ଫ୍ରାନ୍ସର ୟୁରୋପ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାଁ-ୟେସ ଲି ଦ୍ରାଏନ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଜୁନ 2017ରେ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ପରଠାରୁ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ସାମ୍ପ୍ରତିକ ଅଗ୍ରଗତି ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।
ପୂର୍ବରୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏବଂ ବର୍ତ୍ତମାନର ଭୂମିକାରେ ଭାରତ-ଫ୍ରାନ୍ସ ସମ୍ପର୍କ ନିବିଡ଼ ହେବାରେ ମିଃ. ଲି ଦ୍ରାଏନଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ଗୁରୁତ୍ୱ କେବଳ ଦ୍ୱିପାକ୍ଷିକ ପରିଦୃଶ୍ୟରେ ସୀମିତ ରହିନାହିଁ, ବରଂ ଏହା କ୍ଷେତ୍ରୀୟ ତଥା ବୈଶ୍ୱିକ ପରିଦୃଶ୍ୟରେ ଶାନ୍ତି ଏବଂ ସ୍ଥିରତା ଆଣିବା ଦିଗରେ ମିଳିତ ଶକ୍ତି ଭାବେ କାର୍ଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯଥାଶୀଘ୍ର ସମ୍ଭବ ସେ ଭାରତରେ ରାଷ୍ଟ୍ରପତି ମାକରୋଂଙ୍କୁ ସ୍ୱାଗତ ଜଣାଇବା ଲାଗି ଆଗ୍ରହର ସହ ଚାହିଁ ରହିଛନ୍ତି ।