ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ନଭେମ୍ବର 2020ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ତରଫରୁ ଭର୍ଚୁଆଲ ଫର୍ମାଟରେ ନେତୃତ୍ୱ ନେଇଛନ୍ତି । ସମ୍ମିଳନୀର ଶୀର୍ଷକ ଥିଲା ‘ଅନ୍ତର୍ଜାତୀୟ ସ୍ଥିରତା, ନିରାପତ୍ତା ଏବଂ ଅଭିନବ ଅଭିବୃଦ୍ଧି’ । ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରମୁଖ ମଧ୍ୟ ସମ୍ମିଳନୀରେ ଯୋଗଦେଇଥିଲେ ।
କୋଭିଡ-19 ମହାମାରୀର ଆହ୍ୱାନ ସତ୍ତ୍ୱେ ରୁଷୀୟ ନେତୃତ୍ୱରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ରୁଷକୁ ପ୍ରଶଂସା କରିଥିଲେ । ଆତଙ୍କବାଦ ବିରୋଧରେ ଲଢ଼େଇ ଏବଂ ବିଶ୍ୱ ଅର୍ଥନୀତିକୁ ଆଗେଇ ନେବାରେ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେ ଦର୍ଶାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏବଂ ବିଶେଷକରି ନିରାପତ୍ତା ପରିଷଦରେ ଆବଶ୍ୟକ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ), ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଭଳି ଅନ୍ତର୍ଜାତୀୟ ସଂସ୍ଥାକୁ ସମୟୋପଯୋଗୀ ବାସ୍ତବତା ସହ ଖାପ ଖୁଆଇବା ପାଇଁ ମଧ୍ୟ ସଂସ୍କାର ଜରୁରି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଏହାବ୍ୟତୀତ କୋଭିଡ-19 ମହାମାରୀର ମୁକାବିଲା କ୍ଷେତ୍ରରେ ସହଯୋଗିତା ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହ ଭାରତ ଦ୍ୱାରା 150ରୁ ଅଧିକ ରାଷ୍ଟ୍ରକୁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତ ନେତୃତ୍ୱରେ 2021ରେ ହେବାକୁ ଥିବା ପରବର୍ତ୍ତୀ ବ୍ରିକ୍ସ ଶିଖର ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଭାରତ ଗୁରୁତ୍ୱ ଦେବ । ପାରମ୍ପରିକ ଔଷଧ ଓ ଡିଜିଟାଲ ସ୍ୱାସ୍ଥ୍ୟ, ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସାଂସ୍କୃତିକ ବିନିମୟ ଆଦି କ୍ଷେତ୍ରରେ ମଧ୍ୟ ଭାରତ ଫୋକସ କରିବ ବୋଲି ସେ କହିଥିଲେ ।
ଶିଖର ସମ୍ମିଳନୀର ଶେଷରେ ବ୍ରିକ୍ସ ନେତାମାନେ ‘ମସ୍କୋ ଘୋଷଣାନାମା’କୁ ଆପଣାଇଥିଲେ ।