ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ନୂଆ ଗ୍ରାମାଂଚଳ ବାସଗୃହ ଯୋଜନାକୁ ମଞ୍ଜୁରି ମିଳିଛି । ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗୃହ ଋଣ ଉପରେ ସୁଧ ସବସିଡି ଯୋଗାଇ ଦେବେ । ଗ୍ରାମାଂଚଳର ଯେଉଁ ବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପିଏମ୍ଏୱାଇ (ଗ୍ରାମୀଣ) ଅଧୀନରେ ଅନ୍ତର୍ଭୂକ୍ତ ହୋଇନପାରିବେ ସେମାନେ ଏହି ନୂଆ ଯୋଜନାରେ ଗୃହ ନିର୍ମାଣ ପାଇଁ ସୁଧ ସବସିଡି ପାଇବେ । ଏହି ଯୋଜନା ଦ୍ୱାରା ଗ୍ରାମାଂଚଳର ଲୋକମାନେ ନୂଆ ଘର ନିର୍ମାଣ କରିପାରିବେ କିମ୍ବା ସେମାନଙ୍କ ପୁରୁଣା ପକ୍କା ଘରର ପରିସର ବୃଦ୍ଧି କରିପାରିବେ । ଏହି ଯୋଜନା ଅଧୀନରେ ଯେଉଁ ହିତାଧିକାରୀମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେବେ ସେମାନଙ୍କୁ ସୁଧ ସବସିଡି ଯୋଗାଇ ଦିଆଯିବ ।
ନେସନାଲ୍ ହାଉସିଂ ବ୍ୟାଙ୍କ ଏହି ଯୋଜନା କାର୍ଯ୍ୟକାରୀ କରିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ମୋଟ ଋଣର 3 ପ୍ରତିଶତ ସୁଧ ସବସିଡି ଆକାରରେ ସିଧାସଳଖ ନେସନାଲ୍ ହାଉସିଂ ବ୍ୟାଙ୍କକୁ ଯୋଗାଇ ଦେବେ । ପରେ ଏହି ସଂସ୍ଥା ଅନ୍ୟ ବାଣିଜି୍ୟକ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ପ୍ରଦାନ କରିବେ । ଏହାର ଫଳ ସ୍ୱରୂପ ହିତାଧିକାରୀଙ୍କ ମାସିକ କିସ୍ତି (ଇଏମ୍ଆଇ)ରେ ହ୍ରାସ ଘଟିବ ।
ଏହି ଯୋଜନା ଅଧୀନରେ ସରକାର ପିଏମ୍ଏୱାଇ-ଜି ଯୋଜନା ସହିତ ସମାନ୍ତରାଳ ଭାବେ ଗ୍ରାମାଂଚଳର ହିତାଧିକାରୀମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରିବେ । ଏହି ନୂଆ ଯୋଜନା ଦ୍ୱାରା ଗ୍ରାମାଂଚଳରେ ଲୋକମାନେ ନିଜର ବାସଗୃହ ନିର୍ମାଣ କରିପାରିବେ । ଏଥିସହିତ ଏହା ଗ୍ରାମାଂଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବାରେ ସହାୟକ ହେବ ।