ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆନୁମାନିକ ୨୬୧୪.୫୧ କୋଟି ଟଙ୍କା ବିନିଯୋଗରେ ଏସଜେଭିଏନ ଦ୍ୱାରା ହିମାଚଳ ପ୍ରଦେଶରେ ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଭିତ୍ତିଭୂମି ବିକାଶ ପାଇଁ ଭାରତ ସରକାରଙ୍କ ୧୩.୮୦ କୋଟି ଟଙ୍କା ବଜେଟ ସହାୟତା ମଧ୍ୟ ସାମିଲ ରହିଛି । ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୨୪୬ କୋଟି ଟଙ୍କା ସଂଚୟୀ ବ୍ୟୟ ପାଇଁ କାର୍ଯ୍ୟୋତ୍ତର ଅନୁମୋଦନ ମଧ୍ୟ ଦିଆଯାଇଛି ।
୨୬୧୪ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରକୃତ ବିନିଯୋଗ ୨୨୪୬.୪୦ କୋଟି ଟଙ୍କା, ନିର୍ମାଣାଧୀନ ସମୟର ସୁଧ (ଆଇଡିସି) ୩୫୮.୯୬ କୋଟି ଟଙ୍କା ଓ ବିତ୍ତପୋଷଣ ଶୁଳ୍କ (ଏଫସି) ୯.୧୫ କୋଟି ଟଙ୍କା ସାମିଲ ରହିଛି । ପରିବର୍ତ୍ତନ (ଅଧିକ/ପରିବର୍ତ୍ତିତ/ଅତିରିକ୍ତ ସାମଗ୍ରୀ) ପାଇଁ ଖର୍ଚ୍ଚର ସଂଶୋଧିତ ବିନିଯୋଗ ଅନୁମୋଦନ ଓ ନିର୍ମାଣକାରୀ ସମୟ ଅତିକ୍ରମ କରିବା ସ୍ଥଳେ ଅନୁମୋଦିତ ମୂଲ୍ୟ ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ ।
ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏସଜେଭିଏନ ଦ୍ୱାରା ୩୮୨ ମେଗାୱାଟ ସୁନ୍ନି ନଦୀବନ୍ଧ ଏଚଇପି ନିର୍ମାଣ ସ୍ଥାନୀୟ ଯୋଗାଣକାରୀ/ସ୍ଥାନୀୟ ଉଦ୍ୟୋଗ/ଏମଏସଏମଇଗୁଡିକୁ ଅନେକ ଲାଭ ପ୍ରଦାନ କରିବ । ନିଯୁକ୍ତି ବୃଦ୍ଧି ବ୍ୟତୀତ ଦେଶରେ ଉଦ୍ୟମିତା ସୁଯୋଗକୁ ପ୍ରୋତ୍ସାହନ ମାଧ୍ୟମରେ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ସୁନିଶ୍ଚିତ ହେବ । ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ସୋପାନରେ ପ୍ରାୟ ୪ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।