ଭାରତର ବୈଦେଶିକ ନୀତିରେ ସାର୍କ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ସାର୍କ କ୍ଷେତ୍ରରେ ଭାରତ ସର୍ବବୃହତ ରାଷ୍ଟ୍ର ହେବା ସହ, ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଯଥେଷ୍ଟ ମହତ୍ତ୍ଵ ରଖେ । କ୍ଷମତାକୁ ଆସିବାର ପ୍ରଥମ ଦିନଠାରୁ ପ୍ରଧାନମନ୍ତ୍ରୀ ଏହା ପ୍ରଦର୍ଶନ କରିଆସିଛନ୍ତି ଯେ ସାର୍କ ରାଷ୍ଟ୍ରମାନଙ୍କ ସହ ସୁସଂପର୍କ ରକ୍ଷା ଭାରତର ବିଦେଶ ନୀତିର ମୂଳ ଆଧାର ।
2014 ମସିହା ମେ 26 ତାରିଖ ଦିନ ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ରାଷ୍ଟ୍ରର ନେତୃବର୍ଗଙ୍କୁ ଆମନ୍ତ୍ରଣ କରିବାକୁ ଶ୍ରୀ ମୋଦୀ ସିଦ୍ଧାନ୍ତ ନେଇଥିଲେ । ତେଣୁ ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ, ସେହି ଅବସରରେ ରାଷ୍ଟ୍ରପତି ହମିଦ କାର୍ଜାଇ (ଆଫଗାନିସ୍ତାନ), ବାଚସ୍ପତି ଶର୍ମିନ ଚୌଧୁରୀ (ବାଂଲାଦେଶ) (କାରଣ ପ୍ରଧାନମନ୍ତ୍ରୀ ଶେଖ ହସୀନା ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମ ଅନୁସାରେ ଜାପାନ ଗସ୍ତରେ ଥିଲେ), ପ୍ରଧାନମନ୍ତ୍ରୀ ଶେରିଂ ତୋବଗେ (ଭୁଟାନ), ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ (ମାଳଦ୍ଵୀପ), ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା (ନେପାଳ), ପ୍ରଧାନମନ୍ତ୍ରୀ ନୱାଜ ସରିଫ (ପାକିସ୍ତାନ) ଏବଂ ରାଷ୍ଟ୍ରପତି ରାଜପାକ୍ସେ (ଶ୍ରୀଲଙ୍କା) ଉପସ୍ଥିତ ଥିଲେ । ଶପଥ ଗ୍ରହଣର ପରଦିନ ଶ୍ରୀ ମୋଦୀ ଏହି ସବୁ ନେତୃବର୍ଗଙ୍କ ସହ ଖୁବ ଫଳପ୍ରସୂ ଦ୍ଵିପାକ୍ଷିକ ଆଲୋଚନା କରିଥିଲେ । ପ୍ରତ୍ୟେକ ନେତାଙ୍କ ସହ ବୈଠକ ଏକ ନୂତନ ଅୟମାରମ୍ଭର ସୂଚନା ଦେବା ସହ ଏକ ସକାରାତ୍ମକ ଯୁଗର ଆରମ୍ଭ ଓ ସାର୍କ ରାଷ୍ଟ୍ରଙ୍କ ମଧ୍ୟରେ ସଂପର୍କର ରେକର୍ଡ ଅଭିବୃଦ୍ଧି ସୂଚୀତ କରିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ଭୁଟାନକୁ ବାଛିଥିଲେ । ଏହି କ୍ରମରେ 2014 ମସିହା ଜୁନ 15 ତାରିଖ ଦିନ ସେ ସେଠାରେ ପହଂଚିଥିଲେ ଓ ତାଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ସଂସଦରେ ଉଦବୋଧନ ଦେଇଥିଲେ ।
ଯେତେବେଳେ 2014 ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାଠମାଣ୍ଡୁଠାରେ ପହଂଚିଲେ, ଦୀର୍ଘ 17 ବର୍ଷ ପରେ କୌଣସି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ନେପାଳ ଗସ୍ତ । ନେପାଳ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା । ଏବଂ ନେପାଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଭାରତ-ନେପାଳ ସମ୍ପର୍କରେ ଏକ ଐତିହାସିକ ଅଧ୍ୟାୟର ଅୟମାରମ୍ଭ ଘଟାଇଥିଲା । 2014 ମସିହା ନଭେମ୍ବର ମାସରେ ସାର୍କ ଶିଖର ସମ୍ମିଳନୀରେ ଯୋଗଦେବାକୁ ଶ୍ରୀ ମୋଦୀ ପୁନର୍ବାର ନେପାଳ ଗସ୍ତ କରିଥିଲେ ଏବଂ ସେଠାରେ ସେ ପ୍ରମୁଖ ସାର୍କ ନେତୃବର୍ଗଙ୍କୁ ସାକ୍ଷାତ କରିଥିଲେ ।
2015 ଫେବୃଆରୀରେ ନବ ନିର୍ବାଚିତ ଶ୍ରୀଲଙ୍କା ରାଷ୍ଟ୍ରପତି ଶିରିସେନା ଭାରତ ଗସ୍ତରେ ଆସିଥିଲେ । 2015 ଜାନୁଆରୀ ମାସରେ କ୍ଷମତାକୁ ଆସିବା ପରେ ଭାରତକୁ ପ୍ରଥମ ବିଦେଶ ଗସ୍ତ କରିବାକୁ ସେ ସ୍ଥିର କରିଥିଲେ । 2015 ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ଅନେକ ବର୍ଷ ବ୍ୟବଧାନ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଶ୍ରୀଲଙ୍କା ଗସ୍ତ । ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀଲଙ୍କା ସଂସଦରେ ଉଦବୋଧନ ଦେଇଥିଲେ ଓ ଜାଫ୍ନା ଗସ୍ତ କରିଥିଲେ । ଜାଫ୍ନା ଗସ୍ତ କରିବାରେ ଶ୍ରୀ ମୋଦୀ ଥିଲେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଓ ଦ୍ଵିତୀୟ ବିଶ୍ଵ ନେତା । ସେଠାରେ ସେ ଏକ ଭାରତ ସରକାରଙ୍କ ଗୃହନିର୍ମାଣ ପ୍ରକଳ୍ପର ଅଂଶବିଶେଷ ସ୍ଵରୂପ କେତେକ ଲୋକଙ୍କୁ ବାସଗୃହ ପ୍ରଦାନ କରିଥିଲେ ଏବଂ ଜାଫ୍ନା ସାଂସ୍କୃତିକ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ।
ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ୍ ଘନି 2015 ମେ’ ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ଅବସରରେ ଉଭୟ ନେତା ଦୁଇ ଦେଶର ସଂପର୍କକୁ ଘନିଷ୍ଠ କରିବା ଦିଗରେ ଆଲୋଚନା କରି ସହମତ ହୋଇଥିଲେ ।
2015 ମସିହା ମେ’ ମାସରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଥିଲା ଯେତେବେଳେ ଭାରତୀୟ ସଂସଦ ଭାରତ-ବାଂଲାଦେଶ ସୀମା ରାଜିନାମା କୁ ସର୍ବସମ୍ମତ କ୍ରମେ ଗୃହୀତ କରିଥିଲେ । ଏହା ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ ତଥା ଐତିହାସିକ ଅଧ୍ୟାୟର ଅୟମାରମ୍ଭ ଘଟାଇଥିଲା । ଏ ଦିଗରେ ସମସ୍ତ ରାଜନୈତିକ ଦଳ ଓ ସଂପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ପୁଣି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ । ଉଭୟ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୁବ ଶୀଘ୍ର ବାଂଲାଦେଶ ଗସ୍ତରେ ଯିବାର ଆଶା କରାଯାଏ ।
ତେଣୁ ଦ୍ଵିପାକ୍ଷିକ ଆଲୋଚନାଠାରୁ ଆରମ୍ଭ କରି ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ଵାକ୍ଷର ଓ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ସାର୍କ ରାଷ୍ଟ୍ରମାନଙ୍କ ସଂପର୍କ ନିବିଡ କରିବା ଦିଗରେ ପ୍ରଧାନମନ୍ତ୍ରୀ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।