ମାନନୀୟ,
ଜଳବାୟୁ ଅନୁକୂଳନ ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରୁଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ନେତୃତ୍ୱକୁ ପ୍ରଶଂସା କରୁଛି ।
ଜଳବାୟୁ ପରିବର୍ତ୍ତନ ଆଜିର ତାରିଖରେ ପୂର୍ବଠାରୁ ଅଧିକ ମହତ୍ତ୍ୱ ରଖୁଛି ଏବଂ ଭାରତର ବିକାଶମୂଳକ ପ୍ରୟାସଗୁଡ଼ିକର ଏହା ଏକ ପ୍ରମୁଖ ଅଂଶବିଶେଷ ।
ଆମେ ନିଜ ପ୍ରତି ନିମ୍ନଲିଖିତ ଭାବେ ପ୍ରତିବଦ୍ଧ ହୋଇଛୁ:
– ଆମେ କେବଳ ଆମର ପ୍ୟାରିସ ବୁଝାମଣା ଲକ୍ଷ୍ୟ ପୂରଣ କରିବୁ ନାହିଁ, ବରଂ ତା’ଠାରୁ ଅଧିକ କିଛି ହାସଲ କରିବୁ;
– ଆମେ କେବଳ ପରିବେଶ ସଂକ୍ରାନ୍ତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବୁ ନାହିଁ, ଏହାର ସଂରକ୍ଷଣ ଉପରେ ଯଥେଷ୍ଟ ଧ୍ୟାନ ଦେବୁ; ଓ,
– ଆମେ କେବଳ ନୂଆ ସାମର୍ଥ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦେବୁନାହୁଁ, ଏହା ଯେମିତି ବିଶ୍ୱର ମଙ୍ଗଳ ପାଇଁ କାମରେ ଲାଗିବ, ତାହା ବି ସୁନିଶ୍ଚିତ କରିବୁ ।
ଆମର ପ୍ରତ୍ୟେକ ପଦକ୍ଷେପ ଆମ ପ୍ରତିଶ୍ରୁତିବଦ୍ଧତାକୁ ସୂଚାଉଛି ।
୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।
ଆମେ ଏଲଇଡି ଆଲୋକକୁ ପ୍ରୋତ୍ସାହନ ଦେଉଛୁ ଏବଂ ବର୍ଷକୁ ୩୮ ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରୁଛୁ ।
୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅନୁର୍ବର ଜମିକୁ ଶସ୍ୟଶ୍ୟାମଳା କରିବାକୁ ଯାଉଛୁ ।
୮୦ ନିୟୁତ ଗ୍ରାମୀଣ ପରିବାରକୁ ଆମେ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେଉଛୁ ।
୬୪ ନିୟୁତ ପରିବାରକୁ ଆମେ ପାଇପ ଜଳ ଯୋଗାଣ ସଂଯୋଗ ଯୋଗାଇ ଦେଇଛୁ ।
ଏବଂ, ଆମର ପଦକ୍ଷେପଗୁଡ଼ିକ କେବଳ ଭାରତ ମଧ୍ୟରେ ସୀମିତ ନାହିଁ ।
ଅନ୍ତର୍ଜାତୀୟ ସୌର ସଂଗଠନ ଓ ବିପର୍ଯ୍ୟୟ ପ୍ରତିରୋଧୀ ଢାଞ୍ଚା ନିମନ୍ତେ ହୋଇଥିବା ମେଣ୍ଟ ଅନ୍ତର୍ଜାତୀୟ ଜଳବାୟୁ ଭାଗୀଦାରିକୁ ମଜଭୁତ କରିଛି । ମୁଁ ଅନ୍ତର୍ଜାତୀୟ ଆୟୋଗକୁ ବିଶ୍ୱ ସ୍ତରରେ ଢାଞ୍ଚାଗତ ନମନୀୟତା ବଢ଼ାଇବା ପାଇଁ ସିଡିଆରଆଇ ସହ କାମ କରିବାକୁ ଅପିଲ କରୁଛି । ଏବଂ, ଆପଣମାନଙ୍କୁ ସମସ୍ତଙ୍କୁ ଚଳିତବର୍ଷ ଶେଷଭାଗରେ ଭାରତରେ ହେବାକୁ ଥିବା ବିପର୍ଯ୍ୟୟ ନମନୀୟତା ଭିତ୍ତିଭୂମି ସଂକ୍ରାନ୍ତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରୁଛି ।
ମାନନୀୟ,
ପ୍ରକୃତି ସହ ସଦଭାବରେ ରହିବା ଆବଶ୍ୟକ ବୋଲି ଭାରତର ସଭ୍ୟତାଗତ ମୂଲ୍ୟବୋଧ ଆମକୁ ଶିଖାଉଛି ।
ଆମର ପ୍ରାଚୀନ ଗ୍ରନ୍ଥ ୟଜୁର୍ବେଦ ଆମକୁ ଶିଖାଉଛି ଯେ ପୃଥିବୀ ସହ ଆମର ସମ୍ପର୍କ ଜଣେ ମାଆ ଓ ତା’ର ସନ୍ତାନ ଭଳି ।
ଯଦି ଆମେ ଧରିତ୍ରୀ ମାତାର ଧ୍ୟାନ ରଖିବା, ତେବେ ସେ ଆମର ପାଳନ-ପୋଷଣ କରିଚାଲିବ ।
ଜଳବାୟୁ ପରିବର୍ତ୍ତନ ଅନୁକୂଳ ହେବା ପାଇଁ, ଆମର ଜୀବନଶୈଳୀ ମଧ୍ୟ ଏହି ଆଦର୍ଶ ସହିତ ଅନୁକୂଳ ହେବା ଆବଶ୍ୟକ ।
ଆଗକୁ ବଢ଼ିବା ପାଇଁ ଆମର ମାର୍ଗଦର୍ଶନରେ ଏହି ଭାବନା ରହିବା ଉଚିତ ।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।