ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ-ଭାରତ ଭାଗିଦାରୀ ସମ୍ପର୍କରେ “ଆସିଆନ-ଭାରତ : ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ” ଶୀର୍ଷକ ଲେଖାରେ ନିଜର ଦୃଷ୍ଟିକୋଣକୁ ଅବଗତ କରାଇଛନ୍ତି । ଏହି ଲେଖା ଆସିଆନ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖ ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠା ମଣ୍ଡନ କରିଛି । ଏହି ଲେଖାର ବିସ୍ତୃତ ପାଠ ନିମ୍ନରେ ପ୍ରଦତ୍ତ ହେଲା ।
“ଆସିଆନ-ଭାରତ: ସମ୍ମିଳିତ ମୂଲ୍ୟବୋଧ, ସମାନ ଭବିଷ୍ୟତ”
ଲେଖକ : ଶ୍ରୀମାନ ନରେନ୍ଦ୍ର ମୋଦୀ
ଆଜି 125 କୋଟି ଭାରତୀୟଙ୍କୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଆସିଆନ ରାଷ୍ଟ୍ରର ନେତୃତ୍ୱ ନେଉଥିବା 10ଜଣ ବିଶିଷ୍ଟ ଅତିଥିଙ୍କୁ ସ୍ୱାଗତ କରିବାର ଗୌରବ ପ୍ରାପ୍ତ ହେବ ।
ଗୁରୁବାର, ମୋତେ ମଧ୍ୟ ଆସିଆନ ନେତାମାନଙ୍କୁ ଆସିଆନ-ଭାରତ ଭାଗିଦାରୀର 25ବର୍ଷ ପୂର୍ତିରେ ଆୟୋଜିତ ସ୍ମାରକୀ ଶିଖର ସମ୍ମିଳନୀରେ ସ୍ୱାଗତ କରିବାର ସୌଭାଗ୍ୟ ମିଳିଥିଲା । ସେମାନଙ୍କର ଆମ ସହ ଉପସ୍ଥିତି ମଧ୍ୟ ଆସିଆନ ରାଷ୍ଟ୍ରର ସଦିଚ୍ଛାର ଅଦ୍ୱିତୀୟ ଦିଗକୁ ଇଙ୍ଗିତ କରୁଛି । ଏହାର ପ୍ରତିକ୍ରିୟା ସ୍ୱରୂପ ଶୀତୁଆ ସକାଳରେ ଭାରତ ଆଜି ଉତ୍ସାହୀ ବନ୍ଧୁତ୍ୱର ପରିଚୟ ଦେଇ ସେମାନଙ୍କର ସମ୍ମାନପୂର୍ବକ ସ୍ୱାଗତ କରିଛି । ଏହା କୌଣସି ସାଧାରଣ ଆୟୋଜନ ନୁହେଁ । ଏହା ଉକ୍ତ ଉଲ୍ଲେଖନୀୟ ଯାତ୍ରାର ଏକ ଐତିହାସିକ ମାଇଲଖୁଣ୍ଟ ଯାହାକି ଭାରତ ଓ ଆସିଆନକୁ ନିଜର 190 କୋଟି ଲୋକ ଅର୍ଥାତ ବିଶ୍ୱର ଏକଚତୁର୍ଥାଂଶ ଜନସଂଖ୍ୟାକୁ ଅତ୍ୟନ୍ତ ପ୍ରମୁଖ ପ୍ରତିଶ୍ରୁତିପୂର୍ଣ୍ଣ ପାରସ୍ପରିକ ଭାଗିଦାରୀର ଗୋଟିଏ ସୂତ୍ରରେ ବାନ୍ଧି ଦେଇଛି ।
ଭାରତ-ଆସିଆନ ଭାଗିଦାରୀ ମାତ୍ର 25ବର୍ଷ ପୁରୁଣା ହୋଇପାରେ କିନ୍ତୁ ଦକ୍ଷିଣପୂର୍ବ ଏସିଆ ସହ ଭାରତର ସମ୍ବନ୍ଧ ଦୁଇ ହଜାର ବର୍ଷରୁ ଊଦ୍ଧ୍ୱର୍ ଓ ପ୍ରାଚୀନ । ଶାନ୍ତି ଓ ବନ୍ଧୁତ୍ୱ, ଧର୍ମ ଓ ସଂସ୍କୃତି, କଳା ଓ ବାଣିଜ୍ୟ, ଭାଷା ଓ ସାହିତ୍ୟ କ୍ଷେତ୍ରରେ ସ୍ଥାୟୀ ସମ୍ପର୍କ ଏବେ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର ଚମତ୍କାର ବିବିଧତାର ପ୍ରତ୍ୟେକ ଦିଗରେ ମହଜୁଦ ରହିଛି । ଯାହାକି ଆମ ଲୋକ ମାନଙ୍କୁ ସହଜତା ଓ ଆପଣାର କରିବାର ଏକ ଅଭିନବ ଆବରଣ ଉପଲବ୍ଧ କରାଇଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଭାରତ ବ୍ୟାପକ ପରିବର୍ତ୍ତନ ସହ ବିଶ୍ୱ ପାଇଁ ନିଜର ଦ୍ୱାର ଉନ୍ମୁକ୍ତ କରିଥିଲା । ଓ ବିଗତ ଶତାବ୍ଦୀଗୁଡ଼ିକରେ ବିକଶିତ ସହଜ ଆକର୍ଷଣରେ ପ୍ରେରିତ ହୋଇ ସ୍ୱାଭାବିକ ଭାବେ ପୂର୍ବ ଏସିଆ ଆଡ଼କୁ ମୁହାଁଇଥିଲା । ଏଭଳି ଭାବେ ପୂର୍ବ ଏସିଆ ସହ ଭାରତର ପୁନର୍ମିଳନର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି । ଭାରତ ପାଇ ପ୍ରମୁଖ ସହଯୋଗୀ ଓ ବଜାର ହେଉଛି ଆସିଆନ ଓ ପୂର୍ବ ଏସିଆରୁ ଉତ୍ତର ଆମେରିକା, ଯାହାକି ପୂର୍ବରେ ରହିଛି । ଆଉ ଦକ୍ଷିଣପୂର୍ବ ଏସିଆ ଓ ଆସିଆନ ସ୍ଥଳ ଓ ସମୁଦ୍ର ମାର୍ଗ ଦୃଷ୍ଟିରୁ ଆମର ପଡ଼ୋଶୀ । ଆସିଆନ ଆମର ‘ଲୁକ୍ ଇଷ୍ଟ୍’ ନୀତି ଏବଂ ଗତ 3ବର୍ଷ ପୂର୍ବରୁ ଆମର ‘ଏକ୍ଟ ଇଷ୍ଟ’ ନୀତି ଆଧାରରେ କାରବାରକୁ ଶିଖରକୁ ନେବାରେ ଅତ୍ୟନ୍ତ ସହାୟକ ସାବ୍ୟସ୍ତ ହେଉଛି ।
ଆସିଆନ ଓ ଭାରତ ଏହା ସହିତ ଆଲୋଚନା କରୁଥିବା ସହଯୋଗୀ ପରିବର୍ତ୍ତେ ଏବେ ରଣନୀତିକ ସହଭାଗୀ ପାଲଟିଛନ୍ତି । ଆମେ 30ଟି ମେକାନିଜିମ୍ ମାଧ୍ୟମରେ ବ୍ୟାପକ ଆଧାର ବିଶିଷ୍ଟ ପାରସ୍ପରିକ ଭାଗିଦାରୀକୁ ଆଗକୁ ବଢ଼ାଉଛୁ । ଆସିଆନର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସହ ଆମର କୂଟନୀତିକ, ଆର୍ଥିକ ଓ ସୁରକ୍ଷା ଭାଗିଦାରୀ ବୃଦ୍ଧି ପାଉଛି । ଆମେ ନିଜର ସମୁଦ୍ରକୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ ମିଳିତ ଭାବେ କାମ କରୁଛୁ । ଆମର କାରବାର ଓ ନିବେଶ ପ୍ରବାହ ଅନେକ ଗୁଣ ବୃଦ୍ଧି ପାଇଛି । ଆସିଆନ ଭାରତର ଚତୁର୍ଥ ସର୍ବବୃହତ ବ୍ୟବସାୟିକ ଭାଗିଦାରୀ । ଭାରତ ଦ୍ୱାରା ବିଦେଶରେ କରାଯାଉଥିବା ନିବେଶର 20 ପ୍ରତିଶତରୁ ଅଧିକ ଭାଗ ଆସିଆନ ରାଷ୍ଟ୍ରରେ ହେଉଛି । ସିଙ୍ଗାପୁରର ନେତୃତ୍ୱରେ ଆସିଆନ ଏବେ ଭାରତର ପ୍ରମୁଖ ନିବେଶର ମାଧ୍ୟମ ପାଲଟିଛି । ଏହି କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ମୁକ୍ତ ବାଣିଜ୍ୟ ବୁଝାମଣା ହେଉଛି ସବୁଠୁ ପୁରୁଣା ଓ ଅନ୍ୟ କୌଣସି କ୍ଷେତ୍ର ତୁଳନାରେ ସବୁଠାରୁ ମହତ୍ୱାକାଂକ୍ଷୀ ମଧ୍ୟ ।
ଆକାଶ ମାର୍ଗର ଯୋଗାଯୋଗ ଅତ୍ୟନ୍ତ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇଛି ଓ ଆମେ ନୂଆ ଅତ୍ୟାବଶ୍ୟକତା ଓ ପ୍ରାଥମିକତା ସହ ମହାଦ୍ୱିପୀୟ ଦକ୍ଷିଣ-ପୂର୍ବ ଏସିଆରେ ଅନେକ ଦୂର ପର୍ଯ୍ୟନ୍ତ ରାଜପଥର ସମ୍ପ୍ରସାରଣ କରୁଛୁ । କ୍ରମବର୍ଦ୍ଧିଷ୍ଣୁ ଯୋଗାଯୋଗର ପରିଣାମସ୍ୱରୂପ ପାରସ୍ପରିକ ସାନ୍ନିଧ୍ୟ ଅଧିକ ବୃଦ୍ଧି ପାଇଛି । ଏହାସହିତ ଦକ୍ଷିଣ-ପୂର୍ବ ଏସିଆରେ ପର୍ଯ୍ୟଟନରେ ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରବାହରେ ଏବେ ଭାରତ ମଧ୍ୟ ସାମିଲ ହୋଇଛି । ଏହି କ୍ଷେତ୍ରରେ ରହୁଥିବା 6 ନିୟୁତରୁ ଅଧିକ ପ୍ରବାସୀ ଭାରତୀୟ ଯେଉଁମାନେ କି ବିବିଧତାପୂର୍ଣ୍ଣ ଓ ଗତିଶୀଳତା ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଆମର ଲୋକଙ୍କ ମଧ୍ୟରେ ପାରସ୍ପରିକ ମାନବିକ ସମ୍ପର୍କ ବୃଦ୍ଧି କରିବାରେ ବି ଉଲ୍ଲେଖନୀୟ ଭୂମିକା ତୁଲାଉଛନ୍ତି ।
ପ୍ରଧାନମନ୍ତ୍ରୀ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ସଂଗଠନ ଆସିଆନର ପ୍ରତ୍ୟେକ ରାଷ୍ଟ୍ର ସମ୍ପର୍କରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ।
ଥାଇଲାଣ୍ଡ
ଆସିଆନ ରାଷ୍ଟ୍ର ମଧ୍ୟରେ ଥାଇଲାଣ୍ଡ ଏକ ମହତ୍ୱପୂର୍ଣ୍ଣ ବ୍ୟବସାୟିକ ଭାଗିଦାରୀ ଭାବେ ଉଭା ହୋଇଛି । ଆଉ ଭାରତରେ ନିବେଶ କରୁଥିବା ପ୍ରମୁଖ ରାଷ୍ଟ୍ର ମଧ୍ୟରୁ ଗୋଟିଏ । ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ କାରବାର ଗତ ଦଶନ୍ଧିରେ ବୃଦ୍ଧି ପାଇ ଦ୍ୱିଗୁଣରୁ ଅଧିକ ହୋଇଛି । ଦୁଇ ଦେଶର ସମ୍ବନ୍ଧ ଅନେକ କ୍ଷେତ୍ରରେ ବିସ୍ତୃତ ଭାବେ ବ୍ୟାପିଛି । ଆମେ ଦକ୍ଷିଣ ଓ ଦକ୍ଷିଣ ପୂର୍ବକୁ ଯୋଡ଼ୁଥିବା ମହତ୍ୱପୂର୍ଣ୍ଣ ଆଂଚଳିକ ଭାଗିଦାର ଅଟୁ । ଆମେ ଆସିଆନ, ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ବିମଷ୍ଟେକ୍(ବହୁପାକ୍ଷିକ ବୈଷୟିକ ଓ ଆର୍ଥିକ ସହଯୋଗ ନିମନ୍ତେ ବଙ୍ଗୋପସାଗର ଉପକୂଳ ରାଷ୍ଟ୍ରର ସଂଗଠନ)ରେ ଘନିଷ୍ଠ ସହଯୋଗୀ । ଏହା ସହିତ ମେକଙ୍ଗ-ଗଙ୍ଗା ସହଯୋଗ, ଏସିଆ ସହଯୋଗ ବାର୍ତ୍ତା ବିନିମୟ ଓ ହିନ୍ଦ ମହାସାଗରର ଉପକୂଳବର୍ତ୍ତୀ ରାଷ୍ଟ୍ରର ସଂଗଠନରେ ମଧ୍ୟ ଭାଗିଦାରୀ ଅଟୁ । 2016 ମସିହାରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଭାରତର ସରକାରୀ ଗସ୍ତ ଦ୍ୱାରା ଦ୍ୱିପାକ୍ଷିକ ସମ୍ବନ୍ଧରେ ଦୀର୍ଘକାଳୀନ ପ୍ରଭାବ ପଡ଼ିଛି ।
ଥାଇଲାଣ୍ଡର ମହାନ ତଥା ଜନପ୍ରିୟ ରାଜା ଭୂମିବୋଲ୍ ଅଦୁଲ୍ୟଦେଜଙ୍କ ଦେହାନ୍ତରେ ସମଗ୍ର ଭାରତ ମଧ୍ୟ ଥାଇଲାଣ୍ଡର ନିଜ ଭାଇଭଉଣୀଙ୍କ ସହ ଶୋକମଗ୍ନ ହୋଇଯାଇଥିଲା । ନିଜର ଥାଇଲାଣ୍ଡ ବନ୍ଧୁଙ୍କ ସହ ମିଶି ଭାରତର ଲୋକମାନେ ମଧ୍ୟ ନୂଆ ରାଜା ମହାମହିମ ମହା ୱାଜିରାଲୋଙ୍ଗକୋର୍ଣ୍ଣ ବୋଦିନ୍ଦ୍ରଦେବାୟୱାରାଙ୍ଗକୁନଙ୍କୁ ସମୃଦ୍ଧି ଓ ଶାନ୍ତପୂର୍ଣ୍ଣ ଶାସନ ପାଇଁ ପ୍ରାର୍ଥନା କରିଥିଲେ ।
ଭିଏତନାମ
ଭାରତର ଭିଏତନାମ ସହ ପାରମ୍ପରିକ ଘନିଷ୍ଠ ଓ ସଦ୍ଭାବପୂର୍ଣ୍ଣ ସମ୍ବନ୍ଧର ମୂଳ ବିଦେଶୀ ଶାସନରୁ ମୁକ୍ତି ପାଇଁ ଏକାଭଳି ସଂଘର୍ଷ ଓ ଜାତୀୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ । ମହାତ୍ମା ଗାନ୍ଧି ଓ ରାଷ୍ଟ୍ରପତି ହୋ ଚି ମିନ୍ ଙ୍କ ଭଳି ମହାନ ନେତାମାନେ ଔପନିବେଶବାଦ ବିରୋଧରେ ସଂଗ୍ରାମରେ ଦେଶବାସୀଙ୍କୁ ଐତିହାସିକ ନେତୃତ୍ୱ ପ୍ରଦାନ କରିଥିଲେ । 2007 ମସିହାରେ ଭିଏତନାମର ପ୍ରଧାନମନ୍ତ୍ରୀ ଙ୍ଗୁୟେନ୍ ତାନ୍ ଡୁଙ୍ଗଙ୍କ ଭାରତ ଗସ୍ତ ସମୟରେ ଆମେ ସାମରିକ ଭାଗିଦାରୀ ବୁଝାମଣାରେ ସ୍ୱାକ୍ଷର କରିଛୁ । ତେବେ ଏହି ସାମରିକ ଭାଗିଦାରୀ 2016 ମସିହାରେ ମୋର ଭିଏତନାମ ଗସ୍ତବେଳେ ବ୍ୟାପକ ସାମରିକ ଭାଗିଦାରୀର ରୂପ ନେଇଥିଲା ।
ଭିଏତନାମ ସହ ଭାରତର ସମ୍ବନ୍ଧ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ରେଖାଙ୍କିତ କରୁଛି । ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 10ବର୍ଷ ମଧ୍ୟରେ ପ୍ରାୟ 10ଗୁଣ ବୃଦ୍ଧି ପାଇଛି । ରକ୍ଷା ସହଯୋଗ ଭାରତ ଓ ଭିଏତନାମ ମଧ୍ୟରେ ସାମରିକ ଭାଗିଦାରୀର ମହତ୍ୱପୂର୍ଣ୍ଣ ଆଧାର ସ୍ତମ୍ଭ ଭାବେ ଉଭା ହୋଇଛି । ବିଜ୍ଞାନ ଓ ଜ୍ଞାନକୌଶଳ ଉଭୟ ଦେଶ ମଧ୍ୟରେ ସହଯୋଗର ଅନ୍ୟ ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଛି ।
ମିଆଁମାର
ଭାରତ ଓ ମିଆଁମାର ମଧ୍ୟରେ 1600 କିମିରୁ ଉର୍ଦ୍ଧ୍ଵ ଦୀର୍ଘତାର ଭୂ-ସୀମା ଓ ସମୁଦ୍ର ସୀମା ରହିଛି । ଆମ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ନିବିଡ଼ ଭାବନା ସହ ଜଡ଼ିତ । ଆମର ମିଳିତ ବୌଦ୍ଧ ଐତିହ୍ୟ ଆମକୁ ଏତେ ଘନିଷ୍ଠ ଭାବେ ବାନ୍ଧି ରଖିଛି ଯେତିକି ପୁରୁଣା ଆମର ଅତୀତ ଐତିହାସିକ ଅଟେ । ଏହି ବନ୍ଧୁତ୍ୱକୁ ଶ୍ୱେଡଗୋନ୍ ପାଗୋଡ଼ାର ଉଜ୍ୱଳ ଟାୱାରରୁ ଅଧିକ ଭବ୍ୟ ଶୈଳୀରେ କିଏ ବା ଉଜାଗର କରିପାରିବ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ସହାୟତାରେ ବାଗାନ୍ ଆନନ୍ଦ ମନ୍ଦିରର ପୁନରୁଦ୍ଧାର ମଧ୍ୟ ବନ୍ଧୁତ୍ୱର ମିଳିତ ଭାଗିଦାରୀ ଐତିହ୍ୟର ଉଦାହରଣ ।
ଔପନିବେଶିକ ଯୁଗରେ ଆମର ନେତାମାନଙ୍କ ମଧ୍ୟରେ ରାଜନୀତିକ ସମ୍ବନ୍ଧ ସ୍ଥାପିତ ହୋଇଥିଲା ଓ ସେମାନେ ସ୍ୱାଧୀନତାର ମିଳିତ ଲଢ଼େଇରେ ମହାନ ଭାବନା ଓ ଏକତାର ପ୍ରଦର୍ଶନ କରିଥିଲେ । ଗାନ୍ଧିଜୀ ଅନେକଥର ୟାଙ୍ଗୁନ୍ ଗସ୍ତ କରିଥିଲେ । ବାଲଗଙ୍ଗାଧର ତିଳକଙ୍କୁ ତ ଅନେକ ବର୍ଷ ପାଇଁ ୟାଙ୍ଗୁନ୍ ପଠାଇ ଦେଶରୁ ବାହାର କରିଦିଆଯାଇଥିଲା । ଭାରତର ସ୍ୱାଧୀନତା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ୱାନ ମିଆଁମାର ଲୋକଙ୍କ ଆତ୍ମାକୁ ମଧ୍ୟ ଉଦ୍ବେଳିତ କରିଦେଇଥିଲା ।
ଗତ ଦଶନ୍ଧିରେ ଆମର ବାଣିଜ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । ଆମର ନିବେଶ ସମ୍ପର୍କ ମଧ୍ୟ ବହୁତ ଅଧିକ ସୁଦୃଢ଼ ହୋଇଛି । ମିଆଁମାର ସହ ଭାରତର ସମ୍ପର୍କରେ ବିକାଶ ସମ୍ବନ୍ଧୀୟ ସହଯୋଗର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଭାରତ ପକ୍ଷରୁ ସହାୟତା ରାଶି 173 କୋଟି ଡଲାରରୁ ଅଧିକ ରହିଛି । ଭାରତର ପାରଦର୍ଶୀ ବିକାଶ ସହଯୋଗ ମିଆଁମାରର ଜାତୀୟ ପ୍ରାଥମିକତା ଅନୁଯାୟୀ, ଯାହାର ଆସିଆନ ସହ ଯୋଡ଼ିବାର ମାଷ୍ଟର ପ୍ଲାନ ସହ ପୁରା ଖାପଖୁଆଉଛି ।
ସିଙ୍ଗାପୁର
ସିଙ୍ଗାପୁର, ଏହି ଭୂଭାଗରେ ଭାରତର ସମ୍ବନ୍ଧର ଐତିହ୍ୟର ଝରକା, ବର୍ତ୍ତମାନର ପ୍ରଗତି ଓ ଭବିଷ୍ୟତର ସମ୍ଭାବନା ଭଳି । ଭାରତ ଓ ଆସିଆନ ମଧ୍ୟରେ ସିଙ୍ଗାପୁର ଏକ ସେତୁ ଭଳି ।
ଆଜି ଏହା ପୂର୍ବ ଏସିଆ ସହ ଆମର ପ୍ରବେଶର ମୁଖ୍ୟ ମାର୍ଗ । ଏହା ଆମର ପ୍ରମୁଖ ଆର୍ଥିକ ଭାଗିଦାରୀ ଓ ମହତ୍ୱପୂର୍ଣ୍ଣ ସାମରିକ ସହଯୋଗୀ ମଧ୍ୟ । ଯାହାର ଝଲକ ଅନେକ ଆଂଚଳିକ ଓ ବିଶ୍ୱସ୍ତରୀୟ ମଞ୍ଚରେ ଆମର ସଦସ୍ୟତାରୁ ପରିଲକ୍ଷିତ ହେଉଛି । ସିଙ୍ଗାପୁର ଓ ଭାରତ ସାମରିକ ସହଯୋଗ ମଧ୍ୟ ଅଭିବୃଦ୍ଧି ପଥେ ।
ଆମର ରାଜନୀତିକ ସମ୍ବନ୍ଧ ସଦିଚ୍ଛା, ସୌହାର୍ଦ୍ଦ୍ୟ ଓ ବିଶ୍ୱାସ ଉପରେ କାଏମ ରହିଛି । ଆମର ରକ୍ଷା ସମ୍ପର୍କ ଉଭୟଙ୍କର ସୁଦୃଢ଼ତମ ରକ୍ଷା ସମ୍ବନ୍ଧ ମଧ୍ୟ ।
ଆମର ଆର୍ଥିକ ଭାଗିଦାରରେ ଦୁଇ ଦେଶର ପ୍ରାଥମିକତାର ପ୍ରତ୍ୟେକ କ୍ଷେତ୍ର ସାମିଲ ଅଛି । ସିଙ୍ଗାପୁର ହେଉଛି ଭାରତର ପ୍ରମୁଖ ଗନ୍ତବ୍ୟ ଓ ନିବେଶର ସ୍ରୋତ ।
ହଜାର ହଜାର ଭାରତୀୟ କମ୍ପାନୀ ମଧ୍ୟ ସିଙ୍ଗାପୁରରେ ପଞ୍ଜିକୃତ ହୋଇଛନ୍ତି ।
ଭାରତର 16ଟି ସହରରୁ ସିଙ୍ଗାପୁର ପାଇଁ ସପ୍ତାହରେ 240ଟି ସିଧାସଳଖ ବିମାନ ଉଡ଼ାଣ ଉପଲବ୍ଧ ଅଛି । ସିଙ୍ଗାପୁରର ଯାତ୍ରା କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି ।
ସିଙ୍ଗାପୁରର ବିବିଧତାପୂର୍ଣ୍ଣ ସଂସ୍କୃତି ଭାରତ ପାଇଁ ପ୍ରେରଣାଦାୟୀ । ପ୍ରତିଭାର ସମ୍ମାନ କରିବାର ଭାବନା ଯୋଗୁ ସେଠାରେ ଭାରତୀୟଙ୍କ ଉପସ୍ଥିତି ଅତ୍ୟନ୍ତ ଜୀବନ୍ତ ଓ ଗତିଶୀଳ । ଆଉ ଏହି ଲୋକମାନେ ଉଭୟ ରାଷ୍ଟ୍ରର ଘନିଷ୍ଠତା ବୃଦ୍ଧିରେ ଯୋଗଦାନ କରୁଛନ୍ତି ।
ଫିଲିପାଇନ୍ସ
ପ୍ରାୟ ଦୁଇ ମାସ ପୂର୍ବରୁ ନିଜର ପ୍ରଥମ ଫିଲିପାଇନ୍ସ ଗସ୍ତ କରିବା ମୋତେ ସନ୍ତୋଷ ପ୍ରଦାନ କରିଥିଲା । ଆସିଆନ-ଭାରତ, ପୂର୍ବ ଏସିଆ ଶିଖର (East Asia Summit) ଓ ଏହା ସହ ଜଡ଼ିତ ଶିଖର ସମ୍ମିଳନୀରେ ଭାଗ ନେବା ବ୍ୟତୀତ ମୋତେ ରାଷ୍ଟ୍ରପତି ଦୁତେର୍ତେଙ୍କୁ ସାକ୍ଷାତର ସୁଯୋଗ ମିଳିଥିଲା । ଆଉ ଆମେ ନିଜର ଘନିଷ୍ଠ ଓ ସମସ୍ୟାମୁକ୍ତ ସମ୍ପର୍କକୁ ଆଗକୁ ନେବା ଦିଗରେ ଆଲୋଚନା କରିଥିଲୁ । ଉଭୟ ଦେଶ ସେବା କ୍ଷେତ୍ରରେ ସୁଦୃଢ଼ । ଆଉ ଆମେ ସବୁଠୁ ଉଚ୍ଚ ବିକାଶ ଦର ବିଶିଷ୍ଟ ବିଶ୍ୱର ପ୍ରମୁଖ ରାଷ୍ଟ୍ର ମଧ୍ୟରେ ସାମିଲ ଅଛୁ । ବାଣିଜ୍ୟ ଓ କାରବାରର ଆମର କ୍ଷମତା ଯୋଗୁ ଆମ ସମ୍ମୁଖରେ ଅନେକ ସମ୍ଭାବନା ମଧ୍ୟ ରହିଛି ।
ମୁଁ ସାମଗ୍ରିକ ବିକାଶ ଆଣିବା ଓ ଦୁର୍ନୀତିର ମୁକାବିଲା ପ୍ରସଙ୍ଗରେ ରାଷ୍ଟ୍ରପତି ଦୁତେର୍ତେଙ୍କ ପ୍ରତିଶ୍ରୁତିବଦ୍ଧତାର ପ୍ରଶଂସା କରୁଚି । ଏହା ଏଭଳି କ୍ଷେତ୍ର ଯେଉଁଥିରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିପାରିବେ । ଆମେ ୟୁନିର୍ଭସାଲ ଆଇଡି କାର୍ଡ, ବିତ୍ତୀୟ ସମାବେଶ, ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଚାଂଇବା, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଓ ବେନଗଦୀ ଦେଣନେଣକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ନିଜର ଅନୁଭବକୁ ଫିଲିପାଇନ୍ସ ସହ ଭାଗିଦାର କରିବାରେ ଅତ୍ୟନ୍ତ ଖୁସି ହେଉଛି । ସମସ୍ତଙ୍କୁ ଉଚିତ ଦାମରେ ଔଷଧ ଉପଲବ୍ଧ କରିବାର ଫିଲିପାଇନ୍ସ ସରକାରଙ୍କ ପ୍ରାଥମିକତାର ଏକ ଅନ୍ୟ ପ୍ରସଙ୍ଗ । ଆଉ ଆମେ ଏଥିରେ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ଅଛୁ । ମୁମ୍ବାଇରୁ ମରାବୀ ପର୍ଯ୍ୟନ୍ତ ଆତଙ୍କବାଦ କାହାକୁ ଛାଡ଼ି ନାହିଁ । ଏହି ମିଳିତ ଆହ୍ୱାନର ମୁକାବିଲାରେ ଆମେ ଫିଲିପାଇନ୍ସ ସହ ସହଯୋଗ ବୃଦ୍ଧି କରୁଛୁ ।
ମାଲେସିଆ
ଭାରତ ଓ ମାଲେସିଆ ମଧ୍ୟରେ ସମକାଳୀନ ସମ୍ବନ୍ଧ ବେଶ ବିସ୍ତୃତ । ଆଉ ଅନେକ କ୍ଷେତ୍ରରେ ବ୍ୟାପିଛି । ମାଲେସିଆ ଓ ଭାରତ ସାମରିକ ଭାଗିଦାରୀ ଏବଂ ଅନେକ ଦ୍ୱିପାକ୍ଷିକ ତଥା ଆଚଂଳିକ ମଞ୍ଚରେ ମଧ୍ୟ ସହଯୋଗୀ । 2017 ମସିହାରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ଭାରତକୁ ସରକାରୀ ଗସ୍ତ ଆମର ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଗଭୀର ପ୍ରଭାବ ପକାଇଥିଲା ।
ଆସିଆନରେ ମାଲେସିଆ ଭାରତର ତୃତୀୟ ସର୍ବବୃହତ ବ୍ୟବସାୟିକ ଭାଗିଦାର ଭାବେ ଉଭା ହୋଇଛି । ଭାରତରେ ନିବେଶ କରୁଥିବା ଆସିଆନ ରାଷ୍ଟ୍ରରେ ମଧ୍ୟରେ ମାଲେସିଆ ସବୁଠୁ ମହତ୍ୱପୂର୍ଣ୍ଣ ନିବେଶକ । ଗତ 10ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି । 2011 ମସିହାରେ ଭାରତ ଓ ମାଲେସିଆ ମଧ୍ୟରେ ବିସ୍ତୃତ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗ ବୁଝାମଣା ହୋଇଥିଲା । ଏହି ବୁଝାମଣାର ଉକ୍ତ ଅର୍ଥରେ ଅଭିନବ । କାରଣ ମାଲେସିଆ ସାମଗ୍ରୀର ବ୍ୟବସାୟ କ୍ଷେତ୍ରରେ ଆସିଆନ ପ୍ଲସ୍ ପ୍ରତିଶ୍ରୁତିବଦ୍ଧତାର ପ୍ରସ୍ତାବ କରିଥିଲା ଓ ସେବା ଆଦାନପ୍ରଦାନ କ୍ଷେତ୍ରରେ ମଧ୍ୟରେ ବିଶ୍ଵ ବାଣିଜ୍ୟ ସଂଗଠନ (WTO)ଠାରୁ ଅଧିକ ପ୍ରସ୍ତାବ କରିଥିଲା । ଉଭୟ ଦେଶ ମଧ୍ୟରେ ଦୋହରା ଟିକସ ବ୍ୟବସ୍ଥାକୁ ରୋକିବା ପାଇଁ ସଂଶୋଧିତ ବୁଝାମଣା ଉପରେ 2012 ମଇ ମାସରେ ଦସ୍ତଖତ କରାଯାଇଥିଲା ଓ ସୀମା ଶୁଳ୍କ କ୍ଷେତ୍ରରେ ସହଯୋଗ ନିମନ୍ତେ 2013 ମସିହାରେ ବୁଝାମଣା ହୋଇଥିଲା । ଯେଉଁଥିରେ ଆମର ବାଣିଜ୍ୟ ଓ ନିବେଶ ସହଯୋଗକୁ ଆହୁରି ଅଧିକ ସୁବିଧାଜନକ କରାଇ ଦେଇଛି ।
ବ୍ରୁନେଇ
ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଗତ ଦଶନ୍ଧିରେ ଦ୍ୱିଗୁଣରୁ ଅଧିକ ହୋଇଛି । ଭାରତ ଓ ବ୍ରୁନେଇ ମିଳିତ ଜାତିସଂଘ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ(NAM), ରାଜ୍ୟଗୋଷ୍ଠୀ, ଏଆରଏଫ୍ ଆଦି ସଂଗଠନରେ ମିଳିତ ସଦସ୍ୟ ଅଛନ୍ତି । ବିକାଶଶୀଳ ରାଷ୍ଟ୍ର ଭାବେ ସୁଦୃଢ଼ ପାରମ୍ପରିକ ଓ ସାଂସ୍କୃତିକ ସମ୍ବନ୍ଧ ସହ ପ୍ରମୁଖ ଆନ୍ତର୍ଜାତିକ ପ୍ରସଙ୍ଗରେ ବ୍ରୁନେଇ ଓ ଭାରତର ଚିନ୍ତାଧାରା ଅନେକାଂଶରେ ସମାନତା ରହିଛି । 2008 ମସିହାରେ ବ୍ରୁନେଇର ସୁଲତାନଙ୍କ ଭାରତ ଗସ୍ତ ଉଭୟ ଦେଶର ସମ୍ପର୍କରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ଭାରତର ଉପରାଷ୍ଟ୍ରପତି 2016 ଫେବୃୟାରୀରେ ବ୍ରୁନେଇ ଗସ୍ତ କରିଥିଲେ ।
ଲାଓ ସାଧାରଣତନ୍ତ୍ର
ଭାରତ ଓ ଲାଓ ସାଧାରଣତନ୍ତ୍ର ମଧ୍ୟରେ ସମ୍ପର୍କ ବ୍ୟାପକ ଭାବେ ଅନେକ କ୍ଷେତ୍ରରେ ବ୍ୟାପିଛି । ଲାଓର ବିଦ୍ୟୁତ ବିତରଣ ଏବଂ କୃଷି କ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାମ କରୁଛି । ଆଜି ଭାରତ ଓ ଲାଓ ସାଧାରଣତନ୍ତ୍ର ଅନେକ ବହୁପାକ୍ଷିକ ଓ ଆଂଚଳିକ ମଞ୍ଚରେ ସହଯୋଗ କରୁଛନ୍ତି ।
ଯଦିଓ ଭାରତ ଓ ଲାଓ ସାଧାରଣତନ୍ତ୍ର ମଧ୍ୟରେ ବାଣିଜ୍ୟ ସମ୍ଭାବନା କମ୍ ରହିଛି କିନ୍ତୁ ଭାରତରେ ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଲାଓ ସାଧାରଣତନ୍ତ୍ରକୁ ଭାରତ ପକ୍ଷରୁ ଡ୍ୟୁଟି ଫ୍ରି ଟାରିଫ୍ ପ୍ରିଫେରେନ୍ସ ସ୍କିମ୍ ସୁବିଧା ପ୍ରଦାନ କରାଯାଇଛି । ଆମ ପାଖରେ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ଯାହାକି ଲାଓ ସାଧାରଣତନ୍ତ୍ରର ଅର୍ଥବ୍ୟବସ୍ଥା ଗଠନରେ କାମ ଦେଉଛି । ଆସିଆନ-ଭାରତ ସେବା ଓ ନିବେଶ ବୁଝାମଣା କାର୍ଯ୍ୟକାରୀ ହେବା ଦ୍ୱାରା ସେବା କ୍ଷେତ୍ରରେ ଆମର କାରବାର ବୃଦ୍ଧିରେ ସହାୟତା ମିଳିବ ।
ଇଣ୍ଡୋନେସିଆ
ଭାରତ ମହାସାଗରରେ କେବଳ 90 ନଟିକାଲ ମାଇଲ ଦୂରତ୍ୱରେ ବିଚ୍ଛିନ୍ନ ହୋଇଥିବା ଭାରତ ଓ ଇଣ୍ଡୋନେସିଆ ଦୁଇ ସହସ୍ରାବ୍ଦୀରୁ ଅଧିକ କାଳ ଧରି ସଭ୍ୟତା ଆଧାରିତ ସମ୍ପର୍କର ନିରନ୍ତରତାରେ ଭାଗିଦାରୀ ଅଟନ୍ତି ।
ତେଣିକି ତାହା ଓଡ଼ିଶାର ବାର୍ଷିକ ବାଲିଯାତ୍ରାର ଉତ୍ସବ ହେଉ ଅବା ରାମାୟଣ ଓ ମହାଭାରତର କାହାଣୀ । ଯାହାକି ସମଗ୍ର ଇଣ୍ଡୋନେସିଆ ଭୂଭାଗରେ ଦେଖିବାକୁ ମିଳେ । ଏହି ଅଭିନବ ସାଂସ୍କୃତିକ ସୂତ୍ର ଏସିଆର ଦୁଇ ସର୍ବବୃହତ ଗଣତନ୍ତ୍ରର ଲୋକଙ୍କୁ ଏକ ବିଶେଷ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ବାନ୍ଧି ରଖିଛି ।
‘ବିବିଧତାରେ ଏକତା’ ଅବା ‘ଭିନ୍ନେକା ତୁଙ୍ଗଲ ଇକା’ ଉଭୟ ଦେଶରେ ମାନ୍ୟତାପ୍ରାପ୍ତ ମିଳିତ ସାମାଜିକ ମୂଲ୍ୟବୋଧର ଢାଂଚାର ଏକ ମହତ୍ୱପୂର୍ଣ୍ଣ ଦିଗ । ସେହିପରି ଗଣତନ୍ତ୍ରର ମିଳିତ ମୂଲ୍ୟବୋଧ ଓ ଆଇନର ଶାସନ ମଧ୍ୟ । ଆଜି, ରଣନୀତିକ ସହଯୋଗୀ ଭାବେ ଆମର ସହଯୋଗ ରାଜନୀତିକ, ଆର୍ଥିକ, ରକ୍ଷା ଓ ସୁରକ୍ଷା, ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ସମ୍ବନ୍ଧ ଭଳି ସମସ୍ତ କ୍ଷେତ୍ରରେ ବ୍ୟାପ୍ତ । ଆସିଆନରେ ଇଣ୍ଡୋନେସିଆ ଆମର କ୍ରମାଗତ ସର୍ବବୃହତ ବ୍ୟବସାୟିକ ସହଯୋଗୀ ପାଲଟିଛି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଗତ 10ବର୍ଷ ମଧ୍ୟରେ ଅଢ଼େଇ ଗୁଣ ବୃଦ୍ଧି ପାଇଛି । 2016 ମସିହାରେ ରାଷ୍ଟ୍ରପତି ଜୋକୋ ୱିଦୋଦୋଙ୍କ ଭାରତର ସରକାରୀ ଗସ୍ତର ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଛି ।
କାମ୍ବୋଡ଼ିଆ
ଭାରତ ଓ କାମ୍ବୋଡ଼ିଆ ମଧ୍ୟରେ ପରମ୍ପରାଗତ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସଭ୍ୟତା ଉପରେ ଆଧାରିତ । ଯାହା ଗଭୀର ଭାବେ ଯୋଡ଼ି ହୋଇ ରହିଛି । ଅଙ୍ଗକୋର ୱଟ୍ ମନ୍ଦିରର ଭବ୍ୟ ଢାଂଚା ଆମର ପ୍ରାଚୀନ ଐତିହାସିକ, ଧାମିର୍କ ଓ ସାଂସ୍କୃତିକ ସମ୍ବନ୍ଧର ଏକ ଜାଜ୍ଜ୍ୱଲ୍ୟମାନ ସାକ୍ଷୀ ଓ ଭବ୍ୟ ପ୍ରତୀକ । 1986-1993ର କଷ୍ଟକର ସମୟରେ ଅଙ୍ଗକୋର ୱଟ୍ ମନ୍ଦିରର ପୁନରୁଦ୍ଧାର ଓ ପୁନଃସ୍ଥାପନ କାର୍ଯ୍ୟ କରିବାରେ ଭାରତ ଗୌରାବାନ୍ୱିତ ହୋଇଥିଲା । ତା-ପ୍ରୋହମ୍ ମନ୍ଦିରରେ ଚାଲିଥିବା ପୁନରୁଦ୍ଧାର କାମରେ ଭାରତ ଏକ ମୂଲ୍ୟବାନ ସହଯୋଗୀ ପାଲଟିଛି ।
ଖମେର ରୁଜ୍ ଙ୍କ ଶାସନର ସମାପ୍ତି ହେବା ପରେ ଭାରତ ପ୍ରଥମ ଏଭଳି ରାଷ୍ଟ୍ର ଥିଲା ଯିଏ 1981 ମସିହାରେ ନୂଆ ସରକାରଙ୍କୁ ମାନ୍ୟତା ଦେଇଥିଲା । ପ୍ୟାରିସ ଶାନ୍ତି ବୁଝାମଣା ଓ 1991ମସିହାରେ ଏହାକୁ ପୂରଣ କରାଯିବାରେ ମଧ୍ୟ ଭାରତ ସାମିଲ ଥିଲା । ନିୟମିତ ଭାବେ ହେଉଥିବା ଉଚ୍ଚସ୍ତରୀୟ ଗସ୍ତ ଯୋଗୁ ବନ୍ଧୁତ୍ୱର ଏହି ପରମ୍ପରାଗତ ସମ୍ବନ୍ଧ ଅଧିକ ସୁଦୃଢ଼ ହୋଇଛି । ଆମେ ନିଜର ସହଯୋଗର ବିବିଧ କ୍ଷେତ୍ର ଯଥା ସଂସ୍ଥାଗତ କ୍ଷମତାର ବିକାଶ, ମାନବ ସମ୍ବଳର ବିକାଶ, ବିକାଶମୂଳକ ଓ ସାମାଜିକ ପରିଯୋଜନା, ସାଂସ୍କୃତିକ ଆଦାନପ୍ରଦାନ, ସାମରିକ ସହଯୋଗ, ପର୍ଯ୍ୟଟନ ଓ ଳୋକଙ୍କ ମଧ୍ୟରେ ସମ୍ବନ୍ଧ ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରିଛୁ ।
ଆସିଆନ ସମ୍ବନ୍ଧରେ ଓ ଅନ୍ୟ ବିଶ୍ୱସ୍ତରୀୟ ମଞ୍ଚରେ କାମ୍ବୋଡ଼ିଆ ଭାରତର ଏକ ମହତ୍ୱପୂର୍ଣ୍ଣ ସହଯୋଗୀ ଓ ଭାଗିଦାରୀ । କାମ୍ବୋଡ଼ିଆର ଆର୍ଥିକ ବିକାଶରେ ଏକ ଭାଗିଦାରୀ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଓ ପରମ୍ପରାଗତ ସମ୍ବନ୍ଧକୁ ଅଧିକ ପ୍ରଗାଢ଼ କରିବା ନିମନ୍ତେ ଇଚ୍ଛୁକ ।
କେବଳ ସେତିକି ନୁହେଁ, ଭାରତ ଓ ଆସିଆନ ଆହୁରି ଅନେକ କିଛି କରିପାରିବେ । ଆସିଆନର ନେତୃତ୍ୱାଧୀନ ଅନ୍ୟ ସଂସ୍ଥାଗୁଡ଼ିକ ଯଥା ପୂର୍ବ ଏସିଆ ଶିଖର ସମ୍ମିଳନୀ, ଏଡିଏମ୍ଏମ୍(ଆସିଆନ ରକ୍ଷା ମନ୍ତ୍ରୀ ଓ ଅନ୍ୟମାନଙ୍କ ବୈଠକ) ତଥା ଏଆରଏଫ୍(ଆସିଆନ କ୍ଷେତ୍ରୀୟ ମଞ୍ଚ)ରେ ଆମର ଭାଗିଦାରୀ ଏହି କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷାକୁ ପ୍ରୋତ୍ସାହିତ କରୁଛି । ଭାରତ ବ୍ୟାପକ ଆଂଚଳିକ ଆର୍ଥିକ ଭାଗିଦାରୀ ବୁଝାମଣାର ଏକ ଉତ୍ସୁକ ଭାଗିଦାରୀ, ଯିଏକି ସମସ୍ତ ଭାଗିଦାରୀ ନିମନ୍ତେ ଏକ ବ୍ୟାପକ, ସନ୍ତୁଳିତ ଓ ନିରପେକ୍ଷ ବୁଝାମଣା ଆଶା କରୁଛି ।
ଭାଗିଦାରୀରେ ଶକ୍ତି ଓ ସ୍ଥାୟିତ୍ୱ କେବଳ ଗଣିତର ସଂଖ୍ୟାବଳରେ ହୁଏ ନାହିଁ । ବରଂ ସମ୍ବନ୍ଧର ନିବିଡ଼ତାରେ ମଧ୍ୟ ଆସିଥାଏ । ଭାରତ ଓ ଆସିଆନ ରାଷ୍ଟ୍ରର ସମ୍ବନ୍ଧ କୌଣସି ପ୍ରକାରର ପ୍ରତିଯୋଗିତା ଓ ଦାବିଦାରୀରୁ ମୁକ୍ତ ଅଟେ । ଆମ ପାଖରେ ଭବିଷ୍ୟତ ପାଇଁ ଏକ ମିଳିତ ଦୃଷ୍ଟିକୋଣ ଅଛି ଯାହା ସମାବେଶୀ ଓ ଏକୀକରଣ, ସମସ୍ତ ରାଷ୍ଟ୍ରର ସାର୍ବଭୌମିକ ସମାନତା ତଥା ବାଣିଜ୍ୟ ଓ ପାରସ୍ପରିକ ସମ୍ବନ୍ଧ ନିମନ୍ତେ ସ୍ୱତନ୍ତ୍ର ଓ ଉନ୍ମୁକ୍ତ ମାର୍ଗର ସମର୍ଥନ ପ୍ରତି ପ୍ରତିଶ୍ରୁତିବଦ୍ଧତା ଉପରେ ଆଧାରିତ । ଏହା ଅନେକ ଆକାର ଉପରେ ଆଧାରିତ ନହେଉ ।
ଆସିଆନ-ଭାରତ ଭାଗିଦାରୀ କ୍ରମାଗତ ପ୍ରଗତି କରୁଛି । ଜନସଂଖ୍ୟା, ଗତିଶୀଳତା ଓ ଚାହିଦା ପ୍ରସଙ୍ଗରେ ହାସଲ ହୋଇଥିବା ବୃଦ୍ଧି ସହ ଦ୍ରୁତ ଭାବେ ପରିପକ୍ୱ ହେଉଥିବା ଅର୍ଥବ୍ୟବସ୍ଥା- ଭାରତ ଓ ଆସିଆନ- ଏକ ସୁଦୃଢ଼ ଆର୍ଥିକ ଭାଗିଦାରୀକୁ ସୃଷ୍ଟି କରିବେ । ସମ୍ପର୍କର ସାଧନ ବୃଦ୍ଧି ପାଇବ ଓ ବାଣିଜ୍ୟର ବିସ୍ତାର ହେବ । ଏଭଳି ଏକ ସମୟରେ ଯେତେବେଳେ ଭାରତରେ ଏକ ସହଯୋଗାତ୍ମକ ଓ ପ୍ରତିଯୋଗିତାମୂଳକ ସଂଘୀୟ ପ୍ରଣାଳୀ ରହିଛି, ଆମର ରାଜ୍ୟଗୁଡ଼ିକ ବି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସହ ଏକ ଫଳପ୍ରଦ ସହଯୋଗ ସମ୍ବନ୍ଧର ବିକାଶ କରୁଛନ୍ତି । ଭାରତର ଉତ୍ତର-ପୂର୍ବ ଏକ ପୁନରୁତ୍ଥାନଶୀଳ ପଥରେ ରହିଛି । ଦକ୍ଷିଣ-ପୂର୍ବ ଏସିଆ ସହ ସମ୍ପର୍କ ଏହାର ପ୍ରଗତିକୁ ଅଧିକ ଗତି ପ୍ରଦାନ କରିବ । ଏଭଳି ଭାବେ ଯୋଡ଼ି ହୋଇଥିବା ଉତ୍ତର-ପୂର୍ବ ଆମର ସ୍ୱପ୍ନର ଆସିଆନ-ଭାରତ ସମ୍ପର୍କ ପାଇଁ ଏକ ସେତୁ ଭାବେ କାମ କରିବ ।
ଜଣେ ପ୍ରଧାନମନ୍ତ୍ରୀ ଭାବେ ମୁଁ ଚାରିଥର ବାର୍ଷିକ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାଗ ନେଇଛି । ଏହି ଭୂଭାଗକୁ ସ୍ୱରୂପ ଦେବାର ଲକ୍ଷ୍ୟରେ ଆସିଆନର ଏକତା, ଏହାର କେନ୍ଦ୍ରୀୟ ଭୂମିକା ଓ ନେତୃତ୍ୱ ସମ୍ବନ୍ଧରେ ମୋର ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି ।
ଏହା ଉପଲବ୍ଧୀ ଭରା ବର୍ଷ । ଗତବର୍ଷ ଭାରତର ସ୍ୱାଧୀନତାର 70ବର୍ଷ ପୂରଣ ହୋଇଛି । ଆସିଆନ 50ବର୍ଷର ସ୍ୱର୍ଣ୍ଣକାଳ ପୂରଣ କରିଛି । ଆମେ ପରସ୍ପରର ଭବିଷ୍ୟତକୁ ଆକାଂକ୍ଷାପୂର୍ଣ୍ଣ ଓ ଆମର ବିଶ୍ୱାସଭରା ଭାଗିଦାରୀକୁ ଦେଖିପାରିବା ।
70ବର୍ଷ ବୟସରେ ଭାରତ ନିଜର ଯୁବ ଜନସଂଖ୍ୟା ଯୋଗୁ ଉତ୍ସାହ, ଉଦ୍ୟୋଗ ଓ ଶକ୍ତିରେ ନିଃସୃତ ହେଉଛି । ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା ହୋଇଥିବା ଯୋଗୁ ଭାରତ ଆନ୍ତର୍ଜାତିକ ସମ୍ଭାବନାର ଏକ ନୂଆ ସ୍ଥଳ ଓ ବିଶ୍ୱ ଅର୍ଥବ୍ୟବସ୍ଥାରେ ସ୍ଥିରତାର ଆଧାର ପାଲଟିଯାଇଛି । ପ୍ରତ୍ୟେକ ଦିନ ବିତିବା ସହ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ଓ ସୁଗମ ହେଉଛି । ମୋର ଆଶା ଯେ ଏକ ପଡ଼ୋଶୀ ଓ ବନ୍ଧୁ ହୋଇଥିବା ଯୋଗୁ ଆସିଆନ ରାଷ୍ଟ୍ରଗୁଡ଼ିକ ଏକ ନୂଆ ଭାରତର ପରିବର୍ତ୍ତନରେ ଏକ ଅଭିନ୍ନ ଅଂଗ ପାଲଟିବେ ।
ଆମେ ଆସିଆନର ନିଜସ୍ୱ ପ୍ରଗତିର ପ୍ରଂଶସା କରୁଛୁ । ଆସିଆନ ଏଭଳି ସମୟରେ ଅସ୍ତିତ୍ୱରେ ଆସିଥିଲା ଯେତେବେଳେ ଦକ୍ଷିଣ ଏସିଆ ଏକ କ୍ରୁର ଯୁଦ୍ଧର ଆଶଙ୍କା ତଥା ଅନିଶ୍ଚିତ ଭବିଷ୍ୟତ ବିଶିଷ୍ଟ ଦେଶଗୁଡ଼ିକର ଭୂଭାଗ ପାଲଟିଥିଲା । ଏଭଳି ସମୟରେ ଆସିଆନର 10ଟି ରାଷ୍ଟ୍ର ଏକ ସମାନ ଉଦ୍ଦେଶ୍ୟ ଓ ମିଳିତ ଭବିଷ୍ୟତ ପାଇଁ ସଂଗଠିତ ହୋଇଥିଲେ । ଆମ ମଧ୍ୟରେ ଉଚ୍ଚ ମହାତ୍ୱକାଂକ୍ଷାକୁ ପୂରଣ କରିବା ଓ ନିଜ ସମୟର ଚାଲେଞ୍ଜକୁ ସମ୍ମୁଖୀନ ହେବାର କ୍ଷମତା ଅଛି । ଭିତ୍ତିଭୂମି ଓ ସହରୀକରଣରୁ ଆରମ୍ଭ କରି ନମନୀୟ କୃଷି ଅବା ଏକ ସୁସ୍ଥ ପୃଥିବୀ ପର୍ଯ୍ୟନ୍ତ । ଆମେ ଡିଜିଟାଲ ଜ୍ଞାନକୌଶଳ, ନବସୃଜନ ଓ ଯୋଗାଯୋଗର ସାଧନର ଶକ୍ତିର ପ୍ରୟୋଗ କରି ଜୀବନକୁ ଏକ ଅଦ୍ଭୂତପୂର୍ବ ଗତିରେ ଅଧିକ ବ୍ୟାପକସ୍ତରରେ ପରିବର୍ତ୍ତନ କରିପାରିବୁ ।
ଭବିଷ୍ୟତର ଆଶାକୁ ଶାନ୍ତିର ଏକ ଠୋସ୍ ଚଟାଣର ଆବଶ୍ୟକତା ପଡ଼ିଥାଏ । ଏହି ଯୁଗ ପରିବର୍ତ୍ତନର, ଅସ୍ଥିରତା ଓ ଏଭଳି ପରିବର୍ତ୍ତନର ଯାହାକି ଇତିହାସରେ ବିରଳ । ଆସିଆନ ଓ ଭାରତ ପାଖରେ ନିଜ ସମୟର ଅନିଶ୍ଚିତତତା ଓ ବିପ୍ଳବରୁ ବାହାରି ନିଜ ଭୂଭାଗ ଓ ବିଶ୍ୱ ନିମନ୍ତେ ଏକ ସ୍ଥିର ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନିର୍ମାଣ ପାଇଁ ଗୋଟିଏ ସ୍ଥିର ମାର୍ଗ ପ୍ରସ୍ତୁତ କରିବାର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି କିନ୍ତୁ ବାସ୍ତବରେ ବିଶାଳ ଉତ୍ତରଦାୟିତ୍ୱ ମଧ୍ୟ ।
ଭାରତୀୟମାନେ ସର୍ବଦା ଏକ ପୋଷକ ଓ ଦୀର୍ଘସ୍ଥାୟୀ ସୁଯୋଗର ସୂର୍ଯ୍ୟାଲୋକ ପାଇଁ ପୂର୍ବ ଆଡ଼କୁ ଚାହିଁଥାନ୍ତି । ଏବେ ପୂର୍ବଭଳି ପୂର୍ବ ହେଉ ଅବା ହିନ୍ଦ୍-ପ୍ରଶାନ୍ତ ମହାସାଗରୀୟ ଭୂଭାଗ ଭାରତର ଭବିଷ୍ୟତ ଓ ଆମର ମିଳିତ ଭବିଷ୍ୟତ ନିମନ୍ତେ ଅପରିହାର୍ଯ୍ୟ । ଏହି ଦୁଇଟି ପାଇ ଆସିଆନ-ଭାରତ ଭାଗିଦାରୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଇତିମଧ୍ୟରେ ଦିଲ୍ଲୀରେ ଆସିଆନ ଓ ଭାରତ ଉଭୟ ନିଜ ନିଜର ଭବିଷ୍ୟତ ଯାତ୍ରା ପାଇଁ ସଂକଳ୍ପକୁ ଦୋହରାଇଛନ୍ତି ।
ଆସିଆନର ସମ୍ବାଦପତ୍ରର ସମ୍ପାଦୀୟ ପୃଷ୍ଠାରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଲେଖାର ଏହି ନିମ୍ନଲିଖିତ ଲିଙ୍କ୍ ଉପରେ କ୍ଲିକ୍ କରି ପଢ଼ାଯାଇପାରିବ: –
https://www.bangkokpost.com/opinion/opinion/1402226/asean-india-shared-values-and-a-common-destiny
https://www.businesstimes.com.sg/opinion/asean-india-shared-values-common-destiny
https://www.globalnewlightofmyanmar.com/asean-india-shared-values-common-destiny/
https://www.mizzima.com/news-opinion/asean-india-shared-values-common-destiny
https://www.straitstimes.com/opinion/shared-values-common-destiny
https://news.mb.com.ph/2018/01/26/asean-india-shared-values-common-destiny/