ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ସୋସାଇଟି ବହୁ ରାଜ୍ୟ ସମବାୟ ସମିତି ଆଇନ (ଏମ୍ଏସ୍ସିଏସ୍) -୨୦୦୨ ଅନୁସାରେ ଗଠିତ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବେ । ଏହି ସୋସାଇଟି ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ,ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ଉତ୍ପାଦନ ପାଇଁ ଗବେଷଣା ଓ ଉନ୍ନୟନ କାମ କରିବା ସହିତ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ । ଏହି କାମରେ ଦେଶର ବିଭିନ୍ନ ସ୍ତରର ସମବାୟ ସମିତିଗୁଡିକୁ ଏହି ଶୀଷ ର୍ସଂଗଠନରେ ନିୟୋଜିତ କରିବ ଏବଂ କୃଷି ମନ୍ତ୍ରଣାଳୟ ସହିତ ଭାରତୀୟ କୃଷି ଗବେଷଣା ପରିଷଦ, ଜାତୀୟ ବିହନ ନିଗମ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଓ ସଂଗଠନ ନିଜ ନିଜର ଯୋଜନା ମାଧ୍ୟମରେ ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇବେ । ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ସରକାର ଆଭିମୁଖ୍ୟରେ କାର୍ଯ୍ୟକାରୀ ହେବ ।
ପ୍ରଧାନମନ୍ତ୍ରୀ ଏହି ବୈଠକରେ ମତ ଦେଇଛନ୍ତି ଯେ ଦେଶର ଚାଷୀଙ୍କୁ ଓ ଦେଶକୁ ବିଭିନ୍ନ ପ୍ରକାର ଉତ୍କୃଷ୍ଟ ବିହନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ “ସହକାର ସେ ସମୃଦ୍ଧି” ଆଭିମୁଖ୍ୟରେ କାମ ହେବା ଉଚିତ । ଦେଶର ସମବାୟ ବ୍ୟବସ୍ଥାକୁ ଏକ ସଫଳ ବ୍ୟାବସାୟିକ ଢାଞ୍ଚାରେ ପକାଇ କାମ କଲେ କୃଷି ଓ ତତ୍ସଂକ୍ରାନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ ଏବଂ ଗ୍ରାମ୍ୟ ଅର୍ଥନୀତି ସମୃଦ୍ଧ ହେବ ।
ପ୍ୟାକ୍ସରୁ ଆପେକ୍ସ - ଏହା ପ୍ରାଥମିକ କୃଷିଋଣ ସୋସାଇଟି ବା ପାକ୍ସରୁ ଆପେକ୍ସ ସଂସ୍ଥା /ଶୀର୍ଷ ସଂସ୍ଥା ସଂଗଠନ ଭାବେ କାର୍ଯ୍ୟ କରିବ । ଏଥିରେ ପ୍ରାଥମିକ ସୋସାଇଟି, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତର ମହାସଂଘ ତଥା ବହୁ ରାଜ୍ୟ ସମବାୟ ସମିତି ମାନ ମଧ୍ୟ ଏହାର ସଦସ୍ୟ ହେବାକୁ ଯୋଗ୍ୟ ହେବେ । ଏହି ସମସ୍ତ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନେ ସୋସାଇଟିର ବୋର୍ଡରେ ପ୍ରତିନିଧିତ୍ୱ ସୁଯୋଗ ବାଏ-ଲ (ନିୟମ) ଅନୁସାରେ ପାଇବେ ।
ଏହି ଜାତୀୟ ବହୁରାଜ୍ୟ ସମବାୟ ବିହନ ନିଗମ ସିଡ୍ ରିପ୍ଲେସମେଣ୍ଟ ରେଟ୍(ବିହନ ପରିବର୍ତ୍ତନ ହାର) ଓ ଭେରାଇଟି ରିପ୍ଲେସମେଣ୍ଟ ରେଟ(ବିବିଧତା ପରିବର୍ତ୍ତନ ହାର)କୁ ପ୍ରୋତ୍ସାହିତ କରି ଉତ୍ପାଦନରେ ଥିବା ତାରତମ୍ୟ ଦୂର କରି ଉତ୍ପାଦକତା ବୃଦ୍ଧି ଦିଗରେ କାମ କରିବ । ଏହା ମଧ୍ୟ ସହକାର-ସେ-ସମୃଦ୍ଧି” ଲକ୍ଷ୍ୟ ପୂରଣ ପାଇଁ ସମବାୟ ଭିତ୍ତିକ ସମାବେଶୀ ଅଭିବୃଦ୍ଧି ମଡେଲକୁ କାମରେ ଲଗାଇବ । ଏହା ମଧ୍ୟ ସହଳ କିସମର ଅଧିକ ଅମଳକ୍ଷମ ବିହନ ଉତ୍ପାଦନ, ସଂଗ୍ରହ, ବିକ୍ରିବଟା ଓ ଯୋଗାଣ କାମ ଦେଖିବା ସହିତ ଏହାର ମାନ ଉପରେ ନଜର ରଖି ଚାଷୀ ଯେପରି ଠିକ୍ ସମୟରେ ଆବଶ୍ୟକ ପରିମାଣର ଉତ୍କୃଷ୍ଟମାନର ବିହନ ଉଚିତ ମୂଲ୍ୟରେ ପାଆନ୍ତି ସେ କାର୍ଯ୍ୟ ମଧ୍ୟ ଦେଖିବ । ବିହନ ବ୍ୟାବସାୟରୁ ଯେଉଁ ଲାଭ ମିଳିବ ତାହାକୁ ସବୁ ସଦସ୍ୟ ସମିତି ମଧ୍ୟରେ ବଣ୍ଟାଯିବ ।
ଏହାଫଳରେ ସମବାୟ ଓ କୃଷି କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିହନରେ ଭାରତ ଆତ୍ମନିର୍ଭର ହେବା ସହିତ ବିଦେଶୀ ବଜାର ଉପରୁ ନିର୍ଭରଶୀଳତା କମିବ । ଏହି ପ୍ରୟାସ ଦ୍ୱାରା ଅର୍ଥନୀତିର ଉନ୍ନତି ଆସିବା ସହିତ “ମେକ୍ ଇନ୍ ଇଣ୍ଡିଆ” ଓ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟପୂରଣ ହୋଇପାରିବ ।