“ମା ଗଙ୍ଗାଙ୍କୁ ସେବା କରିବା ମୋର ଭାଗ୍ୟ,” ଉତ୍ତର ପ୍ରଦେଶରେ ଗଙ୍ଗା କୂଳରେ ଅବସ୍ଥିତ ବାରଣାସୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ 2014 ମେ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ମନ୍ତବ୍ୟ ଦେଇଥିଲେ ।
କେବଳ ସାଂସ୍କୃତିକ କିମ୍ବା ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ପାଇଁ ଗଙ୍ଗା ନଦୀ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଦେଶର ଶତକଡା 40 ପ୍ରତିଶତ ଜନସାଧାରଣଙ୍କୁ ଆତିଥେୟତା ପ୍ରଦାନ କରିଥାଏ । 2014ରେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନଠାରେ ଭାରତୀୟ ସମାଜକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଯଦି ଗଙ୍ଗା ନଦୀକୁ ସଫା କରିବାରେ ସମର୍ଥ ହେଉ, ତେବେ ଏହା ଦେଶର ଶତକଡା 40 ପ୍ରତିଶତ ଜନସାଧାରଣଙ୍କ ପାଇଁ ସହାୟକ ହେବ । ତେଣୁ ଗଙ୍ଗାକୁ ସଫା କରିବା ମଧ୍ୟ ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ।”
ଏହି ଅନ୍ତର୍ଦୃଷ୍ଟିକୁ କାର୍ଯ୍ୟରେ ରୂପାନ୍ତରଣ ସ୍ୱରୂପ ସରକାର ଗଙ୍ଗାକୁ ପ୍ରଦୁଷଣ ମୁକ୍ତ ଓ ପୁନର୍ଜୀବିତ କରିବା ପାଇଁ ‘ନମାମି ଗଙ୍ଗେ’ ନାମରେ ଏକ ସମନ୍ୱିତ ଗଙ୍ଗା ସୁରକ୍ଷା ଯୋଜନା ଆରମ୍ଭ କଲେ । 2019-20ସୁଦ୍ଧା ଏହି ନଦୀକୁ ସଫା କରିବା ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ 20,000 କୋଟି ଟଙ୍କାର ଏକ କାର୍ଯ୍ୟ ଯୋଜନାକୁ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛି । ଏହା ଏକ କେନ୍ଦ୍ରୀୟ ଯୋଜନା ଓ ଏଥିପାଇଁ କେନ୍ଦ୍ର ଶତକଡା 100 ପ୍ରତିଶତ ବ୍ୟୟ ଭାର ଗ୍ରହଣ କରିବା ସହ ଏଥିନିମେନ୍ତ ବଜେଟକୁ 4 ଗୁଣ ବୃଦ୍ଧି କରିଛି ।
ଗଙ୍ଗାକୁ ପୁନର୍ଜୀବିତ କରିବା ପାଇଁ ଯେଉଁସବୁ ଆହ୍ୱାନ ରହିଛି ସେଗୁଡ଼ିକ ବିବିଧ କ୍ଷେତ୍ର ଓ ଦିଗ ବିଶିଷ୍ଟ ଏବଂ ଏଥିନିମନ୍ତେ ବିବିଧ ଭାଗିଦାରୀତାର ମଧ୍ୟ ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗିତା ସ୍ଥାପନ କରାଯାଇ କାର୍ଯ୍ୟ ଯୋଜନା ସ୍ଥିର କରାଯିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଏହାର ପରିଚାଳନା ପାଇଁ ପ୍ରୟାସ କରାଯାଇଛି ।
ଏହି ଯୋଜନାର କାର୍ଯ୍ୟକାରିତାକୁ ପ୍ରାରମ୍ଭିକ (ତୁରନ୍ତ ଆଖିଦୃଷ୍ଟିଆ ପ୍ରଭାବ ପାଇଁ), ମଧ୍ୟମ ମିଆଦି (5 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ) ଓ ଦୀର୍ଘ ମିଆଦି (10 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ) ଆଦି 3ଟି ଭାଗରେ ବିଭକ୍ତ କରାଯାଇଛି ।
ପ୍ରାରମ୍ଭିକ ଯୋଜନା ମଧ୍ୟରେ ରହିଛି ଭାସମାନ କଠିନ ଦ୍ରବ୍ୟସବୁ ହଟାଯାଇ ନଦୀର ଉପରି ଭାଗକୁ ସଫା କରାଯିବ । ପ୍ରଦୁଷଣ(କଠିନ ଓ ତରଳ ପଦାର୍ଥ ଜନିତ) ଦୂର କରିବା ପାଇଁ ଗ୍ରାମାଂଚଳକୁ ପରିସ୍କାର ପରିଚ୍ଛନ୍ନ କରାଯିବ । ଏହାର କାରଣ ହେଲା ଗ୍ରାମାଂଚଳରୁ ଆସୁଥିବା ନର୍ଦ୍ଦମାର ମଇଳା ପାଣି ଯୋଗୁ ହିଁ ପ୍ରଦୁଷଣ ସୃଷ୍ଟି ହୋଇଥାଏ । ତେଣୁ ପାଇଖାନା ଓ ମଶାଣି ଆଦିର ନିର୍ମାଣ, ପୁନନିର୍ମାଣ କିମ୍ବା ପୁନରୁଦ୍ଧାର କରାଯିବ । ମଶାଣି ସୁବିଧା ନଥିବାରୁ ପୋଡା ହୋଇନଥିବା କିମ୍ବା ଅଧା ପୋଡା ହୋଇଥିବା ଶବଗୁଡ଼ିକ ପାଣିରେ ମିଶିବା ଫଳରେ ପ୍ରଦୁଷଣ ବଢ଼ିଥାଏ । ନଦୀର ବ୍ୟବହାରକୁ ସୁସଙ୍ଗତ କରିବା ପାଇଁ ଘାଟ ଗୁଡ଼ିକୁ ଅତ୍ୟାଧୁନିକ ଢ଼ଙ୍ଗରେ ନିର୍ମାଣ କିମ୍ବା ମରାମତି କରାଯିବ ।
ମଧ୍ୟମ ମିଆଦି ଯୋଜନା ପୌରାଂଚଳ ଓ ଶିଳ୍ପ କାରଖାନା ମାନଙ୍କରୁ ନିର୍ଗତ ବର୍ଜ୍ୟବସ୍ତୁ କିପରି ନଦୀରେ ମିଶି ପ୍ରଦୁଷଣ ସୃଷ୍ଟି ନକରେ ତା’ ଉପରେ ଗୁରୁତ୍ୱ ଦେବ । ମୁନିସପାଲ ନର୍ଦ୍ଦମା ମାଧ୍ୟମରେ ପ୍ରଦୁଷଣ ରୋକାଯିବା ଉଦ୍ଦେଶ୍ୟରେ ଆଗାମୀ 5 ବର୍ଷ ମଧ୍ୟରେ ଏହାର ଧାରକ କ୍ଷମତାକୁ 2500 ଏମଏଲଡିକୁ ବୃଦ୍ଧି କରାଯିବ । ଦୀର୍ଘ ମିଆଦ ଭିତ୍ତିରେ ଏହ କାର୍ଯ୍ୟକ୍ରମକୁ ଫଳପ୍ରଦ, ସ୍ଥାୟୀ ଓ ଉତ୍ତରଦାୟୀ କରିବା ପାଇଁ ବଡ ଧରଣର ଆର୍ଥିକ ସଂସ୍କାର ଅଣାଯିବ । ସରକାରି ଓ ଘରୋଇ ଭାଗିଦାରିତା ମଡେଲରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନିମନ୍ତେ କ୍ୟାବିନେଟରେ ଏବେ ବିଚାର କରାଯାଉଛି । ଯଦି ଏହା ଅନୁମୋଦନ ଲାଭ କରେ ତେବେ ବଡବଡ ସହରମାନଙ୍କରେ ସ୍ୱତନ୍ତ୍ର ଭାବେ ନିର୍ମିତ ଗାଡି ଦ୍ୱାରା ବର୍ଜ୍ୟବସ୍ତୁ ନିସ୍କାସନ କରାଯିବ । ନିସ୍କାସିତ ପାଣିର ପୁନର୍ବ୍ୟବହାର ହୋଇପାରୁଥିବା ବ୍ୟବସ୍ଥାଭିତ୍ତିକ ବଜାର ନିର୍ମାଣ କରାଯିବ ଓ ବିଭିନ୍ନ ପଦାର୍ଥଗୁଡ଼ିକ କିପରି ଦୀର୍ଘଦିନ ବ୍ୟବହାରକ୍ଷମ ହୋଇପାରିବ ତାହା ନିଶ୍ଚିତ କରାଯିବ ।
ଶିଳ୍ପ କାରଖାନା ମାନଙ୍କରୁ ନିର୍ଗତ ପ୍ରଦୁଷଣକୁ ରୋକାଯିବା ପାଇଁ ଆଇନଗତ ପଦକ୍ଷେପ ମାଧ୍ୟମରେ ଏଗୁଡ଼ିକୁ ସୁବ୍ୟବସ୍ଥିତ କରାଯିବା ପାଇଁ ସହମତି ସୃଷ୍ଟି କରାଯିବ । ଗଙ୍ଗା ନିକଟରେ ଅବସ୍ଥିତ ଅଧିକ ପ୍ରଦୁଷଣ ସୃଷ୍ଟି କରୁଥିବା ଶିଳ୍ପ କାରଖାନାମାନଙ୍କୁ ଖୁବ କମ କିମ୍ବା ଆଦୌ ତରଳ ବର୍ଜ୍ୟବସ୍ତୁ ନଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଏହି ସବୁ ଦିଗରେ ସଫଳତା ହାସଲ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କ ସହ ଏ ସମ୍ବନ୍ଧରେ ସବିସ୍ତାର ଭାବେ ପରାମର୍ଶ କରାଯାଇ ଏହାର କାର୍ଯ୍ୟକାରିତା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ଶିଳ୍ପ ପ୍ରତିଷ୍ଠାନକୁ ରିଅଲ ଟାଇମ ଅନ-ଲାଇନ ଶିଳ୍ପବର୍ଜ୍ୟ ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ପଡିବ ।
ଏସବୁ ବ୍ୟତୀତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା, ଜଙ୍ଗଲ ସୃଷ୍ଟି, ଜଳର ଗୁଣାତ୍ମକ ମାନ ପରୀକ୍ଷା ମଧ୍ୟ କରାଯାଉଛି । ଡଲଫିନ, ଘଡିଆଳ, କଇଁଚ ଏବଂ ଓଧ ପ୍ରମୁଖ ଦୁର୍ଲ୍ଲଭ ଜୀବମାନଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି । ସେହିପରି ‘ନମାମି ଗଙ୍ଗେ’ ଅଧୀନରେ ଜଳସ୍ତର ବୃଦ୍ଧି, ମୃତ୍ତିକା କ୍ଷୟ ହ୍ରାସ ଓ ନଦୀ ଜୈବ ମଣ୍ଡଳର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ 30,000 ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯିବ । 2016ରୁ ଏହି ଜଙ୍ଗଲ ସୃଷ୍ଟି କାର୍ଯ୍ୟକ୍ରମ ଆରମ୍ଭ ହେବ । ଜଳର ଗୁଣାତ୍ମକ ମାନ ପରିଚାଳନା କରିବା ପାଇଁ 113ଟି ଜଳ ଗୁଣାତ୍ମକ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଦୀର୍ଘକାଳିନ ଭିତ୍ତିରେ ଇ-ପ୍ରବାହ, ଜଳ ବ୍ୟବହାରରେ ସକ୍ଷମତା ଓ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଅଣାଯାଇ ନଦୀରେ ପ୍ରଚୁର ଜଳ ପ୍ରବାହିତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି ।
ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଗୁରୁତ୍ୱ ଦୃଷ୍ଟିରୁ ଏବଂ ବିଭିନ୍ନ ବ୍ୟବହାର ପାଇଁ ଗଙ୍ଗା ଜଳକୁ ବ୍ୟବହାର କରାଯାଇଥିବାରୁ ଏହି ନଦୀକୁ ସଫା କରିବା ଏକ ଜଟିଳ ପ୍ରକ୍ରିୟା । ବିଶ୍ୱରେ ଏପରି ଜଟିଳ ଯୋଜନା କେବେହେଲେ ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ । ଏହି ଯୋଜନାର ସଫଳତା ପାଇଁ ବିଭିନ୍ନ ବର୍ଗର ପ୍ରତ୍ୟେକ ନାଗରିକ ଏଥିରେ ଅଂଶଗ୍ରହଣ କରିବା ଆବଶ୍ୟକ । ଗଙ୍ଗା ନଦୀର ସଫେଇ କାର୍ଯ୍ୟ ପାଇଁ ଆମେମାନେ ସମସ୍ତେ ବିଭିନ୍ନ ଉପାୟରେ ଯୋଗଦାନ କରିପାରିବା ।
- ଆର୍ଥିକ ଯୋଗଦାନ: ଗଙ୍ଗା ଭଳି ବିରାଟ ନଦୀର ଗୁଣାତ୍ମକ ମାନ ବଜାୟ ରଖିବାକୁ ହେଲେ ବହୁ ଅଧିକ ପୁଞ୍ଜିନିବେଶ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ ସରକାର ବଜେଟରେ 4 ଗୁଣ ଅଧିକ ଅର୍ଥ ବରାଦ କରିଛନ୍ତି । ମାତ୍ର ଆବଶ୍ୟକତା ଅନୁସାରେ ଏହା ଯଥେଷ୍ଟ ହେବ ନାହିଁ । ଗଙ୍ଗା ସଫେଇ ଅନୁଦାନ ଯୋଜନା ପ୍ରତିଷ୍ଠା କରାଯାଇଛି ଏବଂ ଗଙ୍ଗା ନଦୀକୁ ସଫା କରିବା ପାଇଁ ଏଥିରେ ସମସ୍ତେ ଅନୁଦାନ ରାଶିର ଯୋଗଦାନ କରିପାରିବେ ।
- ପୁନର୍ବ୍ୟବହାର ଓ ପୁନରୁଦ୍ଧାର: ଆମ ଭିତରୁ ଅଧିକାଂଶ ଜାଣନ୍ତି ନାହିଁ ଯେ ଆମେ ଘରେ ଯେଉଁ ପାଣିର ବ୍ୟବହାର କରୁ ତାକୁ ଠିକ ଜାଗାକୁ ଛାଡି ନଥାଉ କିମ୍ବା ଅଳିଆକୁ ଠିକ ସ୍ଥାନରେ ପକାଇ ନଥାଉ ଓ ଏଗୁଡ଼ିକ ନଦୀରେ ପ୍ରବେଶ କରିଥାଏ । ସରକାର ନର୍ଦମା ନିଷ୍କାସନ ବ୍ୟବସ୍ଥାର ନିର୍ମାଣ କରୁଛନ୍ତି । ମାତ୍ର ନାଗରିକମାନେ ଜଳର ବ୍ୟବହାର କମ କରିବା ସହ କମ ଆବର୍ଜନା ସୃଷ୍ଟି କରିବା ଦରକାର । ବ୍ୟବହୃତ ଜଳ, ଜୈବ ଆବର୍ଜନା ଏବଂ ପ୍ଲାଷ୍ଟିକର ପୁନର୍ବ୍ୟବହାର ଓ ପୁନରୁଦ୍ଧାର ଦ୍ୱାରା ଏହି ଯୋଜନାକୁ ଲାଭ ମିଳିପାରିବ।
Lଆସନ୍ତୁ ଆମ ଜାତୀୟ ନଦୀ ଗଙ୍ଗାକୁ ବଂଚାଇବା ପାଇଁ ଆମେ ସମସ୍ତେ ହାତ ମିଳାଇବା । ଗଙ୍ଗା ହେଉଛି ଆମ ସଭ୍ୟତାର ପ୍ରତୀକ ଏବଂ ଆମ ସଂସ୍କୃତି ଓ ଐତିହ୍ୟର ସୂତ୍ରଧର ।