ଆମର ମନ୍ତ୍ର ହେବା ଉଚିତ: ‘ପୁଅ ଝିଅ, ସମାନ’
ଆସନ୍ତୁ କନ୍ୟା ସନ୍ତାନର ଜନ୍ମରେ ଉତ୍ସବ ପାଳନ କରିବା । କନ୍ୟା ସନ୍ତାନଙ୍କୁ ନେଇ ଆମେ ସମାନ ଭାବେ ଗର୍ବ କରିବା ।
କନ୍ୟା ସନ୍ତାନ ଜନ୍ମ ନେଲେ, ଏହି ସମୟକୁ ସ୍ମରଣୀୟ କରିବା ପାଇଁ 5ଟି ଗଛ ଲଗାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ତାଙ୍କ ପୋଷ୍ୟ ଗ୍ରାମ ଜୟପୁରର ନାଗରିକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନ ମନ୍ତ୍ରୀ ମୋଦୀ ଏହା ପ୍ରକାଶ କରିଥିଲେ ।
ହରିୟାଣାର ପାନିପଥଠାରେ 2015 ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ବେଟି ବଚାଓ ବେଟି ପଢ଼ାଓ(ବିବିବିପି) ଯୋଜନାର ଶୁଭାରମ୍ଭ କରିଥିଲେ । ଜୀବନଚକ୍ର ଚାଲୁରଖିବା ପାଇଁ ବିବିବପି ମାଧ୍ୟମରେ ଶିଶୁ ଲିଙ୍ଗ ଅନୁପାତ(ସିଏସଆର)ରେ ହ୍ରାସ ଓ ମହିଳା ସଶକ୍ତିକରଣ ଭଳି ସମସ୍ୟା ପ୍ରତି ଧ୍ୟାନ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆଦି 3ଟି ମନ୍ତ୍ରଣାଳୟ ଏକତ୍ର ଏହି ପ୍ରୟାସ କରିଛନ୍ତି ।
ଏହି ଯୋଜନାର ମୁଖ୍ୟାଂଶ ହେଲା ପ୍ରଥମ ପର୍ଯ୍ୟାୟରେ ପିସି ଓ ପିଏନଡିଟି ଆଇନ ମାଧ୍ୟମରେ ସିଏସଆର କମ୍ ଥିବା 100ଟି ଜିଲ୍ଲା ଚୟନ କରାଯାଇ ସଚେତନତା ସୃଷ୍ଟି କରାଯାଇ ବିବିଧ କାର୍ଯ୍ୟଧାରା ଗ୍ରହଣ କରାଯିବ ଓ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏହାର ସମ୍ପ୍ରସାରଣ କରାଯିବ । ପ୍ରଶିକ୍ଷଣ, ସମ୍ବେଦନଶୀଳତା ଓ ସଚେତନତା ମାଧ୍ୟମରେ ମାନସିକତା ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।
ସମାଜ କନ୍ୟା ସନ୍ତାନଙ୍କୁ ଯେଉଁପରି ଦୃଷ୍ଟିରେ ଦେଖେ ସେଥିରେ ଏକ ରୂପାନ୍ତରଣ ଆଣିବା ଲାଗି ଏନଡିଏ ସରକାର ଚେଷ୍ଟା କରୁଛନ୍ତି । ‘କନ୍ୟା ସନ୍ତାନ ସହ ସେଲ୍ଫି’ ପଦକ୍ଷେପ ଆରମ୍ଭ କରିଥିବା ହରିୟାନାର ବିବିପୁର ସରପଂଚଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ସେମାନଙ୍କ କନ୍ୟା ସନ୍ତାନଙ୍କ ସହ ସେଲ୍ଫି ସେୟାର କରିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ପ୍ରବର୍ତ୍ତାଇ ଥିଲେ ଏବଂ ବିଶ୍ୱବ୍ୟାପୀ ଲୋକମାନେ ଏହାକୁ ଗ୍ରହଣ କରିଥିଲେ । ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲୋକେ ସେମାନଙ୍କ କନ୍ୟା ସନ୍ତାନଙ୍କ ସହ ସେଲ୍ଫି ସେୟାର କରିଥିଲେ ଓ ଏହା କନ୍ୟା ସନ୍ତାନ ଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ପାଲଟିଥିଲା ।
ବେଟି ବଚାଓ ବେଟି ପଢ଼ାଓ ଯୋଜନା ଆରମ୍ଭ ହେବା ପରଠାରୁ ପ୍ରାୟ ସବୁ ରାଜ୍ୟରେ ବିବିଧ କ୍ଷେତ୍ରୀୟ ଜିଲ୍ଲା ଯୋଜନା ମାନ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାସ୍ତରୀୟ ପଦାଧିକାରୀ ଓ ଆଗ ଧାଡିର କର୍ମୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । 2015 ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କରେ ଏହିପରି 9ସେଟ୍ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।
କେତେକ ଆଂଚଳିକ ପଦକ୍ଷେପ
ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ, ପିଥୋରାଗଡ ଜିଲ୍ଲା କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଓ ସେମାନଙ୍କର ଶିକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ଓ ବ୍ଲକସ୍ତରରେ ଟାସ୍କଫୋର୍ସ ଗଠନ କରାଯାଇଛି । ବିଭିନ୍ନ ବୈଠକ ମାଧ୍ୟମରେ ଏହି ସଙ୍ଗଠନଗୁଡ଼ିକ ଦ୍ୱାରା ଶିଶୁ ଲିଙ୍ଗ ଅନୁପାତ ନିମନ୍ତେ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରାଯାଉଛି । ଯୋଜନାର ବିସ୍ତାର ପାଇଁ ଓ ଲୋକମାନଙ୍କ ପାଖେ ଏହାକୁ ପହଂଚାଇବା ଲାଗି ବ୍ୟାପକ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିପାଇଁ ବିଭିନ୍ନ ବିଦ୍ୟାଳୟ, ସୈନିକ ସ୍କୁଲ, ସରକାରୀ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ଅନେକ ରାଲିର ଆୟୋଜନ କରାଯାଉଛି ।
ବେଟି ବଚାଓ ବେଟି ପଢ଼ାଓ ଯୋଜନା ଲାଗି ସଚେତନତା ବୃଦ୍ଧି କରିବା ପାଇଁ ପିଥୋରାଗଡରେ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଉଛି । କେବଳ ଗ୍ରାମରେ ନୁହେଁ ବରଂ ବଜାରରେ ମଧ୍ୟ ଏହି ପଥପ୍ରାନ୍ତ ନାଟକମାନଙ୍କର ଆୟୋଜନ କରାଯାଇ ଦର୍ଶକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ବିଭିନ୍ନ କାହାଣୀ ମାଧ୍ୟମରେ କନ୍ୟାଭୃଣ ହତ୍ୟା ନେଇ ସମ୍ବେଦନଶୀଳତା ସୃଷ୍ଟି କରାଯାଉଛି । ଏହି ପଥପ୍ରାନ୍ତ ନାଟକଗୁଡ଼ିକ ମାଧ୍ୟମରେ କନ୍ୟା ସନ୍ତାନ ଓ ତା ଜୀବନକାଳ ମଧ୍ୟରେ ସେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ପ୍ରଦର୍ଶନ କରାଯାଉଛି । ଦସ୍ତଖତ ଅଭିଯାନ, ଅଙ୍ଗୀକାରବଦ୍ଧତା ଓ ବିଭିନ୍ନ ଶପଥ ଗ୍ରହଣ ଉତ୍ସବ ମାଧ୍ୟମରେ ବିଭିନ୍ନ ସ୍ନାତକୋତ୍ତର ମହାବିଦ୍ୟାଳୟର 700 ଛାତ୍ର ଓ ସେନା କର୍ମଚାରୀଙ୍କ ପାଖରେ ବିବିବିପିର ବାର୍ତ୍ତା ପହଂଚିପାରିଛି ।
ପଞ୍ଜାବର ମନସା ଜିଲ୍ଲାରେ ଝିଅମାନଙ୍କୁ ଶିକ୍ଷିତ ହେବା ଲାଗି ଅନୁପ୍ରାଣିତ କରିବା ପାଇଁ ଏକ ପଦକ୍ଷେପ ଆରମ୍ଭ କରାଯାଇଛି । ‘ଉଡାନ-ସପନେ ଦି ଦୁନିଆ ଦି ରୁବାରୁ’ (ଉଡାନ-ନିଜର ସ୍ୱପ୍ନକୁ ଗୋଟିଏ ଦିନ ପାଇଁ ପୂରଣ କରନ୍ତୁ) ଯୋଜନା ମାଧ୍ୟମରେ ମନସା ପ୍ରଶାସନ ଷଷ୍ଠରୁ +2 ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରୁଛି । ଏହି ଝିଅମାନଙ୍କୁ ସେମାନେ ଅଭିଳାଷ ପୋଷଣ କରୁଥିବା ବିଭିନ୍ନ ବୃତ୍ତିର ପଦାଧିକାରୀ ଯଥା ଡାକ୍ତର, ପୋଲିସ ଅଫିସର, ଇଞ୍ଜିନିୟର, ଆଇଏଏସ ଏବଂ ପିପିଏସ ପଦାଧିକାରୀମାନଙ୍କ ସହିତ ଗୋଟିଏ ଦିନ ସମୟ ଅତିବାହିତ କରିବାକୁ ସୁଯୋଗ ଦିଆଯାଉଛି ।
ଏହି ପଦକ୍ଷେପ ସଫଳ ହୋଇଛି ଏବଂ 70ରୁ ଅଧିକ ଛାତ୍ରୀ ଏକ ନିର୍ଦ୍ଧିଷ୍ଟ ବୃତ୍ତିଧାରୀ ପଦାଧିକାରୀଙ୍କ ସହ ଗୋଟିଏ ଦିନ ଲେଖାଁଏ ସମୟ ଅତିବାହିତ କରିସାରିଲେଣି । ଏହାଦ୍ୱାରା କୌଣସି ନିର୍ଦ୍ଧିଷ୍ଟ ବୃତ୍ତି ପାଇଁ କିପରି ପରିବେଶରେ କାମ କରିବାକୁ ହୁଏ ସେମାନେ ଜାଣିପାରିବା ସହ ଭବିଷ୍ୟତରେ ନିଜ ପସନ୍ଦଯୋଗ୍ୟ କ୍ୟାରିଅର ବାଛିବାରେ ମଧ୍ୟ ଏହା ସହାୟକ ହୋଇପାରୁଛି ।