ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ସହାୟକ ସଚିବ (2017 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା)ଙ୍କ ଉଦଯାପନୀ ଅଧିବେଶନରେ ଯୋଗଦେଇଛନ୍ତି ।
ଅଧିକାରୀମାନେ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ବିକାଶମୂଳକ ପରିବର୍ତ୍ତନ ଠାରୁ ଆରମ୍ଭ କରି ପାରଦର୍ଶିତା ଏବଂ ତ୍ଵରିତ ସେବା ପ୍ରଦାନ ବିଷୟବସ୍ତୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ ।
ପ୍ରଧାନମନ୍ତ୍ରୀ ନୂତନ ଉପାୟ, ଅବଧାରଣା ଓ ଦୃଷ୍ଟିକୋଣ ଦିଗରେ ଅଧିକ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ବିଭିନ୍ନ ଦିଗରୁ ମତାମତ ସଂଗ୍ରହ କରିବା ସହିତ ସେଗୁଡିକୁ ବିଶ୍ଳେଷଣ କରି କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ । ନିରନ୍ତର ଶିକ୍ଷା ଗ୍ରହଣ କରିବା ଏବଂ ଅନୁସନ୍ଧିତ୍ସୁ ହେବା ଲାଗି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାରୀ ଅଧିକାରୀଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠା ଗୁରୁତ୍ୱପୂର୍ଣ୍ଣ କାରଣ ନିଷ୍ଠା ନିରପେକ୍ଷ କରାଇଥାଏ ।
ସେ ଜନ-ଭାଗିଦାରୀ ଉପରେ ଗୁରୁତ୍ଵାରୋପ କରି ଯୁବ ଅଧିକାରୀମାନଙ୍କୁ ସରକାରୀ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ସାମୁହିକ ପ୍ରୟାସକୁ ପ୍ରୋତ୍ସାହିତ କରିବା ଲାଗି ଆହ୍ଵାନ କରିଥିଲେ । ସହାୟକ ସଚିବ ଭାବେ କାର୍ଯ୍ୟକାଳ ସମୟରେ ହାସଲ ଅଭିଜ୍ଞତାକୁ ଆପଣାଇବା ନିମନ୍ତେ ସେ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଉପସ୍ଥାପନା ପାଇଁ ଯୁବ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । “ଦେଶ ପାଇଁ ଆପଣମାନଙ୍କ ସଫଳତା ଗୁରୁତ୍ୱପୂର୍ଣ୍ଣ କାରଣ ଆପଣମାନଙ୍କ ସଫଳତା ଲୋକଙ୍କ ଜୀବନ ବଦଳାଇ ପାରିବ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।