ଦଶନ୍ଧିର ଶେଷବେଳକୁ 1960 ମେ 1 ତାରିଖରେ ଗୁଜୁରାଟ ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ଉନ୍ମାଦନା ଓ ଉଚ୍ଚ ଆଶାବାଦ ଶେଷ ହୋଇଯାଇଥିଲା । ଦ୍ରୁତ ସଂସ୍କାର ଓ ପ୍ରଗତିର ସ୍ୱପ୍ନ ଦୂର ହୋଇ ଗୁଜୁରାଟର ଜନସାଧାରଣଙ୍କ ମନରେ ଏକପ୍ରକାର ଭ୍ରମ ସୃଷ୍ଟି ହୋଇଥିଲା । ଇନ୍ଦୁଲାଲ ୟାଗ୍ନିକ ଓ ଜିବରାଜ ମେହଟ୍ଟାଙ୍କ ଭଳି ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱଙ୍କ ସଙ୍ଘର୍ଷ ଓ ତ୍ୟାଗ ରାଜନୈତିକ କ୍ଷମତା ଓ ଅର୍ଥର ଲୋଭ ପାଇଁ ବିଫଳ ହୋଇଯାଇଥିଲା । 1960 ଶେଷବେଳକୁ ଓ 1970 ପ୍ରାରମ୍ଭରେ ଗୁଜୁରାଟରେ କଂଗ୍ରେସ ସରକାର ଦ୍ୱାରା ଦୁର୍ନୀତି ଓ କୁଶାସନ ଚରମ ସୀମାରେ ପହଞ୍ଚିଥିଲା । 1971ରେ ଭାରତ ପାକିସ୍ତାନକୁ ଯୁଦ୍ଧରେ ପରାସ୍ତ କରିଥିଲା ଓ ଜନସାଧାରଣଙ୍କୁ ଦାରିଦ୍ର୍ୟ ଦୂରିକରଣର ଆଶାଦେଇ କଂଗ୍ରେସ ପୁଣି କ୍ଷମତାକୁ ଆସିଥିଲା । ଏହି ଆଶା ଫମ୍ପା ସାବ୍ୟସ୍ତ ହେଲା ଯେହେତୁ ‘ଗରିବୀ ହଟାଅ’ ସ୍ଳୋଗାନ କ୍ରମଶଃ ‘ଗରିବ ହଟାଅ’ରେ ପରିବର୍ତ୍ତିତ ହେଲା । ଗରିବମାନଙ୍କ ଜୀବନଧାରା ଆହୁରି ଖରାପ ହେବାରେ ଲାଗିଲା । ଭୟଙ୍କର ଦୁର୍ଭିକ୍ଷ ଓ ମୂଲ୍ୟବୃଦ୍ଧି ଯୋଗୁ ଗୁଜୁରାଟରେ ଏହି ପରିସ୍ଥିତି ଆହୁରି ସଂଗୀନ ହେବାରେ ଲାଗିଲା । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପାଇଁ ଲୋକମାନେ ବଡ ବଡ ଧାଡିରେ ଠିଆହେବା ରାଜ୍ୟରେ ଏକ ସାଧାରଣ ଦୃଶ୍ୟରେ ପରିଣତ ହେଲା । ସାଧାରଣ ଜନତା ପାଇଁ ଜୀବନ ଦୁର୍ବିସହ ହୋଇପଡିଲା ।
ପରିସ୍ଥିତିକୁ ମୁକାବିଲା କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ, ଗୁଜୁରାଟରେ କଂଗ୍ରେସ ସରକାର ଭାଗ ଭାଗ ହୋଇ ନିଜ ନିଜ ମଧ୍ୟରେ ବିବାଦରେ ଲିପ୍ତ ହେବା ସହ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଲେ । ଏହାଫଳରେ ଘନଶ୍ୟାମ ଓଝାଙ୍କ ସରକାର ଭାଙ୍ଗିଗଲା ଓ ତାଙ୍କ ସ୍ଥାନରେ ଚିମନଭାଇ ପଟେଲଙ୍କୁ ଦାୟିତ୍ୱ ଦିଆଗଲା । ମାତ୍ର ଏହି ସରକାର ମଧ୍ୟ ସମାନଭାବେ ଅସମର୍ଥ ସାବ୍ୟସ୍ତ ହେଲେ ଓ ଗୁଜୁରାଟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲା । ଏହି ଅସନ୍ତୋଷ କ୍ରୋଧରେ ରୁପାନ୍ତରିତ ହେଲା ଏବଂ ଏହାର ଫଳସ୍ୱରୂପ 1973 ଡିସେମ୍ବରରେ ମୋରବି ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ଖାଦ୍ୟ ବିଲ୍ ରେ ଅତ୍ୟଧିକ ଦେୟ ବୃଦ୍ଧି ଯୋଗୁ ପ୍ରତିବାଦ କଲେ । ଏହି ପ୍ରତିବାଦକୁ ଚାରିଆଡୁ ସମର୍ଥନ ମିଳିଲା ଓ କ୍ରମେ ଏହା ରାଜ୍ୟବ୍ୟାପୀ ସରକାର ବିରୋଧି ଗଣ ଆନ୍ଦୋଳନରେ ପରିଣତ ହେଲା । ସମସ୍ତ ଉଦ୍ୟମ ସତ୍ତ୍ୱେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଅସନ୍ତୋଷକୁ ଶାନ୍ତ କରିବାରେ ବିଫଳ ହେଲେ । ପରିସ୍ଥିତି ଆହୁରି ସଂଗୀନ ହୋଇପଡିଲା ଯେତେବେଳେ ଗୁଜୁରାଟର ତତ୍କାଳୀନ ଶିକ୍ଷାମନ୍ତ୍ରୀ ଏହି ଆନ୍ଦୋଳନ ପାଇଁ ଜନସଙ୍ଘକୁ ଦୋଷାରୋପ କଲେ ଯଦିଓ ଏହା ଦୁର୍ନୀତି ଓ ମୂଲ୍ୟବୃଦ୍ଧି ବିରୋଧରେ ଏକ ଜନ ଆନ୍ଦୋଳନ ଥିଲା । 1973 ବେଳକୁ ନରେନ୍ଦ୍ର ମୋଦି ସାମାଜିକ କାର୍ଯ୍ୟରେ ବିଶେଷ ଭାବେ ଆଗ୍ରହ ପୋଷଣ କରୁଥିଲେ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରୁଥିବା ମୂଲ୍ୟବୃଦ୍ଧି, ମୁଦ୍ରାସ୍ପୀତି ଓ ଅନ୍ୟ କେତେକ ଆନ୍ଦୋଳନରେ ଅଂଶଗ୍ରହଣ କରିସାରିଥିଲେ । ଜଣେ ଯୁବ ପ୍ରଚାରକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସହାୟକ ଭାବେ ନରେନ୍ଦ୍ର ନବନିର୍ମାଣ ଆନ୍ଦୋଳନରେ ଯୋଗଦେଲେ ଓ ତାଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱର ସଠିକ ଭାବେ ନିର୍ବାହ କଲେ । ପ୍ରତ୍ୟେକ ଦୃଷ୍ଟିରୁ ନବନିର୍ମାଣ ଆନ୍ଦୋଳନ ଏକ ଗଣ ଆନ୍ଦୋଳନ ଥିଲା କାରଣ ସମାଜର ସବୁ ବର୍ଗର ସାଧାରଣ ନାଗରିକ ଏହା ସପକ୍ଷରେ ସ୍ୱର ଉଠାଇଥିଲେ । ସମାଜରେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ଓ ଦୁର୍ନୀତି ବିରୋଧି ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କ ସମର୍ଥନ ପାଇଲା ପରେ ଏହି ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହୋଇଉଠିଲା । ଜୟପ୍ରକାଶ ନାରାୟଣ ହାଇଦ୍ରାବାଦରେ ରହୁଥିବାରୁ ଏହି ମହାନ ନେତାଙ୍କ ସହ ଭାବ ବିନିମୟ କରିବା ପାଇଁ ନରେନ୍ଦ୍ରଙ୍କୁ ଏକ ବିଶେଷ ସୁଯୋଗ ମିଳିଲା । ଏହି ବୟୋଜ୍ୟେଷ୍ଠ ନେତାଙ୍କ ସହ ଅନେକ ଆଲୋଚନା ଫଳରେ ଯୁବକ ନରେନ୍ଦ୍ରଙ୍କ ଉପରେ ଗଭୀର ପ୍ରଭାବ ପଡିଲା ।
ନବନିର୍ମାଣ ଆନ୍ଦୋଳନ ଏକ ବଡଧରଣର ସଫଳତା ଥିଲା ଏବଂ ମାତ୍ର ଛଅମାସ କ୍ଷମତାରେ ରହିବା ପରେ ଚିମନଭାଇ ପଟେଲଙ୍କୁ ଇସ୍ତଫା ପ୍ରଦାନ କରିବାକୁ ପଡିଲା । ପୁଣିଥରେ ନିର୍ବାଚନ ହେଲା ଓ କଂଗ୍ରେସ ସରକାରଙ୍କୁ ଜନତା ପ୍ରତ୍ୟାଖ୍ୟାନ କଲେ । ଆହୁରି ଲଜ୍ଜାକର ଘଟଣା ହେଲା 1975 ଜୁନ 12ରେ ଗୁଜୁରାଟ ନିର୍ବାଚନ ଫଳାଫଳ ଘୋଷଣା ହେଲା ଏବଂ ଏହିଦିନ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନରେ ଦୁର୍ନୀତି କରିଥିବା ନେଇ ଦୋଷୀ ଘୋଷଣା କଲା ଓ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟିହେଲା । ଏହାର ଗୋଟିଏ ସପ୍ତାହ ପରେ ବାବୁଭାଇ ଯଶଭାଇ ପଟେଲଙ୍କ ନେତୃତ୍ୱରେ ଗୁଜୁରାଟରେ ଏକ ନୂଆ ସରକାର ଗଠନ ହେଲା । ନବନିର୍ମାଣ ଆନ୍ଦୋଳନ ନରେନ୍ଦ୍ରଙ୍କ ପାଇଁ ଥିଲା ପ୍ରଥମ ଗଣ ଆନ୍ଦୋଳନ ଓ ଏହାଫଳରେ ସାମାଜିକ ଘଟଣା ନେଇ ତାଙ୍କ ବୈଷ୍ୱିକ ଦୃଷ୍ଟିକୋଣ ବହୁଭାବେ ବୃଦ୍ଧି ପାଇଥିଲା । ଏହି ଘଟଣା ପରେ ନରେନ୍ଦ୍ର ମୋଦି ତାଙ୍କ ରାଜନୈତିକ ଜୀବନର ପ୍ରଥମ ପଦବୀ ପାଇଥିଲେ । 1975ରେ ତାଙ୍କୁ ଗୁଜୁରାଟ ଲୋକ ସଙ୍ଘର୍ଷ ସମିତିର ସାଧାରଣ ସମ୍ପାଦକ କରାଯାଇଥିଲା । ଏହି ଆନ୍ଦୋଳନ ସମୟରେ ସେ ଖୁବ ନିକଟରୁ ଛାତ୍ରମାନଙ୍କ ସମସ୍ୟା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଅଭିଜ୍ଞତା ତାଙ୍କ ପାଇଁ ବେଶ କାମ ଦେଇଥିଲା । 2001 ପରଠାରୁ ସେ ଗୁଜୁରାଟର ଯୁବକମାନଙ୍କ ପାଇଁ ବିଶ୍ୱସ୍ତରୀୟ ଶିକ୍ଷା ଉପଲବ୍ଧ କରାଇବା ଲାଗି ଶିକ୍ଷାରେ ସଂସ୍କାର ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ନବନିର୍ମାଣ ଆନ୍ଦୋଳନ ପରେ ଗୁଜୁରାଟରେ ଆଶାବାଦ ଖୁବ୍ କମ ଦିନ ପାଇଁ ରହିଥିଲା । 1975 ଜୁନ 25 ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହାଫଳରେ ସାମାଜିକ ସ୍ୱାଧୀନତା ଓ ବାକ୍ ସ୍ୱାଧୀନତା ଉପରେ ରୋକ ଲଗାଇ ଦିଆଗଲା । ନରେନ୍ଦ୍ର ମୋଦିଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଆରମ୍ଭ ହୋଇଯାଇଥିଲା ।