଯାଆନ୍ତି, ସେତେବେଳେ କ’ଣ ତାଙ୍କ Mark Sheet ଦେଖନ୍ତି କି ? ଆପଣ ତାଙ୍କ ଅଭିଜ୍ଞତା, ତାଙ୍କ ଜ୍ଞାନ, ତାଙ୍କ ସଫଳତାକୁ ଦେଖନ୍ତି  । ତେଣୁ ଏହି ସଂଖ୍ୟାର ବୋଝ ବେଳେବେଳେ ଆମକୁ ଠିକ୍ ବାଟରେ ଯିବାରେ ଅଟକାଇଦିଏ  । କିନ୍ତୁ ଏହାର ମାନେ ନୁହେଁ ଯେ, ମୁଁ କହୁଛି ଯେ ପାଠ ପଢ଼ିବା ଦରକାର ନାହିଁ  । ଆପଣଙ୍କ ପରୀକ୍ଷା ପାଇଁ ଏହାର ଉପଯୋଗ ଜରୁରୀ  । ମୁଁ କାଲି କେଉଁଠି ଥିଲି, ଆଜି କେଉଁଠି ଅଛି, ତାହା ଜାଣିବା ପାଇଁ ଏହା ଜରୁରୀ  । ବେଳେବେଳେ ଏମିତି ବି ହୁଏ, ଆପଣ ଯଦି ସୂକ୍ଷ୍ମତାର ସହ ନିଜ ଜୀବନକୁ ଦେଖିବେ, ତେବେ ଲକ୍ଷ୍ୟ କରିବେ ଯେ, ଯଦି ଆପଣ ମାର୍କ ପଛରେ ପଡ଼ିଗଲେ, ତେବେ ଆପଣ Short ରାସ୍ତା ଖୋଜିବେ, ବଛା ବଛା ଜିନିଷ ହିଁ ଧରିବେ ଏବଂ ତାହାରି ଉପରେ ଧ୍ୟାନ କେନ୍ଦ୍ରିତ କରିବେ  । କିନ୍ତୁ ଯେଉଁ କଥାଗୁଡ଼ିକୁ ଆପଣ ପ୍ରସ୍ତୁତ କରିଛନ୍ତି, ସେଥିରୁ ବହିର୍ଭୂତ କଥା କିଛି ପରୀକ୍ଷାରେ ପଡ଼ିଗଲେ ଆପଣ ହଠାତ୍ ତଳକୁ ଖସିଯିବେ  । କିନ୍ତୁ ଯଦି ଆପଣ ଜ୍ଞାନକୁ କେନ୍ଦ୍ରରେ ରଖନ୍ତି, ତେବେ ଅନେକ କଥାକୁ ଆପଣ ନିଜ ଭିତରେ ସାଉଁଟି ନେବାର ପ୍ରଚେଷ୍ଟା କରୁଛନ୍ତି  । କିନ୍ତୁ ମାର୍କ ଉପରେ ଧ୍ୟାନ କେନ୍ଦ୍ରିତ କଲେ ଆପଣ ଧିରେ ଧିରେ ନିଜ ଭିତରେ ସଙ୍କୁଚିତ ହୋଇଯିବେ ଏବଂ ମାର୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ହୋଇଯିବେ  । ଯାହା ଫଳରେ ପରୀକ୍ଷାରେ ଭଲ ପ୍ରମାଣିତ ହୋଇଥିବା ସତ୍ତ୍ୱେ ଜୀବନରେ ଆପଣ ବେଳେବେଳେ ବିଫଳ ହୋଇଯାଆନ୍ତି  । ରିଚାଜୀ ଆଉ ଗୋଟିଏ କଥା ମଧ୍ୟ କହିଛନ୍ତି – “ପ୍ରତିଯୋଗିତା”  । ଏହା ଏକ ବହୁତ ବଡ଼ ମନୋବୈଜ୍ଞାନିକ ଯୁଦ୍ଧ  । ପ୍ରକୃତରେ ଜୀବନକୁ ଆଗେଇନେବା ପାଇଁ ପ୍ରତିଯୋଗିତା କାମରେ ଲାଗେନି  । ଜୀବନକୁ ଆଗେଇ ନେବାରେ ଆତ୍ମ-ପ୍ରତିଯୋଗୀତା (ଅନୁସ୍ପର୍ଦ୍ଧା) କାମରେ ଲାଗେ  । ଅନୁସ୍ପର୍ଦ୍ଧାର ଅର୍ଥ ହେଲା – ନିଜ ସହ ପ୍ରତିଯୋଗିତା କରିବା  । ବିତିଯାଇଥିବା ସମୟ ଠାରୁ ଆଗାମୀ ସମୟ କିଭଳି ଶ୍ରେଷ୍ଠତର ହୋଇପାରିବ ? ବିଗତ ପରିଣାମ ଠାରୁ ଆଗାମୀ ଅବସର କେମିତି ଆହୁରି ଭଲ ହୋଇପାରିବ ? ଆପଣ ପ୍ରାୟତଃ କ୍ରୀଡ଼ାକ୍ଷେତ୍ରରେ ଦେଖିଥିବେ  । କ୍ରୀଡ଼ାଜଗତ ଉଦାହରଣ ମୁଁ ଏଥିପାଇଁ ଦେଉଛି କାରଣ ଏଥିରେ ଶୀଘ୍ର ବୁଝିହେବ  । ଅଧିକାଂଶ ସଫଳ କ୍ରୀଡ଼ାବିତମାନଙ୍କ ଜୀବନର ବିଶେଷତ୍ୱ ହେଲା ଯେ ସେମାନେ ଅନୁସ୍ପର୍ଦ୍ଧା କରନ୍ତି  । ଆମେ ଯଦି ଶ୍ରୀମାନ୍ ସଚିନ ତେନ୍ଦୁଲକରଜୀଙ୍କର ଉଦାହରଣ ଦେଖିବା, କୋଡ଼ିଏ ବର୍ଷ ଧରି ଲଗାତାର ଭାବେ ନିଜର ରେକର୍ଡ଼କୁ ହିଁ ଭଙ୍ଗ କରିବା, ପ୍ରତିଥର ନିଜକୁ ହିଁ ପରାଜିତ କରି ଅଗ୍ରସର ହେବା, ଖୁବ୍ ଅଦ୍ଭୁତ ଜୀବନଯାତ୍ରା ତାଙ୍କର  । କାରଣ ସେ ପ୍ରତିସ୍ପର୍ଦ୍ଧା ଅପେକ୍ଷା ଅନୁସ୍ପର୍ଦ୍ଧାର ବାଟ ଆପଣେଇଲେ  । ତେଣୁ ବନ୍ଧୁଗଣ, ଜୀବନର ପ୍ରତିଟି କ୍ଷେତ୍ରରେ ଏବଂ ବିଶେଷକରି ଆପଣ ଯେତେବେଳେ ପରୀକ୍ଷା ଦେବାକୁ ଯାଉଥାନ୍ତି, ଆଗରୁ ଯଦି ଆପେଣ ଦୁଇଘଣ୍ଟା ଶାନ୍ତିରେ ପଢ଼ି ପାରୁଥିଲେ, ପରୀକ୍ଷା କେବଳ ତିନି ଘଣ୍ଟା ହେଲେ ବି କ’ଣ ତାହା କରି ପାରୁଛନ୍ତି ? ଆଗରୁ ଯେତେବେଳେ ଉଠିବାକୁ ସ୍ଥିର କରୁଥିଲେ ଡେରି ହେଇଯାଉଥିଲା ଏବେ କ’ଣ ଠିକ୍ ସମୟରେ ଉଠି ପାରୁଛନ୍ତି କି ? ଆଗ ପରୀକ୍ଷା ଚିନ୍ତାରେ ନଦି ହେଉନଥିଲା । ଏବେ ନଦି ହେଉଛି କି ? ଆପଣ ନିଜେ ନିଜକୁ ପରୀକ୍ଷା କରିନିଅନ୍ତୁ  । ଦେଖିବେ – ପ୍ରତିଯୋଗିତା ପରାଜୟ, ହତାଶା ଏବଂ ଈର୍ଷାକୁ ଜନ୍ମ ଦିଏ, କିନ୍ତୁ ଅନୁସ୍ପର୍ଦ୍ଧା ଆତ୍ମମନ୍ଥନ, ଆତ୍ମଚିନ୍ତନର କାରଣ ହୋଇଥାଏ, ସଂକଳ୍ପ ଶକ୍ତିକୁ ଦୃଢ଼ କରିଥାଏ  । ନିଜକୁ ନିଜେ ପରାସ୍ତ କଲେ ଅଧିକ ଆଗକୁ ବଢ଼ିବାର ଉତ୍ସାହ ଆପେ ଆପେ ସୃଷ୍ଟି ହୁଏ  । ବାହାରୁ କୌଣସି Extra Energy ବା ବାହ୍ୟ ଶକ୍ତିର ଆବଶ୍ୟକତା ନାହିଁ  । ଭିତରୁ ହିଁ ସେହି ଶକ୍ତି ସ୍ୱୟଂ ଜାତ ହୁଏ  । ସରଳ ଭାଷାରେ କହିବାକୁ ଗଲେ ମୁଁ କହିବି – ଆପଣ ଅନ୍ୟ କାହା ସହ ପ୍ରତିଯୋଗିତା କଲେ ମୋଟାମୋଟି ଭାବରେ ତିନୋଟି ସମ୍ଭାବନା ଦେଖାଯାଏ  । ପ୍ରଥମ, ଆପଣ ତାଙ୍କ ଠାରୁ ଅନେକ ଶ୍ରେଷ୍ଠତର  । ଦ୍ୱିତୀୟ, ଆପଣ ତାଙ୍କଠାରୁ ବହୁତ ନ୍ୟୁନ  । କିମ୍ବା ଆପଣ ତାଙ୍କ ସମକକ୍ଷ  । ଯଦି ଆପଣ ଶ୍ରେୟସ୍କର ତେବେ ଆପଣ ବେପରୁଆ ହୋଇଯିବେ  । ଆପଣଙ୍କ ମନରେ ଅତି ଆତ୍ମବିଶ୍ୱାସ ଜନ୍ମ ନେବ  । ଯଦି ଆପଣ ତାଙ୍କ ତୁଳନାରେ ଖରାପ ପ୍ରଦର୍ଶନ କରୁଛନ୍ତି ତେବେ ଦୁଃଖୀ ଏବଂ ନିରାଶ ହୋଇଯିବେ, ଈର୍ଷାନ୍ୱିତ ହେବେ  । ଯେଉଁ ଈର୍ଷା ଆପଣଙ୍କ କ୍ଷତିସାଧନ କରିବ ଏବଂ ଯଦି ସମକକ୍ଷ ତେବେ ଆପଣ ଉନ୍ନତିର ଆବଶ୍ୟକତାକୁ ମନେ କରିବେ – ନାହିଁ । ଗାଡି ଯେମିତି ଚାଲିଛି, ଚାଲିଥିବ । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅନୁସ୍ପର୍ଦ୍ଧା ପାଇଁ, ନିଜ ସହ ପ୍ରତିଯୋଗିତା କରିବା ପାଇଁ । ଆଗରୁ କ’ଣ କରିଥିଲି, ଏଥର କେମିତି ତା’ଠାରୁ ଭଲ କରିବି, କେମିତି ଆହୁରି ଭଲ କରିବି  । କେବଳ ଏହା ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆପଣ ବହୁତ ପରିବର୍ତ୍ତନ ଅନୁଭବ କରିବେ ।

ଶ୍ରୀମାନ ଏସ. ସୁନ୍ଦରଜୀ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ନିଜର ଚିନ୍ତାଧାରା ପ୍ରକାଶ କରିଛନ୍ତି  । ତାଙ୍କ କହିବା ଅନୁଯାୟୀ ପରୀକ୍ଷାରେ ଅଭିଭାବକମାନଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ସେ ଆହୁରି ଲେଖିଛନ୍ତି ଯେ ମୋ ମା’ ପାଠଶାଠ ପଢ଼ିନଥିଲେ  । ତଥାପି ସେ ମୋ ପାଖରେ ବସୁଥିଲେ ଏବଂ ଗଣିତ ପ୍ରଶ୍ନଗୁଡ଼ିକ ସମାଧାନ କରିବା ପାଇଁ କହୁଥିଲେ । ସେ ଉତ୍ତର ମିଳାଉଥିଲେ । ଏଭଳି ସେ ମୋତେ ସାହାଯ୍ୟ କରୁଥିଲେ । ଭମ୍ର ସଂଶୋଧନ କରୁଥିଲେ । ମୋ ମା’ ଦଶମ ଶ୍ରେଣୀ ପାସ୍ କରିନଥିଲେ; କିନ୍ତୁ ତାଙ୍କ ସହଯୋଗ ବିନା ମୋ ପକ୍ଷରେ CBSE ପରୀକ୍ଷା ପାସ୍ କରିବା ଅସମ୍ଭବ ଥିଲା  ।

ସୁନ୍ଦରଜୀ ଆପଣଙ୍କ କଥା ସତ  । ଆଜି ବି ଆପଣ ଦେଖିଥିବେ, ମୋତେ ପ୍ରଶ୍ନ କରୁଥିବା, ପରାମର୍ଶ ଦେଉଥିବା ଲୋକଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ଅଧିକ  । କାରଣ ଘରେ ପିଲାମାନଙ୍କ ଭବିଷ୍ୟତ ପାଇଁ ମା’ମାନେ ସଚେତନ, ସକ୍ରିୟ  । ସେମାନେ ଅନେକ କଥା ସହଜ କରିଦେଇଥାନ୍ତି  । ମୁଁ ଅଭିଭାବକମାନଙ୍କୁ ଏତିକି ହିଁ କହିବାକୁ ଚାହିଁବି – ଆମେ ତିନୋଟି କଥା ଉପରେ ଗୁରୁତ୍ୱ ଦେବା – ସ୍ୱୀକାର କରିବା, ଶିଖାଇବା, ସମୟ ଦେବା  । ଯାହା ଅଛି ତାକୁ ଗ୍ରହଣ କରିନିଅନ୍ତୁ  । ଆପଣଙ୍କ ପାଖରେ ଯେତିକି କ୍ଷମତା ଅଛି, ଆପଣ Accept କରନ୍ତୁ  । ଆପଣ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି, ସମୟ ବାହାର କରନ୍ତୁ  । ଆପଣ ଥରେ ସ୍ୱୀକାର କରିବା ଶିଖିଗଲେ ଅଧିକାଂଶ ସମସ୍ୟା ତ ସେଠି ସମାଧାନ ହେଇଯିବ  । ପ୍ରତ୍ୟେକ ଅଭିଭାବକ ଏହି କଥା ଅନୁଭବ କରୁଥିବେ  । ଅଭିଭାବକମାନଙ୍କ, ଶିକ୍ଷକମାନଙ୍କ Expectation ସମସ୍ୟା ମୂଳରେ ଥାଏ  । Acceptance ସମସ୍ୟାଗୁଡ଼ିକର ସମାଧାନର ବାଟ ଖୋଲିଥାଏ  । ମାର୍ଗକୁ କଠିନ କରିଦେଇଥାଏ  । ପରିସ୍ଥିତିକୁ ସ୍ୱୀକାର କରିବା ନୂଆ ବାଟ ଖୋଲିବାର ସୁଯୋଗ ଦିଏ  । ତେଣୁ ଯାହା ଅଛି ତାକୁ ସ୍ୱୀକାର କରନ୍ତୁ, ଆପଣ ମଧ୍ୟ ବୋଝମୁକ୍ତ ହୋଇଯିବେ  । ଆମ ଛୋଟ ପିଲାମାନଙ୍କ ପଟା-ବସ୍ତାନି (School bag)ର ଓଜନ ସଂପର୍କରେ ଆଲୋଚନା କରିଥାଉଁ  । କିନ୍ତୁ ବେଳେବେଳେ ମୋତେ ଲାଗେ ଯେ, ଅଭିଭାବକମାନଙ୍କ ଆଶା ପିଲାର School bag ଠାରୁ ମଧ୍ୟ ଟିକିଏ ଅଧିକ ଓଜନିଆ ହୋଇପଡ଼ୁଛି  ।

 

ବହୁତ ବର୍ଷ ତଳର କଥା  । ଆମର ଜଣେ ପରିଚିତ ବ୍ୟକ୍ତି ହୃଦଘାତ (Heart Attack)କାରଣରୁ ଡାକ୍ତରଖାନାରେ ଥିଲେ  । ଆମ ଭାରତର ଲୋକସଭାର ପ୍ରଥମ ବାଚସ୍ପତି ଗଣେଶ ଦାଦା ମାୱଲଙ୍କର, ତାଙ୍କ ପୁଅ ପୁରୁଷୋତ୍ତମ ମାୱଲଙ୍କର  । ସେ ମଧ୍ୟ ସଂସଦର ସଭ୍ୟ ଥିଲେ  । ସେ ସେହି ଅସୁସ୍ଥ ବ୍ୟକ୍ତିଙ୍କୁ ଦେଖିବାକୁ ଆସିଲେ  । ସେତେବେଳେ ମଁ ସେଠାରେ ଉପସ୍ଥିତ ଥିଲି  । ମୁଁ ଲକ୍ଷ୍ୟକଲି ଯେ ସେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୋଟିଏ ହେଲେ ପ୍ରଶ୍ନ ପଚାରିଲେନି  । ଆସି ବସିଲେ  । ସେଠି ପରିସ୍ଥିତି କଣ, ଦେହ କେମିତି ଅଛି, ଏସବୁ କିଛି ନାହିଁ, ହସକଥା ଶୁଣାଇବା ଆରମ୍ଭ କରିଦେଲେ  । ଦୁଇ ଚାରି ମିନିଟ୍ ମଧ୍ୟରେ ସେ ପରିବେଶକୁ ଖୁବ୍ ହାଲ୍କା-ଫୁଲ୍କା କରିଦେଲେ  । ଆମେ ଯେମିତି ଯାଇ ଅସୁସ୍ଥ ବ୍ୟକ୍ତିକୁ ଭୟଭୀତ କରାଇଦେଉ; ତେଣୁ ମୁଁ ଅଭିଭାବକମାନଙ୍କୁ କହିବାକୁ ଚାହୁଁଛି ଯେ, ବେଳେବେଳେ ଆମେ ପିଲାମାନଙ୍କ ସହ ଏମିତି ହିଁ କରିଥାଉ  । ଆପଣ କେବେ ଚିନ୍ତା କଲେ କି ଯେ ପରୀକ୍ଷା ଦିନମାନଙ୍କରେ ପିଲାମାନଙ୍କୁ ହସଖୁସିର ପରିବେଶ ଦେବା  । ଆପଣ ଦେଖିବେ ପରିସ୍ଥିତି ବଦଳିଯିବ  ।

 

ମୋ ପାଖକୁ ଗୋଟିଏ ଚମତ୍କାର ଫୋନ କଲ ଆସିଛି  । ସେ ଭଦ୍ରବ୍ୟକ୍ତି ଜଣକ ନିଜର ନାମ ପ୍ରକାଶ କରିବାକୁ ଚାହୁନାହାଁନ୍ତି  । ଫୋନ୍ ଶୁଣିଲେ ଆପଣମାନେ ଜାଣିପାରିବେ ଯେ ସେ କାହିଁକି ନିଜ ନାମ ପ୍ରକାଶ କରିବାକୁ ଚାହୁଁନାହାନ୍ତି  ।

“ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ନିଜ ନାଁ ତ କହିପାରିବିନି, କାରଣ ପିଲାଦିନେ ମୁଁ ଏମିତି କିଛି କାମ କରିଥିଲି । ପିଲାଦିନେ ଥରେ ମୁଁ କପି କରିବାକୁ ଚେଷ୍ଟା କରିଥିଲି । ସେଥିପାଇଁ ମୁଁ ବହୁତ ପ୍ରସ୍ତୁତି ଆରମ୍ଭ କଲି । କେମିତି ମୁଁ କପି କରିପାରିବି, ତା’ର ଉପାୟ ଖୋଜିବାକୁ ଚେଷ୍ଟା କଲି, ଯାହା ଫଳରେ ମୋର ବହୁତ ସମୟ ନଷ୍ଟ ହୋଇଗଲା  । ଯେତିକି ସମୟ ମୁଁ କପି କରିବାର ସମୟ ଖୋଜିଲି, ସେତିକି ସମୟ ପାଠ ପଢ଼ି ମୁଁ ସେତିକି ମାର୍କ ଆଣିପାରିଥାନ୍ତି । ମୁଁ ଯେତେବେଳେ କପିକରି ପାସ୍ କରିବାକୁ ଚେଷ୍ଟା କଲି, ସେଥିରେ ମୁଁ ଧରା ପଡ଼ିଗଲି ଏବଂ ମୋ

ଯୋଗୁଁ ବସିଥିବା ମୋର ଅନ୍ୟ ବନ୍ଧୁମାନଙ୍କୁ ଅନେକ ଅସୁବିଧା ହେଲା  ।”

ଆପଣଙ୍କ କଥା ସତ  । ଏହି Short-Cut ବାଲା ରାସ୍ତା କପି କରିବାର କାରଣ ପାଲଟିଯାଏ  । ବେଳେବେଳେ ନିଜ ଉପରେ ବିଶ୍ଵାସର ଅଭାବ ଯୋଗୁଁ ଇଚ୍ଛା ହୁଏ ଯେ ପାଖ ପିଲା କ’ଣ ଲେଖିଛି  ଟିକେ ଦେଖିଦେବି କି, ଉତ୍ତରଟା ତା’ର ଖାତା ଦେଖି Confirm କରିଦେବି କି  । ମୁଁ ଯାହା ଲେଖିଛି ତାହା ଠିକ୍ କି ନୁହେଁ  । ବେଳେବେଳେ ଆମେ ଠିକ୍ ଲେଖିଥାଉଁ, କିନ୍ତୁ ପାଖ ପିଲାଟି ଭୁଲ୍ ଲେଖିଥାଏ  । ସେହି ଭୁଲଟିକୁ ଆମେ ମଧ୍ୟ ଗ୍ରହଣ କରିଦେଉ ଏବଂ ଆମେ ମଧ୍ୟ ମରିଯାଉଁ  । ତେଣୁ ନକଲ କେବେହେଲେ ଲାଭପ୍ରଦ ହୁଏ ନାହିଁ  ।  “To cheat।s to be cheap, so please, do not cheat” ନକଲ ଆପଣଙ୍କୁ ଖରାପ କରିଥାଏ  । ତେଣୁ ନକଲ କରନ୍ତୁ ନାହିଁ  । ଆପଣ ଅନେକଥର, ବାରମ୍ବାର ଏକଥା ଶୁଣିଥିବେ ଯେ ନକଲ କରିବନି, ନକଲ କରିବନି  । ମୁଁ ମଧ୍ୟ ସେହିକଥା ଆପଣଙ୍କୁ ପୁଣିଥରେ କହୁଛି ସବୁ ରୂପରେ ଆପଣ ଦେଖନ୍ତୁ ନକଲ ଜୀବନକୁ ବିଫଳ କରିବାର ବାଟରେ ଆପଣଙ୍କୁ ଟାଣି ନେଇଯାଉଛି  । ଆଉ ପରୀକ୍ଷାବେଳେ ଯଦି ନିରୀକ୍ଷକ ଆପଣଙ୍କୁ ଧରି ପକାନ୍ତି ତେବେ ଆପଣଙ୍କ ସବୁ କିଛି ନଷ୍ଟ ହୋଇଯିବ ଏବଂ ମନେକରନ୍ତୁ କେହି ନ ଧରୁଛି, ତା’ହେଲେ ଜୀବନ ସାରା ଆପଣଙ୍କ ମନ ଉପରେ ଗୋଟିଏ ବୋଝ ରହିଯିବ ଯେ, ଆପଣ ଏଭଳି କାମ କରିଥିଲେ ଏବଂ ଯେତେବେଳେ ଆପଣଙ୍କୁ ଆପଣଙ୍କ ପିଲାମାନଙ୍କୁ ବୁଝାଇବାକୁ ଥିବ ସେତେବେଳେ ଆପଣ ଆଖି ସହ ଆଖି ମିଶାଇ ବୁଝାଇ ପାରିବେନି ଏବଂ ଯଦି ଥରେ ନକଲର ଅଭ୍ୟାସ ପଡ଼ିଗଲା, ତା’ହେଲେ ଜୀବନରେ କେବେ କିଛି ଶିଖିବାର ଇଚ୍ଛା ରହିବନି  । ତା’ହେଲେ ଆପଣ କେଉଁଠି ପହଂଚିପାରିବେ ?

ମନେ କରନ୍ତୁ ଆପଣ ନିଜ ବାଟକୁ ଗାତରେ ପରିବର୍ତ୍ତିତ କରୁଥାନ୍ତି ଏବଂ ମୁଁ ତ ଦେଖିଛି, ଏଭଳି କିଛି ଲୋକ ଅଛନ୍ତି ଯେ କପି କରିବା ଉପାୟ ଖୋଜିବାରେ ଏତେ ବୁଦ୍ଧି ଖଟାଇ ଦିଅନ୍ତି  । ଏତେ ସେମାନଙ୍କ talent ପ୍ରତିଭା ଉପଯୋଗ କରିଦିଅନ୍ତି । ନିଜର ସମ୍ପୂର୍ଣ୍ଣ ବୁଦ୍ଧିମତ୍ତାକୁ କପି କରିବାର ଉପାୟ ଖୋଜିବାରେ ଲଗାଇ ଦିଅନ୍ତି  । ଯଦି ସେହି Creativity ବା ପ୍ରତ୍ୟୁତ୍ପନ୍ନମତିକୁ ସେତିକି ସମୟ ଆପଣ ନିଜ ପରୀକ୍ଷା ପାଇଁ ଦେଇଥାନ୍ତେ, ତା’ହେଲେ ହୁଏତ କପିର ଆବଶ୍ୟକତା ହିଁ ପଡ଼ିନଥାନ୍ତା । ନିଜ ପରିଶ୍ରମ ବଳରେ ଯେଉଁ ପରିଣାମ ମିଳେ ସେଥିରେ ଯେଉଁ ଆତ୍ମବିଶ୍ଵାସ ସୃଷ୍ଟି ହୁଏ ତାହା ଅଦ୍ଭୁତ  ।

ହଁ ଗୋଟିଏ ଫୋନ କଲ ଆସିଛି :-

“ନମସ୍କାର ପ୍ରଧାନମନ୍ତ୍ରୀଜୀ, ମୋ ନାଁ ମୋନିକା । ମୁଁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହେଇଥିବାରୁ ବୋର୍ଡ଼ ପରୀକ୍ଷା ସଂପର୍କରେ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛି । ମୋର ପ୍ରଥମ ପ୍ରଶ୍ନ ହେଲା – ପରୀକ୍ଷା ସମୟର ଚାପ କମ୍ କରିବାକୁ ଆମେ କ’ଣ କରିବା ଆବଶ୍ୟକ ? ଏବଂ ଦ୍ୱିତୀୟ ପ୍ରଶ୍ନଟି ହେଲା – ପରୀକ୍ଷାବେଳେ କାହିଁକି କେବଳ ପଢ଼ିବା, ପରିଶ୍ରମ କଥା କୁହାଯାଏ, କାହିଁକି ଖେଳ ସଂପର୍କରେ କୁହାଯାଏନି ? ଧନ୍ୟବାଦ ….  ।”

ଯଦି ପରୀକ୍ଷା ଦିନରେ ମୁଁ ଆପଣଙ୍କୁ ଖେଳ କଥା କହିବି, ତା’ହେଲେ ଆପଣଙ୍କ ଶିକ୍ଷକ, ଆପଣଙ୍କ ଅଭିଭାବକ ମୋ ଉପରେ ରାଗିବେ – କହିବେ ଇଏ କେମିତି ପ୍ରଧାନମନ୍ତ୍ରୀ, ଯିଏ ପିଲାଙ୍କୁ ପରୀକ୍ଷା ସମୟରେ କହୁଛି ଖେଳ କଥା । କାରଣ ସାଧାରଣତଃ ଏଭଳି ଧାରଣା ରହିଛି ଯେ, ଯଦି ବିଦ୍ୟାର୍ଥୀ ଖେଳ ଆଡ଼କୁ ମନ ଦିଅନ୍ତି, ତେବେ ପାଠପଢ଼ାରୁ ସେମାନଙ୍କ ଧ୍ୟାନ ହଟିଯାଏ  । ଏହି ମୌଳିକ ଚିନ୍ତାଧାରା ହିଁ ଭୁଲ୍  । ଏହାହିଁ ସମସ୍ୟାର ମୂଳ  । ସର୍ବାଙ୍ଗୀନ ବିକାଶ ଯଦି ଆବଶ୍ୟକ, ତେବେ ପୁସ୍ତକ ବାହାରେ ମଧ୍ୟ ଗୋଟିଏ ଜୀବନ ରହିଛି ଏବଂ ତାହା ଅତି ବିଶାଳ, ତାକୁ ଜୀଇଁବା ଶିଖିବାର ମଧ୍ୟ ସେହି ସମୟ  । କେହି ଯଦି କହେ ଯେ ମୁଁ ଆଗ ସବୁ ପରୀକ୍ଷା ଦେଇସାରେ, ତା’ପରେ ଖେଳିବି, କି ପରେ ଏ କଥା କରିବି, ତେବେ ତାହା ଅସମ୍ଭବ  । ଏହାହିଁ ତ ଜୀବନକୁ ଗୋଟିଏ ଛାଞ୍ଚରେ ଢାଳିବାର ସମୟ  । ଏହାକୁହିଁ ତ ଲାଳନପାଳନ କୁହାଯାଏ  । ମୋ ଦୃଷ୍ଟିରେ ପ୍ରକୃତରେ ପରୀକ୍ଷାରେ ତିନୋଟି କଥା ଖୁବ୍ ଜରୁରୀ  । Proper Rest ଅର୍ଥାତ ଆରାମ, ଦ୍ଵିତୀୟରେ ଶରୀର ପାଇଁ ଆବଶ୍ୟକ ଭଲ ନିଦ ଏବଂ ତୃତୀୟ କଥା ହେଲା ମାନସିକ କାର୍ଯ୍ୟକଳାପ ବ୍ୟତୀତ ମଧ୍ୟ ଶରୀରର ଅନେକ ଅଂଶ ରହିଛି, ଯାହାକୁ physical activity ଶାରୀରିକ ପରିଶ୍ରମ/ଖେଳକୁଦର ମଜା ମିଳିବା ଦରକାର  । କେତେବେଳେ ଚିନ୍ତା କରିଛନ୍ତି ? ଯେତେବେଳେ ଏତେ ସବୁ ସାମନାରେ ଥିବ, ସେତେବେଳେ କିଛି ମୁହୂର୍ତ୍ତ ବାହାରକୁ ଆସି ଟିକିଏ ଆକାଶକୁ ଚାହାଁନ୍ତୁ, ଟିକିଏ ବୃକ୍ଷଲତା ଆଡକୁ ଦେଖନ୍ତୁ  । ମନକୁ ଟିକିଏ ହାଲୁକା କରନ୍ତୁ । ଆପଣ ଦେଖିବେ ଯେ ଏକ ନୂଆ ସତେଜତା ସହ ଆପଣ ପୁଣି ନିଜ ରୁମ୍ କୁ ନିଜ ପୁସ୍ତକ ପାଖକୁ ଫେରୁଛନ୍ତି  । ଆପଣ ଯାହା କରୁଛନ୍ତି, ସେଥିରେ ଟିକିଏ ବିଶ୍ରାମ ନିଅନ୍ତୁ  । ଟିକିଏ ବାହାରକୁ ଯାଆନ୍ତୁ, ରୋଷେଇ ଘରକୁ ଯାଆନ୍ତୁ, ଦେଖନ୍ତୁ ନିଜ ପସନ୍ଦର କିଛି ଅଛି କି ? ନିଜ ପସନ୍ଦର ବିସ୍କୁଟ ମିଳିଗଲେ ତାହା ଖାଆନ୍ତୁ  । ଟିକିଏ ଥଟ୍ଟା ମଜା କରନ୍ତୁ  । ପାଞ୍ଚ ମିନିଟ୍ ପାଇଁ ହେଉ ନା କାହିଁକି ଆପଣ break ଦିଅନ୍ତୁ  । ଆପଣ ଅନୁଭବ କରିବେ ଯେ ଆପଣଙ୍କ କାମ ସଫଳ ହୋଇଯାଉଛି  । ସମସ୍ତଙ୍କୁ ଏହା ଠିକ୍ ଲାଗିବ କି ନାହିଁ, ମୁଁ ଜାଣିନି, କିନ୍ତୁ ମୁଁ ତ ଅନୁଭବ କରିଛି ଯେ ଏଭଳି ସମୟରେ ଏବେ Deep Breathing କଲେ ଖୁବ୍ ଲାଭ ହୁଏ  । ଗଭୀର ଶ୍ୱାସ ଗ୍ରହଣ କଲେ ଖୁବ୍ ଆରାମ ମିଳିଥାଏ  । ଏଥିପାଇଁ କୋଠରୀ ମଧ୍ୟରେ ଆବଦ୍ଧ ରହିବା ଆବଶ୍ୟକ ନୁହେଁ  । ଟିକିଏ ଖୋଲା ଆକାଶ ତଳକୁ ଆସନ୍ତୁ, ଛାତ ଉପରକୁ ଚାଲି ଯାଆନ୍ତୁ, ପାଂଚ ମିନିଟ୍ ଗଭୀର ଶ୍ୱାସପ୍ରଶ୍ଵାସ ନେଇ ତା’ପରେ ପଢ଼ିବାକୁ ଯାଆନ୍ତୁ  । ଆପଣ ଅନୁଭବ କରିବେ ଯେ ଆପଣଙ୍କ ଶରୀର ପୂରାପୂରି Relax ହେଇଯିବ ଏବଂ ଶରୀରର Relaxation ଆପଣଙ୍କ ମସ୍ତିଷ୍କକୁ ମଧ୍ୟ Relaxation ପ୍ରଦାନ କରିବ  । କିଛି ଲୋକ ଭାବନ୍ତି ଯେ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିଲେ ଅଧିକ ପଢ଼ି ହେବ । ନାହିଁ ଆଜ୍ଞା, ଶରୀରକୁ ଯେତିକି ନିଦ ଆବଶ୍ୟକ ସେତିକି ଗ୍ରହଣ କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ପଢିବା ସମୟ ନଷ୍ଟହେବ ନାହିଁ  । ଏହା ପଠନ ଶକ୍ତି ବୃଦ୍ଧିରେ ସହାୟକ ହେବ  । ଆପଣଙ୍କ Concentration ଏକାଗ୍ରତା ବୃଦ୍ଧି ପାଇବ  । ଆପଣଙ୍କୁ ସତେଜ ଲାଗିବ  । ଆପଣଙ୍କ ଦକ୍ଷତା ସାମଗ୍ରିକ ଭାବରେ ବହୁମାତ୍ରାରେ ବୃଦ୍ଧି ପାଇବ  । ମୁଁ ଯେତେବେଳେ ନିର୍ବାଚନୀ ସଭାମାନ କରିଥାଏ, ବେଳେବେଳେ ମୋ ଗଳା/ତଣ୍ଟି ପଡ଼ିଯାଏ  । ଜଣେ ଲୋକଗାୟକ ମୋତେ ସାକ୍ଷାତ୍ କରିବାକୁ ଆସିଲେ  । ସେ ମୋତେ ପଚାରିଲେ – ଆପଣ କେତେ ଘଣ୍ଟା ଶୁଅନ୍ତି ? ମୁଁ ପଚାରିଲି କାହିଁକି ଭାଇ, ଆପଣ ଡାକ୍ତର କି ? ସେ କହିଲେ – ନା, ନା, ନିର୍ବାଚନୀ ସମୟରେ ଭାଷଣ ଦେଇ ଦେଇ ଆପଣଙ୍କ ଗଳା ଖରାପ ହୋଇଯାଏ, ଏହାର ତା’ ସହିତ ସମ୍ପର୍କ ରହିଛି  । ଆପଣ ପୂର୍ଣ୍ଣ ମାତ୍ରାରେ ନିଦ୍ରା ଗ୍ରହଣ କଲେ ଆପଣଙ୍କୁ ସଂପୂର୍ଣ୍ଣ ରୂପେ Freshness ମିଳିବ, ସତେଜ ଲାଗିବ । ମୁଁ ନିଦ, ମୋର ଭାଷଣ ଏବଂ ମୋର ସ୍ୱର କଥା କେବେହେଲେ ଚିନ୍ତା କରିନଥିଲି  । ସେ ମୋତେ ଗୋଟିଏ ଚେରମୂଳି ଦେଇଦେଲେ  । ତେବେ ପ୍ରକୃତରେ ଆମେ ଏସବୁ କଥାର ଗୁରୁତ୍ୱ ଉପଲବ୍ଧି କରିବା । ତେବେ ନିଶ୍ଚୟ ଲାଭ ହେବ  । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଖାଲି ଶୋଇଥିବେ, କାହିଁକି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଶୋଇଥିବା, ଏବେ ଆଉ ଚେଇଁବାର ଆବଶ୍ୟକତା ନାହିଁ  । ଏମିତି କରିବେନି  । ନହେଲେ ଆପଣଙ୍କ ପରିବାର ଲୋକ ମୋ ଉପରେ ରାଗିଯିବେ । ଆଉ ଯେଉଁ ଦିନ ଆପଣଙ୍କ ମାର୍କଶିଟ ଆସିବ ସେଦିନ ତାଙ୍କୁ, ଆପଣ ଦେଖା ଯିବେନି ଖାଲି ମୁଁ ଦିଶିବି  । ତେଣୁ ଏଭଳି କରିବେନି  । ମୁଁ ତ କହିବି “P for prepared and P for play” ଯିଏ ଖେଳିବ ସେ ବଢ଼ିବ  । “The person who plays, shines” ମନ, ବୁଦ୍ଧି, ଶରୀରକୁ ସଚେତନ ରଖିବାର ଏହା ଏକ ବହୁତ ବଡ଼ ଔଷଧ  ।

ହଉ, ଯୁବବନ୍ଧୁ, ଆପଣମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ମୁଁ ଆପଣଙ୍କୁ ମନର କଥାରେ ବାନ୍ଧି ରଖିଛି  । ହୁଏତ ଆଜିର ମୋ କଥା ମଧ୍ୟ ଆପଣଙ୍କୁ Relax କରିବ, କିନ୍ତୁ ତା ସହ ମୁଁ ଏକଥା ମଧ୍ୟ କହିବି ମୁଁ ଯେଉଁ କଥାସବୁ କହିଛି, ତାକୁ ବୋଝ ହେବାକୁ ଦେବେନି  । ଯଦି ସମ୍ଭବ ତେବେ କରନ୍ତୁ ନହେଲେ ନାହିଁ  । ନହେଲେ ଏହା ମଧ୍ୟ ଏକ ବୋଝ ପାଲଟିଯିବ  । ତେଣୁ ଯେତିକି ମୁଁ ଆପଣଙ୍କ ବାପାମାଆଙ୍କୁ ବୋଝ ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦେଉଛି, ତାହା ମୋ ଉପରେ ମଧ୍ୟ ଲାଗୁ ହେଉଛି  । ନିଜ ସଂକଳ୍ପକୁ ସ୍ମରଣ କରି ନିଜ ଉପରେ ବିଶ୍ୱାସ ରଖି ପରୀକ୍ଷା ଦେବାକୁ ଯାଆନ୍ତୁ  । ମୋର ବହୁତ ଶୁଭକାମନା ରହିଛି  । ପ୍ରତ୍ୟେକ ପରୀକ୍ଷାକୁ ଅତିକ୍ରମ କରିବା ପାଇଁ ପରୀକ୍ଷାକୁ ଗୋଟିଏ ଉତ୍ସବ କରଦିଅନ୍ତୁ । ଏହାପରେ ପରୀକ୍ଷା କେବେହେଲେ ଆଉ ପରୀକ୍ଷା ହୋଇ ରହିବନି  । ଏହି ମନ୍ତ୍ରକୁ ନେଇ ଆଗକୁ ବଢନ୍ତୁ ।

ପ୍ରିୟ ଦେଶବାସୀଗଣ, 1 ଫେବୃୟାରୀ 2017 ତାରିଖରେ ଭାରତୀୟ ତଟରକ୍ଷୀ ବାହିନୀକୁ 40ବର୍ଷ ପୂରଣ ହେଉଛି  । ଏହି ଅବସରରେ ମୁଁ ତଟରକ୍ଷୀ ବାହିନୀର ସମସ୍ତ ଅଧିକାରୀ ଏବଂ ଯବାନମାନଙ୍କୁ ରାଷ୍ଟ୍ର ପ୍ରତି ସେମାନଙ୍କ ସେବା ପାଇଁ ଧନ୍ୟବାଦ ଦେଉଛି  । ଏହା ଗର୍ବର କଥା ଯେ, ତଟରକ୍ଷୀ ବାହିନୀର ଦେଶରେ ନିର୍ମିତ ନିଜର ସମସ୍ତ 126ଟି ପୋତ ଏବଂ 62 ବିମାନ ସହ ବିଶ୍ୱର ଚାରିଟି ସବୁଠାରୁ ବଡ଼ ତଟରକ୍ଷୀ ବାହିନୀ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛି  । ତଟରକ୍ଷୀ ବାହିନୀର ମନ୍ତ୍ର ହେଲା – “”ବୟମ୍ ରକ୍ଷାମଃ”  । ନିଜର ଏହି ଆଦର୍ଶ ବାକ୍ୟକୁ ଚରିତାର୍ଥ କରି ଦେଶର ଜଳସୀମା ଏବଂ ସମୁଦ୍ର ପରିବେଶକୁ ସୁରକ୍ଷିତ କରିବା ପାଇଁ ତଟରକ୍ଷୀ ବାହିନୀର ଯବାନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦିନ ରାତି ତତ୍ପର ରହୁଛନ୍ତି  । ଗତ ବର୍ଷ ତଟରକ୍ଷୀ ବାହିନୀର ଲୋକେ ନିଜ ଦାୟିତ୍ୱ ସହ ଆମ ଦେଶର ସମୁଦ୍ରକୂଳକୁ ସ୍ୱଚ୍ଛ କରିବାର ବଡ଼ ଅଭିଯାନ ଆରମ୍ଭ କରିଥିଲେ ଏବଂ ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ତଟ ସୁରକ୍ଷା ସହିତ ତଟୀୟ ସ୍ଵଚ୍ଛତା ଅଭିଯାନର ଚିନ୍ତା ମଧ୍ୟ ସେମାନେ କଲେ  । ଏମାନେ ପ୍ରକୃତରେ ଅଭିନନ୍ଦନର ପାତ୍ର  । ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଆମ ଦେଶରେ ତଟରକ୍ଷୀ ବାହିନୀରେ କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ସମାସ୍କନ୍ଧ ହୋଇ ସମାନ ରୂପରେ ନିଜ ଦାୟୀତ୍ୱ ତୁଲାଉଛନ୍ତି  । ସଫଳତା ସହ ତୁଲାଇ ଚାଲିଛନ୍ତି  । ତଟରକ୍ଷୀ ବାହିନୀର ଆମର ମହିଳା ଅଫିସର ପାଇଲଟ ହୁଅନ୍ତୁ, ଅବଜର୍ଭର ହୁଅନ୍ତୁ, କେବଳ ସେତିକି ନୁହେଁ, Hovercraft ର ମୁଖ୍ୟ ଭାବରେ ମଧ୍ୟ ଦାୟୀତ୍ୱ ତୁଲାଉଛନ୍ତି  । ଭାରତର ଉପକୂଳରେ ସୁରକ୍ଷାରେ  ଲାଗିଛନ୍ତି । ସାମୁଦ୍ରିକ ସୁରକ୍ଷା ଆଜି ବିଶ୍ଵର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ  । ଏହି ସମୟରେ ମୁଁ ଭାରତୀୟ ତଟରକ୍ଷୀ ବାହିନୀର 40ତମ ବାର୍ଷିକୀ ଅବସରରେ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି  ।

1 ଫେବ୍ରୁୟାରି ଦିନ ବସନ୍ତ ପଂଚମୀର ପର୍ବ । ବାସନ୍ତକୁ ଶ୍ରେଷ୍ଠ ଋତୁ ଭାବେ ସ୍ଵିକୃତୀ ମିଳିଛି  । ବସନ୍ତ ଋତୁମାନଙ୍କ ମଧ୍ୟରେ ରାଜା  । ଆମ ଦେଶରେ ବସନ୍ତ ପଂଚମୀ ସରସ୍ୱତୀ ପୂଜାର ଗୋଟିଏ ବଡ଼ ପର୍ବ  । ବିଦ୍ୟା ଆରାଧନାର ଅବସର ଭାବେ ଏହାକୁ ବିବେଚନା କରାଯାଏ  । କେବଳ ସେତିକି ନୁହେଁ, ଏହା ବୀରମାନଙ୍କ ପାଇଁ ପ୍ରେରଣାର ପର୍ବ ମଧ୍ୟ ଅଟେ  । “”ମେରା ରଙ୍ଗଦେ ବସନ୍ତି ଚୋଲା” – ଏହା ସେହି ପ୍ରେରଣା ହିଁ ତ ଅଟେ  । ଏହି ବସନ୍ତ ପଂଚମୀର ପବିତ୍ର ପର୍ବରେ ମୁଁ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି  ।

ମୋର ପ୍ରିୟ ଦେଶବାସୀଗଣ, “ମନ କି ବାତ”କୁ ଆକାଶବାଣୀ ମଧ୍ୟ ନିଜର କାଳ୍ପନିକତା ସହ ସବୁବେଳେ ନୂଆ ରଙ୍ଗ ଦେଇଆସିଛି  । ଗତମାସ ଠାରୁ ସେମାନେ ମୋର “ମନ୍ କି ବାତ୍” ଶେଷ ହେବାର ଠିକ୍ ପରେ ପରେ ଆଂଚଳିକ ଭାଷାରେ ଏହା ଶୁଣାଇବା ଆରମ୍ଭ କରିଛନ୍ତି  । ଏହାକୁ ବ୍ୟାପକ ଭାବରେ ଗ୍ରହଣ କରାଯାଇଛି  । ଦୂରଦୂରାନ୍ତରୁ ଲୋକ ଚିଠି ଲେଖୁଛନ୍ତି  । ମୁଁ ଆକାଶବାଣୀକୁ ତାଙ୍କର ଏହି ସ୍ୱୟଂ ପ୍ରେରିତ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି  । ଦେଶବାସୀଗଣ, ଆପଣମାନଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଜଣାଉଛି  । “ମନ୍ କି ବାତ୍” ମୋତେ ଆପଣମାନଙ୍କ ସହ ଯୋଡିହେବାର ଗୋଟିଏ ବହୁତ ବଡ ସୁଯୋଗ ପ୍ରଦାନ କରୁଛି । ବହତୁ ବହତୁ ଶୁଭକାମନା  ।

ଧନ୍ୟବାଦ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bad loans decline: Banks’ gross NPA ratio declines to 13-year low of 2.5% at September end, says RBI report

Media Coverage

Bad loans decline: Banks’ gross NPA ratio declines to 13-year low of 2.5% at September end, says RBI report
NM on the go

Nm on the go

Always be the first to hear from the PM. Get the App Now!
...
PM Modi pays tributes to the Former Prime Minister Dr. Manmohan Singh
December 27, 2024

The Prime Minister, Shri Narendra Modi has paid tributes to the former Prime Minister, Dr. Manmohan Singh Ji at his residence, today. "India will forever remember his contribution to our nation", Prime Minister Shri Modi remarked.

The Prime Minister posted on X:

"Paid tributes to Dr. Manmohan Singh Ji at his residence. India will forever remember his contribution to our nation."