ଶକ୍ତି ମନ୍ତ୍ରୀ, ସାଉଦି ଆରବ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ, ଭାରତ
ମହାସଚିବ, ଆନ୍ତର୍ଜାତିକ ଶକ୍ତି ମଞ୍ଚ
ସମ୍ମାନନୀୟ ପ୍ରତିନିଧିଗଣ
ଭାଇ ଓ ଭଉଣୀମାନେ,
ଭାରତରେ ସ୍ୱାଗତ
ଆନ୍ତର୍ଜାତିକ ଶକ୍ତି ମଞ୍ଚର 16ତମ ମନ୍ତ୍ରୀସ୍ତରୀୟ ବୈଠକକୁ ସ୍ୱାଗତ ।
ଏହି ମଞ୍ଚରେ ଏତେ ଅଧିକ ସଂଖ୍ୟାରେ ତୈଳ ଉତ୍ପାଦକ ଏବଂ ଉପଯୋଗୀ ରାଷ୍ଟ୍ରର ଶକ୍ତିମନ୍ତ୍ରୀ, ଆନ୍ତର୍ଜାତିକ ଅନୁଷ୍ଠାନର ମୁଖ୍ୟ ଏବଂ ସିଇଓମାନଙ୍କ ଅଂଶଗ୍ରହଣ କରିଥିବା ଦେଖି ମୁଁ ଆନନ୍ଦିତ ।
ବିଶ୍ୱ ଶକ୍ତି ଯୋଗାଣ ଏବଂ ଉପଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଥିବା ବେଳେ ବିଶ୍ୱସ୍ତରୀୟ ଶକ୍ତିର ଭବିଷ୍ୟତ ସମ୍ପର୍କରେ ଆଲୋଚନା ଲାଗି ଆପଣମାନେ ଆଜି ଏକତ୍ରିତ ହୋଇଛନ୍ତି ।
ଉପଯୋଗ ଅଭିବୃଦ୍ଧି ଅଣଓଇସିଡି ରାଷ୍ଟ୍ର : ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ବିକଶିତ ଏସିଆକୁ ସ୍ଥାନାନ୍ତରିତ ହୋଇଛି; ସୌର ଫୋଟୋ-ଭୋଲଟିକ ଶକ୍ତି ଅନ୍ୟ ଶକ୍ତି ଉତ୍ସ ତୁଳନାରେ ମିତବ୍ୟୟୀ ହୋଇଛି । ଏହା ଯୋଗାଣ ଢାଂଚାରେ ପରିବର୍ତ୍ତନ ଆଣିଛି । ଏଲଏନଜି ଏବଂ ପ୍ରାକୃତିକ ଗ୍ୟାସର ପରିବର୍ଦ୍ଧିତ ପ୍ରତିଶତ ସହିତ ବିଶ୍ୱସ୍ତରରେ ପ୍ରଚୁର ମାତ୍ରାରେ ପ୍ରାକୃତିକ ଗ୍ୟାସର ଉପଲବ୍ଧତା ପ୍ରମୁଖ ଶକ୍ତି ବାସ୍କେଟରେ ଯୋଗଦାନ ଦେଉଛି;
ଆମେରିକା ଖୁବଶୀଘ୍ର ବୃହତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରେ । ଆସନ୍ତା କିଛି ଦଶନ୍ଧୀ ମଧ୍ୟରେ ଅତିରିକ୍ତ ତୈଳ ଚାହିଦାର ବୃହତ ଭାଗକୁ ଏହା ପୂରଣ କରିବ ବୋଲି ଆଶା କରାଯାଉଛି;
ଓଇସିଡି ବିଶ୍ୱ ଏବଂ ପରେ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରମୁଖ ଶକ୍ତି କ୍ଷେତ୍ରକୁ ବୃହତ ଯୋଗାଣକାରୀ ହୋଇଥିବା କୋଇଲା ଧୀରେ ଧୀରେ ନିଜର ନିର୍ଭରଶୀଳତା ହରାଇପାରେ;
ବୈଦ୍ୟୁତିକ ବାହନ ପ୍ରଚଳନ ଦ୍ୱାରା ଆସନ୍ତା କିଛି ଦଶନ୍ଧୀ ମଧ୍ୟରେ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇପାରେ;
ସିଓପି-21 ଚୁକ୍ତି ଆଧାରରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ପ୍ରତି ସମର୍ପିତ । ସବୁଜ ଶକ୍ତି ଏବଂ ଶକ୍ତି ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇ ଅର୍ଥବ୍ୟବସ୍ଥାରେ ଶକ୍ତିର ତୀବ୍ରତା ବଦଳିଯାଇପାରେ;
ଗତ ମାସରେ ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଶକ୍ତି ଆକଳନ ବିଷୟରେ ମୁଁ ଜାଣିବାକୁ ପାଇଲି । ଏହା ଅନୁଯାୟୀ, ଭାରତ ଆସନ୍ତା 25 ବର୍ଷ ମଧ୍ୟରେ ଶକ୍ତି ଚାହିଦାର ପ୍ରମୁଖ ବାହକ ସାଜିବ । ଆସନ୍ତା 25 ବର୍ଷ ପାଇଁ ଭାରତର ଶକ୍ତି ଉପଯୋଗ ହାର ବାର୍ଷିକ 4.2 ପ୍ରତିଶତ ହାରରେ ବୃଦ୍ଧି ପାଇବ । ବୃହତ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଏହା ଦ୍ରୁତତମ । ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ 2040 ସୁଦ୍ଧା ଗ୍ୟାସ ଚାହିଦା ତିନି ଗୁଣା ହୋଇଯିବ । ବୈଦ୍ୟୁତିକ ବାହନ ସଂଖ୍ୟା ଆଜିର 3 ନିୟୁତରୁ 2030 ବେଳକୁ 320 ନିୟୁତକୁ ବୃଦ୍ଧି ପାଇବ ।
ଆମେ ଶକ୍ତି ପ୍ରାଚୁର୍ଯ୍ୟର ଯୁଗରେ ପ୍ରବେଶ କରୁଛୁ । ତେବେ 1.20 ବିଲିୟନ ଲୋକମାନଙ୍କୁ ବର୍ତ୍ତମାନସୁଦ୍ଧା ବିଦ୍ୟୁତ ମିଳିପାରିପାରିନାହିଁ । ଆହୁରି ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ମିଳିପାରିନାହିଁ । ଏହି ସ୍ଥିତି ବଞ୍ଚିତମାନଙ୍କୁ କ୍ଷତି ନକରୁ ଆମକୁ ତାହା ସୁନିଶ୍ଚିତ କରିବାକୁ ହେବ । ଲୋକମାନଙ୍କ ନିକଟରେ ସ୍ୱଚ୍ଛ, ଶସ୍ତା, ନିରନ୍ତର ଏବଂ ସମାନ ମାତ୍ରାରେ ସାମଗ୍ରୀକ ଶକ୍ତିର ଉପଲବ୍ଧତା ରହିବା ଉଚିତ ।
ହାଇଡ୍ରୋକାର୍ବନ କ୍ଷେତ୍ର ଏବଂ ଶକ୍ତି ସୁରକ୍ଷା ହାସଲ କରିବା ଲାଗି ଆମର ପ୍ରୟାସ ସମ୍ପର୍କରେ ମୋର ବିଚାର ଆପଣମାନଙ୍କ ସମ୍ମୁଖରେ ମୁଁ ବ୍ୟକ୍ତ କରିବାକୁ ଚାହୁଁଛି ।
ତୈଳ ଏବଂ ଗ୍ୟାସ ବାଣିଜ୍ୟର ଏକ ଉତ୍ପାଦ କିନ୍ତୁ ଏହା ଆବଶ୍ୟକତା ମଧ୍ୟ । ସାଧାରଣ ଲୋକର ରୋଷେଇ ଘର ପାଇଁ ହେଉ କିମ୍ବା ବିମାନ ପାଇଁ, ଶକ୍ତି ଉପଯୋଗୀ ।
ବିଶ୍ୱ ଦୀର୍ଘ ସମୟ ଧରି ମୂଲ୍ୟରେ ଉତ୍ଥାନ-ପତନ ଦେଖିଆସିଛି ।
ଆମକୁ ଉତ୍ତରଦାୟୀ ମୂଲ୍ୟ ଆଗରେ ଅଗ୍ରସର ହେବାକୁ ପଡ଼ିବ, ଯାହା ଉଭୟ ଉତ୍ପାଦନକାରୀ ଏବଂ ଉପଭୋକ୍ତର ସ୍ୱାର୍ଥରେ ତାଳମେଳ ବଜାୟ ରଖିପାରୁଥିବ । ଉଭୟ ତୈଳ ଏବଂ ଗ୍ୟାସ ପାଇଁ ଆମକୁ ଏକ ପାରଦର୍ଶୀ ଏବଂ ନମନୀୟ ବଜାରର ଆବଶ୍ୟକତା ରହିଛି । ତା’ପରେ ଯାଇ ଆମେ ସର୍ବୋତ୍ତମ ଢଙ୍ଗରେ ମାନବର ଶକ୍ତି ଆବଶ୍ୟକତାକୁ ପୂରଣ କରିପାରିବା ।
ଯଦି ବିଶ୍ୱକୁ ସାମଗ୍ରୀକ ଭାବେ ଅଭିବୃଦ୍ଧି ହାସଲ କରିବାର ଅଛି ତା’ହେଲେ ଉତ୍ପାଦନକାରୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଆପୋସ ସହଯୋଗଭିତ୍ତିକ ସମ୍ପର୍କ ରହିବାର ଆବଶ୍ୟକତା ରହିଛି । ଅନ୍ୟ ଅର୍ଥବ୍ୟବସ୍ଥାଗୁଡ଼ିକୁ ସ୍ଥିର ଭାବେ ଏବଂ ଦ୍ରୁତଗତିରେ ଅଭିବୃଦ୍ଧି ହାସଲ କରିବାରେ ମଧ୍ୟ ଉତ୍ପାଦନକାରୀଙ୍କ ସ୍ୱାର୍ଥ ନିହିତ ରହିଛି । ଏହା ସେମାନଙ୍କ ପାଇଁ ବର୍ଦ୍ଧିତ ଶକ୍ତି ବଜାର ସୁନିଶ୍ଚିତ କରିବ ।
ଇତିହାସ ସାକ୍ଷୀ ରହିଛି, କୃତ୍ରିମ ଭାବେ ମୂଲ୍ୟ ବୃଦ୍ଧି କରାଯିବାର ପ୍ରୟାସ ଦ୍ୱାରା ନିଜର କ୍ଷତି ହୋଇଛି । ବିଶେଷ କରି ପିରାମିଡର ନିମ୍ନଭାଗରେ ଥିବା ବିକାଶଶୀଳ ଏବଂ କମ ବିକଶିତ ରାଷ୍ଟ୍ରଗୁଡ଼ିକ ପାଇଁ ଏହା ଅଯଥା କଷ୍ଟର କାରଣ ହୋଇଛି ।
‘ଉତ୍ତରଦାୟୀ ମୂଲ୍ୟ’ ଉପରେ ଏକ ବିଶ୍ୱସ୍ତରୀୟ ମତ ସୃଷ୍ଟି କରିବା ଲାଗି ଚାଲନ୍ତୁ ଏହି ମଞ୍ଚର ଉପଯୋଗ କରିବା । ଏହା ଉଭୟ ଉତ୍ପାଦନକାରୀ ଏବଂ ଉପଭୋକ୍ତାମାନଙ୍କ ଆପୋସ ସ୍ୱାର୍ଥକୁ ପୂରଣ କରିବ ।
ଜାଗତିକ ଅନିଶ୍ଚିତତାକୁ ଦେଖି, ଭାରତ ମଧ୍ୟ ଶକ୍ତି ସୁରକ୍ଷା ଆବଶ୍ୟକ କରୁଛି । ଭାରତର ଶକ୍ତି ଭବିଷ୍ୟତ ଲାଗି ମୋର 4ଟି ଲକ୍ଷ୍ୟ ରହିଛି- ଶକ୍ତି ଗ୍ରହଣୀୟତା, ଶକ୍ତି ଦକ୍ଷତା, ଶକ୍ତି ନିରନ୍ତରତା ଏବଂ ଶକ୍ତି ସୁରକ୍ଷା ।
ସାମଗ୍ରୀକ ଭାବେ ଶକ୍ତି ଏବଂ ବିଶେଷ ଭାବେ ହାଇଡ୍ରୋକାର୍ବନ ଭାରତର ଭବିଷ୍ୟତ ପାଇଁ ମୋ ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଭାରତ ଶକ୍ତି ଆବଶ୍ୟକ କରୁଛି ଯାହା ଗରିବଙ୍କ ପାଇଁ ଗ୍ରହଣୀୟ ଏବଂ ସୁଲଭ ହୋଇଥିବ । ଶକ୍ତି ଉପଯୋଗରେ ଦକ୍ଷତା ଏହା ଆବଶ୍ୟକ କରୁଛି ।
ବିଶ୍ଵ ସମୁଦାୟରେ ଏକ ଦାୟିତ୍ୱସମ୍ପନ୍ନ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ସ୍ଥିର ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ । ଏହି ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଆନ୍ତର୍ଜାତିକ ସୌର ମେଂଟର ଶୁଭାରମ୍ଭ ଏକ ପଦକ୍ଷେପ ।
ବନ୍ଧୁଗଣ,
ବର୍ତ୍ତମାନ, ସାରା ବିଶ୍ୱରେ ଭାରତ ଏକ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ବୃହତ ଅର୍ଥବ୍ୟବସ୍ଥା । ନିକଟ ଭବିଷ୍ୟତରେ ଭାରତ 7 ରୁ 8 ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ଭଳି ଅଗ୍ରଣୀ ସଂସ୍ଥା ଆକଳନ କରିଛନ୍ତି । ନିମ୍ନ ମୂଦ୍ରାସ୍ଫିତି ହାର, ଭଲ ଭାବେ ନିୟନ୍ତ୍ରିତ ବିତ୍ତୀୟ ନିଅଂଟ ଏବଂ ସ୍ଥିର ବିନିମୟ ମୂଲ୍ୟ ସହିତ ଆମ ସରକାର ଉଚ୍ଚ ଜିଡିପି ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି । ଏହି ବ୍ୟାପକ ଆର୍ଥିକ ସ୍ଥିରତା ଅର୍ଥବ୍ୟବସ୍ଥାରେ ଉପଭୋଗ ଏବଂ ନିବେଶକୁ ତ୍ୱରାନ୍ୱିତ କରୁଛି ।
ଭାରତକୁ ଆଶୀର୍ବାଦ ସ୍ୱରୂପ ଜନସାଂକ୍ଷିକ ଲାଭାଂଶ ମିଳିଛି । ମୋଟ ଜନସଂଖ୍ୟା ମଧ୍ୟରୁ ବିଶ୍ୱର ଅନ୍ୟତମ ସର୍ବାଧିକ କାର୍ଯ୍ୟଶୀଳ ଆୟୁର ଜନସଂଖ୍ୟା ଭାରତରେ ରହିଛି । ଆମ ସରକାର ମେକ ଇନ ଇଣ୍ଡିଆ ଜରିଆରେ ସ୍ଥାନୀୟ ଉତ୍ପାଦନ ଏବଂ ବୟନଶିଳ୍ପ, ପେଟ୍ରୋ-ରସାୟନ, ପ୍ରତିରକ୍ଷା, ଇଞ୍ଜିନିୟରିଂ ଆଦି ଉଦ୍ୟୋଗରେ ଯୁବପିଢ଼ିଙ୍କୁ ତାଲିମ ଦେଇ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି । ଏହା, ଅନ୍ୟ ଏକ ଦୃଷ୍ଟିରେ, ଆମର ଶକ୍ତି ଉପଯୋଗକୁ ଆହୁରି ବୃଦ୍ଧି କରୁଛି ।
ଆମେ ଆମର ଉର୍ଦ୍ଧ୍ଵ-ମୁଖୀ ନୀତି ଏବଂ ନିୟାମକର ପୁନରୁତ୍ଥାନ କରିଛୁ ଏବଂ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି ଜରିଆରେ ଏହି କ୍ଷେତ୍ରରେ ପାରଦର୍ଶୀତା ଏବଂ ପ୍ରତିଦ୍ୱନ୍ଦ୍ୱିତା ଆଣିପାରିଛୁ । ନିଲାମୀ ପ୍ରକ୍ରିୟାକୁ ରାଜସ୍ୱ ସହଭାଗୀତାକୁ ପରିବର୍ତ୍ତନ କରାଯାଇଛି ଯାହା ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବ । ବର୍ତ୍ତମାନ, ଏକ ନିଲାମୀ ରାଉଣ୍ଡ ମେ 2 ତାରିଖ ପର୍ଯ୍ୟନ୍ତ ଖୋଲା ରହିଛି । ଉତ୍ପାଦନ ବୃଦ୍ଧି ଲାଗି ଆମର ପ୍ରୟାସରେ ଅଂଶଗ୍ରହଣ କରିବା ଲାଗି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ମୁକ୍ତ କ୍ଷେତ୍ରଫଳ ଏବଂ ଜାତୀୟ ତଥ୍ୟ ଭଣ୍ଡାର କମ୍ପାନୀଗୁଡ଼ିକୁ ସେମାନଙ୍କ ଇଚ୍ଛାମୁତାବକ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏବଂ ଭାରତୀୟ କ୍ଷେତ୍ରରେ ଅନ୍ୱେଷଣ ଆଗ୍ରହ ବୃଦ୍ଧିରେ ସହାୟକ ହୋଇଛି ।
ପରିବର୍ଦ୍ଧିତ ଅଏଲ ରିକଭରୀ ନୀତିର ଉଦ୍ଦେଶ୍ୟ ଉର୍ଦ୍ଧ୍ଵ ପ୍ରବାହୀ କ୍ଷେତ୍ରରେ ଉତ୍ପାଦନରେ ବୃଦ୍ଧି ଆଣିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରିବା ।
ଆମର ନିମ୍ନପ୍ରବାହୀ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଉଦାର ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦର ସମ୍ପୂର୍ଣ୍ଣ ବଜାର ନିର୍ଭରଶୀଳ ହୋଇଛି ଯେଉଁଥିରେ ଅଶୋଧିତ ତୈଳ ଦରରେ ହେଉଥିବା ପରିବର୍ତ୍ତନ ପ୍ରତିଫଳିତ ହେଉଛି । ଖୁଚୁରା ତୈଳ କାରବାର ଏବଂ ଅର୍ଥ ପଇଠରେ ଆମେ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇଛୁ ।
ଉର୍ଦ୍ଧ୍ଵ ପ୍ରବାହୀ ଉତ୍ପାଦନ ଠାରୁ ଆରମ୍ଭ କରି ନିମ୍ନପ୍ରବାହୀ ଖୁଚୁରା କାରବାର ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସର ସମ୍ପୂର୍ଣ୍ଣ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକାରୀଙ୍କୁ ଆମ ସରକାର ପ୍ରୋତ୍ସାହନ ଦେଉଛନ୍ତି ।
ଶକ୍ତି ଯୋଜନା ପ୍ରତି ଏକ ସମନ୍ୱିତ ଆଭିମୁଖ୍ୟରେ ଆମ ସରକାର ବିଶ୍ୱାସ କରେ । ଭାରତରେ ଆମର ଶକ୍ତି ଏଜେଣ୍ଡା ଅନ୍ତର୍ଭୂକ୍ତ, ବଜାର ଆଧାରିତ ଏବଂ ଜଳବାୟୁ ପ୍ରତି ସମ୍ବେଦନଶୀଳ । ଏହା, ଆମେ ବିଶ୍ୱାସ କରୁ, ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟର ତିନୋଟି ଶକ୍ତି ଉପାଦାନ:
2030 ସୁଦ୍ଧା ଅତ୍ୟାଧୁନିକ ଶକ୍ତି ଗ୍ରହଣୀୟତାର ସାମଗ୍ରୀକ ଗ୍ରହଣୀୟତା;
ପ୍ୟାରିସ ଚୁକ୍ତି ଆଧାରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ;
ବାୟୁ ମାନରେ ଉନ୍ନତି ପାଇଁ ପଦକ୍ଷେପ ହାସଲ କରିବା ଦିଗରେ ଅନେକ ଦୀର୍ଘ ସମୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ ।
ବନ୍ଧୁଗଣ,
ଜୀବନଧାରଣର ମାନରେ ଉନ୍ନତି ଆଣିବା ଲାଗି ସ୍ୱଚ୍ଛ ରୋଷେଇ ଇନ୍ଧନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବିଶ୍ୱାସ କରୁ । ମହିଳାମାନେ ଏଥିରୁ ବିଶେଷ ଲାଭବାନ ହୋଇଥା’ନ୍ତି । ଏହାର ଆଭ୍ୟନ୍ତରୀଣ ପ୍ରଦୂଷଣ ହ୍ରାସ କରିଥାଏ ଏବଂ କାଠ ଓ ଗୋବର ଜାଳେଣି ସଂଗ୍ରହ ସମୟର କଷ୍ଟ ଲାଘବ କରିଥାଏ । ଏହା ଅତିରିକ୍ତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି କରିଥାଏ ।
ଭାରତରେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଆମେ ଗରିବ ପରିବାରର ମହିଳାମାନଙ୍କୁ ଏଲପିଜି ସଂଯୋଗ ଯୋଗାଇ ଦେଉଛୁ । 80 ନିୟୁତ ଗରିବ ପରିବାରକୁ ସ୍ୱଚ୍ଛ ଏଲପିଜି ରୋଷେଇ ଗ୍ୟାସ ସଂଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି । 35 ମିଲିୟନ ସଂଯୋଗ ଦୁଇ ବର୍ଷରୁ କମ ସମୟ ମଧ୍ୟରେ ଦିଆଯାଇସାରିଲାଣି ।
ଆମେ ଏପ୍ରିଲ 2020 ସୁଦ୍ଧା ବିଏସ-6 ଇନ୍ଧନକୁ ପରିବର୍ତ୍ତିତ କରିବା ଲାଗି ଲକ୍ଷ୍ୟ ରଖିଛୁ ଯାହା ୟୁରୋ-6 ମାନ ସହିତ ସମାନ । ଆମର ବିଶୋଧନାଗାରଗୁଡ଼ିକର ବ୍ୟାପକ ଆଧୁନିକୀକରଣ କରାଯାଉଛି । ସ୍ୱଚ୍ଛ ଶକ୍ତି ଯୋଗାଣ ଲାଗି ଅଭିଳଷିତ ଲକ୍ଷ୍ୟ ହାସଲ ଲାଗି ସେମାନେ ଅଗ୍ରସର ହେଉଛନ୍ତି । ଏପରିକି, ନୂଆଦିଲ୍ଲୀରେ ଆମେ ଚଳିତ ମାସ ଠାରୁ ବିଏସ-6 ମାନର ଇନ୍ଧନ ଯୋଗାଣ ଆମେ ଆରମ୍ଭ କରିସାରିଛୁ ।
ଆମେ ବାହନ ନିଷ୍କ୍ରିୟ ନୀତି ଆଣିଛୁ ଯାହାଦ୍ୱାରା ପୁରୁଣା ବାହନକୁ ସ୍ୱଚ୍ଛ ଏବଂ ଶକ୍ତି ଦକ୍ଷ ବାହନ ସହ ବଦଳାଯାଇପାରିବ ।
ଶକ୍ତି ବିବିଧିକରଣ ରଣନୀତିକୁ ଆଖି ଆଗରେ ରଖି ଆମର ତୈଳ କମ୍ପାନୀଗୁଡ଼ଇକ ସେମାନଙ୍କ ନିବେଶକଗୁଡ଼ିକୁ ଆକଳନ କରୁଛନ୍ତି ।
ଆଜି ତୈଳ କମ୍ପାନୀଗୁଡ଼ିକ ବାୟୁ ଏବଂ ସୌର କ୍ଷମତା, ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରୁଛନ୍ତି ଏବଂ ବୈଦ୍ୟୁତିକ ବାହନ ଏବଂ ସଂରକ୍ଷଣ କ୍ଷେତ୍ରରେ ପ୍ରତ୍ୟକ୍ଷ ନିବେଶ ବିଷୟରେ ଚିନ୍ତା କରୁଛନ୍ତି ।
ବନ୍ଧୁଗଣ,
ଯାହା ଆମେ ସମସ୍ତେ ଜାଣିଛୁ, ଆମେମାନେ ସମସ୍ତେ ଇଣ୍ଡଷ୍ଟ୍ରୀ 4.0ଦିଗରେ ଅଗ୍ରସର ହେଉଛୁ । ଯାହା ଭବିଷ୍ୟତରେ ନୂଆ ପ୍ରଯୁକ୍ତି ଏବଂ ପ୍ରକ୍ରିୟା ଯେପରିକି ଇଂଟରନେଟ ଅଫ ଥିଙ୍ଗସ, କୃତ୍ରିମ ଧୀଶକ୍ତି, ରୋବୋଟିକ୍ସ, ପ୍ରୋସେସ ଅଟୋମେସନ, ମେସିନ ଲର୍ଣ୍ଣିଂ, ପ୍ରେଡିକ୍ଟିଭ ଏନାଲିଟିକ୍ସ, ଥ୍ରୀଡି ପ୍ରିଣ୍ଟିଙ୍ଗ ଆଦି ଜରିଆରେ ଶିଳ୍ପ ପରିଚାଳନାରେ ପରିବର୍ତ୍ତନ ଆଣିବ ।
ଆମର କମ୍ପାନୀମାନେ ମଧ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିକୁ ଗ୍ରହଣ କରୁଛନ୍ତି । ଏହା କେବଳ ନିମ୍ନପ୍ରବାହୀ ଖୁଚୁରା କ୍ଷେତ୍ରରେ ନୁହେଁ, ବରଂ ଉର୍ଦ୍ଧ୍ଵ ପ୍ରବାହୀ ତୈଳ ଉତ୍ପାଦନ, ସମ୍ପତ୍ତି ପରିଚାଳନା ଏବଂ ରିମୋଟ ଅନୁଧ୍ୟାନ ଦକ୍ଷତାରେ ଉନ୍ନତି ଆଣିବ ଏବଂ ସୁରକ୍ଷା ବଢ଼ାଇବ ଏବଂ ମୂଲ୍ୟ ହ୍ରାସ କରିବ ।
ଏହି ପୃଷ୍ଠଭୂମିରେ ଶକ୍ତି କ୍ଷେତ୍ରର ଭବିଷ୍ୟତ ଉପରେ ବିଚାର କରିବା ଲାଗି ଭାରତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଶ୍ରେଷ୍ଠ ସ୍ଥାନ । ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ପରିବର୍ତ୍ତନ, ନୀତିରେ ରୂପାନ୍ତରଣ ଏବଂ ନୂଆ ପ୍ରଯୁକ୍ତି କିଭଳି ଭାବେ ବଜାର ସ୍ଥିରତା ଏବଂ ଭବିଷ୍ୟତର ନିବେଶକୁ ପ୍ରଭାବିତ କରିବ ତାହା ଉପରେ ଆଲୋକପାତ କରିବାର ଆବଶ୍ୟକତା ରହିଛି ।
ବନ୍ଧୁଗଣ,
ଆଇଇଏଫ-16 ର ବିଷୟବସ୍ତୁ ହେଉଛି “ବିଶ୍ୱ ଶକ୍ତି ସୁରକ୍ଷାର ଭବିଷ୍ୟତ” । ମୁଁ ଜାଣିବାକୁ ପାଇଛି ଯେ ଏହି ବିଷୟବସ୍ତୁରେ ବିଶ୍ୱ ଉତ୍ପାଦନକାରୀ-ଉପଭୋକ୍ତାଙ୍କ ମଧ୍ୟରେ ସମ୍ପର୍କରେ ହେଉଥିବା ପରିବର୍ତ୍ତନ, ସାମଗ୍ରୀକ ଶକ୍ତି ଗ୍ରହଣୀୟତା ଏବଂ ସୁଲଭତା ଏବଂ ଭବିଷ୍ୟତର ଚାହିଦା ପୂରଣ କରିବା ଲାଗି ତୈଳ ଓ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ଶକ୍ତି ସୁରକ୍ଷା ବଜାୟ ରଖଇବା ଏବଂ ନୂଆ ଏବଂ ପ୍ରଚଳିତ ପ୍ରଯୁକ୍ତିକୁ ମିଳିତ ଭାବେ ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଆମର ମିଳିତ ଶକ୍ତି ସୁରକ୍ଷା ଭବିଷ୍ୟତ ଲାଗି ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କ ବିଷୟବସ୍ତୁ ।
ମୋର ବିଶ୍ୱାସ ଯେ ଏହି ମଞ୍ଚରେ ହୋଇଥିବା ଆଲୋଚନା ବିଶ୍ୱ ନାଗରିକଙ୍କ ପାଇଁ ସ୍ୱଚ୍ଛ, ସୁଲଭ ଏବଂ ନିରନ୍ତର ଶକ୍ତି ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଦୀର୍ଘସ୍ଥାୟୀ ଭାବେ ଫଳପ୍ରଦ ହେବ ।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସଫଳ ଏବଂ ଫଳପ୍ରଦ ମନ୍ତ୍ରୀସ୍ତରୀୟ ସମ୍ମେଳନ ପାଇଁ ଶୁଭକାମନା ଜଣାଉଛି ।
ଧନ୍ୟବାଦ ।