• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଂକକଠାରେ 4 ନଭେମ୍ବର 2019ରେ ଭାରତ-ଆସିଆନ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ଭିଏତନାମ ପ୍ରଧାନମନ୍ତ୍ରୀ ମହାମହିମ ନୁୟେନ ସୁଆନ ଫୁକଙ୍କୁ ସାକ୍ଷାତ କରିଛନ୍ତି ।
• ଏହି ଅବସରରେ ଦୁଇ ନେତା ଉଭୟ ଦେଶ ମଧ୍ୟରେ ରହିଥିବା ଐତିହାସିକ ଓ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୋହରାଇଥିଲେ ଏବଂ ଭାରତ-ଭିଏତନାମ ସମ୍ପର୍କ ଦୃଢ଼ ସାଂସ୍କୃତିକ ଓ ସଭ୍ୟତାଗତ ମୂଳଦୁଆ ଉପରେ ନିର୍ମିତ ହୋଇଥିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଆପୋସ ବିଶ୍ୱାସ ଏବଂ ବୁଝାମଣା ତଥା କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ମଂଚରେ ଦୃଢ଼ ସହଯୋଗ ଦ୍ୱାରା ଆହୁରି ସୁଦୃଢ଼ ହୋଇଥିବା ସେମାନେ ମତବ୍ୟକ୍ତ କରିଥିଲେ ।
• ସାକ୍ଷାତ ସମୟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଦୁଇ ଦେଶ ମଧ୍ୟରେ ନିକଟରେ ସମ୍ପନ୍ନ ହୋଇଥିବା ଉଚ୍ଚସ୍ତରୀୟ ବିନିମୟର ଫଳସ୍ୱରୂପ ବିଭିନ୍ନ କ୍ଷେତ୍ର ଯଥା ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କ ବୃଦ୍ଧି, ନିବିଡ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ଏବଂ ଜନସମ୍ପର୍କକୁ ଗଭୀର କରିବା ଦିଗରେ ସହଯୋଗ ତ୍ୱରାନ୍ୱିତ ହୋଇଛି ।
• ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପରିବର୍ଦ୍ଧିତ ସମ୍ପର୍କକୁ ଉଲ୍ଲେଖ କରି ଉଭୟ ପକ୍ଷ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଥିଲେ । ଆତଙ୍କବାଦ ଓ ଉଗ୍ରବାଦର ବିପଦ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ ଏବଂ ଏହାର ମୁକାବିଲା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ରାଜି ହୋଇଥିଲେ ।
• ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଓ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ପକ୍ଷ ସେମାନଙ୍କ ଆଗ୍ରହ ବ୍ୟକ୍ତ କରିଥିଲେ । ମିଳିତ ଜାତିସଂଘ ସାମୁଦ୍ରିକ ଆଇନ ସମ୍ମିଳନୀ (ୟୁଏନସିଏଲଓଏସ) ସମେତ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ ଦେଇ ନିୟମ ଆଧାରିତ ବ୍ୟବସ୍ଥା ବଜାୟ ରଖିବା ପ୍ରତି ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହା ଦକ୍ଷିଣ ଚୀନ ସାଗରରେ ସ୍ୱାଧୀନ ନୌପରିବହନ, ବିମାନ ଉଡ଼ାଣ ଏବଂ ନିୟମ ଆଧାରିତ ବାଣିଜ୍ୟକୁ ପ୍ରୋତ୍ସାହନ ଦେବ ।
• ଭିଏତନାମ 2020ରେ ଆସିଆନର ଅଧ୍ୟକ୍ଷତା ଏବଂ 2020-2021ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟତା ଦାୟିତ୍ୱ ନିର୍ବାହ କରିବା ସମୟରେ ଏହା ସହିତ ଭାରତ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଥିଲେ ।