ହାନୋଭର ମେସେ ବିଶ୍ଵର ସର୍ବବୃହତ ଏବଂ ମର୍ଯ୍ୟାଦାଜନକ ଶିଳ୍ପ ମେଳାମାନଙ୍କ ମଧ୍ୟରେ ଅନ୍ୟତମ । ସାରା ବିଶ୍ଵର ଅଗଣିତ ଲୋକ ଏହି ଜର୍ମାନ ସହରରେ ଏକତ୍ରିତ ହୋଇ ପୃଥିବୀର ଅଗ୍ରଣୀ ନିର୍ମାତା ଓ ଉତ୍ପାଦକମାନେ କଣ ସବୁ ନୂଆ ନୂଆ ଉତ୍ପାଦ ବଜାରକୁ ଛାଡ଼ୁଛନ୍ତି ତାହା ଦେଖିଥାନ୍ତି । 2015 ମସିହାରେ ହାନୋଭରା ମେସେ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଭାରତ ଏକ ସହଯୋଗୀ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
ମେସେ ମେଳାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ମିଳିତ ଭାବେ ଉଦଘାଟନ କରିଥିଲେ । ମେଳାରେ ଭାରତର ସଫ୍ଟ ଶକ୍ତି ଏବଂ ଏହି କ୍ଷେତ୍ରରେ ନିବେଶ ପାଇଁ ଥିବା ପର୍ଯ୍ୟାପ୍ତ ସୁଯୋଗକୁ ପ୍ରଦର୍ଶିତ କରାଯାଇଥିଲା । ଏଥିପାଇଁ ନିର୍ମିତ ଆକର୍ଷଣୀୟ ମେକ ଇନ ଇଣ୍ଡିଆ ମଣ୍ଡପରେ ଭାରତରେ ଘଟୁଥିବା ପରିବର୍ତ୍ତନ ଓ ସୃଷ୍ଟି ହେଉଥିବା ସୁଯୋଗ ନିବେଶକଙ୍କ ପାଇଁ କିପରି ସବୁଠାରୁ ବଡ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି ତାହା ପ୍ରଦର୍ଶିତ ହୋଇଥିଲା । ଭାରତର ବିଭିନ୍ନ ରାଜ୍ୟ ନିଜ ନିଜର ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରିଥିଲେ ଓ ଏହାକୁ ଦର୍ଶକମାନେ ଉଚ୍ଚପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଭାଷଣରେ ସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଭାରତରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଗଠିତ ହେବାର ପ୍ରଥମ ବର୍ଷରେ ହାନୋଭର ମେସେ ଭଳି ଏକ ସମ୍ମାନଜନକ ମେଳା କାର୍ଯ୍ୟକ୍ରମରେ ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ହେବା ଏକ ଗୌରବର କଥା । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ବର୍ଷରେ ହିଁ ଦେଶର ବ୍ୟବସାୟ ବାତାବରଣକୁ ସହଜ କରିବା, ଟିକସ ବ୍ୟବସ୍ଥାକୁ ସରଳ କରିବା ଏବଂ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଭଳି ପରିବେଶ ସୃଷ୍ଟି ଉପରେ ପ୍ରାଧାନ୍ୟ ଦେଇଛନ୍ତି ।
ତାଙ୍କର ଦ୍ଵିପାକ୍ଷିକ ବିଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବିଶ୍ଵର ଅନେକ ନେତୃବର୍ଗ “ମେକ ଇନ ଇଣ୍ଡିଆ” ସମ୍ପର୍କରେ ସେମାନଙ୍କ ସକାରାତ୍ମକ ଚିନ୍ତା ବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆବୋଟ, ଜାପାନ ପ୍ରଧାନମନ୍ତ୍ରୀ ଆବେ, ଫ୍ରାନ୍ସ ରାଷ୍ଟ୍ରପତି ହୋଲାଁ, କାନାଡା ପ୍ରଧାନମନ୍ତ୍ରୀ ହାର୍ପର ପ୍ରମୁଖ ଅନ୍ୟତମ ।
ଗତ ଏକ ବର୍ଷରେ, ଭାରତ ସମ୍ପର୍କରେ ସକାରାତ୍ମକ ମନୋଭାବ ସୃଷ୍ଟି ଲାଗି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଫଳରେ ଭାରତରେ ବିନିର୍ମାଣ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ ହୋଇଛି ଏବଂ ଭାରତରେ ଥିବା ପର୍ଯ୍ୟାପ୍ତ ସୁଯୋଗ ଫାଇଦା ନେବା ସକାଶେ ସମଗ୍ର ବିଶ୍ଵର ନଜର ଏବେ ଭାରତ ଉପରେ କେନ୍ଦ୍ରୀଭୂତ ହୋଇଛି ।