“ଭାରତର ଜନସାଧାରଣଙ୍କ ମନରେ ଆଶାର ଏକ କିରଣ ଜଗାଇବାରୁ ବିଜେପିର ଯାତ୍ରା ଆରମ୍ଭ । ବିଜେପି ଆଜି ଯେଉଁଠାରେ ପହଞ୍ଚିଛି ତାହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ଦ୍ୱାରା ନୁହେଁ, ବରଂ ପିଢ଼ି ପରେ ପିଢ଼ି କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦ୍ୱାରା ସମ୍ଭବ ହୋଇପାରିଛି । ଆମମାନଙ୍କ ପାଇଁ ଦେଶ ସବୁବେଳେ ଦଳଠାରୁ ଉଦ୍ଧ୍ୱର୍ରେ ରହିବ । ପ୍ରଥମେ ଭାରତ ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ବିଜେପି ଆଗକୁ ବଢ଼ିବ ।”
2013 ଏପ୍ରିଲ 6ରେ ଦଳର 33ତମ ସ୍ଥାପନା ଦିବସ ଅବସରରେ ଅହମ୍ମଦାବାଦଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ମହାସମ୍ମେଳନରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି ନରେନ୍ଦ୍ର ମୋଦୀ ଏହା କହିଥିଲେ ।
ବିଜେପିର 33ତମ ସ୍ଥାପନା ଦିବସରେ ଦଳୀୟ କାର୍ଯ୍ୟକର୍ତ୍ତା ମହାସମ୍ମେଳନରେ ଶ୍ରୀ ନରେନ୍ଦ୍ର ମୋଦୀ
ନରେନ୍ଦ୍ର ମୋଦୀ ଯେ କି ଜଣେ ଦଳୀୟ କର୍ମୀ ଭାବେ ଯାତ୍ରା ଆରମ୍ଭ କରିଥିଲେ, ସେ ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ତାଙ୍କୁ ଦିଆଯାଉଥିବା ଯେକୌଣସି କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ କରିବାର ସାମର୍ଥ୍ୟ ଯୋଗୁ ଦେଶର ସବୁଠୁ ବଡ ପଦବୀରେ ଅବସ୍ଥାପିତ ହୋଇପାରିଥିଲେ । ଜଣେ ଦଳୀୟ କର୍ମୀ ଥିଲାବେଳେ ମଧ୍ୟ ତାଙ୍କୁ ଯେଉଁ କାର୍ଯ୍ୟ ଦିଆଯାଉଥିଲା ସେ ତାହାକୁ ସଫଳତାର ସହ ସମ୍ପାଦନ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ । ଦଳର ଉନ୍ନତି ପାଇଁ ଯେଉଁ ସବୁ ଅଂଚଳ ଗୁରୁତ୍ୱପୂର୍ଣ୍ଣ, ସେଠାରେ କୌଣସି ସମସ୍ୟା ଦେଖାଦେଲେ ଏହାର ସମାଧାନ ପାଇଁ ବରିଷ୍ଠମାନେ ତାଙ୍କୁ ସେଠାକୁ ପଠାଉଥିଲେ । ଏକ ରାଲିର ଆୟୋଜନ କରିବା ହେଉ କିମ୍ବା ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ନିର୍ବାଚନୀ ପ୍ରଚାର ହେଉ, ତାଙ୍କୁ ଦଳ ତରଫରୁ ଯାହାବି ଦାୟିତ୍ୱ ପ୍ରଦାନ କରାଯାଉଥିଲା, ସେ ଆଶାଠାରୁ ବଳି ଅଧିକ ଏହାକୁ ସଫଳ କରାଉଥିଲେ ।
ପ୍ରତ୍ୟେକ ସ୍ତରରେ କର୍ମୀମାନେ ସାଂଗଠନିକ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ଏପର୍ଯ୍ୟନ୍ତ ସେ ସବୁବେଳେ କହିଥାନ୍ତି । ଅହମ୍ମଦାବାଦଠାରେ ଏକ ଉତ୍ତପ୍ତ ଅପରାହ୍ନରେ ବିଜେପିର ଯୁବ ମୋର୍ଚ୍ଚା - ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କଲାବେଳେ ନରେନ୍ଦ୍ର ମୋଦୀ ମଂଚ ଉପରେ ଏହି ବକ୍ତବ୍ୟ ଦେଇଥିଲେ । ବୁଥ୍ ପରିଚାଳନାର ଗୁରୁତ୍ୱ ଥିଲା ତାଙ୍କ ବକ୍ତବ୍ୟର ମୁଖ୍ୟ ବାର୍ତ୍ତା ।
ନିର୍ବାଚନ ସମୟରେ ବୁଥ୍ ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେପରି ଆପଣ ଦୁର୍ଗ ନଜିତିଲେ ଯୁଦ୍ଧରେ ବିଜୟୀ ହୋଇପାରିବେ ନାହିଁ, ସେହିପରି ପୋଲିଂ ବୁଥ୍ ରେ ବିଜୟ ଲାଭ ନକଲେ ନିର୍ବାଚନ ଜିତିପାରିବେ ନାହିଁ । ପୋଲିଙ୍ଗ ବୁଥରେ ବିଜୟ ଲାଭ କରିବା ନିର୍ବାଚନର ଅସଲ ପରୀକ୍ଷା ହୋଇଥାଏ ।
ନରେନ୍ଦ୍ର ମୋଦୀ ଭାରତୀୟ ଜନତା ଯୁବ ମୋର୍ଚ୍ଚାକୁ ସମ୍ବୋଧିତ କରୁଛନ୍ତି
ଏହି ବକ୍ତବ୍ୟରେ ସେ କହିଥିଲେ ଯେ ଲୋକଙ୍କ ସୁଖ ଓ ଦୁଃଖ ସମୟରେ ଦଳୀୟ କର୍ମୀମାନେ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହେବା ଉଚିତ ଏବଂ ସେମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା ଉଚିତ ।
ଆଜି ଦୁନିଆ ଜାଣିଛି ଯେ ନରେନ୍ଦ୍ର ମୋଦୀ ବିକାଶ ଦିଗରେ ସକ୍ରିୟ ଭାବେ କାର୍ଯ୍ୟକରୁଥିବା ଜଣେ ବ୍ୟକ୍ତି ଯେକି ତାଙ୍କ ଘରୋଇ ରାଜ୍ୟ ଗୁଜରାଟର ମାନଚିତ୍ରକୁ ରୂପାନ୍ତରିତ କରିଦେଇଛନ୍ତି । ମାତ୍ର ଯାଦୁର ସ୍ପର୍ଶ ଥିବା ଜଣେ ବିଚକ୍ଷଣ ସଙ୍ଗଠକର ଖ୍ୟାତି ଅର୍ଜନ କରିବା ପୂବରୁ ସେ ବିଜେପି ପାଇଁ ଯେଉଁଯେଉଁ ଅଂଚଳରେ ସବୁ କାର୍ଯ୍ୟ କରିଛନ୍ତି, ସେଠାରେ ଏହାର ସଫଳ ରୂପାୟନ କରିଛନ୍ତି ।
ନରେନ୍ଦ୍ର ମୋଦୀ – ଯାଦୁକରୀ ଶକ୍ତିର ପୁରୁଷ
ନରେନ୍ଦ୍ର ମୋଦୀ କହିଲେ ଆପଣ ଏପରି ଜଣେ ବ୍ୟକ୍ତିଙ୍କ ସହିତ ଅଭ୍ୟସ୍ତ ଯେକି ଭାରତର ଖ୍ୟାତାନାମ ବ୍ୟକ୍ତିମାନଙ୍କ ସହିତ ଏକ ସୁନ୍ଦର ଭାବେ ସୁସଜ୍ଜିତ କୋଠରୀରେ ଅବସ୍ଥାନ କରିଥିବେ । ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଅହମ୍ମଦାବାଦରେ ଥିବା ଆରଏସ୍ଏସ୍ ହେଡକ୍ୱାର୍ଟର ଚଟାଣ ସଫା କରିବା । ସକାଳୁ କ୍ଷୀର ଆଣିବା ଓ କାର୍ଯ୍ୟାଳୟ ପରିସରକୁ ସଫା ରଖିବା ମଧ୍ୟ ତାଙ୍କ କାମ ଥିଲା । ଏପରିକି ସେ ସମ୍ମାନ ସ୍ୱରୂପ ବରିଷ୍ଠ ପ୍ରଚାରକମାନଙ୍କ ପୋଷାକ ମଧ୍ୟ ସଫା କରୁଥିଲେ । ନିର୍ବାଚନୀ ରାଜନୀତି କଚ୍ଚା ଓ ଖସଡ଼ା ରାସ୍ତା ହୋଇଥିବା ଯୋଗୁ ଏଥିରେ ଯୋଗଦେବା ନେଇ ମୋଦୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କୁ 1987ରେ ବିଜେପିର ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଗଲା । ସେହିଦିନଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ସେ ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଲେ ଓ ବିଜେପି ପାଇଁ ଅନ୍ୟମାନଙ୍କୁ ମଧ୍ୟ ଜିତିବାରେ ସହାୟତା କଲେ ।
ପୈରପାଳିକା ନିର୍ବାଚନ: ଛୋଟ ହିଁ ବଡ
1987ରେ ବିଜେପିରେ ଯୋଗଦେବା ପରେ, ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପରୀକ୍ଷା ଥିଲା ସେହିବର୍ଷ ଅହମ୍ମଦାବାଦରେ ଅନୁଷ୍ଠିତ ପୌରପାଳିକା ନିର୍ବାଚନ । 1980 ପ୍ରାରମ୍ଭରେ ବିଜେପି ରାଜକୋଟ ଏବଂ ଜୁନାଗଡ କର୍ପୋରେସନରେ ସଫଳତା ପାଇଥିଲା ଓ କେତେକ ବିଧାନସଭା ଆସନରେ ମଧ୍ୟ ବିଜୟୀ ହୋଇଥିଲା, ମାତ୍ର ରାଜ୍ୟରେ ଏହାର ଅବସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ (ଏଏମସି) ଦଳପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସଂସଦ, ବିଧାନସଭା ଏବଂ ଗୁଜରାଟର ପ୍ରତ୍ୟେକ ପଂଚାୟତ ଓ ପୌରପାଳିକାରେ କଂଗ୍ରେସର ସ୍ଥିତି ଭଲ ନଥିଲା, ମାତ୍ର ବାହୁବଳୀ ରଣନୀତି ଯୋଗୁ ଏହି ଦଳକୁ ହରାଇବା କଷ୍ଟକର ଥିଲା । ନରେନ୍ଦ୍ର ମୋଦୀ ଏହି ଆହ୍ୱାନକୁ ଗ୍ରହଣ କଲେ ଓ ବିଜେପିର ବିଜୟ ପାଇଁ ସାରା ସହରରେ ଅକ୍ଳାନ୍ତ ଭାବେ କାର୍ଯ୍ୟ ଆରମ୍ଭ କଲେ । ଶେଷରେ ଫଳାଫଳ ବିଜେପିର ଅନୁକୂଳ ହେଲା । ବିଜେପି ଏଏମସିରେ ଶାସକ ଦଳ ଭାବେ ପରିଣତ ହେଲା ଓ ଏହା ଦଳକୁ ଜନସାଧାରଣଙ୍କ ସେବା ପାଇଁ ସୁଯୋଗ ଦେବା ସହ ଆଗାମୀ ବର୍ଷରେ ଦଳର ତୃଣମୂଳକୁ ଦୃଢ଼ କରିପାରିଥିଲା ।
2000 ପର୍ଯ୍ୟନ୍ତ ବିଜେପି ଏଏମସିରେ ପ୍ରାଧାନ୍ୟ ବିସ୍ତାର କରିଥିଲା । 1987ପରେ ଏହା ପ୍ରଥମ ପୈରପାଳିକା ନିର୍ବାଚନ ଥିଲା ଏବଂ ଏହା ପୂର୍ବରୁ ମୋଦୀ ଗୁଜରାଟରେ ନୁହେଁ ବରଂ ଅନ୍ୟ କେଉଁଠାରେ କାର୍ଯ୍ୟ କରୁଥିଲେ ।
ବିଧାନ ସଭାରେ ସଫଳତା: ଗାନ୍ଧୀନଗରରେ ପଦ୍ମଫୁଲ ଚମକିଲା
ମାଧବ ସିଂ ସୋଲାଙ୍କିଙ୍କ ନେତୃତ୍ୱରେ ଓ କେଏଚଏମ ସହ ମେଂଟ କରି କଂଗ୍ରେସ 1980 ବିଧାନସଭା ନିର୍ବାଚନରେ 141ଟି ଆସନ ଜିତିବା ସହ ଶତକଡା 51.4ପ୍ରତିଶତ ଭୋଟ ପାଇଥିଲେ । ବିଜେପି ମାତ୍ର 9ଟି ଆସନରେ ଜିତିଥିଲା । ନୂଆ ମେଂଟର ଫାଇଦା ଓ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଫଳରେ ସହାନୁଭୂତି ଭୋଟ ଆଧାରରେ ସୋଲାଙ୍କିଙ୍କ ନେତୃତ୍ୱରେ କଂଗ୍ରେସ 149 ଆସନ ଓ ଶତକଡା 55.55ପ୍ରତିଶତ ଭୋଟ ସହ ଆଉ ଏକ ବଡ ବିଜୟ ହାସଲ କରିଥିଲା । ବିଜେପି ପାଇଁ ଏହା ଆଉ ଏକ ହତୋତ୍ସାହ ଥିଲା । ଦଳକୁ 11ଟି ଆସନ ଓ ଶତକଡା 14.96ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଲା ।
ତେବେ କଂଗ୍ରେସର କୌଣସି ନିର୍ଦ୍ଧିଷ୍ଟ ନୀତି କିମ୍ବା ଲକ୍ଷ୍ୟ ନଥିଲା । ସେମାନେ କେବଳ ସଂରକ୍ଷଣକୁ ନେଇ ରାଜନୀତି କରି ସାମାଜିକ ଐକ୍ୟକୁ ନଷ୍ଟ କରିଦେଇଥିଲେ । 1985 ରୁ 1988 ମଧ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା । ଅନେକ ଜଟିଳ ପରିସ୍ଥିତି ଓ ତୁହାକୁ ତୁହା ବୋମା ବିସ୍ଫୋରଣ ହେତୁ ଗୁଜରାଟର ସାମାଜିକ ସୌଧ ଭାଙ୍ଗିରୁଜି ଯାଇଥିଲା ।
1990ରେ ନରେନ୍ଦ୍ର ମୋଦୀଙ୍କୁ ଗୁଜରାଟରେ ସ୍ୱାଗତ
1990 ବିଧାନସଭା ନିର୍ବାଚନ ପାଖେଇଆସୁଥିଲା । କଂଗ୍ରେସ ବିରୋଧି ହାୱା ବହୁଥିଲା, ମାତ୍ର କଂଗ୍ରେସର ବାହୁବଳୀ ରଣନୀତି ଚାଲୁରହିଲା । ନରେନ୍ଦ୍ର ମୋଦୀଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା ଯେ ସେ ଏପରି ଏକ ଦୃଢ଼ ସଙ୍ଗଠନ କରିବେ ଯାହାକି ତାଙ୍କ ଦଳର ରାଜନୈତିକ ନେତୃତ୍ୱଙ୍କୁ ଜନସାଧାରଣଙ୍କଠାରୁ ନିର୍ବାଚନରେ ସମର୍ଥନ ମିଳିବ ।
1990 ଫେବୃଆରୀ 27ରେ ଏକ ଦଶନ୍ଧିର କଂଗ୍ରେସ ଶାସନ ପରେ, ଗୁଜରାଟ ଏକ ନୂତନ ବିଧାନ ସଭା ନିର୍ବାଚିତ କଲା । ଗୁଜରାଟ ଜନସାଧାରଣ ଜନତା ଦଳକୁ ଚିମନଭାଇ ପଟେଲଙ୍କ ନେତୃତ୍ୱରେ 70ଟି ଆସନ ଓ ଶତକଡା 29.36ପ୍ରତିଶତ ଭୋଟ ସହ ବିଜୟୀ କରାଇଥିଲେ । ବିଜେପି ଶତକଡା 29.36ପ୍ରତିଶତ ଭୋଟ ଓ 67ଟି ଆସନ ସହ ନିକଟତମ ଦ୍ୱିତୀୟ ସ୍ଥାନରେ ରହିଥିଲା । କେବଳ ମାତ୍ର ଏକ ଉପସ୍ଥିତିରୁ ବିଜେପି ଏକ ଶକ୍ତିଶାଳୀ ଓ ସ୍ଥାୟୀ ଦଳ ଭାବେ ଉଭା ହୋଇଥିଲା ।
1990ରେ ନରେନ୍ଦ୍ର ମୋଦୀ, କେଶୁଭାଇ ପଟେଲ ଓ ଅନ୍ୟ ନେତାମାନେ ଆଡ଼ଭାନିଙ୍କ ବକ୍ତବ୍ୟ ଶୁଣୁଛନ୍ତି
ଗୁଜରାଟ ବିଜେପି ଏହାର ଦ୍ୱିତୀୟ ସବୁଠୁ ବଡ ପରୀକ୍ଷାର ସମ୍ମୁଖୀନ ହୋଇଥିଲା ଯେତବେଳେ 1995ର ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ନରେନ୍ଦ୍ର ମୋଦୀ ଜଣେ ସକ୍ରିୟ ସଙ୍ଗଠକ ଥିଲେ । 1995ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ସମସ୍ତ 182ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କଲା । ପ୍ରଥମ ଥର ପାଇଁ ମଧ୍ୟ ଏହି ଦଳ କଂଗ୍ରେସଠାରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଗୁଜରାଟ ଜନସାଧାରଣ ବିଜେପିକୁ ଏକ ବଡ ଧରଣର ବିଜୟ ଦେଇଥିଲେ ଏବଂ ଦଳ 121ଟି ଆସନ ଜିତିଥିଲା । କଂଗ୍ରେସ ପାଇଁ ଫଳାଫଳ ହତୋତ୍ସାହଜନକ ଥିଲା ଓ ସେମାନେ କେବଳ 45ଟି ଆସନ ଜିତିଥିଲେ । ନରେନ୍ଦ୍ର ମୋଦୀ ସଫଳତାର ସହ ସଙ୍ଗଠନକୁ ସୁଦୃଢ଼ କରିଥିଲେ ଓ କଂଗ୍ରେସର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲେ ।
ବିଜେପି ସରକାର ଗଢିଲା ମାତ୍ର ସମସ୍ୟାର ଅନ୍ତ ଘଟିଲା ନାହିଁ । ଗୁଜରାଟରେ ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହେଲା ଓ 1996ରେ ଦଳ କ୍ଷମତାରୁ ବିଦାୟ ନେଲା । ଏହି ସମୟରେ ନରେନ୍ଦ୍ର ମୋଦୀ ଦିଲ୍ଲୀ ଆସିସାରିଥିଲେ ଏବଂ ବିଜେପିର ଜାତୀୟ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କର କେତେକ ନେତା ବିଶ୍ୱାସଘାତକତା କରି ଛୋଟ ଛୋଟ ଦଳ ଗଠନ କରିବା ସହ କଂଗ୍ରେସ ସହ ହାତ ମିଳାଇଥିଲେ ଏବଂ ଏହାର ଫାଇଦା ନେଇ ବିଜେପି 1996ରେ କ୍ଷମତାକୁ ଫେରିଥିଲା । ମାତ୍ର 2001ରେ ପୁଣି ହତାଶାର ଅନ୍ଧାର ଖେଳିଗଲା । ବନ୍ୟା, ବାତ୍ୟା, ମରୁଡି ଓ କଚ୍ଛରେ ଏକ ଭୟଙ୍କର ଭୂମିକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ଏବଂ ଦୁର୍ବଳ ରିଲିଫ ପରିଚାଳନା ଫଳରେ ଜନସାଧାରଣ ପୁଣି ବିଜେପିଠାରୁ ଦୂରେଇ ଗଲେ । ସମବାୟ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିଥିଲା । ଏହିଭଳି କଠିନ ପରିସ୍ଥିତିରେ ନରେନ୍ଦ୍ର ମୋଦୀଙ୍କୁ 2001 ଅକ୍ଟୋବର 7ରେ ବିଜେପିର ମୁଖ୍ୟମନ୍ତ୍ରୀ ହେବା ପାଇଁ କୁହାଯାଇଥିଲା । ଜଣେ ବ୍ୟକ୍ତି ଯିଏକି କେବେ ବି କ୍ଷମତା କିମ୍ବା ପଦବୀର ସ୍ୱପ୍ନ ଦେଖିନଥିଲେ, ତାଙ୍କୁ ଧ୍ୱଂସ ହୋଇଯାଉଥିବା ବିଜେପିର ମର୍ଯ୍ୟାଦା ଫେରେଇ ଆଣିବା ଲକ୍ଷ୍ୟରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । 2003 ମାର୍ଚ୍ଚରେ ନିର୍ବାଚନ ହେବାର ଘୋଷଣା କରାଯାଇଥିଲା ଏବଂ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ଦାୟିତ୍ୱ ମଧ୍ୟ ବଢ଼ିଯାଇଥିଲା ।
ଗୋଧ୍ରା ଓ ଗୁଜରାଟର ଅନ୍ୟାନ୍ୟ ଅଂଚଳରେ ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା ତାହାଫଳରେ ନରେନ୍ଦ୍ର ମୋଦୀ ହୃଦୟଙ୍ଗମ କରିଥିଲେ ଯେ ରାଜ୍ୟରେ ବିକାଶ ଓ ଆରୋଗ୍ୟ ପ୍ରକ୍ରିୟା ଲାଗି ଏକ ନୂତନ ସରକାର ଆବଶ୍ୟକ । ସେ ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ ଏହି କାର୍ଯ୍ୟପାଇଁ ବିଜେପି ହିଁ ସଠିକ ଦଳ । ସେଥିପାଇଁ ସେ ବିଧାନସଭାକୁ ଏହାର କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଭଙ୍ଗ କରିଦେଇଥିଲେ ଏବଂ 2002ରେ ନିର୍ବାଚନ ଘୋଷଣା କରାଯାଇଥିଲା ।
ନିର୍ବାଚନ ପ୍ରଚାର ସମୟରେ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ରାଜନୀତିରେ ଦୁର୍ନାମ ମୁଣ୍ଡାଇଥିବା ଓ ଅପବାଦ ଗ୍ରସ୍ତ ସବୁଠୁ ବଡ ନେତାଭାବେ ଚିତ୍ରଣ କରାଯାଇଥିଲା । ରାଜନୈତିକ ପଣ୍ଡିତ ଓ ନିର୍ବାଚନ ସମୀକକ୍ଷମାନେ ତାଙ୍କୁ ବିଦ୍ରୂପ କରିବା ସହ କଂଗ୍ରେସ ସପକ୍ଷରେ ନିର୍ବାଚନ ଫଳାଫଳ ଯିବ ବୋଲି ମତ ଦେଇଥିଲେ । ସେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଲେ ମାତ୍ର ପୂର୍ବ ଭଳି ସେ ପରଦାପଛରେ ନରହି ପୁରୋଧା ସାଜିଥିଲେ । ଲୋକସଭା ନିର୍ବାଚନରେ ମଧ୍ୟ ସେ ଏହି ରଣନୀତି ଆପଣେଇଥିଲେ । ସମଗ୍ର ରାଜ୍ୟରେ ପ୍ରଚାର କରି ନରେନ୍ଦ୍ର ମୋଦୀ ଆଶାବାଦର ବାର୍ତ୍ତା ଦେଲେ । ଫଳସ୍ୱରୂପ ବିଜେପିକୁ ମିଳିଲା ବୃହତ୍ ବିଜୟ । ଦଳ ଶତକଡା 49.85ପ୍ରତିଶତ ଭୋଟ ସହ ମୋଟ 127ଟି ଆସନରେ ବିଜୟୀ ହେଲା । କଂଗ୍ରେସ କେବଳ 51ଟି ଆସନରେ ବିଜୟୀ ହେଲା ।
2002ରୁ 2007 ମଧ୍ୟରେ ନରେନ୍ଦ୍ର ମୋଦୀ ଗୁଜରାଟରେ ଏକ ସ୍ୱଚ୍ଛ ଓ ବିକାଶମୁଖୀ ସରକାର ନିଶ୍ଚିତ କଲେ ଓ ଏହିସମୟ ମଧ୍ୟରେ ରାଜ୍ୟ ବହୁ ପରିମାଣରେ ଉନ୍ନତି କଲା । ମାତ୍ର ଗୁଜରାଟରେ ବିକାଶର ପରିମାଣ ଯେତେ ବଢ଼ିଚାଲିଲା, ବିପକ୍ଷ ଦଳମାନଙ୍କ ମଧ୍ୟରେ ହତାଶା ସେତିକି ପରିମାଣରେ ବଢ଼ିବାରେ ଲାଗିଲା । 2007ରେ ଯେତବେଳେ ବିଧାନସଭା ନିର୍ବାଚନ ପାଖେଇଆସିଲା, ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ୟକ୍ତିଗତ ଭାବେ ଅପବାଦ ଲଦି ଦିଆଗଲା । କଂଗ୍ରେସ ସଭାପତି ତାଙ୍କୁ କଠୋର ନିର୍ବାଚନ ପ୍ରଚାର ମାଧ୍ୟମରେ “ମୃତ୍ୟୁର ଜଣେ ସୌଦାଗର ଭାବେ ବର୍ଣ୍ଣନା କଲେ । ତଥାପି ନରେନ୍ଦ୍ର ମୋଦୀ ଘୃଣା ଦ୍ୱାରା ପରିଚାଳିତ ରାଜନୀତିରୁ ଦୂରରେ ରହିବା ସହିତ ତାଙ୍କ ସାମର୍ଥ୍ୟ ଉପରେ କେନ୍ଦ୍ରିଭୂତ କଲେ ଓ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଲେ । ଶେଷରେ ବିଜେପି 49.12 ପ୍ରତିଶତ ଭୋଟ ସହ 117ଟି ଆସନରେ ବିଜୟୀ ହେଲା । କଂଗ୍ରେସ 60ଟି ଆସନ ମଧ୍ୟ ଜିତିପାରିଲା ନାହିଁ । ଏହାର ଆସନ ସଂଖ୍ୟା 59ରେ ସୀମିତ ରହିଲା ।
https://www.narendramodi.in/360/build.html
2012 ଡ଼ିସେମ୍ବରରେ ନରେନ୍ଦ୍ର ମୋଦୀ ଗୁଜରାଟରେ ସଦ୍ୟତମ ନିର୍ବାଚନ ବିଜୟ ହାସଲ କରିଥିଲେ । ଦଳ 11ଟି ଆସନରେ ବିଜୟୀ ହୋଇଥିଲା । ଗୁଜରାଟର ଜନସାଧାରଣ ତାଙ୍କୁ ଏକ ବଡ ବିଜୟ ଦେଇଥିଲେ । 2001ରୁ ଏପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ବିଜେପିର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ବିଜେପି ପ୍ରତ୍ୟେକଟି ପଂଚାୟତ ଓ ପୈରପାଳିକା ନିର୍ବାଚନରେ ଜିତିଥିଲା । 1990ରୁ 2012 ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଘଟିଥିଲା, ମାତ୍ର ନରେନ୍ଦ୍ର ମୋଦୀଙ୍କ କଠିନ ପରିଶ୍ରମ, ସଂକଳ୍ପବଦ୍ଧତା ଓ ଉତ୍ସର୍ଗ ସ୍ଥାୟୀ ଭାବେ ରହିଥିଲା । ପ୍ରତ୍ୟେକ ନିର୍ବାଚନ ଅଭିଯାନରେ ସେ ଅଭିନବ କୌଶଳର ପ୍ରୟୋଗ କରି ଜନମତକୁ ବିଜେପି ସପକ୍ଷରେ ନିଶ୍ଚିତ କରୁଥିଲେ ।
ଲୋକସଭା ନିର୍ବାଚନ: ଗୁଜରାଟରୁ ଦିଲ୍ଲୀକୁ ସର୍ବାଧିକ ପଦ୍ମଫୁଲ
ଜଣେ ଦକ୍ଷ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀଙ୍କ ସାମର୍ଥ୍ୟ କ୍ରମାଗତ ଲୋକସଭା ନିର୍ବାଚନରେ ଗୁଜରାଟରୁ ଦିଲ୍ଲୀକୁ ସର୍ବାଧିକ ବିଜେପି ସାଂସଦ ପଠାଇବରେ ସହାୟତା କଲା । 1984ରେ ବିଜେପି ଗୁଜରାଟରେ ଏକମାତ୍ର ଲୋକସଭା ଆସନରେ ବିଜୟୀ ହୋଇଥିଲା । ଏହାର 5 ବର୍ଷ ପରେ 1989ରେ ଦଳ 12ଟି ଆସନରେ ବିଜୟୀ ହେଲା ଓ ୧୯୯୧ରେ ଏହି ଆସନ ସଂଖ୍ୟା ବଢ଼ି 20ରେ ପରିଣତ ହେଲା ।
1996, 1998 ଓ 1999ରେ ଗୁଜରାଟରେ ବିଜେପି ଆସନ ସଂଖ୍ୟା 20ରୁ ବୃଦ୍ଧିପାଇଲା । ଯଦିଓ ନରେନ୍ଦ୍ର ମୋଦୀ ଏହି ସମୟ ମଧ୍ୟରେ ଗୁଜରାଟରେ ନଥିଲେ, ତଥାପି ତାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସେ ଏଠାରେ ଦଳର ବିଜୟ ପାଇଁ ମୂଳଦୁଆ ସୃଷ୍ଟି କରିଦେଇଥିଲେ । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ବିଜେପି 2004 ଓ 2009ରେ ରାଜ୍ୟରୁ ସର୍ବାଧିକ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲା ।
ମୋଦୀଙ୍କ ଯାତ୍ରା: ଦେଶ ଆଗ ନିଜେ ପଛ
ଗୁଜରାଟରେ ଦଳର ସାଧାରଣ ସମ୍ପାଦକ ଭାବେ 1987ର ନ୍ୟାୟ ଯାତ୍ରା ଓ 1989ର ଲୋକଶକ୍ତି ଯାତ୍ରା ଆୟୋଜନ କରିବାରେ ନରେନ୍ଦ୍ର ମୋଦୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାତ୍ର ଏହି ଯାତ୍ରାସବୁ ଦୁର୍ନୀତିଖୋର ଓ ଦମନ ସପକ୍ଷବାଦୀ କଂଗ୍ରେସ ଶାସନ ବିରୋଧରେ ଗୁଜରାଟ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ କେନ୍ଦ୍ରବିନ୍ଦୁ ସାଜିଲା ।
1991ରେ ନରେନ୍ଦ୍ର ମୋଦୀ ଓ ମୁରଲି ମନୋହର ଯୋଶୀ ଏକତା ଯାତ୍ରାର ଆୟୋଜନ କରୁଛନ୍ତି
ଶ୍ରୀ ଏଲକେ ଆଡ଼ଭାନୀଙ୍କ ନେତୃତ୍ୱରେ ସୋମନାଥରୁ ଅଯୋଧ୍ୟା ଯାତ୍ରା ଓ ଡଃ ମୁରଲୀ ମନୋହର ଯୋଶୀଙ୍କ ନେତୃତ୍ୱରେ ଏକତା ଯାତ୍ରା ଆୟୋଜନ କରିବାରେ ଜଣେ ମୁଖ୍ୟ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ଜଣାଶୁଣା । ସନ୍ତ୍ରାସବାଦୀମାନଙ୍କ ଦ୍ୱାରା କାଶ୍ମୀରରେ ସୃଷ୍ଟି କରାଯାଇଥିବା ଅଶାନ୍ତ ପରିସ୍ଥିତି ବିରୋଧରେ ଏକତା ଯାତ୍ରାର ଆରମ୍ଭ କରାଯାଇଥିଲା । ଏହି ସନ୍ତ୍ରାସବାଦୀମାନେ ଶ୍ରୀନଗରରେ ତ୍ରିରଙ୍ଗା ପତାକା ଉତ୍ତୋଳନକୁ ବିରୋଧ କରୁଥିଲେ । ଯାତ୍ରା ଆରମ୍ଭ ପୂର୍ବରୁ ନରେନ୍ଦ୍ର ମୋଦୀ ଏହାର ସମସ୍ତ ଅଂଚଳକୁ ପରିଦର୍ଶନ କରିଥିଲେ ।
ଏଲକେ ଆଡଭାନୀଙ୍କ ଜନାଦେଶ ଯାତ୍ରାରେ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
ଏଲକେ ଆଡଭାନୀଙ୍କ ସୋମନାଥରୁ ଅଯୋଧ୍ୟା ଯାତ୍ରା
କୌଣସି ଯାତ୍ରାର ଆରମ୍ଭ କରିବା ସହଜକଥା ନୁହେଁ । ଯାତ୍ରାପଥ ସ୍ଥିର କରିବା, ପ୍ରତ୍ୟେକ ସ୍ଥାନରେ ପ୍ରସ୍ତୁତିକୁ ଦୃଷ୍ଟିଦେବା ଏବଂ ସୁସଙ୍ଗଠିତ ଭାବେ ଯାତ୍ରାକୁ ଗତିଶୀଳ କରିବାରେ ସହାୟକ ହେବା ଆଦି ସବୁ ସଙ୍ଗଠକର ଦାୟିତ୍ୱ । ନରେନ୍ଦ୍ର ମୋଦୀ ଏସବୁ ଦାୟିତ୍ୱକୁ ବର୍ଷବର୍ଷ ଧରି ସୂଚାର ରୂପେ ସମ୍ପାଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ସେ ଅନେକ ଯାତ୍ରାରେ ଭାଗନେଇ ଥିଲେ । ଏସବୁ ମଧ୍ୟରେ ସଦ୍ୟତମ ଥିଲା 102ର ବିବେକାନନ୍ଦ ଯୁବ ବିକାଶ ଯାତ୍ରା । ଏହି ଯାତ୍ରା ସମୟରେ ସେ ଗୁଜରାଟ ବ୍ୟାପୀ ଭ୍ରମଣ କରି ଗୁଜରାଟର ଜନସାଧାରଣଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ବାର୍ତ୍ତାର ପ୍ରଚାର କରିଥିଲେ ।
ନରେନ୍ଦ୍ର ମୋଦୀ ବିବେକାନନ୍ଦ ଯୁବ ବିକାଶ ଯାତ୍ରା ଆରମ୍ଭ କରୁଛନ୍ତି
ଗୁଜରାଟ ସୀମା ବାହାରେ: ଉତ୍ତର ଭାରତରେ ସଫଳତା
1995ରେ ବିଜେପିର ସାଧାରଣ ସମ୍ପାଦକ ଭାବେ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ପଠାଗଲା । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାନା ଆଦି ଉତ୍ତର ଭାରତୀୟ ରାଜ୍ୟ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ମଧ୍ୟ ତାଙ୍କୁ ଦିଆଗଲା । ଏହିସବୁ ରାଜ୍ୟମାନଙ୍କରେ ବିଜେପିର ସ୍ଥିତି ଦୁର୍ବଳ ଥିଲା । 15 ବର୍ଷ ଧରି ଉଭୟ ଜାମ୍ମୁ କାଶ୍ମୀର ଓ ପଞ୍ଜାବରେ ଅସ୍ଥିରତା ଲାଗିରହିଥିଲା । 1987ରେ ଅସଙ୍ଗତା ଭିତ୍ତିରେ ଜାମ୍ମୁକାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ 1992ରେ ପଞ୍ଜାବରେ ଅନୁଷ୍ଠିତ ନିର୍ବାଚନକୁ ବିରୋଧି ଦଳମାନେ ପ୍ରତ୍ୟାଖ୍ୟାନ କରିଥିଲେ । 1993 ବିଧାନସଭା ନିର୍ବାଚନ ପରେ ହରିୟାନା କଂଗ୍ରେସ ନିୟନ୍ତ୍ରଣରେ ଥିଲା ଓ ହିମାଚଳରେ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଥିଲା ।
1992ରେ ନରେନ୍ଦ୍ର ମୋଦୀ ଶ୍ରୀନଗରଠାରେ ପତ୍ତାକା ଉତ୍ତୋଳନ କରୁଛନ୍ତି
ଏଠାରେ ମଧ୍ୟ ପୁଣିଥରେ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ସାଂଗଠନିକ ଦକ୍ଷତା ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ହରିୟାନାରେ 1996 ମଧ୍ୟଭାଗରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେପି ବଂଶୀଲାଲଙ୍କ ହରିୟାନା ବିକାଶ ଦଳ ସହ ମେଂଟ କରି 44ଟି ଆସନ ଜିତିବା ସହ ଏଠାରେ ସରକାର ଗଠନ କରିଥିଲା । ବଂଶୀଲାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି 25ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଏଥିମଧ୍ୟରୁ 11ଟି ଆସନରେ ବିଜୟୀ ହୋଇଥିଲା । 1991 ସହିତ ତୁଳନା କଲେ, ଦଳ ଏହି ନିର୍ବାଚନରେ ମୋଟ 90ଟି ଆସନରୁ 89ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିଲା । ଏହାର ଏକ ଦଶନ୍ଧି ପୂର୍ବେ ବଂଶୀଲାଲ ଓ ଦେବୀଲାଲଙ୍କ ସହ ମେଂଟ ଗଠନ କରିବା ବିଜେପି ପାଇଁ କଳ୍ପନା ବାହାରେ ଥିଲା । ମାତ୍ର ଦଳର ମୂଳ ଆଦର୍ଶବାଦରୁ ଓହରିନଯାଇ ଏବଂ ଚତୁରତାର ସହିତ ଏହି ମେଂଟ ଗଠନ କରାଯାଇ ଏହାକୁ ସଫଳ କରାଯାଇ ପାରିଲା ।
ଜାମ୍ମୁ-କାଶ୍ମୀରରେ କିନ୍ତୁ ପରିସ୍ଥିତି ଜଟିଳ ଥିଲା । ବିବାଦୀୟ ପରିସ୍ଥିତି ମଧ୍ୟରେ ଏଠାରେ 1987ର ନିର୍ବାଚନ ଲଢ଼ାଯାଇଥିଲା ଏବଂ 1990ଠାରୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରିଥିଲା । 1996ରେ ଏଠାରେ ଗଣତାନ୍ତ୍ରିକ ସରକାର ପୁଣି ଗଠିତ ହୋଇଥିଲା ଓ ଜନସାଧାରଣ ଫାରୁକ ଅବଦୁଲାଙ୍କ ନ୍ୟାସନାଲ କନଫରେନ୍ସକୁ ଜନମତ ଦେଇଥିଲେ । ଏହି ଦଳ 87ରୁ 57ଟି ଆସନରେ ବିଜୟୀ ହୋଇଥିଲା । ବିଜେପି ଦ୍ୱିତୀୟ ସର୍ବାଧିକ ଆସନ ଜିତିଥିଲା । ଯଦିଏ ଏହି ସଂଖ୍ୟା ଥିଲା 8, ଏହା କିନ୍ତୁ ଦଳପାଇଁ ଏକ ବଡ ବିଜୟ ଥିଲା କାରଣ କଂଗ୍ରେସ ଓ ଜନତା ଦଳଠାରୁ ବିଜେପି ଅଧିକ ଆସନରେ ବିଜୟୀ ହୋଇଥିଲା ।
ନରେନ୍ଦ୍ର ମୋଦୀଙ୍କ ଦାୟିତ୍ୱରେ ଥିବା ହିମାଚଳ ପ୍ରଦେଶର ରାଜନୈତିକ ପରିସ୍ଥିତି ଭିନ୍ନ ଥିଲା । 1990ରେ ମୋଟ 68ଟି ଆସନରୁ 46ଟିରେ ବିଜୟୀ ହୋଇ ବିଜେପି ଏଠାରେ ସରକାର ଗଠନ କରିଥିଲା । ମାତ୍ର 1992ରେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ପରେ ସରକାର ଭାଙ୍ଗିଯାଇଥିଲା । 1993ରେ ପୁଣିଥରେ ନିର୍ବାଚନ ହେଲା, କିନ୍ତୁ ବିଜେପି କିନ୍ତୁ ପରାଜିତ ହୋଇ ମାତ୍ର 8ଟି ଆସନରେ ସୀମିତ ରହିଗଲା । 1998ରେ ବିଜେପି ଓ କଂଗ୍ରେସ ଉଭୟ 31ଟି ଲେଖାଁଏ ଆସନରେ ବିଜୟୀ ହୋଇଥିଲେ ମାତ୍ର ସରକାର ଗଢ଼ିବା ପୂର୍ବତନ ଟେଲିକମ ମନ୍ତ୍ରୀ ସୁଖରାମଙ୍କ ହିମାଚଳ ବିକାଶ କଂଗ୍ରେସ ଉପରେ ନିର୍ଭର ରହିଲା । ଏହି ଦଳ ହାତରେ 5ଟି ବିଧାୟକ ଥିଲେ । ସୁଖରାମଙ୍କୁ ମନେଇବାରେ ନରେନ୍ଦ୍ର ମୋଦୀଙ୍କର ପ୍ରଭାବଶାଳୀ ଭୂମିକା ରହିଥିଲା । ଶେଷରେ ଜଣେ ନୂଆ ମୁହଁ ପ୍ରେମ କୁମାର ଧୁମଲଙ୍କ ନେତୃତ୍ୱରେ ଉଭୟ ଦଳ ମିଳିତ ଭାବେ ସରକାର ଗଠନ କଲେ । ଅବଶ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଧୂମଲ 2007ରେ ପୁଣିଥରେ ସରକାର ଗଠନ କଲେ ଓ ଏହି ସରକାର ପୁରା କାର୍ଯ୍ୟକାଳ ପୂରଣ କରିପାରିଥିଲା ।
ପଞ୍ଜାବରେ ସବୁଠାରୁ ବଡ ସଫଳତା ମିଳିଥିଲା । 1997 ବିଧାନ ସଭା ନିର୍ବାଚନରେ ଅକାଳୀ ଓ ବିଜେପି ମୋଟ 117ରୁ 93ଟି ଆସନ ଜିତି ସରକାର ଗଠନ କରିଥିଲେ । ବିଜେପି 22ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 18ଟିରେ ଜିତିଥିଲା ଓ ଏହାର ଭୋଟ ପରିଣାମ ଥିଲା ଶତକଡା 48.22ପ୍ରତିଶତ । ଏହାର ଗୋଟିଏ ବର୍ଷ ପୂର୍ବରୁ 1996ରେ ମୋଦୀ ଚଣ୍ଡିଗଡ ପୌରପାଳିକା ନିର୍ବାଚନରେ ବିଜେପି ନିର୍ବାଚନ ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ଦଳ ତିନି ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ବିଜୟ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଚଣ୍ଡିଗଡ ପୌର ପାଳିକାରେ କିଛିଭାଗ ସଦସ୍ୟ ଅଣବିଜେପି ସରକାର ଦ୍ୱାରା ନିଯୁକ୍ତ ଉପ-ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେଉଥିଲେ । ମୋଦୀଙ୍କ ଦୂରଦୃଷ୍ଟିକୁ ଆଧାର କରି ଦଳ 1998ରେ ସତ୍ୟପାଳ ଜୈନଙ୍କୁ ଚଣ୍ଡିଗଡ ଲୋକସଭା ଆସନରେ ଲଢ଼ିବା ପାଇଁ ବାଛିଥିଲା ଏବଂ ସେ ପୱନ କୁମାର ବଂଶଲଙ୍କୁ ପରାସ୍ତ କରିଥିଲେ ।
ନରେନ୍ଦ୍ର ମୋଦୀ ଓ ପ୍ରକାଶ ସିଂ ବାଦଲ
ସଂସଦୀୟ ନିର୍ବାଚନରେ ଜଣେ ସଙ୍ଗଠକ ଭାବେ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସାଜନକ ଥିଲା । ଗୁଜରାଟରୁ ବାହାରେ ଥିବାର 6 ବର୍ଷ ମଧ୍ୟରେ ମୋଦୀ 3ଟି ସଂସଦୀୟ ନିର୍ବାଚନର ସମ୍ମୁଖୀନ ହୋଇଥିଲେ । ସେ ଏହି ରାଜ୍ୟଗୁଡ଼ିକର ମୁଖ୍ୟ ଦାୟିତ୍ୱରେ ଥିବା ସମୟରେ ପ୍ରଥମ ନିର୍ବାଚନରେ ବିଜେପି ଜାମ୍ମୁ କାଶ୍ମୀରରେ ଗୋଟିଏ, ହରିୟାନାରେ 4ଟି ଆସନ ଜତିଥିବା ବେଳେ ପଞ୍ଜାବ ଓ ହିମାଚଳ ପ୍ରଦେଶରେ ମୂଳପୋଛ ହୋଇଯାଇଥିଲା । ମାତ୍ର 1999ରେ ଦଳ ଜାମ୍ମୁକାଶ୍ମୀରରେ 2ଟି, ହିମାଚଳପ୍ରଦେଶରେ 3ଟି, ପଞ୍ଜାବରେ ଗୋଟିଏ ଓ ହରିୟାନାରେ 5ଟି ଆସନରେ ବିଜୟୀ ହୋଇଥିଲା ।
1998ରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶପଥ ଗ୍ରହଣ ଉତ୍ସବ
1998ରେ ନରେନ୍ଦ୍ର ମୋଦୀଙ୍କୁ ସାଂଗଠନିକ କ୍ଷେତ୍ର ପାଇଁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କରାଗଲା । ଏହି ପଦ ଦଳର ସାଂଗଠନିକ କ୍ଷେତ୍ର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସମଗ୍ର ଦେଶରେ ଦଳର କାର୍ଯ୍ୟଧାରାକୁ ସଙ୍ଗଠିତ କରିବା ଏହି ପଦବୀଧାରୀର ଦାୟିତ୍ୱ ହୋଇଥାଏ । ପୂର୍ବରୁ କେଶୁଭାଇ ଠାକରେ ଓ ସୁନ୍ଦର ସିଂ ଭଣ୍ଡାରୀ ଏହି ପଦବୀରେ ରହିଥିଲେ । 1999ରେ ସେ ଦଳର ସାଙ୍ଗଠନିକ କ୍ଷେତ୍ରରେ ସାଧାରଣ ସମ୍ପାଦକ ଥିବା ସମୟରେ ଦଳ ଲୋକସଭା ନିର୍ବାଚନରେ ସର୍ବାଧିକ 182ଟି ଆସନରେ ବିଜୟୀ ହୋଇଥିଲା ।
2014 ଲୋକସଭା ନିର୍ବାଚନ 2013 ଜୁନ ମାସରେ ଅନୁଷ୍ଠିତ ହୋଇଥିଲା ଏବଂ 2013 ସେପ୍ଟେମର 13 ତାରିଖରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଉଛି
କାର୍ଯ୍ୟାଳୟ ସଫାଠାରୁ ଆରମ୍ଭ କରି ପଂଚାୟତ ଏବଂ ସଂସଦୀୟ ନିର୍ବାଚନ ପ୍ରଚାରର ଅଂଶବିଶେଷ ହେବା, ଏକ ଦଳୀୟ ସଙ୍ଗଠନ ପାଇଁ ଆବଶ୍ୟକ ପ୍ରତ୍ୟେକ ଘଟଣାକୁ ଶ୍ରୀ ମୋଦୀ ଦେଖିଛନ୍ତି । ତେବେ ଯାହାକୁ ସେ ସ୍ପର୍ଶ କରିଛନ୍ତି, ସେସବୁ ସଫଳ ହୋଇଛି । ସେ ଯେ ବିଜେପିର ଚମତ୍କାରୀ ପୁରୁଷ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ।