ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଟେଲିଫୋନ କଲ ଯୋଗେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ ଆଢାନମ ଘେବ୍ରିୟେସୁସଙ୍କ ସହ କଥା ହୋଇଛନ୍ତି ।
କୋଭିଡ-19 ମହାମାରୀ ମୁକାବିଲା ଦିଗରେ ଏକ ସମନ୍ୱିତ ଅନ୍ତର୍ଜାତୀୟ ପ୍ରୟାସକୁ ଆଗେଇନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଡବ୍ଲୁଏଚଓକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟ ରୋଗଗୁଡ଼ିକ ବିରୋଧରେ ଚାଲିଥିବା ଲଢ଼େଇ ଉପରୁ ଦୃଷ୍ଟି ଶିଥିଳ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । ଅନ୍ୟପକ୍ଷରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସହଯୋଗ ଦିଗରେ ଡବ୍ଲୁଏଚଓର ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।
ସେହିଭଳି ଭାରତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ନିୟମିତ ସହଯୋଗ ଉପରେ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିସହ ଯକ୍ଷ୍ମା ବିରୋଧରେ ଭାରତର ଅଭିଯାନ ଏବଂ ଆୟୁଷ୍ମାନ ଭାରତ ସ୍କିମ ଭଳି ଘରୋଇ ପଦକ୍ଷେପଗୁଡ଼ିକୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କଥା ସେ ଉଲ୍ଲେଖ କରିଥିଲେ ।
ପାରମ୍ପରିକ ଔଷଧୀୟ ବ୍ୟବସ୍ଥା, ବିଶେଷକରି ବିଶ୍ୱ ଜନ ସମୁଦାୟର କଲ୍ୟାଣ ଓ ପ୍ରତିରୋଧକ ଶକ୍ତି ବୃଦ୍ଧି ବାବଦରେ ପ୍ରଧାନମନ୍ତ୍ରୀ ଏବଂ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହାଛଡ଼ା ତମାମ ଚିକିତ୍ସା ମାଧ୍ୟମ ଦ୍ୱାରା ପାରମ୍ପରିକ ଚିକିତ୍ସା ସମାଧାନଗୁଡ଼ିକୁ ଆଧୁନିକ ଚିକିତ୍ସା ପଦ୍ଧତିରେ ଏକୀକୃତ କରିବା ଏବଂ ସମୟ–ପରୀକ୍ଷଣ ପାରମ୍ପରିକ ଚିକିତ୍ସା ଉତ୍ପାଦ ଓ ଅଭ୍ୟାସର ବୈଜ୍ଞାନିକ ମାନ୍ୟତା ବାବଦରେ ଉଭୟ ସହମତ ହୋଇଥିଲେ ।
ମହାନିର୍ଦ୍ଦେଶକ ଗୁରୁତ୍ୱ ଦେଇ କହିଥିଲେ କି ପାରମ୍ପରିକ ଚିକିତ୍ସା କ୍ଷମତାକୁ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଭାବେ ସହାୟତା ମିଳିପାରି ନାହିଁ ଏବଂ ସେ କହିଥିଲେ, ଡବ୍ଲୁଏଚଓ ଏହି କ୍ଷେତ୍ରରେ ସର୍ବୋତ୍କୃଷ୍ଟ ପ୍ରୟୋଗର ଅନୁସନ୍ଧାନ, ପ୍ରଶକ୍ଷିଣ ଏବଂ ଗବେଷଣାକୁ ପୋତ୍ସାହିତ କରିବା ପାଇଁ ସକ୍ରିୟ ଭାବେ କାମ କରୁଛି ।
ପ୍ରଧାନମନ୍ତ୍ରୀ ଏହି ଉଦ୍ୟମଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ନଭେମ୍ବର 13ରେ ‘କୋଭିଡ-19 ପାଇଁ ଆୟୁର୍ବେଦ’ ଶୀର୍ଷକରେ ହେବାକୁ ଥିବା ଆୟୁର୍ବେଦ ଦିବସ ଆୟୋଜନର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଏବଂ ମହାନିର୍ଦ୍ଦେଶକ କୋଭିଡ-19ର ମୁକାବିଲା ପାଇଁ ଜାରି ରହିଥିବା ଅନ୍ତର୍ଜାତୀୟ ସହଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ମହାନିର୍ଦ୍ଦେଶକ ମାନବତାର ଲାଭ ପାଇଁ ଟିକା ଓ ଔଷଧ ଉତ୍ପାଦନରେ ସିଦ୍ଧହସ୍ତ ଅଗ୍ରଣୀ ନିର୍ମାତା ଭାବେ ଭାରତର କ୍ଷମତାକୁ ନିୟୋଜିତ କରିବା ସକାଶେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପ୍ରତୀମ ପ୍ରତିଶ୍ରୁତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ ।