ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଏହି ପତ୍ରିକାର ନାମ ‘ପ୍ରବୁଦ୍ଧ ଭାରତ’ ରଖିବା ପଛରେ ଆମ ରାଷ୍ଟ୍ରୀୟ ଚେତନା ପରିପ୍ରକାଶର ଲକ୍ଷ୍ୟ ଥିଲା । ସ୍ୱାମୀଜୀ ଏକ ଜାଗ୍ରତ ଭାରତ, ରାଜନୈତିକ ଓ ଭୌଗୋଳିକ ପରିସର ବାହାରେ ତିଆରି କରିବାକୁ ଚାହିଁଥିଲେ । ସ୍ୱାମୀ ବିବେକାନନ୍ଦ ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚି ରହିଥିବା ଭାରତକୁ ଏକ ସାଂସ୍କୃତିକ ଚେତନାଭାବେ ଦେଖିଥିଲେ ।
ସ୍ୱାମୀ ରାମକୃଷ୍ଣାନନ୍ଦ ଏବଂ ମହୀଶୂରର ମହାରାଜାଙ୍କୁ ସ୍ୱାମୀଜୀ ଲେଖିଥିବା ଚିଠି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ତାଙ୍କର ଦରିଦ୍ରଙ୍କୁ ସଶକ୍ତ କରିବାର ଆଭିମୁଖ୍ୟର ସ୍ପଷ୍ଟ ସୂଚନା ମିଳେ । ସେ ପ୍ରଥମେ ଚାହିଁଥିଲେ ଯେ ଗରିବ ଯଦି ନିଜେ ସଶକ୍ତ ନ ହୋଇପାରିଲେ ସେମାନଙ୍କୁ ସବଳ କରିବାକୁ ପଡିବ । ଦ୍ୱିତୀୟରେ ସେ ଭାରତର ଦରିଦ୍ରଙ୍କ ସଂପର୍କରେ କହିବାକୁ ଯାଇ ଏଥିରେ ଉଲ୍ଲେଖ କରିଥିଲେ, ‘ସେମାନଙ୍କୁ ବୁଦ୍ଧି ଓ ବିଚାର ଦେବାକୁ ପଡିବ, ସେମାନଙ୍କ ଆଖି ଖୋଲିବାକୁ ହେବ ଏବଂ ସେମାନଙ୍କ ଚାରିପଟେ ଦୁନିଆରେ ଯାହା ସବୁ ଘଟୁଛି ସେମାନଙ୍କୁ ସେ ବିଷୟରେ ଅବଗତ କରାଇବାକୁ ପଡିବ । ତେବେ ଯାଇ ସେମାନେ ନିଜର ମୁକ୍ତି ପାଇଁ ଉଦ୍ୟମ କରିବେ ।’
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଆଭିମୁଖ୍ୟ ନେଇ ଭାରତ ଆଜି ଆଗକୁ ବଢୁଛି । ଯଦି ଗରିବମାନେ ବ୍ୟାଙ୍କ ସୁବିଧା ନ ପାଇବେ, ତେବେ ବ୍ୟାଙ୍କଗୁଡିକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ହେବ । ଜନଧନ ଯୋଜନାରେ ଠିକ୍ ଏହି କାର୍ଯ୍ୟ କରାଯାଇଛି । ଯଦି ଗରିବ ଲୋକେ ବୀମା ସୁବିଧା ପାଇବେ ନାହିଁ, ତାହାହେଲେ ବୀମା ବ୍ୟବସ୍ଥାକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡିବ । ଜନସୁରକ୍ଷା ଯୋଜନାରେ ଠିକ୍ ଏହି କାର୍ଯ୍ୟ କରାଯାଇଛି । ସେହିଭଳି ଗରିବଙ୍କୁ ଯଦି ସ୍ୱାସ୍ଥ୍ୟସେବା ନ ମିଳିବ, ତାହାହେଲେ ଆମକୁ ସେମାନଙ୍କ ପାଖରେ ତାହା ପହଞ୍ଚାଇବାକୁ ହେବ । ଆୟୁଷ୍ମମାନ ଭାରତ ଯୋଜନାରେ ଏକଥା କରାଯାଇଛି । ସଡ଼କ, ଶିକ୍ଷା, ବିଜୁଳି ଓ ଇଣ୍ଟରନେଟ ସଂଯୋଗ ଆଦି କାର୍ଯ୍ୟ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚାଯାଉଛି ଏବଂ ଏଥିରେ ଗରିବଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହା ଫଳରେ ଗରିବଙ୍କ ମଧ୍ୟରେ ଆଶା ଓ ଆକାଂକ୍ଷା ଉଦ୍ରେକ ହେଉଛି । ଏହି ଆକାଂକ୍ଷା ହିଁ ଦେଶର ଅଭିବୃଦ୍ଧିକୁ ଆଗେଇ ନେଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତର ସକ୍ରିୟ ପଦକ୍ଷେପରେ ସ୍ୱାମୀଜୀଙ୍କ ବିଚାର ଓ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ସ୍ୱାମୀଜୀଙ୍କ ବିଚାର ଥିଲା ସଂକଟକାଳରେ ଅସହାୟ ହେବା ଅନୁଚିତ । ସେହିଭଳି ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ସଂପର୍କରେ ଅଭିଯୋଗ କରିବା ପରିବର୍ତ୍ତେ ଭାରତ ଏହାର ସମାଧାନ ସୂତ୍ର ବାହାର କରିବା ପାଇଁ ଆନ୍ତର୍ଜାତିକ ସୌରମେଣ୍ଟ ଗଠନ କରିଛି । ଏହା ହିଁ ସ୍ୱାମୀ ବିବେକାନନ୍ଦଙ୍କ ଦିବ୍ୟଦୃଷ୍ଟି ଓ ବିଚାର ଉପରେ ଆଧାରିତ ଥିଲା ; ଯାହା ଏବେ ତିଆରି ହେଉଛି । ଏହା ଏକ ଭାରତ; ଯାହା ବିଶ୍ୱ ସମସ୍ୟାକୁ ସମାଧାନର ବାଟ ଦେଖାଉଛି । ସ୍ୱାମୀ ବିବେକାନନ୍ଦ ଭାରତ ପାଇଁ ଯେଉଁ ବିରାଟ ସ୍ୱପ୍ନ ଦେଖିଥିଲେ ଏବଂ ଏହାର ଯୁବଶକ୍ତି ଉପରେ ଯେଉଁ ପ୍ରଚଣ୍ଡ ବିଶ୍ୱାସ ରଖିଥିଲେ ସେ ନେଇ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା ଏବେ ଭାରତରେ ପ୍ରତିଫଳିତ ହେଉଛି । ଭାରତର ବିଜିନେସ୍ ଲିଡର, କ୍ରୀଡାବିତ୍, ଟେକ୍ନୋକ୍ରାଟ, ବୈଜ୍ଞାନିକ, ଇନୋଭେଟର ଓ ପ୍ରଫେସନାଲ ଆଦି ସ୍ୱାମୀଜୀଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି । ସ୍ୱାମୀଜୀ ବାସ୍ତବ ବେଦାନ୍ତ ଉପରେ ଯେଉଁ ଭାଷଣ ଦେଇଥିଲେ ତାହାକୁ ପାଥେୟ କରି ଯୁବସମାଜ ଆଗକୁ ବଢିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହିତ ବାଧା ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଜୀବନରେ ଏହାକୁ ଶିକ୍ଷାର ଏକ ଅଂଶଭାବେ ବିଚାର କରି ଆଗକୁ ବଢିବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱାମୀଜୀ ଯେଉଁ ଦ୍ୱିତୀୟ ବିଷୟଟିକୁ ଗୁରୁତ୍ୱ ଦେଉଥିଲେ ତାହା ଥିଲା ଭୟ ଶୂନ୍ୟତା । ଲୋକଙ୍କ ମନରେ ଏହି ନିର୍ଭୀକତା ବିଚାର ପ୍ରବେଶ କରାଇବା ପାଇଁ ସେ ଗୁରୁତ୍ୱ ଦେଉଥିଲେ । ତାଙ୍କର ବାର୍ତ୍ତା ଥିଲା ନିର୍ଭୟ ଏବଂ ସଂପୂର୍ଣ୍ଣଭାବେ ଆତ୍ମବିଶ୍ୱାସୀ ହୁଅ । ସ୍ୱାମୀଜୀଙ୍କ ଏହି ଶିକ୍ଷା ଯୁବ ସମାଜ ଓ ଜନସାଧାରଣଙ୍କ ଧ୍ୟେୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଶ୍ୱ ପାଇଁ କିଛି ମୂଲ୍ୟବୋଧ ସୃଷ୍ଟି କରି ସ୍ୱାମୀଜୀ ଅମର ହୋଇଛନ୍ତି । ତେଣୁ ଯୁବ ସମାଜ ଏଥିରୁ ଶିଖିବାର ଯଥେଷ୍ଟ କିଛି ରହିଛି । ସେ କହିଛନ୍ତି ସ୍ୱାମୀଜୀ ଆଧ୍ୟାତ୍ମିକ ଓ ଅର୍ଥନୈତିକ ବିକାଶକୁ ପାରସ୍ପରିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ରଭାବେ ବିଚାର କରୁ ନ ଥିଲେ । ଉଭୟ ପରସ୍ପରର ପରିପୂରକ ଏକଥା ବିବେକାନନ୍ଦ ଦେଖିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାମୀଜୀ ଦାରିଦ୍ର୍ୟକୁ ରୋମାଣ୍ଟିକ କରିବା ନୀତିକୁ ବିରୋଧ କରୁଥିଲେ । ସେ ଜଣେ ମହାନ୍ ଆଧ୍ୟାତ୍ମିକ ସନ୍ଥ ଓ ଜଣେ ଉନ୍ନୀତ ଆତ୍ମା ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀଜୀ କେବେ ଗରିବଙ୍କ ଆର୍ଥିକ ପ୍ରଗତିର ବିଚାରକୁ ପରିହାର କରି ନ ଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣର ଉପସଂହାରରେ କହିଥିଲେ ‘ପ୍ରବୁଦ୍ଧ ଭାରତ’ ପତ୍ରିକା 125 ବର୍ଷ ଧରି ପ୍ରକାଶିତ ହୋଇ ସ୍ୱାମୀଜୀଙ୍କ ବିଚାରକୁ ପ୍ରଚାରିତ କରୁଛି । ସ୍ୱାମୀଜୀଙ୍କ ବାର୍ତ୍ତା, ଉଦ୍ଦେଶ୍ୟ, ଲକ୍ଷ୍ୟ ପ୍ରସାର ମଧ୍ୟରେ ଯୁବ ସମାଜର ଶିକ୍ଷା ଏବଂ ରାଷ୍ଟ୍ରର ଜାଗରଣକୁ ଯଥୋଚିତଭାବେ ଗୁରୁତ୍ୱ ଦେଇଆସୁଛି । ଏହି ପତ୍ରିକା ସ୍ୱାମୀଜୀଙ୍କ ବିଚାରକୁ ଶାଶ୍ୱତ କରିବା ପାଇଁ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଛି ।