ଆପଣମାନେ ଜାଣନ୍ତି କି ରାଜନୈତିକ ଦୂନିଆକୁ ଆସିବା ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି (ବିଜେପି) ସଂଗଠନ ସହିତ ଅନେକ ବର୍ଷ ଧରି ସମ୍ପୃକ୍ତ ଥିଲେ । ଯେଉଁଠାରେ ତାଙ୍କର ସାଂଗଠନିକ କୁଶଳତା ଏବଂ ତୃଣମୂଳ ସ୍ତରର ଦୃଷ୍ଟିକୋଣ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପ୍ରିୟଭାଜନ କରାଇପାରିଥିଲା ।
1987 ମସିହାରେ ଶ୍ରୀ ନରେନ୍ଦ୍ର ମୋଦୀ ବିଜେପିରେ ସାମିଲ ହୋଇଥିଲେ । ସେତେବେଳେ ତାଙ୍କୁ 1987 ଅହମଦାବାଦ ନଗର ନିଗମ ନିର୍ବାଚନ ପ୍ରଚାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତାଙ୍କର ଓଜସ୍ୱୀ ନିର୍ବାଚନୀ ପ୍ରଚାର ବିଜେପିକୁ ସେଠାରେ ବିଜୟର ମୁକୁଟ ପିନ୍ଧାଇଥିଲା ।
1990 ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଗଠନ କରାଯାଇଥିବା କୋର ଟିମରେ ସେ ସଦସ୍ୟ ଥିଲେ । ସେଠାରେ କଂଗ୍ରେସର ଦଶନ୍ଧି ଧରି ଚାଲିଥିବା ଶାସନକୁ ନିର୍ବାଚନ ଫଳାଫଳ ଓଲଟ ପାଲଟ କରିଦେଇଥିଲା ଏବଂ କଂଗ୍ରେସକୁ ଶାସନ ଗାଦି ଛାଡିବାକୁ ବାଧ୍ୟ କରିଥିଲା । 1980ରେ 141ଟି ଆସନ ଓ 1985ରେ 149ଟି ଆସନରେ ସଫଳତା ମିଳିଥିଲା । 33ଟି ଆସନରେ କଂଗ୍ରେସ ପରାଜିତ ହୋଇଥିବାବେଳେ ବିଜେପି 67ଟି ଆସନରେ ବିଜୟ ହାସଲ କରି ଶ୍ରୀ ଚିମନଭାଇ ପଟେଲଙ୍କ ସହିତ ମିଳିତ ସରକାର ଗଠନ କରିଥିଲା । ସ୍ୱଳ୍ପ ସମୟ ପାଇଁ ଏହି ମିଳିତ ସରକାର ଥିଲାବେଳେ ଗୁଜୁରାଟରେ ବିଜେପି ଦୁର୍ଜୟ ଶକ୍ତି ଭାବେ ନିଜର ସ୍ଥିତି ସୁଦୃଢ କରିଥିଲା ।
1995 ମସିହାରେ, ପୁନର୍ବାର ଶ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଧାନସଭା ନିର୍ବାଚନ ପ୍ରଚାରରେ ସକ୍ରୀୟ ଭାବେ ସାମିଲ ହୋଇଥିଲେ, ସେତେବେଳେ ବିଜେପି ପ୍ରଥମ ଥର ପାଇଁ 182ଟି ଆସନରୁ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିଲା । ଏକ ଐତିହାସିକ ପରିଣାମ କ୍ରମେ ଦଳକୁ 121ଟି ଆସନରେ ସଫଳତା ମିଳିଥିଲା ଏବଂ ସରକାର ଗଠନ କରିଥିଲା ।
1996 ମସିହାରେ ଶ୍ରୀ ମୋଦୀଙ୍କୁ ବିଜେପିର ରାଷ୍ଟ୍ରୀୟ ସଚିବ ପଦରେ ଅବସ୍ଥାପିତ କରାଯିବାରୁ ସେ ଦିଲ୍ଲୀ ଯାଇଥିଲେ । ତାଙ୍କୁ ଉତ୍ତର ଭାରତର ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଭଳି ପ୍ରମୁଖ ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଗଲା । 1998 ମସିହାରେ ହିମାଚଳ ପ୍ରଦେଶରେ ବିଜେପି ବିଜୟ ହାସଲ କରି ସରକାର ଗଠନ କରିଥିଲା ବେଳେ 1996 ମସିହାରେ ହରିୟାନାରେ ମିଳିତ ସରକାର ଗଠନ କରିଥିଲା । ସେହିଭଳି 1997 ମସିହାରେ ପଞ୍ଜାବ ଏବଂ ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ଦିଲ୍ଲୀରେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ଯୋଗୁ ତାଙ୍କୁ ସର୍ଦ୍ଦାର ପ୍ରକାଶ ସିଂ ବାଦଲ, ବଂଶୀଲାଲ ଏବଂ ଫାରୁକ ଅବଦୁଲ୍ଲାଙ୍କ ଭଳି ଟାଣୁଆ ନେତାମାନଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ।
ଶ୍ରୀ ମୋଦୀଙ୍କୁ ମହାସଚିବ (ସଂଗଠନ) ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏହି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୂର୍ବରୁ ସୁନ୍ଦର ସିଂ ଭଣ୍ଡାରୀ ଏବଂ କୁଶାଭାଉ ଠାକରେଙ୍କ ଭଳି ବହୁ ପ୍ରବୀଣ ଓ ତୁଙ୍ଗ ନେତା ଅବସ୍ଥାପିତ ଥିଲେ । ମହାସଚିବ (ସଂଗଠନ) ଭାବେ 1998 ମସିହା ଏବଂ 1999 ମସିହା ଲୋକସଭା ନିର୍ବାଚନ ପ୍ରଚାରରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଦୁଇଟି ନିର୍ବାଚନରେ ବିଜେପି ଏକକ ବୃହତ ଦଳ ଭାବେ ପରିଗଣିତ ହେଲା ଏବଂ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ସରକାର ଗଠନ କରାଗଲା ।
ସଂଗଠନରେ ରହି ଶ୍ରୀ ମୋଦୀ ନୂତନ ନେତୃତ୍ୱକୁ ପ୍ରସ୍ତୁତ କରୁଥିଲେ । ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ନିର୍ବାଚନ ପ୍ରଚାରରେ ନୂତନ ପ୍ରଯୁକ୍ତି କୌଶଳର ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ । ଶ୍ରୀ ମୋଦୀଙ୍କର ଏହିସବୁ କାର୍ଯ୍ୟ ଦଳକୁ ସମୃଦ୍ଧ କରି ଗଢି ତୋଳିଥିଲା । ମାତ୍ର ଦୁଇଜଣ ସାଂସଦରୁ ବିଜେପିକୁ କେନ୍ଦ୍ରରେ 1998 ରୁ 2004 ମସିହା ପର୍ଯ୍ୟନ୍ତ କ୍ଷମତାସୀନ କରାଇ ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବାରେ ସହାୟକ ହୋଇଥିଲା ।