ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନରେ ରାଷ୍ଟ୍ରବ୍ୟାପୀ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏବଂ ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି (ଶନିବାର) ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛନ୍ତି ।
ସ୍ୱଚ୍ଛତା ଦିଗରେ ଅଧିକ ସାର୍ବଜନୀନ ଅଂଶୀଦାର ସୃଜନ କରିବା ଆଜି ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଉଦ୍ଦେଶ୍ୟ । ଏହାର ଆୟୋଜନ ଅକ୍ଟୋବର 2, 2018 ରେ ସ୍ୱଚ୍ଛ ଭାରତ ମିଶନର ଚତୁର୍ଥ ବାର୍ଷିକୀ ପୂର୍ତ୍ତି ଅବସରରେ କରାଯାଉଛି, ଯାହା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ସମାରୋହର ଆରମ୍ଭକୁ ମଧ୍ୟ ପ୍ରଦର୍ଶୀତ କରାଏ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଅଭିଯାନର ଅଂଶବିଶେଷ ହେବା ଏବଂ ଏକ ‘ସ୍ୱଚ୍ଛ ଭାରତ’ ନିର୍ମାଣର ପ୍ରଚେଷ୍ଟାକୁ ସୁଦୃଢ କରିବା ପାଇଁ ନିବେଦନ କରିଥିଲେ ।
ସେ ସମଗ୍ର ଦେଶର 17ଟି ସ୍ଥାନର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଭିଡିଓ କନଫେରେନ୍ସିଂଜରିଆରେ ମତ ବିନିମୟ କରିଥିଲେ ।
ଭାବ ବିନିମୟ ଜରିଆରେ ପ୍ରଧାନମନ୍ତ୍ରୀ କିଛି ପ୍ରମୁଖ ଉପଲବ୍ଧିଗୁଡିକ ବାଣ୍ଟିଥିଲେ । ଏଥିରେ ଚାରିବର୍ଷ ମଧ୍ୟରେ ଭାରତର 450ଟି ଜିଲା ଖୋଲା ଶୌଚମୁକ୍ତ (ODF) ହୋଇପାରିଛି । ସେହିଭଳି 20ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଏହି ସମୟ ମଧ୍ୟରେ ନିଜକୁ ଖୋଲା ଶୌଚମୁକ୍ତ ଘୋଷିତ କରିସାରିଛନ୍ତି । ସେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ଶୌଚାଳୟ ଅବା ଆବର୍ଜନା ପକାଇବା ପାତ୍ର ପ୍ରଦାନ କରିବା ପର୍ଯ୍ୟାପ୍ତ ନୁହେଁ ଏବଂ ଏହା ମଧ୍ୟ କହିଥିଲେ ଯେ ସ୍ୱଚ୍ଛତା ଏକ ଅଭ୍ୟାସ ଯାହାକୁ ନିଜ ଭିତରେ ବିକଶିତ କରାଯାଇପାରେ । ସେ କହିଥିଲେ ଯେ ସମଗ୍ର ଦେଶର ଲୋକମାନେ ଏବେ ଏହି ଅଭ୍ୟାସର ବିକାଶ କ୍ଷେତ୍ରରେ ଅଂଶୀଦାର ହୋଇପାରିବେ ।
ଆସାମ ଦିବ୍ରୁଗଡର ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ସ୍କୁଲ ଏବଂ କ୍ଷେତ୍ରକୁ ସ୍ୱଚ୍ଛ କରିବା ଦିଗରେ ନିଜର ଯୋଗଦାନ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବବର୍ଗ ହେଉଛନ୍ତି ସାମାଜିକ ପରିବର୍ତ୍ତନର ରାଷ୍ଟ୍ରଦୂତ । ସେ କହିଥିଲେ ଯେ ଯେଉଁଭଳି ଭାବେ ପିଲାମାନେ ସ୍ୱଚ୍ଛତାର ବାର୍ତ୍ତାକୁ ଆଗକୁ ବଢାଇଛନ୍ତି ତାହା ପ୍ରଶଂସନୀୟ ।
ଗୁଜରାଟର ମେହସାଣାରେ ଦୁଗ୍ଧ ଏବଂ କୃଷି ସମବାୟ ସଂଘର ସଦସ୍ୟମାନେ ସ୍ୱଚ୍ଛତା ଦିଗରେ ନିଜର ପଦକ୍ଷେପଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଡାଇରିଆ ଭଳି ରୋଗକୁ ହ୍ରାସ କରିବା ଦିଗରେ ସହାୟକ ହୋଇପାରିଛି ।
ଅଭିନେତା ଅମିତାଭ ବଚ୍ଚନ ନିଜେ ଭାଗ ନେଇଥିବା ମୁମ୍ବାଇର ସମୁଦ୍ର ତଟ ଏବଂ ଅନ୍ୟ ସ୍ୱଚ୍ଛତା କାର୍ଯ୍ୟକଳାପ ବିଷୟରେ ଗେଟୱେ ଅଫ ଇଣ୍ଡିଆ ନିକଟରୁ ସୂଚନା ପ୍ରଦାନ କରିଥିଲେ । ପ୍ରଖ୍ୟାତ ଉଦ୍ୟୋଗପତି ଶ୍ରୀ ରତନ ଟାଟା ମଧ୍ୟ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ କହିଥିଲେ ଯେ ଏହି ଅଭିଯାନରେ ସାମିଲ ହେବା ଗର୍ବ ଏବଂ ଗୌରବର ବିଷୟ ଏବଂ ଏହା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ସ୍ୱପ୍ନ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେସରକାରୀ କ୍ଷେତ୍ର ସ୍ୱଚ୍ଛ ଭାରତର ସୃଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଶ୍ୱାସ ରହିଛି ।
ଶ୍ରୀ ସଂଜୟ ଗୁପ୍ତାଙ୍କ ସମେତ ଦୈନିକ ଜାଗରଣ ଗଣମାଧ୍ୟମର ବରିଷ୍ଠ ପତ୍ରକାର, ନଏଡାରୁ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଚ୍ଛତା କ୍ଷେତ୍ରରେ ସେମାନଙ୍କ ପଦକ୍ଷେପଗୁଡିକ ବିଷୟରେ ସୂଚନା ଦେଇଥିଲେ । ଆଇଟିବିପି’ର ଯବାନମାନେ ମଧ୍ୟ ମତ ବିନିମୟ କାର୍ଯ୍ୟକ୍ରମରେ ଲଦ୍ଦାଖରପାଙ୍ଗଙ୍ଗ ହ୍ରଦ ନିକଟରୁ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଆଇଟିବିପି ର ଯବାନମାନଙ୍କର ବାହାଦୂରୀ ଏବଂ ସେମାନଙ୍କ ସେବାର ଭୂରି ଭୂରି ପ୍ରଶଂସା କରିଥିଲେ ।
ମତ ବିନିମୟ କାର୍ଯ୍ୟକ୍ରମରେ ସଦଗୁରୁ ଜାଗ୍ଗି ବାସୁଦେବ କୋଏମ୍ବାଟୁରରୁ ଯୋଗଦେଇଥିଲେ । ସେ କହିଥିଲେ ଯେ ସ୍ୱଚ୍ଛତା ଅଭିଯାନ ଅତ୍ୟନ୍ତ ଉତ୍ସାହ ସ୍ତରରେ ପହଂଚିଛି ବୋଲି ସେ ତାଙ୍କ ଗସ୍ତ ସମୟରେ ଦେଖିବାକୁ ପାଇଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାକୁ ସେ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ କୌଣସି ସରକାର କିମ୍ବା ପ୍ରଧାନମନ୍ତ୍ରୀଙ୍କର ନୁହେଁ ବରଂ ପୂରା ରାଷ୍ଟ୍ରର ଅଭିଯାନ ।
ଛତିଶଗଡର ଦାନ୍ତେୱାଡା ଏବଂ ତାମିଲନାଡୁରୁ ସାଲେମ’ର ମହିଳା ସ୍ୱଚ୍ଛାଗ୍ରହୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱଚ୍ଛତା ଦିଗରେ ନିଜ ପ୍ରଚେଷ୍ଟା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଧ୍ୟାତ୍ମିକ ଗୁରୁ ଏବଂ ପାଟନା ସାହିବ ଗୁରୁଦ୍ୱାରର ନାଗରିକ ଏବଂ ମାଉଣ୍ଟ ଆବୁରୁ ଦାଦି ଜାନକୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କ୍ଷେତ୍ରରେ ଅବଦାନ ପାଇଁ ବ୍ରହ୍ମାକୁମାରମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ରାଜଗଡର ନାଗରିକ ଏବଂ ଉତ୍ତରପ୍ରଦେଶର ଫତେପୁର ନାଗରିକଙ୍କ ସମେତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମତ ବିନିମୟ କରିଥିଲେ । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁରୁ ଯୋଗ ଦେଇଥିଲେ । ସେ କହିଥିଲେ ଯେ ଖାସକରି ଯୁବବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ଉତ୍ସାହିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ୱୟଂସେବକମାନଙ୍କ ସହିତ ଉତ୍ତରପ୍ରଦେଶର ବିଜନୋରରୁ ମତ ବିନିମୟ କରିଥିଲେ । ମା’ ଗଙ୍ଗାଙ୍କୁ ସ୍ୱଚ୍ଛ ଓ ନିର୍ମଳ କରିବା କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଗଙ୍ଗା ନଦୀ ତଟରେ ବସବାସ କରୁଥିବା ନାଗରିକମାନେ ସ୍ୱତଃପ୍ରବୃତ ଭାବେ ଗଙ୍ଗା ନଦୀକୁ ପରିଷ୍କରଣକରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରିଫ ଦରଘାର ଭକ୍ତ ଏବଂ ହରିଆନାର ରେୱାରୀରୁ ରେଳବାଇ କର୍ମଚାରୀମାନେ ମଧ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ମା ଅମୃତାନନ୍ଦମୟୀ କୋଲାମଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମତ ବିନିମୟ ସମୟରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛାଗ୍ରହୀମାନଙ୍କର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇତିହାସରେ ସେମାନଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ । ସେ କହିଥିଲେ ଯେ ସ୍ୱଚ୍ଛତା ଦିଗରେ ଆମ ବିଶ୍ୱାସ ଏବଂ ସଂକଳ୍ପ ଆକାଶର ଉଚ୍ଚତାରେ ରହିଛି । ସେ ଲୋକମାନଙ୍କୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।