ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହ ଆଲୋଚନା କରିଛନ୍ତି ।
ଶକ୍ତି ମାନବ ବିକାଶର କେନ୍ଦ୍ରରେ ରହିଛି, ତେଣୁ ଶକ୍ତି କ୍ଷେତ୍ର ସମ୍ପର୍କରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ । ସବୁ ଭାରତୀୟଙ୍କୁ ସ୍ୱଚ୍ଛ, ଶସ୍ତା ଓ ନିରନ୍ତର ଇନ୍ଧନ ସମାନ ଭାବରେ ପ୍ରଦାନ କରିବା ସରକାରଙ୍କ ମୂଳ ନୀତି । ଏଥିପାଇଁ ଦେଶ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ଆପଣାଇଛି ।
ଭାରତରେ ପୁଞ୍ଜି ନିବେଶ ବଢାଇବା ପାଇଁ ସରକାର କିଛି ନୀତିଗତ ପଦକ୍ଷେପ ନେଉଛନ୍ତି । ଭାରତୀୟ ଶକ୍ତି କ୍ଷେତ୍ରରେ ନିବେଶର ବିପୁଳ ସୁଯୋଗ ରହିଛି । ଏବେ ଅନ୍ୱେଷଣ ଓ ଉତ୍ପାଦନ ପ୍ରକଳ୍ପଗୁଡିକରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିନିବେଶ – ଏଫଡିଆଇ ପାଇଁ ଅନୁମତି ରହିଛି ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ସଂସ୍କାର ପାଇଁ ସ୍ୱଚାଳିତ ମାର୍ଗରେ 49 ପ୍ରତିଶତ ଏଫଡିଆଇ ପାଇଁ ଅନୁମତି ରହିଛି । ଏହି ସଂସ୍କାର କାର୍ଯ୍ୟକ୍ରମ ଶକ୍ତି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ ବଢାଇବାରେ ସାହାଯ୍ୟ କରୁଛି । ଦେଶ ବାଷ୍ପ ନିର୍ଭରଶୀଳ ଅର୍ଥନୀତି ଦିଗରେ ଆଗେଇ ଚାଲିଛି । ଗୋଟିଏ ଦେଶ – ଗୋଟିଏ ବାଷ୍ପ ଗ୍ରୀଡ ଲକ୍ଷ୍ୟ ହାସଲ ପାଇଁ ସାରା ଦେଶରେ ଗ୍ୟାସ ପାଇପ ଲାଇନ ନେଟୱର୍କ ବିକଶିତ କରାଯାଉଛି । ରନ୍ଧନ ଓ ପରିବହନ ପାଇଁ ସ୍ୱଚ୍ଛ ଇନ୍ଧନ ଯୋଗାଣରେ ସହାୟତା ପାଇଁ ସହରଗୁଡିକରେ ଗ୍ୟାସ ବିତରଣ ନେଟୱର୍କ ବଢାଇବା ପାଇଁ ହେଉଥିବା ଉଦ୍ୟମ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଭାରତ ରସାୟନ ଓ ପେଟ୍ରୋ–ରସାୟନ ଉତ୍ପାଦନ ଓ ରପ୍ତାନୀ କେନ୍ଦ୍ର ପାଲଟିବା ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛି ।
ମାନବୀୟ ଆବଶ୍ୟକତା ଓ ଆକାଂକ୍ଷାଗୁଡିକର ପ୍ରାକୃତିକ ପରିବେଶ ସହ ଦ୍ୱନ୍ଦ୍ୱ ଉପୁଜିବା ଉଚିତ ନୁହେଁ । ଭାରତ ଉଭୟ ମାନବ ସଶକ୍ତିକରଣ ଓ ପରିବେଶର ଯତ୍ନ ନେବାରେ ବିଶ୍ୱାସ କରିଥାଏ । ଦେଶ ଇଥାନଲ, ଦ୍ୱିତୀୟ ପିଢିର ଇଥାନଲ, କମ୍ପ୍ରେସଡ ଜୈବ ବାଷ୍ପ ଓ ଜୈବିକ ଡିଜେଲ ଉପଯୋଗ ମାଧ୍ୟମରେ ଇନ୍ଧନ ଆମଦାନୀ ଉପରୁ ନିର୍ଭରଶୀଳତା କମାଇବାକୁ ଚେଷ୍ଟା ଜାରି ରଖିଛି । ନିରନ୍ତର ବିକାଶ ଦର୍ଶନ ଆଧାରରେ ଭାରତ ଅନ୍ତର୍ଜାତୀୟ ସୌର ମେଂଟ ଭଳି ନୂଆ ସଂସ୍ଥାକୁ ଆଗେଇବାରେ ଉଦ୍ୟମ କରୁଛି । ‘ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ’ ଆମର ଲକ୍ଷ୍ୟ । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ନିଜ ପଡୋଶୀ ଦେଶ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ମିଆଁମାର ସହିତ ଶକ୍ତି ସହଭାଗିତାକୁ ମଜବୁତ କରୁଛି । ଭାରତର ଦ୍ରୁତ ବର୍ଦ୍ଧିଷ୍ଣୁ ଶକ୍ତି କ୍ଷେତ୍ର ନିବେଶକମାନଙ୍କ ପାଇଁ ବ୍ୟାପକ ନିବେଶ ସୁଯୋଗ ପ୍ରଦାନ କରୁଛି । ଭାରତର ପ୍ରଗତିରେ ଭାଗୀଦାର ହେବା ସହ ସମସ୍ତ ପ୍ରକାର ଶକ୍ତି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱ ଉଦ୍ୟୋଗ ସମୂହକୁ ଆମନ୍ତ୍ରଣ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ତୈଳ ଓ ବାଷ୍ପ କମ୍ପାନୀଗୁଡିକର ପ୍ରାୟ 40 ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ ନେଇଥିଲେ । ଆବୁଧାବି ଜାତୀୟ ତୈଳ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୟୁଏଇର ଉଦ୍ୟୋଗ ଓ ଅଭିନବ ପ୍ରଯୁକ୍ତି ମନ୍ତ୍ରୀ ଡଃ ସୁଲତାନ ଅହମ୍ମଦ ଅଲ ଜାବେର, କାତାରର ଶକ୍ତି ରାଷ୍ଟ୍ର ମନ୍ତ୍ରୀ, ଉପାଧ୍ୟକ୍ଷ ଓ ସିଇଓ ସାଦ ଶେରିଦା ଅଲ–କାବି, ଓପେକ ମହାସଚିବ ମହମ୍ମଦ ସାନୁସି ବରକିଣ୍ଡୋ, ଆଇଇଏର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଫେଥ ବିରୋଲ, ଜିଇସିଏଫର ୟୁରି ସେଂଚୁରିନ ଓ ଆଇଏଚଏସ ମାରକିତ, ଉପାଧ୍ୟକ୍ଷ, ୟୁକେ, ଡଃ ଡାନିଏଲ ୟେରାଗିନଙ୍କ ଭଳି 28 ପ୍ରମୁଖ ବ୍ୟକ୍ତି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ରୋଜନିଫେଟ, ବିପି, ଟୋଟାଲ, ଲ୍ୟାଣ୍ଡଲ ବାସେଲ, ଟେଲ୍ୟୁରିୟନ, ଶାଲମ୍ବରଗର, ବେକର ହ୍ୟୁଗସ, ଜେରା, ଏମର୍ସନ ଓ ଏକ୍ସ–କୋଲ ଭଳି ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ ନେଇଥିଲେ ।