ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ୍), ସମନ୍ୱିତ ଶିଶୁ ବିକାଶ ସେବା ଆଇସିଡିଏସ, ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ -ପିଏମ୍ ପେ।।ଷଣ(ପୂର୍ବରୁ ମଧ୍ୟାହ୍ନଭୋଜନ ଯୋଜନା)ଏବଂ ଭାରତ ସରକାର ଅନ୍ୟାନ୍ୟ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଫଟିଫାଏଡ ଚାଉଳ ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଉପରୋକ୍ତ ଯୋଜନା ନିମନ୍ତେ ଏହି ଚାଉଳ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।
ଏହି ଚାଉଳକୁ ଭିଟାମିନ ଯୁକ୍ତ କରିବା ପାଇଁ ବର୍ଷକୁ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସେ ବାବଦ ସମସ୍ତ ବ୍ୟୟ କେନ୍ଦ୍ର ସରକାର ବହନ କରିବେ । ଏହି ଯୋଗାଣ ବ୍ୟବସ୍ଥା ୨୦୨୪ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ଯାଏ ଏଥିପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ (ଫଟିଫିକେସନ ବାବଦ) ପଡିବ ତାହାକୁ ଖାଦ୍ୟ ସବ୍ସିଡି ଆକାରରେ ଭରଣା କରାଯିବ ।
ନିମ୍ନରେ ପ୍ରଦତ୍ତ ତିନିଟି ପର୍ଯ୍ୟାୟରେ ଏହି ଭିଟାମିନ୍ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ।
ପର୍ଯ୍ୟାୟ-୧
ପ୍ରଥମ ପର୍ଯ୍ୟାୟରେ ଏହି ଫଟିଫାଏଡ ଚାଉଳ ସମସ୍ତ ଆଇସିଡିଏସ୍ ଓ ପିଏମ୍ ପୋଷଣ ଯୋଜନାରେ ସମଗ୍ର ଦେଶରେ ମାର୍ଚ୍ଚ ୨୦୨୨ ସୁଦ୍ଧା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ପର୍ଯ୍ୟାୟ ଏବେ କାର୍ଯ୍ୟକାରୀ ଅବସ୍ଥାରେ ରହିଛି ।
ପର୍ଯ୍ୟାୟ-୨- ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି ଚାଉଳ ଦେଶର ମୋଟ ୨୯୧ ଆକାଂକ୍ଷୀ ଜିଲ୍ଲାରେ ତଥା ଟିଡିପିଏସ ଏବଂ ଓଡବ୍ଲ୍ୟୁଏସ୍ ଯୋଜନାରେ ଯୋଗାଇ ଦିଆଯିବ ।
ପର୍ଯ୍ୟାୟ-୩
୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶର ଅବଶିଷ୍ଟ ସବୁ ଜିଲ୍ଲାରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଭିଟାମିନ୍ଯୁକ୍ତ ଚାଉଳ ହିତାଧିକାରୀଙ୍କୁ ଉପଲବ୍ଧ ହେବ ।
ଏହି ଯୋଜନାର କାର୍ଯ୍ୟକାରିତାକୁ ସୁସଂହତ ଓ ସଫଳ କରିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ତାହାର ଉଦ୍ୟମକୁ ଜୋରଦାର କରିଛି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ସହ ସମନ୍ୱୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି । ଏହାଛଡା ଏଥିର ସମ୍ପୃକ୍ତ ସମସ୍ତ ପକ୍ଷ ଯଥା-ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ବିକାଶ ଅଂଶୀଦାର, ଉଦ୍ୟୋଗ, ଗବେଷଣା ପ୍ରତିଷ୍ଠାନ ସମୂହର ସହଯୋଗକୁ ସୁନିଶ୍ଚିତ କରାଯାଇଛି । ଏହି ଭିଟାମିନ୍ଯୁକ୍ତ ଚାଉଳ ସଂଗ୍ରହ କରିବାକୁ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ଓ ଅନ୍ୟାନ୍ୟ ସରକାରୀ ସଂଗ୍ରହକାରୀ ସଂସ୍ଥାମାନେ ମଧ୍ୟ ଲାଗିପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ୮୮. ୬୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରାଯାଇ ଯୋଗାଣ ଓ ବଣ୍ଟନ ପାଇଁ ରଖାଗଲାଣି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ର ସ୍ୱାଧୀନତା ଦିବସ ଭାଷଣରେ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳକୁ ଭିଟାମିନଯୁକ୍ତ କରିବାକୁ ଘୋଷଣା କରିଥିଲେ । ଏହା ଦ୍ୱାରା ସମ୍ପୃକ୍ତ ହିତାଧିକାରୀଙ୍କ ପୁଷ୍ଟିସାଧନ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ କହିଥିଲେ । ଦେଶରେ ଗରିବ ଜନତା, ବିଶେଷକରି ମହିଳା, ଶିଶୁ ଓ ପ୍ରସୂତି ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ୱ ପାଉ ନ ଥିବାରୁ କୁପୋଷଣର ସମ୍ମୁଖୀନ ହେବା ସହିତ ଶାରୀରିକ ବିକାଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରତିବନ୍ଧକ ହଟାଇବାକୁ ପ୍ରଧାନମନ୍ତ୍ରୀ ଭିଟାମିନ୍ଯୁକ୍ତ ଚାଉଳ ଯୋଗାଣକୁ ଗୁରୁତ୍ୱ ଦେଇଥିଲେ । ପୂର୍ବରୁ ଭିଟାମିନ୍ଯୁକ୍ତ ଚାଉଳ ପ୍ରସ୍ତୁତି ଓ ଏହାର ଯୋଗାଣ ପାଇଁ ୨୦୧୯-୨୦ରେ ଦେଶରେ କେନ୍ଦ୍ରୀୟ ଯୋଜନାରେ ଏକ ତିନିବର୍ଷିଆ ପାଇଲଟ୍ ଯୋଜନା ଭିତ୍ତିରେ ଆରମ୍ଭ ହୋଇଥିଲା ।
ଏଥିରେ ଗୋଟିଏ ରାଜ୍ୟରେ ଅତି କମ୍ରେ ଗୋଟିଏ ଜିଲ୍ଲାକୁ ସାମିଲ କରାଯାଇଥିଲା । ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଛତିଶଗଡ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ୧୧ଟି ରାଜ୍ୟରେ ଏହି ପାଇଲଟ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହି ଚାଉଳ ସେସବୁ ଜିଲ୍ଲାରେ ଯୋଗାଇ ଦିଆଯାଇଛି ।