ଉତ୍ତର ଗୁଜୁରାଟର ମେହଶନା ଜିଲ୍ଲାର ଏକ ଅଖ୍ୟାତ ସହର ଭାଡନଗରର ଗଳିରୁ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ଆରମ୍ଭ । ଭାରତ ସ୍ୱାଧୀନ ହେବାର ମାସକ ପରେ ଓ ସାଧାରଣତନ୍ତ୍ର ହେବାର 3 ବର୍ଷ ପରେ 1950 ମସିହା ସେପ୍ଟେମ୍ବର 17ରେ ମୋଦୀ ଜନ୍ମ ଗ୍ରହଣ କରିଥିଲେ । ଦାମୋଦର ଦାସ ମୋଦୀ ଓ ହିରାବା ମୋଦୀଙ୍କର 6ଟି ସନ୍ତାନଙ୍କ ମଧ୍ୟରୁ ତୃତୀୟ ହେଉଛନ୍ତି ନରେନ୍ଦ୍ର ମୋଦୀ । ଭାଡନଗର ଏପରି ଏକ ସହର ଯାହାକି ଐତିହାସିକ ଗୁରୁତ୍ୱ ବହନ କରେ । ପତ୍ନତତ୍ତ୍ୱ ଖନନ ଦ୍ୱାରା ଜଣାପଡେ ଯେ ଏହା ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ଜୀବନ୍ତ କେନ୍ଦ୍ର ଥିଲା । ଚୀନ ପରିବ୍ରାଜକ ହୁଏନସାଂ ଭାଡନଗର ପରିଭ୍ରମଣରେ ଆସିଥିଲେ । ଭାଡନଗରର ମଧ୍ୟ ବୈଦ୍ଧ ଧର୍ମର ଏକ ସମୃଦ୍ଧ ଐତିହ୍ୟ ରହିଛି । ଏକ ଶତାବ୍ଦୀ ପୂର୍ବରୁ ଏହି ସହରରେ ପ୍ରାୟ 10,000 ବୌଦ୍ଧ ସନ୍ୟାସୀ ରହୁଥିଲେ ।
ବଡନଗର ଷ୍ଟେସନ ,ଯେଉଁଠାରେ ନରେନ୍ଦ୍ର ମୋଦିଙ୍କ ପିତାଙ୍କର ଏକ ଚା' ଦୋକାନ ଥିଲା ଏବଂ ସେଠାରେ ନରେନ୍ଦ୍ର ମୋଦି ମଧ୍ୟ ଚା' ବିକ୍ରି କରୁଥିଲେ
ନରେନ୍ଦ୍ର ମୋଦୀଙ୍କ ପିଲାଦିନ ଓ ଲାଳନ ପାଳନ ଏତେଟା ସମୃଦ୍ଧି ମଧ୍ୟରେ ହୋଇନଥିଲା । ତାଙ୍କ ପରିବାର ଗରିବ ଶ୍ରେଣୀର ଥିଲା ଓ ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଥିଲା । ସମସ୍ତ ପରିବାର ଗୋଟିଏ ଛୋଟିଆ ଏକ ମହଲା ଘରେ (ଆନୁମାନିକ 40 x 12 ଫୁଟ) ରହୁଥିଲେ । ପାଖରେ ଥିବା ରେଳ ଷ୍ଟେସନରେ ତାଙ୍କ ବାପା ନିଜର ଏକ ଦୋକାନରେ ଚା’ ବିକୁଥିଲେ । ପିଲାବେଳ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ବାପାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ ।
ପିଲାବେଳର ଏହି ସମୟ ନରେନ୍ଦ୍ର ମୋଦୀଙ୍କ ମାନସପଟରେ ଗଭୀର ପ୍ରଭାବ ପକାଇଥିଲା । ଛୋଟପିଲା ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ତାଙ୍କ ପଢ଼ା, ଶିକ୍ଷାନୁଷ୍ଠାନ ବାହାରର ଜୀବନ ଓ ପାରିବାରିକ ଚା’ ଦୋକାନ ପ୍ରତି ତାଙ୍କର ଯୋଗଦାନ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିଲେ । ତାଙ୍କ ସ୍କୁଲ ସାଙ୍ଗମାନେ କୁହନ୍ତି ଯେ ନରେନ୍ଦ୍ର ଜଣେ ପରିଶ୍ରମୀ ଛାତ୍ର ଥିଲେ । ପଢ଼ା ଓ ବିତର୍କ ପ୍ରତି ମଧ୍ୟ ମୋଦୀଙ୍କର ସ୍ୱତନ୍ତ୍ର ପସନ୍ଦ ଥିଲା । ସ୍କୁଲ ପାଠାଗାରରେ ଘଣ୍ଟା ଘଣ୍ଟା ଧରି ସେ ପଢ଼ାରେ ମଗ୍ନ ରହୁଥିଲେ । ଖେଳକୁଦ ମଧ୍ୟରେ ସେ ସନ୍ତରଣ କରିବାକୁ ଭଲ ପାଉଥିଲେ । ସବୁ ସମ୍ପ୍ରଦାୟରୁ ମୋଦୀଙ୍କର ଅନେକ ବନ୍ଧୁ ଥିଲେ । ତାଙ୍କ ପଡିଶାରେ ମୋଦୀଙ୍କର ଅନେକ ମୁସଲମାନ ବନ୍ଧୁ ଥିଲେ, ତେଣୁ ପିଲାବେଳେ ଅନେକ ସମୟରେ ସେ ଅନେକ ହିନ୍ଦୁ ଓ ମୁସଲମାନ ପର୍ବ ପାଳନ କରିଥିଲେ ।
ଛୋଟବେଳେ ସେନାବାହିନୀରେ ଯୋଗଦେବା ନରେନ୍ଦ୍ର ମୋଦୀଙ୍କର ଏକ ସ୍ୱପ୍ନ ଥିଲା କିନ୍ତୁ ଭାଗ୍ୟ କିଛି ଅଲଗା ହିଁ ଭାବି ରଖିଥିଲା…
ଶ୍ରେଣୀଗୃହରୁ ଆରମ୍ଭ ହୋଇ କାର୍ଯ୍ୟାଳୟର ପରିବେଶରେ ଶେଷ ହେଉଥିବା ପାରମ୍ପରିକ ଜୀବନର ବହୁ ଉଦ୍ଧ୍ୱର୍ରେ ଥିଲା ତାଙ୍କ ଚିନ୍ତାଧାରା ଓ ସ୍ୱପ୍ନ । ସେ ସେଠାକୁ ଯାଇ ସମାଜରେ ଭିନ୍ନ କିଛି କରିବାକୁ ଚାହୁଁଥିଲେ...ଜନସାଧାରଣଙ୍କ ଆଖିରୁ ଲୁହ ପୋଛିବା ସହ ସେମାନଙ୍କ ଦୁଃଖ ଯନ୍ତ୍ରଣା ଦୂର କରିବାକୁ ଚାହୁଁଥିଲେ । ତ୍ୟାଗ ଓ ବୈରାଗ୍ୟ ପ୍ରତି ପିଲାଟି ବେଳରୁ ତାଙ୍କ ଆଗ୍ରହ ବୃଦ୍ଧି ପାଇଥିଲା । ସେ ଲୁଣ, ଲଙ୍କା, ତେଲ ଓ ମସଲା ଖାଇବା ଛାଡ଼ି ଦେଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଲେଖାକୁ ତନ୍ନ ତନ୍ନ କରି ପଢ଼ିବା ଦ୍ୱାରା ନରେନ୍ଦ୍ର ମୋଦୀଙ୍କ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ ହୋଇଯାଇଥିଲା ଏବଂ ଏହାଫଳରେ ବିବେକାନନ୍ଦଙ୍କ ସ୍ୱପ୍ନ ‘ଜଗଦ ଗୁରୁ ଭାରତ’ କୁ ସଫଳ କରିବାକୁ ମୋଦୀ ନିଜର ଲକ୍ଷ୍ୟ ବୋଲି ସ୍ଥିର କରି ନେଇଥିଲେ ।
ଯଦି ଗୋଟିଏ ଶବ୍ଦରେ ନରେନ୍ଦ୍ର ମୋଦୀଙ୍କ ପିଲାବେଳେକୁ ଚିତ୍ରଣ କରିବାକୁ ପଡେ ଯାହାକୁ ବାକି ଜୀବନ ତାଙ୍କ ସହିତ ରହିଥିଲା, ତାହା ହେଉଛି ସେବା । ଯେତେବେଳେ ତପି ନଦୀରେ ବନ୍ୟା ଆସି ବିଭୀଷିକା ସୃଷ୍ଟି କରୁଥିଲା, ସେତେବେଳେ 9 ବର୍ଷର ନରେନ୍ଦ୍ର ମୋଦୀ ତାଙ୍କ ସାଙ୍ଗମାନଙ୍କ ସହ ଖାଦ୍ୟ ଷ୍ଟଲ ଖୋଲି ଲୋକମାନଙ୍କର ସହାୟତା କରୁଥିଲେ । ଯେତେବେଳେ ପାକିସ୍ତାନ ସହିତ ଘମାଘୋଟ ଯୁଦ୍ଧ ଲାଗିଥିଲା, ସେତେବେଳେ ସେ ସୀମାକୁ ଯାଉଥିବା ଓ ସେଠାରୁ ଆସୁଥିବା ଯବାନମାନଙ୍କୁ ଚା’ ଦେଉଥିଲେ । ଏହା ଏକ ଛୋଟ ପଦକ୍ଷେପ ଥିଲା, ମାତ୍ର ଏହା ଭାରତ ମାତାର ସେବା କରିବା ନେଇ ଛୋଟ ବୟସରୁ ମଧ୍ୟ ତାଙ୍କ ଦୃଢ଼ ସଂକଳ୍ପକୁ ସୂଚାଉ ଥିଲା ।
ଛୋଟବେଳେ ଭାରତୀୟ ସେନାବାହିନୀରେ ଯୋଗଦେବା ନରେନ୍ଦ୍ର ମୋଦୀଙ୍କର ଏକ ସ୍ୱପ୍ନ ଥିଲା । ତାଙ୍କ ସମୟର ଅନେକ ପିଲାମାନେ ଭାବୁଥିଲେ ଯେ ସେନାରେ କାର୍ଯ୍ୟ କରିବା ହିଁ ଭାରତ ମାତାର ସର୍ବଶ୍ରେଷ୍ଠ ସେବା । ତେବେ ଭାଗ୍ୟବାଦ ହେଉ ବା ଅନ୍ୟକିଛି, ତାଙ୍କ ପରିବାର ଏହି ଚିନ୍ତାଧାରାର ଘୋର ବିରୋଧି ଥିଲେ । ଜାମନଗର ପାଖରେ ଥିବା ସୈନିକ ସ୍କୁଲରେ ପଢ଼ିବା ଲାଗି ମୋଦୀ ଖୁବ ଆଗ୍ରହୀ ଥିଲେ । ମାତ୍ର ଯେତେବେଳେ ସ୍କୁଲ ଫିସ୍ ଦେବାକୁ ପଡିଲା, ସେତେବେଳେ ଘରେ ପଇସା ନଥିଲା । ଏହାଫଳରେ ନିଶ୍ଚିତ ଭାବେ ନରେନ୍ଦ୍ର ହତୋତ୍ସାହିତ ହୋଇଥିଲେ, ମାତ୍ର ଜୱାନର ପୋଷାକ ପିନ୍ଧିନପାରି ହତୋତ୍ସାହିତ ହୋଇପଡିଥିବା ଏହି ଛୋଟପିଲାଟିକୁ ନେଇ ଭାଗ୍ୟର ଯୋଜନା ଥିଲା ଭିନ୍ନ । ପରବର୍ତ୍ତୀ ସମୟରେ ସେ ଜନସାଧାରଣଙ୍କ ସେବା କରିବା ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଥିଲେ ଯାହାକି ତାଙ୍କୁ ଏକ ଅସାଧାରଣ ପଥରେ ଭାରତ ବ୍ୟାପୀ ଯାତ୍ରା କରାଇଥିଲା ।
ନିଜ ମାଁଙ୍କ ଆଶୀର୍ବାଦ ନେବା ସମୟରେ