ସାଂସଦ ଆଦର୍ଶ ଗ୍ରାମ ଯୋଜନା ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅନ୍ତର୍ଦୃଷ୍ଟିକୁ ଏହିପରି ଭାବେ ବର୍ଣ୍ଣନା କରିଥିଲେ ।
ଆମ ପାଇଁ ଏକ ବଡ ସମସ୍ୟା ହେଲା ଯେ ଆମ ବିକାଶର ମଡେଲ ଯୋଗାଣ ଉପରେ ନିର୍ଭରଶୀଳ । ଲକ୍ଷ୍ନୌ, ଗାନ୍ଧୀନଗର କିମ୍ବା ଦିଲ୍ଲୀରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ନେଇ ପ୍ରୟାସ କରାଯାଉଛି । ଆଦର୍ଶ ଗ୍ରାମ ଯୋଜନା ମାଧ୍ୟମରେ ଆମେ ଏହି ମଡେଲକୁ ଯୋଗାଣ ନୁହେଁ ବରଂ ଚାହିଦା ଉପରେ ଆଧାରିତ କରିବାକୁ ଚାହୁଁଛୁ । ଗ୍ରାମମାନଙ୍କରେ ଏହିପରି ପ୍ରବୃତ୍ତି ସୃଷ୍ଟି ହେବା ଆବଶ୍ୟକ ।
2014 ଅକ୍ଟୋବର 11ରେ ସଂସଦ ଆଦର୍ଶ ଗ୍ରାମ ଯୋଜନା(ଏସଏଜିୱାଇ) ଆରମ୍ଭ କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀଙ୍କ ଦ୍ୱାରା ପରିକଳ୍ପିତ ଆଦର୍ଶ ଭାରତୀୟ ଗ୍ରାମକୁ ବାସ୍ତବରେ ପରିଣତ କରିବା ଏହି ଯୋଜନାର ଲକ୍ଷ୍ୟ । ଏସଏଜିୱାଇ ଯୋଜନା ଅନ୍ତର୍ଗତ, ସଂସଦର ପ୍ରତ୍ୟେକ ସଦସ୍ୟ ଗୋଟିଏ ଗୋଟିଏ ଗ୍ରାମ ପଂଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରିବେ ଓ ଏହାର ଭିତ୍ତିଭୂମି ସୁବିଧା ଏବଂ ସାମାଜିକ ବିକାଶ ସହ ସାମଗ୍ରୀକ ଉନ୍ନତି ଉପରେ ଧ୍ୟାନ ଦେବେ । ଆଦର୍ଶ ଗ୍ରାମଗୁଡ଼ିକ ଆଂଚଳିକ ବିକାଶ ଓ ଶାସନ ପରିଚାଳନା କ୍ଷେତ୍ରରେ ଶିକ୍ଷଣ କ୍ଷେତ୍ର ପାଲଟିବେ ଏବଂ ଅନ୍ୟ ଗ୍ରାମ ପଂଚାୟତଗୁଡ଼ିକୁ ଅନୁପ୍ରାଣିତ କରିବେ ।
ଗ୍ରାମବାସୀମାନଙ୍କ ଯୋଗଦାନ ସହ ବୈଜ୍ଞାନିକ ପଦ୍ଧତିରେ ଜଣେ ସାଂସଦଙ୍କ ନେତୃତ୍ୱରେ ଏକ ଗ୍ରାମ ବିକାଶ ପରିକଳ୍ପନା ପ୍ରସ୍ତୁତ କରାଯାଉଛି । ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ସଂପୃକ୍ତ ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଛି । ରାଜ୍ୟସ୍ତରୀୟ କ୍ଷମତା ପ୍ରାପ୍ତ କମିଟି (ଏସଏଲଇସି) ଏହାର ସମୀକ୍ଷା କରିବା ସହ ଆବଶ୍ୟକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଉଛି ଓ ଅର୍ଥ ବରାଦ କରୁଛି । ଏସଏଜିୱାଇ ଗ୍ରାମ ପଂଚାୟତ ଯୋଜନାକୁ ପ୍ରାଧାନ୍ୟ ଦେଇ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା 21ଟି ପରିକଳ୍ପନାରେ ସଂଶୋଧନ କରାଗଲାଣି ।
ସାଂସଦଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଗ୍ରାମ ପଂଚାୟତ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଜିଲ୍ଲାସ୍ତରରେ ଆୟୋଜନ କରାଯାଉଛି । ସଂପୃକ୍ତ ବିଭାଗର ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରତ୍ୟେକ ସ୍କିମର ସମୀକ୍ଷା କରାଯାଇ ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଅବଗତି କରାଯାଉଛି । ଆଶା କରାଯାଉଛି ଯେ 2016 ସୁଦ୍ଧା ପ୍ରତ୍ୟେକ ସାଂସଦ ଗୋଟିଏ ଗ୍ରାମ ପଂଚାୟତର ବିକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେବେ । ସେହିପରି 2019 ସୁଦ୍ଧା ଦୁଇଟି ଏବଂ 2024 ସୁଦ୍ଧା 5ଟି ଗ୍ରାମପଂଚାୟତର ବିକାଶ ପାଇଁ କାମ କରିବେ । ଏପର୍ଯ୍ୟନ୍ତ ଦେଶର 696ଟି ଗ୍ରାମପଂଚାୟତକୁ ପୋଷ୍ୟ ଭାବେ ସାଂସଦମାନେ ଗ୍ରହଣ କରିସାରିଲେଣି ।
ଆଂଚଳିକ ସ୍ତରରେ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତି ଜିଲ୍ଲାର ଜିଲ୍ଲପାଳ ଏକ କର୍ତ୍ତବ୍ୟ ପରାୟଣ ଅଧିକାରୀଙ୍କୁ ମନୋନୀତ କରିଛନ୍ତି । ଯୋଜନାର ରୂପାୟନ ପାଇଁ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ । ସାରା ଭାରତରେ ଦାୟିତ୍ୱରେ ଥିବା 653ଜଣ ଅଧିକାରୀଙ୍କ ପାଇଁ 9ଟି ସ୍ଥାନରେ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏହି ମନ୍ତ୍ରଣାଳୟ ତରଫରୁ 2015 ସେପ୍ଟେମ୍ବର 23-24ରେ ଭୋପାଳଠାରେ ଏକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ରାଜ୍ୟରୁ ସାଂସଦ, ରାଜ୍ୟ ସରକାର, ଜିଲ୍ଲାପାଳ ଏବଂ ଗ୍ରାମ ପ୍ରଧାନମାନଙ୍କୁ ଏହି କର୍ମଶାଳାକୁ ନିମନ୍ତ୍ରଣ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଜାତୀୟ କମିଟିମାନଙ୍କ ଦ୍ୱାରା ନିର୍ବାଚିତ କାର୍ଯ୍ୟପନ୍ଥାକୁ ଏଠାରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଦର୍ଶିତ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଏସଏଜିୱାଇ ଗ୍ରାମପଂଚାୟତଗୁଡ଼ିକ ଦ୍ୱାରା ମଧ୍ୟ ଯେପରି ଏହି ଉପାୟଗୁଡ଼ିକ ଅନୁସରଣ କରାଯିବ । ଏସଏଜିୱାଇ ଗ୍ରାମପଞ୍ଚାୟତଗୁଡ଼ିକର ବିକାଶର ପର୍ଯ୍ୟବେକ୍ଷଣ ପାଇଁ ମନ୍ତ୍ରଣାଳୟ ଦ୍ୱାରା ‘ପଂଚାୟତ ଦର୍ପଣ’ ନାମରେ 35ଟି ସୂଚକ ପ୍ରସ୍ତୁତ କରାଯାଇଛି ।
କେତେକ ସଫଳ କାହାଣୀ
ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାର ତ୍ରେହଗ୍ରାମ ବ୍ଲକରେ ଥିବା ଲାଡରୱାନ ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଲା କୃଷି । ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ 379 କୃଷକଙ୍କ ଫୋନ ନମ୍ବରକୁ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ସହିତ ସଂଯୁକ୍ତ କରାଯାଇଛି । ଫସଲ ବଢ଼ିବାର ଘଡିସନ୍ଧି ସମୟରେ କେଭିକେ ଏସଏମଏସ ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରିଥାଏ । ଏହା ମଧ୍ୟରେ ରହିଛି ପାଣିପାଗ ସମ୍ବନ୍ଧୀୟ ସୂଚନା ଓ ବିଭିନ୍ନ ଫସଲ ପାଇଁ ଅନୁମୋଦିତ ପ୍ୟାକେଜ ସମ୍ବନ୍ଧୀୟ ସୂଚନା । ସାଂସଦ ଶ୍ରୀ ମୁଜାଫର ହୁସେନ ବାଗ୍ ଙ୍କ ତତ୍ତ୍ୱାବଧାନରେ ଏହା ଚାଲୁ କରାଯାଇଛି । ଏହାଫଳରେ କୃଷକମାନଙ୍କୁ ମୋବାଇଲ ମାଧ୍ୟମରେ ଏବେ କୃଷି ସମ୍ବନ୍ଧୀୟ ଉପଦେଶମାନ ମିଳୁଛି । ଏଥିମଧ୍ୟରେ ରହିଛି ବୈଜ୍ଞାନିକ ପଦ୍ଧତିରେ ବୁଣାକାର୍ଯ୍ୟ, ମୃତ୍ତିକା ପରୀକ୍ଷା, ଫସଲ ଓ କୃଷି ଅର୍ଥବ୍ୟବସ୍ଥା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା, ଅମଳ ସମ୍ବନ୍ଧୀୟ ଜ୍ଞାନକୌଶଳ ଓ ବଜାର ସମ୍ବନ୍ଧୀୟ ସୂଚନା । ଏହାଫଳରେ ଜନସାଧାରଣ କୃଷି ସମ୍ବନ୍ଧୀୟ ସୂଚନା ଆହରଣ କରି ଫସଲ ଉତ୍ପାଦନ ଓ ଏହାର ବିପଣନ ନେଇ ସଠିକ ନିଷ୍ପତ୍ତି ଗ୍ରହଣ କରିବାରେ ସମର୍ଥ ହୋଇପାରୁଛନ୍ତି ।
ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଅବସ୍ଥିତ ସାଗରମଙ୍ଗଳମ ଗ୍ରାମକୁ ରାଜ୍ୟସଭା ସାଂସଦ ଡଃ ଇ.ଏମ.ସୁଦର୍ଶନ ନାଚିଆପ୍ପାନ ଆଦର୍ଶ ଗ୍ରାମ ଭାବେ ଚୟନ କରିଥିଲେ । ଏହି ସାଂସଦ ପ୍ରଗତି ପାଇଁ ଓ ଗ୍ରାମାଂଚଳ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ଅଂଚଳ ଚିହ୍ନଟ କରିଥିଲେ । ସେହି ଅଂଚଳ ଗୁଡ଼ିକରେ କତା, ଚମଡା ଓ ନଡିଆ ଆଦି ଉପରେ ଆଧାରିତ ଶିଳ୍ପ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଆଲାଗାପ୍ପା ବିଶ୍ୱବିଦ୍ୟାଳୟ ସହାୟତାରେ ସାଂସଦ ଅନେକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କଲେ । କଏର ବୋର୍ଡ ଅଫ ଇଣ୍ଡିଆ, କକୋନଟ ଡେଭଲପମେଂଟ ବୋର୍ଡ ଅଫ ଇଣ୍ଡିଆ ଏବଂ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସହାୟତାରେ ବିଶେଷଜ୍ଞ ପ୍ରଶିକ୍ଷକମାନଙ୍କୁ ଆଣି ସେ ତାଲିମ ପ୍ରଦାନ କଲେ ।
ଲୋକମାନଙ୍କୁ ପ୍ରଶିକ୍ଷିତ କରି ସଫଳ ଉଦ୍ୟୋଗୀ ରୂପେ ପରିଣତ କରିବା ଲାଗି ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କ ସହ ଯୋଗାଯୋଗ କରି କତାରେ ତିଆରି ବିଭିନ୍ନ ଉତ୍ପାଦ ନିର୍ମାଣ ପାଇଁ ସେ ଦୁଇ ମାସିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କଲେ । ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ 120 ମହିଳାଙ୍କୁ କତା, 112 ଜଣ ଲୋକଙ୍କୁ ଚମଡା ଓ 27 ଜଣ ପୁରୁଷଙ୍କୁ ନଡିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପଞ୍ଜୀକୃତ କରାଗଲା । ତାଲିମ କାର୍ଯ୍ୟକ୍ରମ ସରିବା ପରେ ଉପଯୁକ୍ତ ଭାବେ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କୁ ଜିଲ୍ଲା ପ୍ରଶାସନ ଓ ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ତରଫରୁ ବିଭିନ୍ନ ସାମାଜିକ ଉଦ୍ୟୋଗ ଖୋଲି ଜୀବିକା ନିର୍ବାହ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ ।
ସାଂସଦ ଶ୍ରୀ ବିଦ୍ୟୁତ ବରଣ ମହାତୋ ତାଙ୍କ ପୋଷ୍ୟ ବାଙ୍ଗୁର୍ଦ୍ଦା ଗ୍ରାମପଂଚାୟତର ଅନୁଭବରୁ ହୃଦୟଙ୍ଗମ କଲେ ଯେ ଝାଡଖଣ୍ଡର ପୂର୍ବ ସିଂହଭୂମ ଅଂଚଳର ଦୁର୍ଗମ ଗ୍ରାମଗୁଡ଼ିକରେ ପ୍ରାପ୍ତବୟସ୍କ କନ୍ୟାମାନଙ୍କ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ପାଇଁ ଖୁବ କମ ପ୍ରୟାସ କରାଯାଇଛି । ବିଶେଷ କରି ମହିଳା ଓ ପ୍ରାପ୍ତବୟସ୍କ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ଓ ଅନ୍ୟାନ୍ୟ ରୋଗ ଦେଖିବାକୁ ମିଳୁଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ସେ ନିୟମିତ ଭାବେ ଅନେକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ବିଶେଷ କରି ପ୍ରାପ୍ତବୟସ୍କ କନ୍ୟାମାନଙ୍କୁ ଲକ୍ଷ୍ୟ କରି କସ୍ତୁରବା ଗାନ୍ଧି ବାଳିକା ମହାବିଦ୍ୟାଳୟରେ ଏହି ସ୍ୱାସ୍ଥ୍ୟଶିବର ଗୁଡ଼ିକର ଆୟୋଜନ କରାଯାଇଥିଲା । ଏଠାରେ 188ରୁ ଅଧିକ ପ୍ରାପ୍ତବୟସ୍କ କନ୍ୟାଙ୍କର ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡିଥିଲା ଯେ ଅଧିକାଂଶ ଝିଅ ଜନନେନ୍ଦ୍ରୀୟ ମୂତ୍ରାଶୟ ସଂକ୍ରମଣ, ଚର୍ମ ଆଦି ରୋଗରେ ଆକ୍ରାନ୍ତ । ମାତ୍ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କୁସଂସ୍କାର ଜନିତ ଚାପରେ ସେମାନେ ଏହାକୁ ଚପେଇ ରଖିଛନ୍ତି ।
ଏହା ମଧ୍ୟ ଜଣାପଡିଲା ଯେ ଅଧିକାଂଶ ଅସୁସ୍ଥତାର କାରଣ ହେଲା ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଅପରିସ୍କାର ପରିବେଶ । ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ପାଇଁ ପ୍ରାପ୍ତ ବୟସ୍କ କନ୍ୟା ଓ ମହିଳାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । ଏହି ପ୍ରୟାସ ନିୟମିତ ଭାବେ ଗ୍ରାମାଂଚଳମାନଙ୍କରେ ଚାଲୁ ରଖାଯିବ ।