ଜନ ଧନ, ଆଧାର ଓ ମୋବାଇଲ(ଜେଏଏମ)ର ଦୂରଦୃଷ୍ଟି ଭବିଷ୍ୟତରେ ଅନେକ ପଦକ୍ଷେପ ପାଇଁ ଏକ ଉନ୍ନତ ଭିତ୍ତିଭୂମି ପ୍ରଦାନ କରିବ । ମୋ ପାଇଁ ଜେଏଏମର ଅର୍ଥ ହେଉଛି ଜଷ୍ଟ ଏଚିଭିଂ ମେକ୍ସିମମ୍ (ଅଧିକ ସଫଳତା ହାସଲ) ।
ଖର୍ଚ୍ଚ କରାଯାଉଥିବା ପ୍ରତ୍ୟେକଟି ଟଙ୍କାର ସର୍ବାଧିକ ମୂଲ୍ୟ ପାଇବା ।
ଗରିବମାନଙ୍କ ସର୍ବାଧିକ ସଶକ୍ତିକରଣ ।
ଜନସାଧାରଣଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସର୍ବାଧିକ ବ୍ୟବହାର ।
-ନରେନ୍ଦ୍ର ମୋଦୀ
ସ୍ୱାଧୀନତାର 67ବର୍ଷ ପରେ ଏବେ ମଧ୍ୟ ଭାରତର ଅଧିକାଂଶ ଜନସାଧାରଣ ବ୍ୟାଙ୍କିଙ୍ଗ ସେବାର ସୁବିଧା ନେଇପାରିନାହାନ୍ତି । ଏହାର ଅର୍ଥ ହେଲା ସଂଚୟ କରିବା ପାଇଁ ସେମାନଙ୍କ ପାଖରେ କୌଣସି ପନ୍ଥା ନାହିଁ କିମ୍ବା ଅର୍ଥରାଶି ଜମା ରଖିବା ପାଇଁ କୌଣସି ଆନୁଷ୍ଠାନିକ ସୁବିଧା ନାହିଁ । ଏହି ମୂଳ ସମସ୍ୟାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 28 ରେ ଜନ ଧନ ଯୋଜନା ଆରମ୍ଭ କରିଥିଲେ । ମାତ୍ର ଗୋଟିଏ ମାସ ମଧ୍ୟରେ ଏହି ଯୋଜନା ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନକୁ ବ୍ୟାପକ ଭାବେ ରୂପାନ୍ତରିତ କରିଦେଇଥିଲା । ବର୍ଷକରୁ ଟିକେ ଅଧିକ ସମୟ ମଧ୍ୟରେ 19.72 କୋଟି ବ୍ୟାଙ୍କ ଏକାଉଂଟ ଖୋଲାଗଲା ଓ 16.8 କୋଟି “ରୁପେ” କାର୍ଡ ଦିଆଗଲା । 28699.65 କୋଟି ଟଙ୍କା ଜମା କରାଗଲା । 1,25,697 ଜଣ ରେକର୍ଡ ସଂଖ୍ୟକ ବ୍ୟାଙ୍କ ମିତ୍ରମାନଙ୍କୁ ନିଯୁକ୍ତି ଦିଆଗଲା । ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ 1,80,96,130 ଟି ବ୍ୟାଙ୍କ ଏକାଉଂଟ ଖୋଲାଯିବା ଫଳରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଏହା ସ୍ଥାନ ପାଇଥିଲା ।
ଲକ୍ଷ ଲକ୍ଷ ବ୍ୟାଙ୍କ ଏକାଉଂଟ ଖୋଲାଯିବା ଏକ ଆହ୍ୱାନ ଥିଲା । ବ୍ୟାବହାରିକ ପରିବର୍ତ୍ତନ ଆଣି ଜନସାଧାରଣଙ୍କୁ ଏହି ବ୍ୟାଙ୍କ ଏକାଉଂଟର ବ୍ୟବହାରରେ ଅଭ୍ୟସ୍ତ କରାଇବା ଆହୁରି ବଡ ଆହ୍ୱାନ ଥିଲା । 2014 ସେପ୍ଟେମ୍ବରରେ ଶୂନ୍ୟ ବାଲାନ୍ସର ପରିମାଣ ଶତକଡା 76.8 ପ୍ରତିଶତ ଥିଲାବେଳେ 2015 ଡ଼ିସେମ୍ବରରେ ଏହା ହ୍ରାସ ପାଇ ଶତକଡା 32.4 ପ୍ରତିଶତରେ ପହଂଚିଥିଲା । ଏପର୍ଯ୍ୟନ୍ତ 131 କୋଟି ଟଙ୍କାର ଓଭରଡ଼୍ରାଫ୍ଟ ଉପଲବ୍ଧ ହୋଇପାରିଛି ।
ଜନସାଧାରଣ ଓ ସରକାରୀ ବ୍ୟବସ୍ଥାକୁ ପ୍ରଭାବିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଫଳରେ ଏହା ସମ୍ଭବ ହୋଇପାରିଛି । ଏକ ବଡ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକୁ ସାଧନ କରାଯାଇଥିଲା ଓ ସରକାର ଏବଂ ଜନସାଧାରଣଙ୍କ ମିଳିତ ଭାଗିଦାରୀତା ଓ ଅଂଶଗ୍ରହଣ ଫଳରେ ଏହା ସମ୍ଭବ ହୋଇପାରିଥିଲା । ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରିବା ପାଇଁ ବ୍ୟାଙ୍କ ଏକାଉଂଟଗୁଡ଼ିକ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସୁଯୋଗ ଦେଇଛି । ଦୁର୍ନୀତି ନିବାରଣ କ୍ଷେତ୍ରରେ ମଧ୍ୟ ଏଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏବେ ସବସିଡି ଓ ଅନ୍ୟାନ୍ୟ ସହାୟତା ରାଶିକୁ ସିଧାସଳଖ ବ୍ୟାଙ୍କ ଏକାଉଂଟରେ ଜମା କରାଯାଉଛି । ଏହାଫଳରେ ହେରଫେର ଓ କୌଣସି ଭ୍ରଷ୍ଟାଚାର କାର୍ଯ୍ୟକୁ ରୋକାଯାଇ ପାରୁଛି ।
ବିଶ୍ୱର ସବୁଠୁ ବଡ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ ଯୋଜନା ଭାବେ “ପହଲ” ଯୋଜନା ଏଇ ନିକଟରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ପହଲ ଯୋଜନା ମାଧ୍ୟମରେ ଏଲପିଜି ସବସିଡ଼ିକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଂଟକୁ ସ୍ଥାନାନ୍ତର କରାଯାଉଛି । ଏହି ଯୋଜନା ମାଧ୍ୟମରେ 14.62କୋଟିରୁ ଉର୍ଦ୍ଧ୍ଵ ଲୋକ ସିଧାସଳଖ ସବସିଡ଼ି ଅର୍ଥ ପାଉଛନ୍ତି । ଏହି ଯୋଜନା ଦ୍ୱାରା 3.34କୋଟି ନକଲି ଓ ଅଚଳ ଏକାଉଂଟକୁ ଚିହ୍ନଟ କରାଯାଇ ବନ୍ଦ କରି ଦିଆଯାଇଛି ଏବଂ ଏହା ହଜାର ହଜାର କୋଟି ଟଙ୍କା ସଂଚୟ କରିବାରେ ସହାୟକ ହୋଇଛି । 35ରୁ 40ଟି ଯୋଜନା ପାଇଁ ଏବେ ସରକାର ସିଧାସଳଖ ଆର୍ଥିକ ସହାୟତା ହସ୍ତାନ୍ତରଣ ବ୍ୟବସ୍ଥାର ବ୍ୟବହାର କରୁଛନ୍ତି ଏବଂ 2015ରେ ପ୍ରାୟ 40,000 କୋଟି ଟଙ୍କା ହିତାଧିକାରୀମାନଙ୍କ ଏକାଉଂଟକୁ ସିଧାସଳଖ ହସ୍ତାନ୍ତର କରାଯାଇଛି ।
ଜନସାଧାରଣଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ଭଳି ମୂଳଦୁଆ ଉପଲବ୍ଧ କଲାପରେ, ଏନଡିଏ ସରକାର ନାଗରିକମାନଙ୍କୁ ପେନସନ ଓ ବୀମା ପ୍ରଦାନ କଲାଭଳି ଐତିହାସିକ ପଦକ୍ଷେପ ଗ୍ରହଣ କଲେ । ବର୍ଷକୁ ମାତ୍ର 12 ଟଙ୍କା ବିନିମୟରେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି ପ୍ରଦାନ କରାଯାଉଛି । ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାତ୍ର ବାର୍ଷିକ 330 ଟଙ୍କା ବିନିମୟରେ ଜୀବନ ବୀମାର ସୁବିଧା ପ୍ରଦାନ କରୁଛି । ନିଜର ଯୋଗଦାନ ଅନୁସାରେ ଅଟଳ ପେନସନ ଯୋଜନାରେ 5,000 ଟଙ୍କା ପର୍ଯ୍ୟନ୍ତ ମାସିକ ଆର୍ଥିକ ରାଶି ପ୍ରଦାନ କରାଯାଉଛି । 9.2 କୋଟି ଲୋକ ପ୍ରଧାନ ମନ୍ତ୍ରୀ ଶିକ୍ଷା ବୀମାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ପ୍ରାୟ 3 କୋଟି ଲୋକ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅଟଳ ପେନସନ ଯୋଜନାରେ ପ୍ରାୟ 15.85 ଲକ୍ଷ ଲୋକ ଅନ୍ତର୍ଭୁକ୍ତ ହୋଇଛନ୍ତି ।