ଆମ କୃଷକମାନଙ୍କ ସଶକ୍ତିକରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର କୃଷିର ଉନ୍ନତି ପାଇଁ ଅଭୂତପୂର୍ବ ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଉତ୍ପାଦନ ବୃଦ୍ଧି, କୃଷକମାନଙ୍କର ସୁରକ୍ଷା, ଆୟ ବୃଦ୍ଧି ଓ ସେମାନଙ୍କର ସାମଗ୍ରୀକ ଉନ୍ନତି ପାଇଁ ଗତ ଦୁଇବର୍ଷ ହେଲା ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ଅନେକ କ୍ଷେତ୍ରରେ ସହାୟତା କରିଛି । ଏହାଫଳରେ କୃଷକମାନଙ୍କୁ ସହଜରେ ସାର ମିଳିପାରୁଛି, ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆସିପାରିଛି, ଶସ୍ୟବୀମା ମିଳିଛି, ସହଜରେ ଋଣ ମିଳିପାରୁଛି, ବୈଜ୍ଞାନିକ ପଦ୍ଧତିରେ କୃଷି କାର୍ଯ୍ୟ କରାଯାଉଛି ଓ ଶସ୍ୟଜାତ ଦ୍ରବ୍ୟର ଅଧିକ ମୂଲ୍ୟ ମଧ୍ୟ ମିଳିପାରୁଛି । ବିବିଧ ପଦକ୍ଷେପ ମାଧ୍ୟମରେ 2022 ସୁଦ୍ଧା କୃଷକମାନଙ୍କ ଆୟରେ ଦୁଇଗୁଣ ବୃଦ୍ଧି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି ।
2014-15 ଏବଂ 2015-16ରେ କ୍ରମାଗତ ଦୁଇବର୍ଷ ଧରି ଭାରତରେ ମରୁଡି ଦେଖାଦେଇଥିଲା । ତଥାପି ଭାରତୀୟ କୃଷକମାନଙ୍କ ଦୃଢ଼ତା ଯୋଗୁ, କୃଷି ଉତ୍ପାଦନ ସ୍ଥିର ରହିଲା ଏବଂ ଯୋଗାଣ ଓ ମୁଦ୍ରାସ୍ଫୀତି ମଧ୍ୟ ସ୍ଥିର ରହିଲା । 2015-16ରେ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ 252.23 ମେଟ୍ରିକ ଟନ ଥିଲା ଏବଂ 2014-15ରେ ଏହା ଥିଲା 252.02 ମେଟ୍ରିକ ଟନ । କୃଷି ମନ୍ତ୍ରଣାଳୟର ନାମ ବଦଳାଯାଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରଖାଯାଇଛି । ଏହା ଦୂରଦୃଷ୍ଟିରେ ଏକ ବଡ ଧରଣର ରୂପାନ୍ତରଣ ହୋଇଥିବା ଦର୍ଶାଉଛି । ଏହାଫଳରେ କୃଷକମାନଙ୍କୁ ଆଗରେ ରଖାଯାଉଛି । କୃଷି ଓ କୃଷକ କଲ୍ୟାଣ ପାଇଁ ବଜେଟରେ ଅର୍ଥରାଶିକୁ ବହୁ ଅଧିକ ବଢ଼ାଯାଇ 38,984 କୋଟି କରାଯାଇଛି ।
ସରକାର ହୃଦୟଙ୍ଗମ କରିଛନ୍ତି ଯେ, କୃଷି ଅଧିକ ଉତ୍ପାଦନକ୍ଷମ, ଆନୁମାନିକ ଓ ଲାଭପ୍ରଦ ହେବା ଆବଶ୍ୟକ । ତେଣୁ ବହୁବିଧ କାର୍ଯ୍ୟଧାରା ମାଧ୍ୟମରେ ବର୍ଷ ତମାମ୍ କୃଷକମାନଙ୍କର ସମସ୍ୟା ସମାଧାନ କରାଯିବା ଉଚିତ, ଏବଂ ଏକ କୃଷକ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାର ବାଟ ଖୋଜିଛନ୍ତି ।
ବୁଣା ପୂର୍ବରୁ:
- କୃଷକମାନଙ୍କୁ ସଠିକ ଚୟନ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ
ସରକାର 1.84କୋଟି ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ବଂଟନ କରିଛନ୍ତି । ଲକ୍ଷ୍ୟରହିଛି ସମସ୍ତ 14 କୋଟି କ୍ଷେତକୁ ଗ୍ରହଣ କରାଯାଇ ସବୁ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ।
- ସାର
ସାର ପାଇଁ ଲମ୍ବା ଧାଡିରେ ଠିଆ ହେବା ଏବେ ଇତିହାସରେ ପରିଣତ ହୋଇଛି । କୃଷକମାନଙ୍କ ପାଇଁ ସରକାର ଏବେ ସୁବିଧାରେ ସାର ଉପଲବ୍ଧ କରାଉଛନ୍ତି । ସାରର ମୂଲ୍ୟ ମଧ୍ୟ ବହୁ ପରିମାଣରେ ହ୍ରାସପାଇଛି । ଦେଶରେ ଶତକଡା 100 ପ୍ରତିଶତ ଲିମ୍ବ ପ୍ରଲେପଯୁକ୍ତ ୟୁରିଆ ଉପଲବ୍ଧ । ଏହାଫଳରେ ସାର ବ୍ୟବହାର କ୍ଷମତା ଶତକଡା 10ରୁ 15 ପ୍ରତିଶତ ବୃଦ୍ଧି ପାଇବା ସହ ୟୁରିଆ ସାର ବ୍ୟବହାର ହ୍ରାସ ପାଉଛି ।
- ଆର୍ଥିକ ସହାୟତା
କୃଷକମାନେ କରିଥିବା ଋଣର ସୁଧହ୍ରାସ କରିବା ପାଇଁ ସରକାର 18,276 କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି । ଏହାଫଳରେ ଜଣେ କୃଷକ ବଜାର ସୁଧହାର ଶତକଡା 9 ପ୍ରତିଶତ ତୁଳନାରେ ସ୍ପଳ୍ପ ମିଆଦି ଚାଷ ପାଇଁ ଶତକଡା 4 ପ୍ରତିଶତ, ଅମଳ ପରର ଋଣ ପାଇଁ ଶତକଡା 7 ପ୍ରତିଶତ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ମଧ୍ୟ ଶତକଡା 9 ପ୍ରତିଶତ ହାରରେ ସୁଧ ଦେବ ।
ବୁଣା ସମୟରେ:
- ଜଳସେଚନ ସୁବିଧା
ଯୁଦ୍ଧକାଳୀନ ଭିତ୍ତିରେ ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା କାର୍ଯ୍ୟକାରୀ କରାଯିବ ଓ ଏହି ଯୋଜନା ମାଧ୍ୟମରେ 28.5ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଉପଲବ୍ଧ କରାଯିବ । ଏଆଇବିପି ଅଧୀନରେ 89ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବହୁଦିନ ଧରି ବିଳମ୍ବିତ ହୋଇ ପଡିଥିବା ପ୍ରକଳ୍ପଗୁଡ଼ିକୁ ମଧ୍ୟ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ଭାବେ 20,000କୋଟି ଟଙ୍କା ବିନିମୟରେ ନାବାର୍ଡ ମାଧ୍ୟମରେ ଜଳସେଚନ ପାଇଁ ଦୀର୍ଘମିଆଦୀ ଅନୁଦାନ ଯୋଜନା ସୃଷ୍ଟି କରାଯାଉଛି । ଏମଜିଏନଆରଇଜିଏ ମାଧ୍ୟମରେ ବୃଷ୍ଟିପୃଷ୍ଟ ଅଂଚଳମାନଙ୍କରେ 5 ଲକ୍ଷ କୃଷିଖେତ ପୋଖରୀ ଓ କୂପ ଖନନ କରାଯିବ ଏବଂ ଜୈବିକ ସାର ପ୍ରସ୍ତୁତ ପାଇଁ 10 ଲକ୍ଷ କମ୍ପୋଷ୍ଟ ଖାତ ପ୍ରସ୍ତୁତ କରାଯିବ ।
- ସମର୍ଥନ ଓ ଦିଗଦର୍ଶନ
ଏସ୍ଏମ୍ଏସ୍ ଓ ଫୋନକଲ ମାଧ୍ୟମରେ କୋଟି କୋଟି କୃଷକଙ୍କ ପାଖକୁ ବିଜ୍ଞାନଭିତ୍ତିକ ଉପଦେଶ ପ୍ରେରଣ କରାଯାଉଛି ।
ବୁଣା ହେବା ପରେ:
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
ସବୁଠାରୁ କମ୍ ପ୍ରିମିୟମ ରାଶିରେ କୃଷକମାନେ ପିଏମଏଫବିୱାଇର ଲାଭ ଉଠେଇ ପାରିବେ । ଗୋଟିଏ ଗୋଟିଏ ଚାଷ ପାଇଁ ପିଏମଏଫବିୱାଇ ଭିନ୍ନ ଭିନ୍ନ ମୂଲ୍ୟରେ ଉପଲବ୍ଧ ଯଥା ଖରିପ ଚାଷ ପାଇଁ ଶତକଡା 2 ପ୍ରତିଶତ, ରବି ଚାଷ ପାଇଁ ଶତକଡା 1.5ପ୍ରତିଶତ ଓ ଉଦ୍ୟାନ କୃଷି ପାଇଁ ଶତକଡା 5 ପ୍ରତିଶତ । ପ୍ରିମିୟମ ରାଶିକୁ ବଢ଼ାଯିବ ନାହିଁ ଏବଂ ମୋଟ ଲାଭାଂଶକୁ କମାଯିବ ନାହିଁ । ଏହାଫଳରେ କୃଷକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିପାରିବ । ସ୍ୱାଧୀନତା ପରଠାରୁ ମାତ୍ର ଶତକଡା 20 ପ୍ରତିଶତ କୃଷକ ବୀମାଭୁକ୍ତ ହୋଇଛନ୍ତି । ପିଏମଏଫବିୱାଇ ମାଧ୍ୟମରେ ଆଗାମୀ 3 ବର୍ଷ ମଧ୍ୟରେ ଶତକଡା 50 ପ୍ରତିଶତ କୃଷକଙ୍କୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
- ଇ-ନାମ
ବିଭିନ୍ନ କୃଷି ବଜାର ନିୟାମକ ଦ୍ୱାରା ଉକ୍ତ ରାଜ୍ୟର କୃଷି ବଜାରକୁ ପରିଚାଳନା କରାଯାଇଥାଏ । ଏହି ବ୍ୟବସ୍ଥା ଦ୍ୱାରା ସେହି ରାଜ୍ୟ ଅନେକ ବଜାର ଅଂଚଳରେ ବିଭକ୍ତ ହୋଇଥାଏ । ବଜାରଗୁଡ଼ିକ ବହୁ ଭାଗରେ ବିଭକ୍ତ ହେବା ଫଳରେ କୃଷିଜାତ ସାମଗ୍ରୀଗୁଡ଼ିକର ପ୍ରବାହରେ ବାଧା ସୃଷ୍ଟିହୁଏ । ଏହାଫଳରେ ଏଗୁଡ଼ିକ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ଯାଇପାରନ୍ତି ନାହିଁ । ତେଣୁ ଉପଭୋକ୍ତା ଅଧିକ ରେଟରେ ଜିନିଷ କିଣେ । ମାତ୍ର କୃଷକକୁ କିଛି ଲାଭ ମିଳିନଥାଏ । ଇ-ନାମ ମାଧ୍ୟମରେ ଏହି ସବୁ ସମସ୍ୟାର ସମାଧାନ କରାଯାଇ ପାରିବ । ଏହି ବ୍ୟବସ୍ଥାର ଅନଲାଇନ କାରବାରର ଭିତ୍ତିଭୂମି ମାଧ୍ୟମରେ ଉଭୟ ରାଜ୍ୟମାନଙ୍କରେ ଓ ଜାତୀୟ ସ୍ତରରେ ଏକକ ବଜାର ସୃଷ୍ଟି କରାଯିବ । ଏହାଫଳରେ ଏକକ ବଜାର ବ୍ୟବସ୍ଥା ସଠିକ ଢ଼ଙ୍ଗରେ କାର୍ଯ୍ୟକାରୀ ହେବ । କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସଠିକ ଭାବେ ସୂଚନାର ପ୍ରବାହ ହେବ ଏବଂ ଚାହିଦା ଓ ଯୋଗାଣ ବ୍ୟବସ୍ଥା ଅନୁଯାୟୀ ଦ୍ରବ୍ୟର ମୂଲ୍ୟ ସ୍ଥିର ହେବ । ତେଣୁ କିଣାବିକା ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ଓ କୃଷକମାନେ ମଧ୍ୟ ସେମାନଙ୍କ ଦ୍ରବ୍ୟର ବିକ୍ରୟ ପାଇଁ ଦେଶବ୍ୟାପୀ ବଜାରର ସୁବିଧା ନେଇପାରିବେ । ଅନଲାଇନ ମାଧ୍ୟମରେ ଉପଭୋକ୍ତା ଦେୟ ପ୍ରଦାନ କରିବା ସହ ଉଚିତ ମୂଲ୍ୟରେ ଗୁଣାତ୍ମକ ଦ୍ରବ୍ୟ ପାଇପାରିବେ ।
ଉପରୋକ୍ତ ପଦକ୍ଷେପ ବ୍ୟତୀତ, କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ବିବିଧ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ମାଛଚାଷ, ପଶୁପାଳନ ଓ ଗୋପାଳନ ଆଦି ସହାୟକ ଚାଷ ମାଧ୍ୟମରେ କୃଷକର ଆୟ ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି । ‘ପଶୁଧନ ସଞ୍ଜିବନୀ’, ‘ନକୁଳ ସ୍ୱାସ୍ଥ୍ୟ ପାତ୍ର’, ‘ଇ-ପଶୁଧନ ହାଟ’ ଓ ଜାତୀୟ ଜେନୋମିକ କେନ୍ଦ୍ର ମାଧ୍ୟମରେ ସ୍ୱଦେଶୀ ବ୍ରିଡର ବିକାଶ ଆଦି 4ଟି ଗୋପାଳନ ପ୍ରକଳ୍ପରେ 850 କୋଟି ଟଙ୍କା ବ୍ୟୟ କରାଯାଇଛି । ସ୍ୱଦେଶୀ ବ୍ରିଡର ଗାଈମାନଙ୍କର ସଂରକ୍ଷଣ ଓ ବିକାଶ ଲାଗି ରାଷ୍ଟ୍ରୀୟ ଗୋକୁଳ ମିଶନର ଆରମ୍ଭ କରାଯାଇଛି । 2013-14ରେ ମତ୍ସ୍ୟ ଉତ୍ପାଦନ 95.72 ଲକ୍ଷ ଟନ ଥିଲାବେଳେ, 2014-15ରେ ଏହା ବୃଦ୍ଧିପାଇ 101.64 ଲକ୍ଷ ଟନରେ ପହଂଚିଛି । 2015-16ରେ ମତ୍ସ୍ୟ ଉତ୍ପାଦନ 107.9 ଲକ୍ଷ ଟନ ହେବାର ଆକଳନ କରାଯାଉଛି । ମାଛ ଧରା ନିଷେଦ୍ଧ ସମୟରେ ଓ ପ୍ରତିକୂଳ ସମୟରେ ମତ୍ସ୍ୟଜୀବିମାନଙ୍କ ସୁରକ୍ଷା ଓ ସହାୟତା ରାଶିକୁ ନୀଳ ବିପ୍ଳବ ଯୋଜନା ଅନୁଯାୟୀ ମାସିକ 1500 ଟଙ୍କା ବୃଦ୍ଧି କରାଯାଇଛି ।
ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ରାଶିକୁ ମଧ୍ୟ ଅନେକ ପରିମାଣରେ ବୃଦ୍ଧି କରାଯାଇଛି । 2010-15ରେ ରାଜ୍ୟ ବିପର୍ଯ୍ୟୟ ସହାୟକ ଅନୁଦାନ ରାଶି ଥିଲା 33580.93 କୋଟି ଟଙ୍କା । 2015-16ରେ ଏହାର ପରିମାଣ ବୃଦ୍ଧି କରାଯାଇ 61220 କୋଟି କରାଯାଇଥିଲା । ମରୁଡି ଓ ବରଫପାତ ଦ୍ୱାରା ପ୍ରଭାବିତ ରାଜ୍ୟମାନଙ୍କ ପାଇଁ 2010-14 ମଧ୍ୟରେ 12516.20 କୋଟି ଟଙ୍କାର ସହାୟତା ରାଶି ଅନୁମୋଦନ କରାଯାଇଥିଲା । 2014-15ରେ ଏହି ରାଜ୍ୟଗୁଡ଼ିକ ପାଇଁ କେବଳ ଏନଡିଏ ସରକାର 9017.998 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା । 2015-16ପାଇଁ ଏପର୍ଯ୍ୟନ୍ତ 13496.57 କୋଟି ଟଙ୍କା ଅନୁମୋଦନ କରାଯାଇ ସାରିଲାଣି ।