ପ୍ରୟାଗରାଜଠାରେ କୁମ୍ଭମେଳାରେ ଅଂଶ ଗ୍ରହଣ କରିଥିବା 188 ଦେଶର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନୂଆଦିଲ୍ଳୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି 188 ଜଣ ପ୍ରତିନିଧିଙ୍କ ସହ ଏକ ସାମୂହିକ ଫଟୋରେ ଯୋଗଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ପ୍ରୟାଗରାଜ କୁମ୍ଭମେଳାରୁ ଫେରିଥିବା ପ୍ରତିନିଧିଙ୍କୁ ସାକ୍ଷାତ କରି ଅତ୍ୟନ୍ତ ଖୁସି ।
ସେ କହିଥିଲେ ଯେ, ଜଣେ ଯେ ପର୍ଯ୍ୟନ୍ତ ପ୍ରକୃତରେ କୁମ୍ଭମେଳା ପରିଦର୍ଶନ କରିନାହିଁ, ସେ ଏହାର ମହାତ୍ମ୍ୟ ଓ ମହାନ ପରମ୍ପରା ସମ୍ପର୍କରେ ଜାଣିପାରିବ ନାହିଁ । ସେ କହିଥିଲେ ଏହି ପରମ୍ପରା ହଜାର ହଜାର ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଛି ।
ସେ କହିଥିଲେ ଯେ, କୁମ୍ଭ କେବଳ ଆଧ୍ୟାତ୍ମିକତା ନୁହେଁ ବରଂ ସାମାଜିକ ସଂସ୍କାରର ମଧ୍ୟ ପରିଚାୟକ । ସେ କହିଥିଲେ ଯେ କୁମ୍ଭ ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଓ ସାମାଜିକ ସଂସ୍କାରକମାନଙ୍କ ପାଇଁ ଭବିଷ୍ୟତର ମାର୍ଗ ଅନ୍ୱେଷଣ ଏବଂ ପ୍ରଗତିର ବିଶ୍ଳେଷଣ ସମ୍ପର୍କିତ ଆଲୋଚନା କରିବା ପାଇଁ ଏକ ସ୍ଥାନ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୁମ୍ଭରେ ଆଧୁନିକତା ଏବଂ ପ୍ରଯୁକ୍ତିକୁ, ଆସ୍ଥା, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନା ସହିତ ମିଶ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି । ସେ କହିଥିଲେ ବିଶ୍ୱ ଏବେ ଭାରତକୁ ଉଭୟ ଆଧୁନିକତା ଏବଂ ସମୃଦ୍ଧ ଐତିହ୍ୟ ପାଇଁ ଜାଣୁଛି । ସେ ସମଗ୍ର ବିଶ୍ୱରୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀକୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ସେମାନଙ୍କର ଅଂଶଗ୍ରହଣ କୁମ୍ଭର ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।
ଭାରତୀୟ ସଂସଦୀୟ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର କୁମ୍ଭ ହିସାବରେ ବାଖ୍ୟା କରିଥିଲେ । ସେ କହିଥିଲେ ଯେ, କୁମ୍ଭ ମେଳା ପରି ଭାରତୀୟ ସଂସଦୀୟ ନିର୍ବାଚନ ଏହାର ବିଶାଳତା, ବିଭିନ୍ନତା ଏବଂ ସମ୍ପୂର୍ଣ୍ଣ ନିରପେକ୍ଷତା ସକାଶେ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ।
ସେ କହିଥିଲେ ସମଗ୍ର ବିଶ୍ୱବାସୀ ଭାରତରେ ଏହି ସଂସଦୀୟ ନିର୍ବାଚନ ଆୟୋଜନକୁ ଦେଖିବା ପାଇଁ ଆସିବା ଜରୁରୀ ।