ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ଅଧ୍ୟକ୍ଷ ତଥା ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ଲେଖାର ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆସିଆନର ଅଧ୍ୟକ୍ଷ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ ଏକ ସୁନ୍ଦର ଲେଖା ଲେଖିଛନ୍ତି । ଏହି ଲେଖାରେ ବହୁତ ସୁନ୍ଦର ଭାବେ ସେ ଭାରତ-ଆସିଆନ ସମ୍ବନ୍ଧରେ ସାମୁଦ୍ରିକ ଇତିହାସ, ସୁଦୃଢ଼ ସହଯୋଗ ଓ ପ୍ରତିଶ୍ରୁତିର ଭବିଷ୍ୟତକୁ ବର୍ଣ୍ଣନା କରିଛନ୍ତି ।
ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମିଷ୍ଟର ଲି ସିଏନ୍ ଲୁଙ୍ଗ୍ ଆଜି ଦି ଟାଇମ୍ସ ଅଫ୍ ଇଣ୍ଡିଆର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ “ସହସ୍ରାବ୍ଦୀ ଭାଗିଦାରୀର ପୁନରୁଦ୍ଧାର : ଆସିଆନ ସହ ଭାରତର ଘନିଷ୍ଠତାରେ ସିଙ୍ଗାପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି” ଶୀର୍ଷକ ଲେଖାରେ ଲେଖିଛନ୍ତି କି ଭାରତ ଓ ଆସିଆନ ମଧ୍ୟରେ ଯୁଗଯୁଗ ଧରି ପୁରୁଣା ବ୍ୟବସାୟ, ବାଣିଜ୍ୟ ଓ ସାଂସ୍କୃତିକ ସମ୍ବନ୍ଧ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ସେ ଲେଖିଛନ୍ତି ଯେ, ଆମେ ଆସିଆନ-ଭାରତ ସମ୍ବନ୍ଧର 25ବର୍ଷର ଉତ୍ସବ ପାଳନ କରୁଥିବାବେଳେ ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ସମ୍ବନ୍ଧ 2000ବର୍ଷରୁ ମଧ୍ୟ ଅଧିକ ପୁରୁଣା । ଭାରତ ଓ କାମ୍ବୋଡ଼ିଆ, ମାଲେସିଆ ଓ ଥାଇଲାଣ୍ଡ ଭଳି ରାଷ୍ଟ୍ର ମଧ୍ୟରେ ପ୍ରାଚୀନ କାରବାରର ପୁରା ଦସ୍ତାବିଜ୍ ରହିଛି । ଦକ୍ଷିଣ ପୂର୍ବ ଏସିଆର ସଂସ୍କୃତି, ପରମ୍ପରା ଓ ଭାଷା ଉପରେ ଏହି ପ୍ରାରମ୍ଭିକ ସମ୍ପର୍କର ପୁରା ପ୍ରଭାବ ପଡ଼ିଛି । ଆମେ କାମ୍ବୋଡ଼ିଆରେ ସିଏମ୍ ରିପ୍ ନିକଟରେ ଅଙ୍କୁର ମନ୍ଦିର ପରିସର, ଇଣ୍ଡୋନେସିଆରେ ୟୋଗ୍ୟକର୍ତ୍ତା ନିକଟରେ ବୋରୋବୁଦୁର ଏବଂ ପ୍ରମ୍ବଣନ ମନ୍ଦିର ଓ ମାଲେସିଆର କେଦାହରେ ପ୍ରାଚୀନ କେଣ୍ଡିସ୍ ମନ୍ଦିର ଭଳି ଐତିହାସିକ ସ୍ଥଳୀରେ ଭାରତୀୟ ହିନ୍ଦୁ-ବୌଦ୍ଧ ପ୍ରଭାବ ଦେଖିବାକୁ ପାଇଥାଉ । ରାମାୟଣ ଇଣ୍ଡୋନେସିଆ, ମିଆଁମାର, ଥାଇଲାଣ୍ଡ ଭଳି ଦକ୍ଷିଣ-ପୂର୍ବ ଏସିଆର ଅନେକ ସଂସ୍କୃତି ସହ ଜଡ଼ିତ ଅଛି । ସିଙ୍ଗାପୁରର ମାଳୟ ନାଁ ହେଉଛି ସିଙ୍ଗାପୁରା ଯାହା ସଂସ୍କୃତରେ ଲେଖାଯାଇଛି ତଥା ଏହାର ଅର୍ଥ ହେଉଛି ‘ସିଂହର ସହର’ ।
ପ୍ରଧାନମନ୍ତ୍ରୀ ଲୁଙ୍ଗ୍ ଲେଖିଛନ୍ତି କି ସିଙ୍ଗାପୁର ସର୍ବଦା ଆସିଆନ ସମୁଦାୟରେ ଭାରତର ସାମିଲ ହେବା ସପକ୍ଷରେ ଯୁକ୍ତି ବାଢ଼ିଛି । ଭାରତ 1992ମସିହାରେ ଆସିଆନ କ୍ଷେତ୍ରୀୟ ବାର୍ତ୍ତାଳାପରେ ଭାଗିଦାରୀ ହେଲା । 1995 ମସିହାରେ ଏକ ପୂର୍ଣ୍ଣକାଳୀନ ବାର୍ତ୍ତାଳାପ ଭାଗିଦାରୀ ହେଲା ଓ 2005 ମସିହାରୁ ପୂର୍ବ ଏସିଆ ସମ୍ମିଳନୀ(ଇଏଏସ୍)ରେ ଭାଗ ନେବା ଆରମ୍ଭ କଲା । ଇଏଏସ୍ ଏକ ଉନ୍ମୁକ୍ତ, ସାମଗ୍ରିକ ଓ ସୁଦୃଢ଼ ଆଂଚଳିକ କ୍ଷେତ୍ରୀୟ ସ୍ଥାପତ୍ୟର ଏକ ପ୍ରମୁଖ କାରକ ଏବଂ କ୍ଷେତ୍ରର ରଣନୀତିକ ନେତାଙ୍କର ନେତୃତ୍ୱ ନେଉଥିବା ମୁଖ୍ୟ ଫୋରମ୍ ମଧ୍ୟ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଆସିଆନ-ଭାରତ ସମ୍ବନ୍ଧ 2012 ମସିହାରେ ଆସିଆନ-ଭାରତ ସମ୍ବନ୍ଧର 20ତମ ବାର୍ଷିକୀରେ ଏକ ରଣନୀତିକ ଭାଗିଦାରୀରେ ପରିବର୍ତ୍ତନ ହୋଇଥିଲା । ଏବେ ଆସିଆନ ଓ ଭାରତ, ଆସିଆନର ରାଜନୀତିକ ସୁରକ୍ଷା, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ ସ୍ତମ୍ଭରେ ବହୁମୁଖୀ ସହଯୋଗର ଲାଭ ଉଠାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ଟ ଇଷ୍ଟ’ ନୀତି ଏବଂ ଆସିଆନ ସହ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ 3-ସି(କମର୍ସ, କନେକ୍ଟିଭିଟି, କଲ୍ଚର) ଆମର ବ୍ୟାପକ ସହଯୋଗର ଜ୍ୱଳନ୍ତ ଉଦାହରଣ । ଆମ ପାଖରେ ଗୋଟିଏ ବାର୍ଷିକ ନେତୃମଣ୍ଡଳୀ ଶିଖର ବୈଠକ ଓ 7ଟି ମନ୍ତ୍ରିସ୍ତରୀୟ ବାର୍ତ୍ତାଳାପ ସମେତ ପ୍ରାୟ 30ଟି ମଂଚ ରହିଛି । ଭାରତ ସକ୍ରିୟତାପୂର୍ବକ ଆସିଆନ କ୍ଷେତ୍ରୀୟ ଫୋରମ୍, ଆସିଆନ ରକ୍ଷା ମନ୍ତ୍ରୀମାନଙ୍କ ମିଟିଂ ପ୍ଲସ୍ ଏବଂ ପୂର୍ବ ଏସିଆ ଶିଖର ସମେତ ଆସିଆନ ନେତୃତ୍ୱ ନେଉଥିବା ପ୍ଲାଟଫର୍ମରେ ଭାଗ ନେଇଛି ।
ବ୍ୟବସାୟ ଓ ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା କରି ସେ ଲେଖିଛନ୍ତି ଆସିଆନ-ଭାରତ ମୁକ୍ତ ବାଣିଜ୍ୟ କ୍ଷେତ୍ର(ଏଆଇଏଫ୍ଟିଏ) ସହ ଆସିଆନ-ଭାରତ ବ୍ୟବସାୟ 1993 ର 2.9 ବିଲିୟନ ଡଲାର ତୁଳନାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ 2016 ମସିହାରେ 58.4 ବିଲିୟନ ଡଲାରରେ ପହଂଚି ଯାଇଛି । ସାମାଜିକ -ସାଂସ୍କୃତିକ କ୍ଷେତ୍ରରେ, ଆସିଆନ-ଭାରତ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଓ ବାର୍ଷିକ ଦିଲ୍ଲୀ ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରାଉଛି । ଏହି ମଂଚ ମାଧ୍ୟମରେ ଆମର ଯୁବ, ଶିକ୍ଷାବିତ୍ ଓ ଉଦ୍ୟୋଗପତି ପରସ୍ପରକୁ ଭେଟୁଛନ୍ତି, ପରସ୍ପରଠାରୁ ଶିଖୁଛନ୍ତି ତଥା ସର୍ମ୍ପକକୁ ପ୍ରଗାଢ଼ କରୁଛନ୍ତି ।
ଆସିଆନ-ଭାରତ ସମ୍ପର୍କର ରଜତ ଜୟନ୍ତୀ ସମାରୋହ ଅବସରରେ ଉଭୟ ପକ୍ଷ ଅନେକ ସ୍ମରଣୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ନିକଟରେ ସିଙ୍ଗାପୁରରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସରେ ଭାରତୀୟ ସମୁଦାୟର ଯୋଗଦାନର ସ୍ୱୀକୃତି ପ୍ରଦାନ କରାଯାଇଥିଲା । ଆଜିର ଆସିଆନ-ଭାରତ ସ୍ମାରକ ଶିଖର ବୈଠକ ଏହି ସମାରୋହଗୁଡ଼ିକର ପରିଣାମ । ଆସିଆନର ସମସ୍ତ ନେତାମାନଙ୍କ ପାଇଁ ଏହି ଅବସରରେ ନୂଆଦିଲ୍ଲୀରେ ଉପସ୍ଥିତ ହେବା ଆମ ସମସ୍ତଙ୍କ ପାଇଁ ସମ୍ମାନର କଥା । ଆସିଆନର ନେତାମାନଙ୍କୁ ମଧ୍ୟ ଆସନ୍ତାକାଲି 69ତମ ଗଣତନ୍ତ୍ର ଦିବସ ପରେଡ୍ ଅବସରରେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯିବାରେ ଆମେ ଅତ୍ୟନ୍ତ ଗୌରବାନ୍ୱିତ ମନେ କରୁଛୁ ।
ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ବିଶ୍ୱସ୍ତରରେ ବଡ଼ ଘଟଣାକ୍ରମ ରଣନୀତିକ ଦୃଷ୍ଟିକୋଣକୁ ନୂଆ ଆକାର ଦେଉଛି ଯାହା ଚାଲେଞ୍ଜ ଓ ସୁଯୋଗ ଉଭୟ ପ୍ରଦାନ କରୁଛି । ରଣନୀତିକ ସନ୍ତୁଳନ ପରିବର୍ତ୍ତନ ହେଉଛି । ଦେଶର ଅନେକ ଭାଗରେ ଜନସଂଖ୍ୟାଗତ, ସାଂସ୍କୃତିକ ଓ ରାଜନୀତିକ ପରିବର୍ତ୍ତନ ହେଉଛି । ଜଗତୀକରଣ ଓ ମୁକ୍ତ ବ୍ୟାପାର ଉପରେ ସର୍ବସମ୍ମତି ସମାପ୍ତ ହେଉଛି, କିନ୍ତୁ ଏସିଆର କାହାଣୀ କ୍ରମାଗତ ସକାରାତ୍ମକ ପାଲଟିଛି । ଆମକୁ ଆର୍ଥିକ ସମାବେଶକୁ ଆଗେଇ ନେବାର ଆବଶ୍ୟକତା ରହିଛି । ଆମେ ଆତଙ୍କବାଦ, ସାଇବର ଅପରାଧ ଓ ଜଳବାୟୁ ପରିବର୍ତ୍ତନ ସମେତ ବିକଶିତ ଆନ୍ତଃ ସୀମା ଚ୍ୟାଲେଞ୍ଜର ମୁକାବିଲା ପ୍ରତି ଦୃଢ଼ ହେବା ଉଚିତ୍ ।
ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଅନୁସାରେ, ଏହା ଭୂ-ରାଜନୀତିକ ଅନିଶ୍ଚିତତା ଭାରତ ଭଳି ମୁଖ୍ୟ ଭାଗିଦାରୀ ସହ ଆସିଆନର ସହଯୋଗକୁ ନୂଆ ପ୍ରେରଣା ଯୋଗାଉଛି । ଆସିଆନ ଓ ଭାରତ ଶାନ୍ତି ଓ ସୁରକ୍ଷା କ୍ଷେତ୍ରରେ ସମାନ ମିଳିତ ସ୍ୱାର୍ଥରେ ଭାଗିଦାର ହୋଇଛନ୍ତି ଓ ଏହାର ଏକ ଉନ୍ମୁକ୍ତ, ସନ୍ତୁଳିତ ଓ ସାମଗ୍ରିକ କ୍ଷେତ୍ରୀୟ ଢାଂଚା ମଧ୍ୟ ରହିଛି । ଭାରତ ହିନ୍ଦ ମହାସାଗରରୁ ନେଇ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ବଡ଼ ସମୁଦ୍ର ମାର୍ଗରେ ରଣନୀତିକ ଭାବେ ଅବସ୍ଥିତ ଅଛି । ଏହି ସମୁଦ୍ର ମାର୍ଗ ଆସିଆନର କେତେକ ସଦସ୍ୟ ରାଷ୍ଟ୍ର ପାଇଁ ମହତ୍ୱପୂର୍ଣ୍ଣ ବ୍ୟବସାୟର ମାର୍ଗ ମଧ୍ୟ । ଉଭୟ ପକ୍ଷ ବ୍ୟାପାରର ଏହି ମହତ୍ୱପୂର୍ଣ୍ଣ ସାମୁଦ୍ରିକ ବାହିକାକୁ ସଂରକ୍ଷିତ ରଖିବାରେ ମିଳିତ ଆଗ୍ରହ ମଧ୍ୟ ରଖୁଛନ୍ତି ।
ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ ଆସିଆନ ଓ ଭାରତର 1.8 ବିଲିୟନର ମିଳିତ ଜନସଂଖ୍ୟାର ମହତ୍ୱ ଓ ଶକ୍ତିକୁ ରେଖାଙ୍କିତ କରିଛନ୍ତି ଯାହା ବିଶ୍ୱର ମୋଟ ଜନଂସଖ୍ୟାର ଏକ ଚତୁର୍ଥାଂଶ । ଉଭୟର ମିଳିତ ଜିଡିପି 4.5 ଟି୍ରଲିୟନରୁ ଅଧିକ । ଏହି ଅନୁସାରେ 2025 ସୁଦ୍ଧା ଭାରତର ଖାଉଟି ବଜାର ବିଶ୍ୱରେ ପଞ୍ଚମ ସର୍ବବୃହତ ବଡ଼ ବଜାର ହେବାର ଆଶା କରାଯାଉଛି । ସେହିପରି ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟବିତ ପରିବାରର ସଂଖ୍ୟା ଦ୍ୱିଗୁଣ ହୋଇ 163ନିୟୁତରେ ପହଂଚିଯିବ । ଉଭୟ କ୍ଷେତ୍ର ଯୁବ ଜନସଂଖ୍ୟାର ଫାଇଦାକୁ ଅନୁଭବ କରୁଛନ୍ତି । ଆସିଆନ ଜନସଂଖ୍ୟାର 60 ପ୍ରତିଶତ 35ବର୍ଷରୁ କମ୍ ବୟସର ହୋଇଥିବାବେଳେ ଭାରତ 2020 ସୁଦ୍ଧା 29ବର୍ଷର ହାରାହାରି ବୟସର ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ପାଲଟିବାର ଅନୁମାନ କରାଯାଉଛି । ଆସିଆନ ଓ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଇଂଟରନେଟ୍ ଉପଯୋଗର ଆଧାର ମଧ୍ୟ ଅଛି ଯାହା ଡିଜିଟାଲ ଅର୍ଥବ୍ୟବସ୍ଥାକୁ ବୃଦ୍ଧିରେ ଆମର ସହାୟତା କରିବ । ଏହି ପୃଷ୍ଠଭୂମିରେ ଭାରତ-ଆସିଆନ ସମ୍ପର୍କ ଏବେ ଆହୁରି ବୃଦ୍ଧି ପାଇବାର ଆଶା ରହିଛି । 2016 ମସିହାରେ ଆସିଆନର ବିଦେଶ ବ୍ୟାପାରରେ ଭାରତର ଭାଗିଦାରୀ ମାତ୍ର 2.6 ପ୍ରତିଶତ ଥିଲା ।
ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ପାରସ୍ପରିକ ସହଯୋଗ ପାଇଁ ଲାଭଦାୟକ ତିନୋଟି ପ୍ରତିବଦ୍ଧତାପୂର୍ଣ୍ଣ କ୍ଷେତ୍ରର ପରାମର୍ଶ ଦେଇଛନ୍ତି ।
ପ୍ରଥମ, ଆସିଆନ ଓ ଭାରତକୁ ବ୍ୟାପାର ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ଉଦ୍ୟମକୁ ଦ୍ୱିଗୁଣ କରିବା ଉଚିତ । ଆମେ ଏଆଇଏଫ୍ଟିଏ ସମେତ ନିଜର ବର୍ତ୍ତମାନର ମାର୍ଗକୁ ଯୁଗୋପଯୋଗୀ ଓ ପ୍ରାସଙ୍ଗିକ ରଖିବା ଉଚିତ । ଆମେ ଏବେ ଏଆଇଏଫ୍ଟିଏରୁ ଆଗକୁ ଯାଇ ଏକ ଉଚ୍ଚ ଗୁଣବତାପୂର୍ଣ୍ଣ ଆଂଚଳିକ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି)ର ନିର୍ମାଣ କରିବା ନିମନ୍ତେ ଏକଜୁଟ ହୋଇ କାମ କରିବା ଉଚିତ । ଏଥିରେ ଏକ ସମନ୍ୱିତ ଏସୀୟ ବଜାରର ନିର୍ମାଣ ହେବ ଯେଉଁଥିରେ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଓ ବିଶ୍ୱର ଜିଡିପିର ଏକ ତୃତୀୟାଂଶ ଜଡ଼ିତ ହେବ । ନିୟମ ଓ ନିୟନ୍ତ୍ରକକୁ ଯୁକ୍ତିସଙ୍ଗତ କରିବା ଦ୍ୱାରା ଉଭୟ ଦିଗରୁ ନିବେଶକୁ ପ୍ରୋତ୍ସାହନ ମିଳିବ । ଭାରତର ‘ଏକ୍ଟ ଇଷ୍ଟ’ର ନୀତିକୁ ପ୍ରୋତ୍ସାହନ ମିଳିବ ଓ ଏହି ଅଂଚଳରେ ‘ମେଡ୍ ଇନ୍ ଇଣ୍ଡିଆ’ ଆଧାରିତ ରପ୍ତାନୀ ସୁଗମ ହେବ ।
ଦ୍ୱିତୀୟ, ଆମର ଲୋକଙ୍କୁ ଉତ୍ତମ ଭୂମି, ବାୟୁ ଓ ସାମୁଦ୍ରିକ ସଂଯୋଗରେ ଅଧିକ ଲାଭ ହାସଲ ହେବ । ସେ ତ୍ରିସ୍ତରୀୟ ଭାରତ-ମିଆଁମାର-ଥାଇଲାଣ୍ଡ ରାଜମାର୍ଗର ସମ୍ପ୍ରସାରଣ ଓ ଆସିଆନ ସହ ଭିତ୍ତିଭୂମି ସଂଯୋଗକୁ ବୃଦ୍ଧି କରିବା ପାଇଁ ଭାରତର ଏକ ବିଲିୟନ ଡଲାରର ଋଣ ସହାୟତା ସମେତ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ନିମନ୍ତେ ଭାରତର ପ୍ରୟାସକୁ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଯେ ଆସିଆନ, ଆସିଆନ-ଭାରତ ଆକାଶ ପରିବହନ ବୁଝାମଣାକୁ ଶୀଘ୍ର ସମ୍ପନ୍ନ କରିବା ସହ ଆମର ଫିଜିକାଲ୍ ଯୋଗାଯୋଗକୁ ପ୍ରୋତ୍ସାହନ କରିବା ପାଇଁ ଭାରତ ସହ ଘନିଷ୍ଠତାପୂର୍ବକ କାମ କରିବାର ଆଶା କରୁଛୁ । ଏହି କ୍ଷେତ୍ରରେ ଲୋକଙ୍କ ପ୍ରବାହରେ ବୃଦ୍ଧି ହେବ ତଥା ଭାରତୀୟ ଓ ଆସିଆନ ପରିବହନକୁ ନୂଆ ଏବଂ ବିକାଶଶୀଳ ବଜାର, ବିଶେଷକରି ବ୍ୟବସାୟ, ନିବେଶ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ସହାୟତା ମିଳିବ ।
ଡିଜିଟାଲ ସଂଯୋଗ ହେଉଛି ସହଯୋଗର ଏକ ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ଭବିଷ୍ୟତ ପାଇଁ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆକାର ଦେଇପାରିବ । ଉଦାହରଣସ୍ୱରୂପ ଭାରତର ଆଧାର ବ୍ୟବସ୍ଥା ଭାରତ-ଆସିଆନ ଫିଣ୍ଟେକ ପ୍ଲାଟଫର୍ମକୁ ସମନ୍ୱିତ କରିବା ଅବା ଇ-ପେମେଣ୍ଟ ପ୍ରଣାଳୀକୁ ସଂଯୋଗ କରିବା ନିମନ୍ତେ ଅନେକ ନୂଆ ସୁଯୋଗୁ ସୃଷ୍ଟି କରୁଛି ।
ଶ୍ରୀମାନ ଲି ସିଏନ୍ ଲୁଙ୍ଗ୍ କହିଛନ୍ତି ଯେ, ଭାରତ ଓ ଆସିଆନ କ୍ରମାଗତ ନୂଆ ସମନ୍ୱୟର ଆଶା କରୁଛନ୍ତି । ସିଙ୍ଗାପୁରର ଅଧ୍ୟକ୍ଷତାର ଉଦେ୍ଦଶ୍ୟ ହେଉଛି ଏକ ଆସିଆନ ସ୍ମାର୍ଟ ସିଟି ନେଟୱାର୍କର ବିକାଶ କରିବା ମଧ୍ୟ । ଆଉ ଏହି ମାମଲାରେ ସିଙ୍ଗାପୁର ଓ ଭାରତ ସ୍ୱାଭାବିକ ଭାଗିଦାର । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ଓ ଏଥିରେ 100 ସ୍ମାର୍ଟ ସିଟିର ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ସିଙ୍ଗାପୁରର ଏକ ସହରୀକୃତ ନଗର- ରାଜ୍ୟ ଅଟେ ଯାହା ଭାରତକୁ ନିଜର ଏହି ଯାତ୍ରାରେ ଭାଗିଦାରୀ ହେବା ତଥା ନିଜର ଅନୁଭବର ଆଧାରରେ ସହର ସମାଧାନ ବିକଶିତ କରିବାରେ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ ସହର ହେଉଛି ଏହାର ଏକ ଉଦାହରଣ ।
ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ନିଜର ସମ୍ପାଦକୀୟ ଲେଖାର ସମାପ୍ତି କରି କହିଛନ୍ତି ଯେ ଆସିଆନର ଅଧ୍ୟକ୍ଷ ଦେଶ ସିଙ୍ଗାପୁର, ଆସିଆନ-ଭାରତ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯଦି ଉଭୟ ପକ୍ଷ ନିଜର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧର ଉପଯୋଗ ଆଜିର ଚାଲେଞ୍ଜର ମୁକାବିଲା ତଥା ଭବିଷ୍ୟତ ପାଇଁ ସେତୁ ସ୍ଥାପନ ପାଇଁ କରନ୍ତି ତା’ହେଲେ ଆମର ଯୁବ ଓ ଭବିଷ୍ୟତ ପିଢ଼ିକୁ ଏହାର ସର୍ବାଧିକ ଫାଇଦା ମିଳିବ ।
A wonderful article by @ASEAN Chair Singapore’s PM, Mr. @leehsienloong. It beautifully covers the rich history, robust cooperation and promising future of India-ASEAN relations. https://t.co/FPGfI1eLbj
— Narendra Modi (@narendramodi) January 25, 2018