ବିଜେପିର ଜଣେ ଉତ୍ତମ ସଙ୍ଗଠକରୁ ଭାରତର ଜଣେ ଦକ୍ଷ ଶାସନକର୍ତ୍ତା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ବିବର୍ତ୍ତନ ଦୃଢ଼ତା ଓ ସଂକଳ୍ପବଦ୍ଧତାର କାହାଣୀ କହିଥାଏ ।
2001 ଅକ୍ଟୋବର 7ରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ଜଣେ ରାଜନୈତିକ କର୍ମୀ ଓ ସଂଗଠକରୁ ଜଣେ ପ୍ରଶାସକ ହେବା ଓ ସରକାର ଚଳାଇବା ପର୍ଯ୍ୟନ୍ତ ତାଙ୍କର ଯେଉଁପରି ଦୃତ ରୁପାନ୍ତରଣ ଘଟିଲା ଏହା ତାଙ୍କୁ ନୂଆ ପଦବୀ ପାଇଁ ପ୍ରଶିକ୍ଷିତ ହେବା ନେଇ ସମୟ ପ୍ରଦାନ କଲା । ପ୍ରଥମ ଦିନରୁ ଶ୍ରୀ ମୋଦୀଙ୍କୁ ପ୍ରଶାସନିକ କାର୍ଯ୍ୟ ଚାଲୁରଖିବା ସହ ଏକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବିଜେପି ପାଇଁ କାମ କରିବାକୁ ପଡିଲା । ଏକ ଶତୃତାପୂର୍ଣ୍ଣ ପରିବେଶ ସହିତ ମଧ୍ୟ ତାଙ୍କୁ ମୁକାବିଲା କରିବାକୁ ପଡିଲା । ଏପରିକି ତାଙ୍କ ଦଳୀୟ କର୍ମୀମାନେ ମଧ୍ୟ ତାଙ୍କୁ ଶାସନ ପରିଚାଳନାରେ ଅଭିଜ୍ଞତା ନଥିବା ଜଣେ ବାହାରର ବ୍ୟକ୍ତି ଭାବେ ମନେ କରୁଥିଲେ । ମାତ୍ର ଆରମ୍ଭରୁ ହିଁ ସେ ଏହି ଆହ୍ୱାନକୁ ଗ୍ରହଣ କରିଥିଲେ ।
ପ୍ରଥମ 100 ଦିନ
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କର ପ୍ରଥମ 100ଦିନ ତାଙ୍କର ନୂଆ ଦାୟିତ୍ୱବୋଧ ସହ ଅଭ୍ୟସ୍ତ ହେବା, ପ୍ରଚଳିତ ଧାରାର ବ୍ୟତିକ୍ରମରେ ନୂଆ ପଦ୍ଧତି ମାଧ୍ୟମରେ ଶାସନ ପରିଚାଳନା ଆରମ୍ଭ ଓ ନୂଆ ନୂଆ ଉପାୟ ଦ୍ୱାରା ବିଜେପିର ସ୍ଥିତାବସ୍ଥାକୁ କିପରି ଭାବେ ଦୋହଲାଇ ଦେଇଥିଲା ତାହାର ଝଲକ ପ୍ରଦାନ କରିଥାଏ । ଏହି 100 ଦିନ ମଧ୍ୟରେ ନରେନ୍ଦ୍ର ମୋଦୀ ଭୟଙ୍କର ଭୂମିକମ୍ପ ଦ୍ୱାରା ଧ୍ୱସ୍ତବିଧ୍ୱସ୍ତ ହୋଇପଡିଥିବା କଚର ପୁନନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନିକ ନାଲିଫିତା ଜନିତ ବିଳମ୍ବକୁ ଦୂର କରିବା ସହିତ ଏହାର କାର୍ଯ୍ୟପଦ୍ଧତିକୁ ସରଳୀକୃତ କରିଥିଲେ ।
ପ୍ରଥମ 100 ଦିନ ମଧ୍ୟ ମୋଦୀଙ୍କ ମୌଳିକ ନୀତି-ଅଯଥା ଖର୍ଚ୍ଚ କାଟ, ଉଦାହରଣୀୟ ନେତୃତ୍ୱ, ଜଣେ ଭଲ ଶ୍ରୋତା ଓ ଜଣେ ଦୃତ ଶିକ୍ଷାର୍ଥୀ ସମ୍ବନ୍ଧରେ ସୂଚାଇ ଦିଏ । ଏକ ଅନ୍ତର୍ନିବେଶୀ ମୂଲ୍ୟବୋଧ ଉପରେ ତାଙ୍କର ବିଶ୍ୱାସକୁ ମଧ୍ୟ ଏହି 100 ଦିନ ପ୍ରତିଫଳିତ କରିଥାଏ । କନ୍ୟାସନ୍ତାନମାନଙ୍କ ଶିକ୍ଷା ଉପରେ ପ୍ରାଧାନ୍ୟ, ପ୍ରତିଯୋଗିତା ପରିବର୍ତ୍ତେ ସହମତିତା ଭିତ୍ତିରେ ଅନୁଦାନକୁ ଗ୍ରାମର ଉନ୍ନୟନରେ ଲଗାଇବା ପାଇଁ ପ୍ରୋତ୍ସାହନ ଆଦି ଦ୍ୱାରା ଏହା ପ୍ରମାଣିତ ହୋଇଥାଏ ।
ମୋଟାମୋଟି ଭାବେ କ୍ଷମତାରେ ରହିବାର ପ୍ରଥମ ତିନିମାସରେ ସେ ତାଙ୍କ ନିଜ ରାଜ୍ୟର ଜନସାଧାରଣଙ୍କୁ ସଶକ୍ତ କରି ଶାସନ ପରିଚାଳନର ଅଂଶବିଶେଷରେ ପରିଣତ କରିଦେଲେ । ସେ ଦୀପାବଳିର ପୂର୍ବଦିନ ଭୂମିକମ୍ପ ପ୍ରକୋପର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ସହିତ କଟାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଇଥିଲେ । ଉନ୍ନୟନ ଓ ଉତ୍ତମ ଶାସନ ପରିଚାଳନା ଜନିତ ରାଜନୀତି ଉପରେ କେନ୍ଦ୍ରିଭୂତ କରି ଗୁଜୁରାଟ କିପରି ଭାବେ ଏହି ସମସ୍ୟାରୁ ଦୃତ ଗତିରେ ଉଦ୍ଧ୍ୱର୍କୁ ଉଠିପାରିବ ତାହା ଶ୍ରୀ ମୋଦୀ କରି ଦେଖାଇଦେଇଥିଲେ ।
ଏକ ସ୍ପନ୍ଦନଶୀଳ ଗୁଜୁରାଟ ନିର୍ମାଣ କରିବାନେଇ ନରେନ୍ଦ୍ର ମୋଦୀ ଉନ୍ନୟନ ଓ ଶାସନ ପରିଚାଳନା କ୍ଷେତ୍ରରେ ଯେଉଁ ବାଟଦେଇ ଉଦାହରଣ ସୃଷ୍ଟି କରିଥିଲେ ତାହା ସହଜ ନଥିଲା । ଏହି ବାଟ ଥିଲା ଉଭୟ ପ୍ରାକୃତିକ ଓ ମନୁଷ୍ୟକୃତ ପ୍ରତିକୂଳ ପରିସ୍ଥିତି ଓ ଆହ୍ୱାନ ଦ୍ୱାରା ଭରପୁର । ଏଥିରେ ତାଙ୍କ ଦଳର କେତେଜଣ ମଧ୍ୟ ସାମିଲ ଥିଲେ । ମାତ୍ର କଠିନ ପରିସ୍ଥିତିରୁ ମଧ୍ୟ ସେ ତାଙ୍କ ନେତୃତ୍ୱ ଦକ୍ଷତା ବଳରେ ପାର ହୋଇଥିଲେ । ଏପରିକି ନରେନ୍ଦ୍ର ମୋଦୀ କ୍ଷମତାରେ କେତେକ ସଂସ୍କାର ବ୍ୟବସ୍ଥା ଆଣିବା ପୂର୍ବରୁ, 2002ର ଘଟଣାବଳୀ ତାଙ୍କ ମାନସିକ ସାମର୍ଥ୍ୟର ପରୀକ୍ଷା ନେଇଥିଲା ।
ଗୁଜୁରାଟରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଜୀବନହାନୀ ଓ ପୁନନିର୍ମାଣ ଲାଗି ଆତ୍ମବିଶ୍ୱାସର ଅଭାବ ଫଳରେ ଯେକୌଣସି କମ୍ ସାମର୍ଥ୍ୟବାନ ବ୍ୟକ୍ତି ତା’ର ଦାୟିତ୍ୱବୋଧରୁ ଓହରିଯିବା ସହିତ ଇସ୍ତଫା ପ୍ରଦାନ କରିଥାନ୍ତା । ମାତ୍ର ନରେନ୍ଦ୍ର ମୋଦୀ ଭିନ୍ନ ନୈତିକ ତନ୍ତୁରେ ଗଢ଼ା ହୋଇଥିଲେ । ଉତ୍ତମ ଶାସନ ପରିଚାଳନାର ଲକ୍ଷ୍ୟ ପୂରଣ କରିବା ପାଇଁ ତାଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମ ଓ ବିପକ୍ଷ ରାଜନୈତିକ ଦଳମାନଙ୍କର କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା ।
ଆଲୋକିତ ହେଲା: ଜ୍ୟୋତିଗ୍ରାମ ଯୋଜନା
କଠୋର ରାଜନୈତିକ ପରିସ୍ଥିତି ମଧ୍ୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ୱର ଏକ ଉଜ୍ଜ୍ୱଳ ଉଦାହରଣ ହେଲା ଗୁଜୁରାଟରେ ଶକ୍ତି କ୍ଷେତ୍ରରେ ସଂସ୍କାର ପାଇଁ ଜ୍ୟୋତିଗ୍ରାମ ଯୋଜନାର ପ୍ରଣୟନ । ଗୁଜୁରାଟର ବଡ ସହରଠାରୁ ଆରମ୍ଭ କରି ଅଗମ୍ୟ ଆଦିବାସୀ ଗ୍ରାମରେ 24 ଘଂଟା ବିଜୁଳି ଶକ୍ତି ଯୋଗାଇଦେବା ପାଇଁ ଜ୍ୟୋତିଗ୍ରାମ ଯୋଜନା ଏକ ବୈପ୍ଳବିକ ପଦକ୍ଷେପ ।
ତୁରନ୍ତ କୃଷକମାନେ ଏହି ଯୋଜନା ବିପକ୍ଷରେ ବିଦ୍ରୋହ କରିବା ଆରମ୍ଭ କରିଦେଲେ । କୃଷକ ବିଦ୍ରୋହରେ ଅନେକ ବଡ ବଡ ନାମ ସାମିଲ ଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ତାଙ୍କ ଦୂରଦୃଷ୍ଟିରେ ଅଟଳ ରହିଲେ ଓ ଏହାଫଳରେ ରାଜ୍ୟବ୍ୟାପୀ 24 ଘଂଟା ବିଜୁଳି ଶକ୍ତି ଯୋଗାଇଦେବା ନିଶ୍ଚିତ କରିବାରେ ଜ୍ୟୋତିଗ୍ରାମ ଯୋଜନା ସଫଳ ହୋଇଥିଲା । ଜ୍ୟୋତିଗ୍ରାମ ମାଧ୍ୟମରେ ମୋଦୀ ଦର୍ଶାଇଦେଲେ ଯେ ଦୃଢ଼ ନେତୃତ୍ୱ ଓ ଦକ୍ଷ ଶାସନ ପରିଚାଳନା ନୀତି ଦ୍ୱାରା ସମାଜର ପ୍ରତ୍ୟେକ ସ୍ତରର ଭାଗ୍ୟ ବଦଳାଯାଇ ପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୂଳ ନୀତି- ସବ୍କା ସାଥ ସବ୍କା ବିକାଶ(ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ) ଅତୁଟ ରହିଛି ।
ରାଜନୀତି ଉର୍ଦ୍ଧ୍ଵରେ ସରକାର
ନରେନ୍ଦ୍ର ମୋଦୀ ସବୁବେଳେ ବିଶ୍ୱାସ କରନ୍ତି ଯେ ଶାସନ ପରିଚାଳନା ସର୍ବଦା ରାଜନୀତିର ଉର୍ଦ୍ଧ୍ଵରେ । ଉନ୍ନୟନ ଆହ୍ୱାନ ପଥରେ ସେ ରାଜନୈତିକ ବିଭେଦକୁ କେବେହେଲେ ଆଣିବାକୁ ଦେଉନଥିଲେ । ସର୍ଦ୍ଦାର ସରୋବର ପ୍ରକଳ୍ପ ମାଧ୍ୟମରେ ନରେନ୍ଦ୍ର ମୋଦୀ ଯେଉଁପରି ଭାବେ ନର୍ମଦା ନଦୀକୁ ଗୁଜୁରାଟରେ ପ୍ରବାହିତ ହେବା ନେଇ ନିଶ୍ଚିତ କରିଥିଲେ ତାହା ଜନମତ ଓ ବିଜ୍ଞତା ମଧ୍ୟରେ କିପରି ସନ୍ତୁଳନ ରକ୍ଷା କରିହେବ ତାହା ଦର୍ଶାଇ ଦେଇଥିଲା । ପଡୋଶୀ ରାଜ୍ୟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସହ ସତର୍କତାର ସହ ବୁଝାମଣା କରି ଶ୍ରୀ ମୋଦୀ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲେ । ତାଙ୍କର ଏହି ପଦକ୍ଷେପର ସପକ୍ଷରେ ସେ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କ ସମର୍ଥନ ଜୁଟାଇଥିଲେ ଏବଂ ଆଜିର ରାଜନୈତିକ ପରିବେଶରେ ଏହିପରି ଦ୍ୱିପାକ୍ଷିକ ଭାଗିଦାରିତା କ୍ୱଚିତ ଦେଖାଯାଏ ।
ଉଭୟ ପାନୀୟ ଓ ସେଚନ କାର୍ଯ୍ୟ ଲାଗି ଜଳ ପରିଚାଳନା ନୀତିର ବିକେନ୍ଦ୍ରୀକରଣ ଦ୍ୱାରା, ଶ୍ରୀ ମୋଦୀ ଦର୍ଶାଇଥିଲେ ଯେ କେବଳ ବଡ ପ୍ରକଳ୍ପ ପ୍ରତିଷ୍ଠା କରିବା ନୁହେଁ ବରଂ ଶେଷ ମାଇଲ ପର୍ଯ୍ୟନ୍ତ ଏହି ସେବାକୁ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ।
ଏକ କ୍ଲିକ ଦୂରତାରେ ଉନ୍ନୟନ
ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାନେଇ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱ ଓ ଏହାର ସମ୍ପାଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ନଜର ରଖିବା ଗତ ଏକ ଦଶନ୍ଧି ଧରି ମୋଦୀ କାହିଁକି ସେବାର ଉପଲବ୍ଧତାକୁ ଦୂରଦୂରାନ୍ତରେ ଠିକ୍ ଭାବେ ପହଂଚାଇବାକୁ ଚାହୁଁଥିଲେ ସେ ସମ୍ବନ୍ଧରେ ଜଣାପଡେ । ବୈଷୟିକ ଜ୍ଞାନକୌଶଳର ଅଭିନବ ବ୍ୟବହାର ମାଧ୍ୟମରେ ଇ-କୋର୍ଟଗୁଡ଼ିକୁ ଜିଓ-ସ୍ପାଟିଆଲ ମେପିଙ୍ଗ କରିବା ଏବଂ ଦିନିକିଆ ଶାସନ ପରିଚାଳନା ବ୍ୟବସ୍ଥା ଦ୍ୱାରା ନାଗରିକ ଓ ସରକାରଙ୍କୁ ମୁହାଁମୁହିଁ କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇଥାଏ ।
ଶ୍ରୀ ମୋଦୀ ମଧ୍ୟ ଏଟିଭିଟି ଭଳି ବିକେନ୍ଦ୍ରୀକରଣର ବ୍ୟବସ୍ଥା ଲାଗି ଜଣାଶୁଣା । ଏହା ଉନ୍ନୟନ ଯୋଜନା ଓ ଶାସନ ପରିଚାଳନା ପ୍ରକ୍ରିୟାକୁ ତାଲୁକା ସ୍ତର ପର୍ଯ୍ୟନ୍ତ ନେଇଆସିଥିଲା ଏବଂ ଏହାକୁ ଗ୍ରାମଗୁଡ଼ିକର ନିକଟତର କରାଇଥିଲା । ଶିଳ୍ପଦ୍ୟୋଗଗୁଡ଼ିକ ସିଙ୍ଗଲ ୱିଣ୍ଡୋ ପଦ୍ଧତିରେ ଯେପରି ଭାବେ ଲାଭବାନ ହୋଇଥିଲେ ଏହା ଶ୍ରୀ ମୋଦୀଙ୍କ ନ୍ୟାୟିକ ପ୍ରକ୍ରିୟା ଅପେକ୍ଷା କାର୍ଯ୍ୟକାରୀ ପ୍ରକ୍ରିୟା ଉପରେ ଥିବା ଦୃଢ଼ ବିଶ୍ୱାସକୁ ସୂଚାଇଥାଏ । ଏପରିକି ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ ମୁକ୍ତ ହେବା କ୍ଷେତ୍ରରେ ସ୍ୱଚ୍ଛତା ଓ ନିପୁଣତା ଅଣାଯାଇପାରିଲା ।
ସଫଳତାର 3ଟି ସ୍ତମ୍ଭ
ଗୁଜୁରାଟର ସଫଳତାର କାହାଣୀକୁ ନରେନ୍ଦ୍ର ମୋଦୀ ତିନୋଟି ସ୍ତମ୍ଭ ଉପରେ ନିର୍ମାଣ କରିଥିଲେ । ଏଗୁଡ଼ିକ ହେଲା କୃଷି, ଶିଳ୍ପ ଓ ସେବା । ତାଙ୍କ କାର୍ଯ୍ୟକାଳରେ କୃଷିକ୍ଷେତ୍ରରେ ଗୁଜୁରାଟର ଶତକଡା 10 ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । ଗଜୁରାଟ ଯେ ଏକ ମରୁଡ଼ି ପ୍ରବଣ ରାଜ୍ୟ, ଏକଥାକୁ ବିଚାରକୁ ନେଲେ ଏହା ଏକ ବଡ ଧରଣର ସଫଳତା ବୋଲି ଧରାଯିବ । କୃଷି ମହୋତ୍ସବ ଭଳି କାର୍ଯ୍ୟଧାରା ମାଧ୍ୟମରେ ସେ ରାଜ୍ୟର କୃଷକମାନଙ୍କ ଜୀବନକୁ ରୂପାନ୍ତରିତ କରିଦେଇଥିଲେ । ତାଙ୍କ ଦ୍ୱାରା ଅନୁଷ୍ଠିତ ଦ୍ୱିବାର୍ଷିକ ଗୁଜୁରାଟ ସମ୍ମିଳନୀ ଫଳରେ ଗୁଜୁରାଟକୁ ରେକର୍ଡ଼ ପରିମାଣର ପୁଞ୍ଜି ପ୍ରବାହ ହୋଇଥିଲା । ଏହାଦ୍ୱାରା ରାଜ୍ୟବ୍ୟାପୀ ନିଯୁକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥିଲା । ତାଙ୍କ ନେତୃତ୍ୱ ଫଳରେ ଗୁଜୁରାଟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ଏକ ଉତ୍ତମ କ୍ଷେତ୍ରରେ ପରିଣତ ହୋଇଥିଲା ।
ଅନୁଷ୍ଠାନର ଗୁରୁତ୍ୱ
ଜଣେ ପ୍ରଶାସକ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାନସିକତାର ଦୁଇଥର ପରୀକ୍ଷଣ ହୋଇଥିଲା । ଏହାହେଉଛି ଥରେ 2006ରେ ସୁରଟରେ ହୋଇଥିବା ବଡ ବନ୍ୟା ସମୟରେ ଓ ଆଉଥରେ 2008ରେ ଗୁଜୁରାଟର ଅନେକ ସହରରେ ସନ୍ତ୍ରାସବାଦୀ ଆକ୍ରମଣ ସମୟରେ । ଉଭୟ ଘଟଣାରେ ଉତ୍ତମ ଆନୁଷ୍ଠାନିକ କାର୍ଯ୍ୟଧାରା ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । 2001-2002ରେ କଚ୍ଛଠାରେ ପୁନନିର୍ମାଣ ପାଇଁ ନିଆଯାଇଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଆନୁଷ୍ଠାନିକ ପ୍ରକ୍ରିୟାର ଅଭିଜ୍ଞତା ଭାରତ ମହାସାଗରରେ ସୁନାମି ଆସିବା ସମୟରେ ଓ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଇନଗତ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ଗୁଜୁରାଟ ପୋଲିସ ରେକର୍ଡ ସମୟରେ 2008ର ସିରିଏଲ ଧମାକା ଘଟଣାର ସମାଧାନ କରିଦେଇଥିଲା । ଏକ ପ୍ରଶାସନ ଓ ଶାସନ ପରିଚାଳନା ପଦ୍ଧତି କିପରି ଆନୁଷ୍ଠାନିକ ଉତ୍ତରାଧିକାର ଛାଡିଯାଇଛି ତାହା ଏକ ପ୍ରକୃତ ନେତାର କର୍ତ୍ତୃତ୍ୱକୁ ସୂଚାଇଥାଏ । ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀଙ୍କ ପ୍ରଗତିବାଦୀ ଚିନ୍ତାଧାରା ଫଳରେ ଶକ୍ତି ସୁରକ୍ଷା ପାଇଁ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ ଓ ଆମର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଫୋରେନସିକ ଓ ରକ୍ଷା ବିଶ୍ୱବିଦ୍ୟାଳୟ ଭଳି ବିବିଧ ଅନୁଷ୍ଠାନର ପ୍ରତିଷ୍ଠା ହୋଇଥିଲା । ଶ୍ରୀ ମୋଦୀଙ୍କ ଆନୁଷ୍ଠାନିକ ଉତ୍ତରାଧିକାର ତାଙ୍କର ଏହି ଦୃଢ଼ ବିଶ୍ୱାସରୁ ପ୍ରତିଫଳିତ ହୋଇଥାଏ ଯେ - ଉତ୍ତମ ଶାସନ ପରିଚାଳନା କହିଲେ କେବଳ ଆଜିର ସମସ୍ୟାକୁ ସମାଧାନ କରିବା ନୁହେଁ ବରଂ ଆସନ୍ତାକାଲିର ଆହ୍ୱାନକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହେବା
ଏକତ୍ରୀକରଣରେ ବିଶ୍ୱାସ
ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ପ୍ରଶାସନ ଓ ଶାସନ ପରିଚାଳନା ନେଇ ତାଙ୍କ ଚିନ୍ତାଧାରା ଏକତ୍ରୀକରଣ ଉପରେ ଆଧାରିତ । ଶ୍ରୀ ମୋଦୀଙ୍କ ଦର୍ଶନ ହେଲା-ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ପରିଚାଳନା । ଏହା ତାଙ୍କର ପଂଚ-ଅମୃତ ଯୋଜନାରେ ସ୍ପଷ୍ଟ ହୋଇଥାଏ । ଏହାଦ୍ୱାରା ସରକାରଙ୍କ କାର୍ଯ୍ୟକାରିତା ବିଭିନ୍ନ ଚିନ୍ତାଧାରା ଆଧାରରେ ନିୟନ୍ତ୍ରିତ ହୋଇଥାଏ ଓ ଏହା ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମଧ୍ୟରେ ଥିବା ଆବରଣ ଓ ବ୍ୟବଧାନକୁ ଦୂର କରିଥାଏ ।
ଶ୍ରୀ ମୋଦୀଙ୍କ ମତରେ ଭାରତ ସରକାରଙ୍କ ପାଇଁ ମୁଖ୍ୟ ଆହ୍ୱାନ ହେଲା ବିଭିନ୍ନ ଚିନ୍ତାଧାରାର ଏକତ୍ରୀକରଣ ଓ ଏକ ସମନ୍ୱିତ ପ୍ରକ୍ରିୟା ମାଧ୍ୟମରେ ଏଗୁଡ଼ିକୁ କାର୍ଯ୍ୟକାରୀ କରିବା । ବର୍ଷବର୍ଷ ଧରି ଶ୍ରୀ ମୋଦୀଙ୍କ ବିଭିନ୍ନ କାର୍ଯ୍ୟପଦ୍ଧତି ଯଥା ଅଣପାରମ୍ପରିକ ଶକ୍ତି ସ୍ରୋତଗୁଡ଼ିକର ଉନ୍ନତିକରଣ ଓ ପରବର୍ତ୍ତୀ ପିଢ଼ି ପାଇଁ ସହରାଂଚଳରେ ପୁଞ୍ଜିନିବେଶ ଆଦିରେ ପ୍ରଶାସନ ଓ ଶାସନ ପରିଚାଳନା ପଦ୍ଧତିକୁ ଏକତ୍ରୀକରଣ କରିବାର ପ୍ରୟାସ ପରିଲକ୍ଷିତ ହୁଏ । ଏକାଠି କରିବାର ଏହି ପ୍ରୟାସ ଭାରତ ପାଇଁ ଆଗାମୀ ଭବିଷ୍ୟତରେ ଫଳପ୍ରଦ ହେବ ।
2001ରୁ 2013 ମଧ୍ୟରେ ଅନେକ ଜାତୀୟ ତଥା ଆନ୍ତର୍ଜାତିକ ଗଣମାଧ୍ୟମ ଦ୍ୱାରା ପୁରସ୍କାର ଲାଭ କରିବା ଶାସନଗତ ପରିଚାଳନା କଳାରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରଣକୁ ପ୍ରମାଣିତ କରିଥାଏ ।
ପ୍ରଶଂସା
“ସମସ୍ତେ ଜାଣନ୍ତି ଯେ ମୋଦୀ ଜଣେ ଦୃଢ଼ ନେତା ଓ ସମର୍ଥ ସଙ୍ଗଠକ । ମୋର ଶୁଭେଚ୍ଛା ଓ ପାର୍ଥନା ସବୁବେଳେ ତାଙ୍କ ସହିତ ରହିଛି । ମୁଁ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ଏବଂ ଆଶା କରୁଛି ଯେ ଭାରତ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଛନ୍ତି ଓ ଯୋଜନା କରିଛନ୍ତି ତାହାସବୁ ଫଳବତୀ ହେଉ ।”-ରଜନୀକାନ୍ତ, ସୁପରଷ୍ଟାର
“ମୁଁ ନରେନ୍ଦ୍ର ମୋଦୀଙ୍କୁ ଭେଟିଛି, ସେ ଜଣେ ଭଲ ମଣିଷ ବୋଲି ଜଣାପଡୁଛନ୍ତି । ସେ ଗୁଜୁରାଟରେ ଭଲ କାମ କରିଛନ୍ତି ।”-ଏଚଏଚ ଶ୍ରୀ ଶ୍ରୀ ରବିଶଙ୍କର, ଆଧ୍ୟାତ୍ମିକ ନେତା ଏବଂ ଆର୍ଟ ଅଫ ଲିଭିଙ୍ଗ ପାଉଣ୍ଡେସନର ପ୍ରତିଷ୍ଠାତା
“ନରେନ୍ଦ୍ରଭାଇ ମୋ ଭାଇ ପରି । ଆମେ ସମସ୍ତେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲୁ । ଦୀପାବଳିର ପବିତ୍ର ଅବସରରେ ମୁଁ ଆଶା କରୁଛି ଯେ ମୋ ଇଚ୍ଛା ଫଳବତୀ ହେବ ।”-ଶ୍ରୀମତି ଲତା ମଙ୍ଗେସକର, ପ୍ରଖ୍ୟାତ ଗାୟିକା
“ବର୍ତ୍ତମାନ ଗୁରୁପୂର୍ଣ୍ଣ କାର୍ଯ୍ୟାଳୟରେ ଦେଶ ସଚ୍ଚୋଟ ବ୍ୟକ୍ତିମାନଙ୍କୁ ଚାହୁଁଛି । ଗୋଟିଏ ଶବ୍ଦରେ କହିବାକୁ ଗଲେ ଆମେ ନରେନ୍ଦ୍ର ମୋଦୀଙ୍କୁ ଆବଶ୍ୟକ କରୁଛୁ ।”- ଶ୍ରୀ ଅରୁଣ ସୌରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ସାମ୍ବାଦିକ ଓ ଲେଖକ
“ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀ ନରେନ୍ଦ୍ର ମୋଦୀ ଆମ ପାଇଁ ପଠାଯାଇଥିବା ଭଗବାନ । ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଦେଶପାଇଁ ଗୌରବ ଆଣିବେ ।”-ଶ୍ରୀ ଚୋ ରାମସ୍ୱାମୀ, ସମ୍ପାଦକ, “ଥୁଗଲକ”
ଭାରତର 14ତମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଭାରତର ସଫଳତମ ମୁଖ୍ୟମନ୍ତ୍ରୀ ଓ ଜଣେ ଦକ୍ଷ ପ୍ରଶାସକର ଅଭିଜ୍ଞତା ରହିଛି ।