ପ୍ରଧାନମନ୍ତ୍ରୀ ଆଜି (୨୮-୭-୨୦୨୩) ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।
ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ । ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ ।
ଦୁଇ ହଜାର ବର୍ଷ ତଳର ମହାନ୍ କବି ତିରୁଭାଲ୍ଲୁଭରଙ୍କ ଉକ୍ତିକୁୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମୁଦ୍ର ମଧ୍ୟ ସଙ୍କୁଚିତ ହୋଇଯିବ ଯଦି ବାଦଲ ସବୁ ପାଣି ଶୋଷି ନିଏ , ଏହା ଆଉ ବର୍ଷା ରୂପରେ ତାକୁ ଫେରାଇ ଦିଏ ନାହିଁ ।” ପ୍ରକୃତି ଓ ଏହାର ଗତି ଭାରତର ନିୟମିତ ଶିକ୍ଷାର ଉତ୍ସ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆଉ ଏକ ସଂସ୍କୃତ ଶ୍ଳୋକର ଅର୍ଥ ବୁଝାଇଥିଲେ । “ନଦୀ ତାହାର ଜଳ ପିଏ ନାହିଁ କି ଗଛ ତା’ର ଫଳ ଭକ୍ଷଣ କରେ ନାହିଁ । ମେଘ ମଧ୍ୟ ତାର ପାଣି ଦ୍ୱାରା ବଢିଥିବା ଶସ୍ୟ ଖାଏ ନାହିଁ ।” ପ୍ରଧାନମନ୍ତ୍ରୀ ପ୍ରକୃତି ଯେପରି ଆମକୁ ଦେଇଛି, ଆମେ ପ୍ରତିଦାନରେ ତାକୁ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମାଟି ମାଆର ସୁରକ୍ଷା ଓ ଯତ୍ନ ଆଜି ହେଉଛି ଆମର ମୌଳିକ ଦାୟିତ୍ୱ ଓ ଆଜି ଏହା ଜଳବାୟୁ କାର୍ଯ୍ୟାନୁଷ୍ଠାନ ରୂପ ନେଉଛି ଓ ଏହି କର୍ତ୍ତବ୍ୟ ବହୁ ଦିନ ଧରି ଅନେକ ଅବଜ୍ଞା କରି ଆସୁଥିଲେ । ଭାରତୀୟ ପାରମ୍ପରିକ ଜ୍ଞାନ ଭିତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳବାୟୁ ଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତଭାବେ ଅନ୍ତ୍ୟୋଦୟର ଅନୁସରଣ କରିବା ଉଚିତ । ଅନ୍ତ୍ୟୋଦୟର ଅର୍ଥ ହେଲା ସମାଜର ସବୁଠାରୁ ପଛରେ ଥିବା ବ୍ୟକ୍ତି ନିକଟରେ ମଧ୍ୟ ବିକାଶ ପହଞ୍ଚିବ । ଦକ୍ଷିଣ ଗୋଲାର୍ଦ୍ଧରେ ଦେଶ ସମୂହ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଜାତିସଂଘ ଜଳବାୟୁ ଅଧିବେଶନର ଅଙ୍ଗୀକାରବଦ୍ଧତା ଓ ପ୍ୟାରିସ ରାଜିନାମା ଅନୁସାରେ ଦକ୍ଷିଣ ଗୋଲାର୍ଦ୍ଧର ବିକାଶମୂଳକ ଆକାଂକ୍ଷା ଏକ ଜଳବାୟୁ ଅନୁକୂଳ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଭାରତରେ ଉଚ୍ଚାଭିଳାଷୀ ଜାତୀୟ ନିର୍ଦ୍ଧାରିତ ଅବଦାନକୁ ନେଇ ଭାରତ ଯେପରି ଆଗେଇ ଚାଲିଛି ସେଥିନେଇ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକାଶ କରିଥିଲେ । ଅଣ ଜୀବାଶ୍ମ ଇନ୍ଧନରୁ ବିଦ୍ୟୁତ ଶକ୍ତି ପାଇଁ ଆମର ଯାହା ଲକ୍ଷ୍ୟ ଥିଲା ତାହା ୯ବର୍ଷ ପୂର୍ବରୁ ହାସଲ କରିସାରିଛୁ ଓ ବର୍ତ୍ତମାନ ତା’ଠାରୁ ଆହୁରି ବଡ ଲକ୍ଷ୍ୟ ହାସଲ ପାଇଁ ସ୍ଥିର କରିଛୁ । ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱର ପାଂଚଟି ଦେଶ ମଧ୍ୟରେ ରହିଛି ଓ ଆମ ଦେଶ ୨୦୭୦ ସୁଦ୍ଧା ନେଟ ଜିରୋ ଲକ୍ଷ୍ୟ ହାସଲ କରିବ । ଭାରତ ଚୁକ୍ତି ଯଥା ଆନ୍ତର୍ଜାତିକ ସୌର ଚୁକ୍ତି, ସିଡିଆରଆଇ ଏବଂ ଶିଳ୍ପ ଅବସ୍ଥାନ୍ତର ଗ୍ରୁପ ନେତୃତ୍ୱ ଯୋଗୁଁ ଏହାର ଅଂଶୀଦାରଙ୍କ ସହ ସଂଯୋଗ ରକ୍ଷା କରୁଥିବାରୁ ଶ୍ରୀ ମୋଦି ଏଥିନେଇ ଆଶାବାଦୀ ଥିବା ପ୍ରକାଶ କରିଥିଲେ ।
“ଭାରତ ଏକ ବୃହତ-ବିବିଧତାର ଦେଶ” ବୋଲି କହି ପ୍ରଧାନମନ୍ତ୍ରୀ ଜୈବ ବିବିଧତା ସଂରକ୍ଷଣ, ନିରାପତ୍ତା, ପୁନରୁଦ୍ଧାର ଓ ସମୃଦ୍ଧି ଦେଇ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ନିଆ ଓ ଖଣି ଖାଦାନ ଯୋଗୁଁ ପ୍ରଭାବିତ ପ୍ରାକୃତିକ ଦୃଶ୍ୟ ରାଜିର ପୁନରୁଦ୍ଧାରକୁ ଗାନ୍ଧିନଗର ରୋଡ ମ୍ୟାପ ଓ ଫ୍ଲାଟଫର୍ମ ତ୍ୱରାନ୍ୱିତ କରିବାରେ ବୈଠକରେ ସ୍ୱୀକୃତି ଦିଆଯାଇଥିବାରୁ ସେ ଆନନ୍ଦ ପ୍ରକଟ କରିଥିଲେ । ସେ ନିକଟରେ ଆରମ୍ଭ କରାଯାଇଥିବା ଆନ୍ତର୍ଜାତିକ ରାମସାର ଚୁକ୍ତି ଯାହାକି ଧରିତ୍ରୀ ପୃଷ୍ଠରେ ସାତଟି ବିଗ କ୍ୟାଟକୁ ସୁରକ୍ଷା ଦେବା ନେଇ ଉଦ୍ଦିଷ୍ଟ ଓ ଏକ ଅଗ୍ରଣୀ ସଂରକ୍ଷଣ ପଦକ୍ଷେପ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଅବତାରଣା କରିଥିଲେ । ବ୍ୟାଘ୍ରପ୍ରକଳ୍ପ ଯୋଗୁଁ ଆଜି ବିଶ୍ୱର ଶତକଡା ୭୦ଭାଗ ବାଘ ଭାରତରେ ଅଛନ୍ତି ବୋଲି ଶ୍ରୀ ମୋଦି ଜଣାଇଥିଲେ । ସିଂହ ଓ ଡଲଫିନ ପ୍ରକଳ୍ପ ନେଇ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।
ଭାରତର ପଦକ୍ଷେପ ଗୁଡିକ ଜନସାଧାରଣଙ୍କ ଯୋଗଦାନ ଯୋଗୁଁ ହେଉଥିବାରୁାପ୍ରଧାନମନ୍ତ୍ରୀ ମିଶନ ଅମ୍ରିତ ସରୋବର ବିଷୟ କହିଥିଲେ । ଏହି ଅନନ୍ୟ ଜଳ ସଂରକ୍ଷଣ ଅଭିଯାନ ଦ୍ୱାରା ମାତ୍ର ବର୍ଷକ ମଧ୍ୟରେ ଦେଶରେ ୬୩,୦୦୦ ଜଳାଶୟ ସୃଷ୍ଟି କରାଯାଇପାରିଛି । ଏହି ଅଭିଯାନ କେବଳ ପ୍ରଯୁକ୍ତି ଗତ ସହାୟତା ଓ ଗୋଷ୍ଠୀଗତ ଯୋଗଦାନ ଯୋଗୁଁ ହୋଇପାରିଛି । ‘କ୍ୟାଚ ଦି ରେନ’ ଅଭିଯାନ ଦ୍ୱାରା ୨୮ହଜାରରୁ ଅଧିକ ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇ ଜଳ ସଂରକ୍ଷଣ ହେଉଛି । ଏହା ବ୍ୟତୀତ ୨୫୦, ୦୦୦ ପୁନଃ ବ୍ୟବହାର ଓ ରିଚାର୍ଜ ପ୍ରକଳ୍ପ ମଧ୍ୟ କରାଯାଇଛି ।
ଏ ସମସ୍ତ ସଫଳତା ଜନ ସହଭାଗିତା ଯୋଗୁଁ ସମ୍ଭବ ହୋଇଛି ଓ ଶ୍ରୀ ମୋଦୀ ଏ ପ୍ରସଙ୍ଗ ନେଇ ନମାମି ଗଙ୍ଗେର ଉଦାହରଣ ଦେଇଥିଲେ । ନମାମି ଗଙ୍ଗେ ଅଭିଯାନ ଯୋଗୁଁ ଗଙ୍ଗା ନଦୀ ଜଳ ସ୍ୱଚ୍ଛ ହେବା ଫଳରେ ନଦୀରେ ଅନେକ ସ୍ଥାନରେ ଗାଙ୍ଗେୟ ଡଲଫିନ ଦୃଷ୍ଟି ଗୋଚର ହୋଇଛନ୍ତି । ରାମସାର ସାଇଟ୍ଭାବେ ପରିଚିତ ୭୫ଟି ଆଦ୍ରଭୂମି ସଂରକ୍ଷଣ ପ୍ରକଳ୍ପ ଯୋଗୁ ଏସିଆରେ ସର୍ବବୃହତ ରାମସାର ସାଇଟ୍ ସୃଷ୍ଟି କରାଯାଇପାରିଛି ବୋଲି ସେ କହିଥିଲେ ।
କ୍ଷୁଦ୍ର ଦ୍ୱିପାଞ୍ଚଳ ରାଜ୍ୟକୁ ବୃହତ ମହାସାଗରୀୟ ଦେଶ ଭାବେ ଅବିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୁଦ୍ର ହେଉଛି ସେମାନଙ୍କ ପାଇଁ ଆର୍ଥିକ ସମ୍ବଳ ଉତ୍ସ । ସେଥି ପାଇଁ ତିନି ଶହ କୋଟି ଲୋକଙ୍କ ଜୀବନ ଜୀବିକା ପୃଥିବୀରେ ଚଳିଥାଏ । ଏହା ବ୍ୟାପକ ଜୈବ ବିବିଧତାର ଘର ଓ ସେଥିରେ ମହାସାଗରୀୟ ସମ୍ବଳର ପରିଚାଳନା ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ହେବା ଦରକାର । ପ୍ରଧାନମନ୍ତ୍ରୀ ଜି-୨୦ରେ ନିରନ୍ତର ଓ ନମନୀୟ ମତ୍ସ୍ୟ ଓ ସାଗର ଭିତିକ ଅର୍ଥନୀତି ପ୍ରତି ସମ୍ବେଦନଶୀଳତା ଯୋଗୁଁ ଜି-୨୦ ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଘଟାଇବା ନେଇ ଏକ ଆଇନ ସମ୍ମତ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ଆଶା କରିଥିଲେ ।
ପ୍ରଧାନମନ୍ତ୍ରୀ ମିଶନ ଲାଇଫ ପରିବେଶ ସହ ଜୀବନ ଶୈଳୀ ଆରମ୍ଭ ଜାତିସଂଘ ମହାସଚିବଙ୍କ ସହ ଗତବର୍ଷ କରିଥିବା ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ମିଶନ ଲାଇଫ ଏକ ବୈଶ୍ୱିକ ଗଣଅଭିଯାନ ଭାବେ ବ୍ୟକ୍ତିଙ୍କୁ ସମ୍ବଳିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପରିବେଶର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଇଙ୍ଗିତ ଦେବ । ଭାରତରେ ପରିବେଶ ବନ୍ଧୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଯେକୌଣସି ବ୍ୟକ୍ତି , କମ୍ପାନୀ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା କରାଯାଉଥିଲେ ତାହାକୁ କେବେ ବି ଅଣଦେଖା କରାଯାଏ ନାହିଁ ।
ଗ୍ରୀନ କ୍ରେଡିଟ୍ ବର୍ତ୍ତମାନ ଘୋଷିତ ଗ୍ର୍ରୀନ କ୍ରେଡିଟ୍ କାର୍ଯ୍ୟକ୍ରମ ଅଧୀନରେ ଯିବ । ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ନିରନ୍ତର କୃଷି ଭଳି କାର୍ଯ୍ୟକଳାପ ବର୍ତ୍ତମାନ ବ୍ୟକ୍ତି, ସ୍ଥାନୀୟ ସଂସ୍ଥା ଓ ଅନ୍ୟମାନଙ୍କ ନିମନ୍ତେ ରାଜସ୍ୱ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ ।
ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଆମେ ଆମର ପ୍ରକୃତି ମାତା ପ୍ରତି କର୍ତ୍ତବ୍ୟକୁ ଭୁଲିବା ଅନୁଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକ ଉପଯୋଗୀ ଓ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । “ପ୍ରକୃତି ମାତା କେବେ ବି ଖଣ୍ଡବିଖଣ୍ଡିତ କାର୍ଯ୍ୟ ଚାହେଁ ନାହିଁ, ସେ ଭଲପାଏ ‘ବସୁଧୈବ କୁଟୁମ୍ବ କମ୍” । ଏକ ପୃଥିବୀ ,ଏକ ପରିବାର, ଗୋଟିଏ ଭବିଷ୍ୟତ” ବୋଲି କହି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣର ପରିସମାପ୍ତି ଘଟାଇଥିଲେ ।