“ଜଣେ ବ୍ୟକ୍ତିର ପାସପୋର୍ଟର ରଙ୍ଗ ଭିନ୍ନ ହୋଇଥାଇପାରେ କିନ୍ତୁ ମାନବିକତାଠାରୁ ବଳି ବଡ ସମ୍ପର୍କର ବନ୍ଧନ ଆଉ କିଛି ଥାଇନପାରେ” – ଯେତେବେଳେ କୌଣସି ଏକ ବଡ ବିପର୍ଯ୍ୟୟ ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଏଇ କଥାକୁ ହିଁ ଦୋହରାଇଛନ୍ତି ଓ ଏହାକୁ ବସ୍ତବତାରେ ପରିଣତ କରିଛନ୍ତି ।
ଯେତେବେଳେ ୟେମେନରେ ଗୃହଯୁଦ୍ଧ ଚରମସୀମାରେ ପହଂଚିଲା ସେହି ବିବାଦୀୟ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ରର ହଜାର ହଜାର ଲୋକ ଫସି ରହିଥିଲେ । ସେହି ଦୁର୍ଗତ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଦିଗରେ କୌଣସି ଉପାୟକୁ ହାତଛଡା କରିନଥିଲେ । ଏହା କେବଳ ଭାରତୀୟ ନାଗରିକମାନଙ୍କ ଉଦ୍ଧାର ଲାଗି ନୁହେଁ, ଅନ୍ୟ ଅନେକ ରାଷ୍ଟ୍ରର ନାଗରିକଙ୍କ ଉଦ୍ଧାର ଲାଗି ଉଦ୍ଧିଷ୍ଟ ଥିଲା । ସେତେବେଳେ ବହୁରାଷ୍ଟ୍ର ଏହି କାର୍ଯ୍ୟାନୁଷ୍ଠାନରେ ଭାରତର ସହାୟତା ଲୋଡିଥିଲେ । ଯେଉଁଭଳି ମାତ୍ରାରେ ଓ ଦ୍ରୁତଗତିରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇଥିଲା ତାହା ଥିଲା କଳ୍ପନାତୀତ ଓ ବେଶ ପ୍ରଭାବଶାଳୀ ।
ଭାରତର ଏହି କ୍ଷୀପ୍ର ଏବଂ ବ୍ୟାପକ କାର୍ଯ୍ୟାନୁଷ୍ଠାନକୁ ସର୍ବୋଚ୍ଚସ୍ତରରେ ନିୟନ୍ତ୍ରଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ଵରାଜ ନିରବଚ୍ଛିନ୍ନ ଭାବେ ପରିସ୍ଥିତିକୁ ନିରୀକ୍ଷଣ କରିଥିଲେ । ପୁଣି ଏହି ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ସାକାର କରିବା ନିମନ୍ତେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭିକେ ସିଂହ ବ୍ୟକ୍ତିଗତ ଭାବେ ୟେମେନ ଓ ଜିବୋତି ଯାତ୍ରା କରି ଉଦ୍ଧାର ଅଭିଯାନର ନେତୃତ୍ଵ ନେଇଥିଲେ ।
2015 ମସିହା ଏପ୍ରିଲ 25 ତାରିଖରେ ଯେତେବେଳେ ନେପାଳରେ ଏକ ଭୟାବହ ଭୂକମ୍ପ ତାର ଧ୍ଵସଲୀଳା ରଚନା କଲା, ନେପାଳର ଭାଇ ଭଉଣୀମାନଙ୍କୁ ଏହି ସଂକଟମୟ ମୁହୂର୍ତ୍ତରେ ସହାୟତା ଯୋଗାଇଦେବା ନିମନ୍ତେ ଭାରତ ସବୁ ପ୍ରକାର ପ୍ରୟାସ କରିଥିଲା । ଭାରତୀୟ ସେନା, ବିପର୍ଯ୍ୟୟ ପରିଚାଳନା ଟିମ ଏବଂ ବରିଷ୍ଠ ପଦାଧିକାରୀମାନେ ସେଠାରେ ସ୍ଵାଭାବିକ ଅବସ୍ଥା ଫେରିବା ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ଏହି ପରିସ୍ଥିତି ସମ୍ପର୍କରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସ୍ଵୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ ।ସେହିଭଳି ନେପାଳର ଭୂକମ୍ପ-ପ୍ରଭାବିତ କ୍ଷେତ୍ରରୁ ଦୁର୍ଗତ ଲୋକମାନଙ୍କୁ ଉଦ୍ଧାର କରିବା ସକାଶେ ଭାରତ ସବୁପ୍ରକାର ସମ୍ଭାବ୍ୟ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିଲା । ଏଥିରେ ବହୁ ଭାରତୀୟ ଓ ବିଦେଶୀ ନାଗରିକ ଫସି ରହିଥିଲେ ।
ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ବିଶ୍ଵବ୍ୟାପୀ ଭୂୟସୀ ପ୍ରଶଂସା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଶ୍ଵ ନେତୃବର୍ଗଙ୍କୁ ଭେଟିଥିଲେ ସେ ଫ୍ରାନ୍ସ ରାଷ୍ଟ୍ରପତି ହୋଲାଁ ହୋଇଥାନ୍ତୁ, ଅଥବା ରାଷ୍ଟ୍ରପତି ହାର୍ପର ସେମାନେ ଭାରତର ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ଭାରତର ଏଭଳି ତତ୍କାଳ କାର୍ଯ୍ୟାନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ଭାରତରେ ଅବସ୍ଥାପିତ ମାର୍କିକ ରାଷ୍ଟ୍ରଦୂତ ରିଚାର୍ଡ ବର୍ମା ବି ଭାରତର ଏହି ଭୂମିକାକୁ ପ୍ରଶଂସା କରିଥିଲେ ।
2015 ଫେବୃଆରୀ ମାସରେ ଆଫଗାନିସ୍ତାନରେ ଦୀର୍ଘ ଆଠମାସ ଧରି ପଣବନ୍ଦୀ ରହିବା ପରେ ଫାଦର ଆଲେକ୍ସିସ ପ୍ରେମ କୁମାର ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଫାଦର ଆଲେକ୍ସିସ ସେ ଦେଶରେ ଜଣେ ସହାୟତା କର୍ମୀ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଅପଶକ୍ତି ତତ୍ଵଙ୍କ ଯୋଜନା ଥିଲା ଭିନ୍ନ । ସେମାନେ ତାଙ୍କୁ ମାସାଧିକ କାଳ ପଣବନ୍ଦୀ ରଖିଥିଲେ ଓ ତାଙ୍କୁ ଉଦ୍ଧାର କରିବା ସକାଶେ ଅନେକ ଦିନ ଧରି ପ୍ରୟାସ ଜାରି ରହିଥିଲେ ସୁଦ୍ଧା ଏଥିରେ କୌଣସି ପ୍ରଗତି ଘଟିନଥିଲା । ପରିଶେଷରେ ଭାରତ ସରକାର ଫାଦରଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରି ଫେରାଇ ଆଣିବା ଓ ତାଙ୍କ ପରିବାରବର୍ଗଙ୍କ ନିକଟରେ ପହଂଚାଇବାରେ ସକ୍ଷମ ହୋଇଥିଲେ ।
ସେହିପରି, ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଫସି ରହିଥିବା ଭାରେତୀୟ ନର୍ସମାନଙ୍କୁ ସରକାର ବେଶ ସଫଳତାର ସହ ନିରାପଦରେ ଉଦ୍ଧାର କରିପାରିଥିଲେ । ଇରାକରୁ ଭାରତୀୟ ନର୍ସମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବା ଦିଗରେ ସରକାରଙ୍କ ଭୂମିକାକୁ କେରଳ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଭୂୟସୀ ପ୍ରଶଂସା କରିଥିଲେ ।
ଏହିଭଳି ଭାବେ ସଂକଟ ପରିସ୍ଥିତିରେ କେନ୍ଦ୍ର ସରକାର ବାରମ୍ବାର ତାଙ୍କର ଭୂମିକାକୁ ସିଦ୍ଧ କରି ଦେଖାଇଛନ୍ତି ଯାହାକି ପ୍ରଧାନମନ୍ତ୍ରୀଙ୍କ ଉକ୍ତି ପାସପୋର୍ଟର ରଙ୍ଗ ଠାରୁ ମାନବିକତାର ନିବିଡ ବନ୍ଧନକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛି ।