ଶିଞ୍ଜୋ ଆବେ କେବଳ ଜାପାନର ଜଣେ ମହାନ ବ୍ୟକ୍ତି ନଥିଲେ, ବରଂ ସେ ଥିଲେ ଜଣେ ବିଶାଳ ବ୍ୟକ୍ତିତ୍ୱଧାରୀ ମହାନ ବିଶ୍ଵ ନେତା । ସେ ଥିଲେ ଭାରତ-ଜାପାନ ବନ୍ଧୁତାର ମୁଖ୍ୟ ନାୟକ । ଦୁଃଖର ବିଷୟ ଆଜି ସେ ଆମ ଗହଣରେ ନାହାନ୍ତି । ଜାପାନ ସମେତ ସାରା ବିଶ୍ଵ ଅକାଳରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ମହାନ ନେତାଙ୍କୁ ହରାଇଛି, ଆଉ ମୁଁ ମୋ ପ୍ରିୟ ବନ୍ଧୁଙ୍କୁ ସବୁଦିନ ପାଇଁ ହରାଇ ଦେଇଛି… ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଜାପାନ ଗସ୍ତରେ ଯାଇଥିବା ସମୟରେ, ପ୍ରଥମ ଥର ପାଇଁ ମୁଁ ତାଙ୍କୁ ୨୦୦୭ରେ ଭେଟିଥିଲି । ପ୍ରଥମ ବୈଠକରୁ ଆମର ବନ୍ଧୁତା କାର୍ଯ୍ୟାଳୟର ପରିସୀମା ବାହାରେ ଏବଂ ସରକାରୀ ପ୍ରୋଟୋକଲର ବନ୍ଧନ ଠାରୁ ମୁକ୍ତ ଥିଲା ।
ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ରହିଛି । କ୍ୟୋଟୋରେ ‘ତୋଜି ଟେମ୍ପଲ’ ଗସ୍ତ ହେଉ, ଅଥବା ଶିଙ୍କାସେନରେ ଆମେ ଉଭୟ ମିଶି ବୁଲେଟ ଟ୍ରେନରେ ଯାତ୍ରା କରିବା, ପୁଣି ଅହମ୍ମଦାବାଦର ସାବରମତୀ ଆଶ୍ରମକୁ ଗସ୍ତ, କାଶୀରେ ଗଙ୍ଗା ଆଳତୀର ଆଧ୍ୟାତ୍ମିକ ପରିବେଶ କିମ୍ବା ପୁଣି ଟୋକିଓରେ ‘ଚା’ ପାନ ସହ ଲମ୍ବା ବୈଠକ’, ବାସ୍ତବରେ ତାଙ୍କ ସହ ମୋର ସ୍ମରଣୀୟ ସାକ୍ଷାତର ତାଲିକା ଖୁବ୍ ସୁଦୀର୍ଘ ।
ମାଉଣ୍ଟ ଫୁଜିର ପାଦଦେଶରେ ଅବସ୍ଥିତ ସୁରମ୍ୟ ୟାମାନାଶୀ ପ୍ରିଫେକ୍ଚରରେ ତାଙ୍କ ଘରକୁ ଯିବା ଲାଗି ଏକାକୀ ମୋତେ ହିଁ ସୁଯୋଗ ମିଳିଥିଲା । ମୁଁ ଏହି ସମ୍ମାନକୁ ସବୁବେଳେ ନିଜ ହୃଦୟରେ ସାଇତି ରଖିବି ।
ଶିଞ୍ଜୋ ଆବେଙ୍କ ସହିତ ମୋର ସମ୍ପର୍କ କେବଳ ଔପଚାରିକ ନଥିଲା । ଏପରିକି ୨୦୦୭ରୁ ୨୦୧୨ ମଧ୍ୟରେ ଏବଂ ନିକଟରେ ୨୦୨୦ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ନଥିଲେ, ସେତେବେଳେ ମଧ୍ୟ ଆମର ବ୍ୟକ୍ତିଗତ ସମ୍ପର୍କ ସବୁଦିନ ଭଳି ମଜବୁତ ହୋଇ ରହିଥିଲା ।
ଆବେ ସାନଙ୍କ ସହିତ ପ୍ରତ୍ୟେକ ସାକ୍ଷାତ ବାସ୍ତବରେ ଅତ୍ୟନ୍ତ ଜ୍ଞାନବର୍ଦ୍ଧକ ଏବଂ ପ୍ରେରଣାଦାୟୀ ଥିଲା । ତାଙ୍କ ପାଖରେ ନୂଆ ନୂଆ ଜ୍ଞାନର ଭଣ୍ଡାର ଥିଲା । ପ୍ରଶାସନ, ଅର୍ଥବ୍ୟବସ୍ଥା, ସଂସ୍କୃତି, ବିଦେଶ ନୀତି ଏବଂ ଅନ୍ୟ ସବୁ ବିଷୟରେ ତାଙ୍କର ଗଭୀର ଜ୍ଞାନ ରହିଥିଲା ।
ତାଙ୍କର ପରାମର୍ଶ ମୋତେ ଗୁଜରାଟର ଆର୍ଥିକ ବିକାଶକୁ ନେଇ ନୂତନ ଭାବେ ଚିନ୍ତା କରିବା ନିମନ୍ତେ ଅନୁପ୍ରାଣିତ କରିଥିଲା । ଜାପାନ ସହ ଗୁଜରାଟର ସୁଦୃଢ଼ ସହଭାଗିତା ସ୍ଥାପନରେ ତାଙ୍କର ନିରନ୍ତର ସମର୍ଥନ ଉଲ୍ଲେଖନୀୟ ଥିଲା।
ଏହାପରେ, ପ୍ରଧାନମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲାଗି ତାଙ୍କ ସହ କାର୍ଯ୍ୟ କରିବା ପାଇଁ ମୋତେ ସୌଭାଗ୍ୟ ମିଳିଥିଲା । ଏହି ସମୟରେ ଦୁଇ ଦେଶର ସମ୍ପର୍କରେ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଆପୋସ ସମ୍ପର୍କ କେବଳ ଦ୍ୱିପାକ୍ଷିକ ଆର୍ଥିକ ସହଭାଗିତା ମଧ୍ୟରେ ସୀମିତ ଥିଲା । ମାତ୍ର ଆବେ ସାନ ଏହାକୁ ବ୍ୟାପକ ବିସ୍ତାର ଦେବାକୁ ଆଗେଇ ଆସିଥିଲେ । ଫଳରେ ଦୁଇ ଦେଶ ମଧ୍ୟରେ ରାଷ୍ଟ୍ରୀୟ ହିତ ସହ ଜଡ଼ିତ ପ୍ରସଙ୍ଗରେ ତାଳମେଳ ବଢ଼ିବା ସହିତ ସମ୍ପୂର୍ଣ୍ଣ କ୍ଷେତ୍ରୀୟ ସୁରକ୍ଷାକୁ ନୂଆ ବଳ ମିଳିଲା । ଭାରତ ଏବଂ ଜାପାନ ମଧ୍ୟରେ ଆପୋସ ସମ୍ପର୍କ ସୁଦୃଢ଼ ହେବା କେବଳ ଦୁଇ ଦେଶର ଲୋକମାନଙ୍କ ପାଇଁ ନୁହେଁ ବରଂ ସାରା ବିଶ୍ଵର ହିତ ପାଇଁ ଉଦ୍ଦିଷ୍ଟ । ତାଙ୍କ ଦେଶ ପାଇଁ ଏକ କଷ୍ଟକର କାର୍ଯ୍ୟ ହୋଇଥିଲେ ମଧ୍ୟ ସେ ଭାରତ ସହିତ ବେସାମରିକ ପରମାଣୁ ରାଜିନାମାକୁ ନେଇ ଦୃଢ଼ ସଂକଳ୍ପିତ ଥିଲେ । ଭାରତରେ ହାଇସ୍ପିଡ ରେଳ ଚଳାଚଳ ପାଇଁ ହୋଇଥିବା ରାଜିନାମାରେ ମଧ୍ୟ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ନ୍ୟୁ ଇଣ୍ଡିଆ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ଜାପାନ ପ୍ରତ୍ୟେକ ପଦକ୍ଷେପରେ ଭାରତ ସହ ସାଥୀ ହୋଇ କିଭଳି ଆଗକୁ ବଢ଼ିପାରିବ ତାହା ସେ ସୁନିଶ୍ଚିତ କରିଥିଲେ ।
ଭାରତ-ଜାପାନ ସମ୍ପର୍କକୁ ମଜବୁତ କରିବା ଲାଗି ସେ ଐତିହାସିକ ଯୋଗଦାନ ଦେଇଥିଲେ, ଏଥିପାଇଁ ୨୦୨୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସାରା ବିଶ୍ଵରେ ସଂଘଟିତ ହେଉଥିବା ଜଟିଳ ଏବଂ ବହୁମୁଖି ପରିବର୍ତ୍ତନ ପ୍ରତି ଆବେ ସାନଙ୍କର ଗଭୀର ଧାରଣା ରହିଥିଲା । ତାଙ୍କ ଭିତରେ ଏକ ଅଦ୍ଭୂତ ଦୂରଦୃଷ୍ଟି ରହିଥିଲା, କେବଳ ଏହି କାରଣରୁ ସେ ରାଜନୈତିକ, ସାମାଜିକ, ଆର୍ଥିକ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ବିଶ୍ଵ ଘଟଣାକ୍ରମର ପ୍ରଭାବ ସମ୍ପର୍କରେ ପୂର୍ବାନୁମାନ କରିପାରୁଥିଲେ । କେଉଁ ବିକଳ୍ପ ଚୟନ କରିବାକୁ ହେବ ସେ ସମ୍ପର୍କରେ ବୁଝାମଣା ହେଉ, ସ୍ପଷ୍ଟ ଓ ସାହସିକ ନିଷ୍ପତ୍ତି ନେବା, ରାଜିନାମା ହେଉ କିମ୍ବା ପୁଣି ନିଜ ଲୋକ ଏବଂ ସାରା ବିଶ୍ଵକୁ ସାଥୀରେ ନେଇ ଚାଲିବାର ବିଷୟରେ, ତାଙ୍କର ବୁଦ୍ଧିମତା ଅନ୍ୟମାନଙ୍କୁ ପ୍ରଭାବିତ କରୁଥିଲା । ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନୀତି – ଆବେନୋମିକ୍ସ- ଜାପାନର ଅର୍ଥବ୍ୟବସ୍ଥାକୁ ପୁଣିଥରେ ସୁଦୃଢ଼ କରିଥିଲା ଏବଂ ଜାପାନର ଲୋକମାନଙ୍କ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତା ଭାବନାକୁ ନୂଆ ଉତ୍ସାହ ଦେଇଥିଲା ।
ସେ ଆମ ପାଇଁ ଯେଉଁ ପରମ୍ପରା ଛାଡ଼ି ଯାଇଛନ୍ତି, ସେଥିପାଇଁ ସାରା ବିଶ୍ଵ ତାଙ୍କ ନିକଟରେ ଋଣୀ ହୋଇ ରହିବ । ସେ ସାରା ବିଶ୍ଵରେ ବଦଳୁଥିବା ପରିସ୍ଥିତିକୁ କେବଳ ଠିକ୍ ସମୟରେ ଚିହ୍ନିପାରିନଥିଲେ ବରଂ ନିଜେ ନେତୃତ୍ୱ ନେଇ ଏହାର ସମାଧାନ ମଧ୍ୟ ପ୍ରଦାନ କରିଥିଲେ । ୨୦୦୭ରେ ଭାରତୀୟ ସଂସଦରେ ଦେଇଥିବା ନିଜ ଉଦବୋଧନରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଭ୍ୟୁଦୟ ପାଇଁ ଆଧାରଶୀଳା ରଖିଥିଲେ । ଚଳିତ ଶତାବ୍ଦୀରେ ରାଜନୈତିକ, ରଣନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ଏହି କ୍ଷେତ୍ର କିଭଳି ଭାବେ ସାରା ବିଶ୍ଵକୁ ଏକ ନୂଆ ଆକାର ଦେଇପାରିବ ସେ ସମ୍ପର୍କରେ ମଧ୍ୟ ସେ ପରିକଳ୍ପନା କରିଥିଲେ ।
ଏଥିସହିତ ଏହାର ରୂପରେଖ ପ୍ରସ୍ତୁତ କରିବାରେ ମଧ୍ୟ ସେ ଆଗରେ ରହିଥିଲେ । ସେ ଏଥିରେ ସ୍ଥାୟିତ୍ୱ ଏବଂ ସୁରକ୍ଷା ସହିତ ଶାନ୍ତ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏପରି ଏକ ଦୃଷ୍ଟିକୋଣ ଆପଣାଇଥିଲେ, ଯାହା ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଥିଲା । ଏହା ଏପରି ମୂଲ୍ୟବୋଧ ଉପରେ ଆଧାରିତ ଥିଲା, ଯେଉଁଥିରେ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସର୍ବୋପରି ରଖାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ଆଇନ-ନିୟମ ଏବଂ ସମାନତା ସ୍ତରରେ ଶାନ୍ତିପୂର୍ଣ୍ଣ ବିଶ୍ଵସ୍ତରୀୟ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଠାରୁ ଆରମ୍ଭ କରି ପ୍ରତ୍ୟେକଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିବା ନିମନ୍ତେ ଏଥିରେ ଆବଶ୍ୟକ ସୁଯୋଗ ରହିଥିଲା ।
କ୍ବାଡ ହେଉ କିମ୍ବା ଆସିଆନ ନେତୃତ୍ବାଧୀନ ମଞ୍ଚ, ଇଣ୍ଡୋ ପେସିଫିକ ଓସନ୍ସ ଇନିସିଏଟି ହେଉ କିମ୍ବା ପୁଣି ଏସିଆ-ଆଫ୍ରିକା ଗ୍ରୋଥ କରିଡର ଅଥବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟ, ତାଙ୍କର ଯୋଗଦାନ ଏସବୁ ସଂଗଠନକୁ ଲାଭ ଦେଇଥିଲା । ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସେ ଘରୋଇ ସମସ୍ୟା ଏବଂ ସାରା ବିଶ୍ଵର ସନ୍ଦେହକୁ ପଛରେ ପକାଇ, ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିରକ୍ଷା, ଯୋଗାଯୋଗ, ଭିତ୍ତିଭୂମି ଏବଂ ଦୀର୍ଘସ୍ଥାୟିତ୍ୱ ସମେତ ଜାପାନର ରଣନୈତିକ ସମ୍ପର୍କରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଥିଲେ । ତାଙ୍କର ଏହି ପ୍ରୟାସ କାରଣରୁ ଆଜି ସମ୍ପୂର୍ଣ୍ଣ କ୍ଷେତ୍ର ଅଧିକ ଆଶାବାଦୀ ହୋଇପାରିଛି ଏବଂ ବିଶ୍ଵ ନିଜ ଭବିଷ୍ୟତକୁ ନେଇ ଅଧିକ ଆଶ୍ଵସ୍ତ ହୋଇପାରିଛି ।
ଚଳିତ ବର୍ଷ ମେ ମାସରେ ମୁଁ ଜାପାନ ଗସ୍ତ କରିଥିଲି, ଏହି ସମୟରେ ଆବେ ସାନଙ୍କୁ ଭେଟିବା ପାଇଁ ମୋତେ ସୁଯୋଗ ମିଳିଥିଲା । ସେତେବେଳେ ସେ ଜାପାନ-ଭାରତ ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ନିଜ କାମକୁ ନେଇ ସେତେବେଳେ ମଧ୍ୟ ସେ ଉତ୍ସାହିତ ଥିଲେ । ତାଙ୍କର ଉଜ୍ଜ୍ବଳ ବ୍ୟକ୍ତିତ୍ୱ ପ୍ରତ୍ୟେକଙ୍କୁ ପ୍ରଭାବିତ କରୁଥିଲା । ତାଙ୍କର ବାକ୍ପଟୁତା ଅତି ଚମତ୍କାର ଥିଲା । ଭାରତ-ଜାପାନ ବନ୍ଧୁତାକୁ ଅଧିକ ମଜବୁତ କରିବା ଲାଗି ତାଙ୍କ ପାଖରେ ଅନେକ ଉପାୟ ରହିଥିଲା । ସେଦିନ ତାଙ୍କୁ ଭେଟି ଫେରିବା ପରେ, ତାହା ଆମର ଶେଷ ସାକ୍ଷାତ ହେବ ବୋଲି ମୁଁ କେବେ ବି ଭାବିନଥିଲି ।
ତାଙ୍କର ଆତ୍ମୀୟତା, ବୁଦ୍ଧିମତା, ସହୃଦୟତା, ବ୍ୟକ୍ତିତ୍ୱର ଗମ୍ଭୀରତା, ବନ୍ଧୁତା ଓ ମାର୍ଗଦର୍ଶନ ସବୁଦିନ ମୋ ପାଇଁ ସ୍ମରଣୀୟ ହୋଇ ରହିବ ଏବଂ ସେ ସବୁଦିନ ମୋର ମନେ ରହିବେ ।
ତାଙ୍କ ବିୟୋଗରେ ଆମେ ସମସ୍ତ ଭାରତବାସୀ ଗଭୀର ଭାବେ ମର୍ମାହତ, ଯେମିତି ଆମ ନିଜ ଲୋକ କେହି ଆରପାରିକୁ ଚାଲି ଯାଇଛନ୍ତି । ଖୋଲା ହୃଦୟରେ ସେ ଆମମାନଙ୍କୁ ସ୍ୱାଗତ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ନିଜ ଲକ୍ଷ୍ୟରେ ଦୃଢ଼ ରହିଥିଲେ – ଅନେକ ଲୋକଙ୍କୁ ଅନୁପ୍ରାଣିତ କରିଚାଲିଥିଲେ । ଦୁଃଖର ବିଷୟ, ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ଆଦର୍ଶ ସବୁଦିନ ଆମକୁ ଅନୁପ୍ରାଣିତ କରୁଥିବ ।
ମୁଁ ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ଜାପାନର ଲୋକମାନଙ୍କୁ, ବିଶେଷ କରି ଶ୍ରୀମତୀ ଅକୀ ଆବେ ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛି ।