ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ସେଠାକାର ମହାମହିମ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କୁ ସ୍ୱାଗତ କରିବା ସହିତ ଆଲୋଚନା କରିଥିଲେ । ଦୁଇ ନେତା ମଧ୍ୟରେ ମେ ଚାରି ତାରିଖରେ ପ୍ୟାରିସଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି ପ୍ରକାଶ ପାଇଛି, ଯେଉଁଥିରେ ଦ୍ୱିପାକ୍ଷିକ କଥାବର୍ତ୍ତାର ବିଷୟବସ୍ତୁ ସଂକ୍ଷେପରେ ସ୍ଥାନିତ ହୋଇଛି ।
୨) ଭାରତ ଏବଂ ଫ୍ରାନ୍ସ ୧୯୯୮ରୁ ରଣକୌଶଳାତ୍ମ ଅଂଶୀଦାର (ଷ୍ଟାଟେଜିକ୍ ପାର୍ଟନର) ଭାବେ କାର୍ଯ୍ୟ କରିଆସୁଛନ୍ତି । ଏହି ସମ୍ପର୍କ ଗଭୀର ପାରସ୍ପରିକ ବିଶ୍ୱାସ ଉପରେ ଗଢିଉଠିଛି ଏବଂ ସମୟକ୍ରମେ ବେଶ୍ ସୁଦୃଢ ହୋଇଛି । ରଣକୌଶଳାତ୍ମକ ସ୍ୱୟଂଶାସନ, ଆନ୍ତର୍ଜାତିକ ଆଇନ ପ୍ରତି ଅତୁଟ ଅଙ୍ଗୀକାର, ସଫଳ ବହୁ ପାକ୍ଷିକତା ଓ ସଂସ୍କାର ଆଧାରିତ ବିଶ୍ୱ ବ୍ୟବସ୍ଥା ନିର୍ମାଣ ଏହି ଅଂଶୀଦାରୀରେ ଅଗ୍ରାଧିକାର ପାଇଛି । ଉଭୟ ଦେଶ ଗଣତନ୍ତ୍ରର ସୁରକ୍ଷା ଓ ବିକାଶ, ମୌଳିକ ସ୍ୱାଧୀନତା, ଆଇନର ଶାସନ ଓ ମାନବିକ ଅଧିକାରକୁ ସୁରକ୍ଷା ଦେବାକୁ ଅଙ୍ଗୀକୃତ ହୋଇ କାର୍ଯ୍ୟ କରିଆସୁଛନ୍ତି ।
୩) ମହାମାରୀ ପରିବର୍ତ୍ତୀ ବିଶ୍ୱ ଭୂରାଜନୈତିକ ଆହ୍ୱାନର ସମ୍ମୁଖୀନ ହୋଇଥିବାବେଳେ ଉଭୟ ଭାରତ ଓ ଫ୍ରାନ୍ସ ନିଜର ସମ୍ପର୍କକୁ ଆହୁରି ସୁଦୃଢ କରି ମିଳିତଭାବେ ନୂଆ ଆହ୍ୱାନ ସବୁର ମୁକାବିଲା କରିବାକୁ ଏକମତ ହୋଇଛନ୍ତି ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ
୪) ଭାରତ-ଫ୍ରାନ୍ସ ଭାଗିଦାରୀ ସମ୍ପର୍କର୍ର ମୌଳିକ ଲକ୍ଷ୍ୟ ହେଲା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା । ଏହି ଅଞ୍ଚଳରେ ଦୁଇ ଦେଶ ଏକ ମୁକ୍ତ , ସ୍ୱାଧୀନ ଓ ନିୟମଭିତ୍ତିକ ବ୍ୟବସ୍ଥା ସ୍ଥାପନ କରି ସମ୍ପୃକ୍ତ ରାଷ୍ଟ୍ରଗୁଡିକର ସ୍ୱାର୍ଥ ରକ୍ଷା ଚାହାନ୍ତି । ଏହି ବ୍ୟବସ୍ଥାରେ ଆନ୍ତର୍ଜାତିକ ଆଇନ, ସାର୍ବଭୌମତ୍ୱକୁ ସମ୍ମାନ, ଆଞ୍ଚଳିକ ଆଖଣ୍ଡତାର ସୁରକ୍ଷା, ଜାହାଜ ଚଳାଚଳରେ ସ୍ୱାଧୀନତା ଆଦିକୁ ନିଶ୍ଚିତ କରିବାକୁ ଦୁଇପକ୍ଷ ରାଜି । ଏହାଛଡା ଏହି ଅଞ୍ଚଳରେ ଚାପ ଓ ବଳପ୍ରୟୋଗର ଅବସାନ ଘଟାଇ ଏକ ମୁକ୍ତ ଓ ଶାନ୍ତ ପରିବେଶ ସୃଷ୍ଟି କରିବାକୁ ଭାରତ ଓ ଫ୍ରାନ୍ସ ଏକମତ ।
୫) ଭାରତ-ଫ୍ରାନ୍ସ ପ୍ରଶାନ୍ତ ମହାସାଗରୀୟ ଅଂଶୀଦାରୀରେ ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ ନିବେଶ, ସ୍ୱାସ୍ଥ୍ୟ ସେବା, ସଂଯୋଗ ବ୍ୟବସ୍ଥା ଏବଂ ନିରନ୍ତର ବିକାଶ ଅଗ୍ରାଧିକାର ପାଇଛି । ଦ୍ୱିପାକ୍ଷିକ ସହଯୋଗ ବ୍ୟତୀତ ଭାରତ ଓ ଫ୍ରାନ୍ସ ଏହି ଅଂଚଳରେ ବିଭିନ୍ନ ସମଭାବାପନ୍ନ ଦେଶଙ୍କ ସହିତ ନୂଆ ଅଂଶୀଦାରୀ ଗଢିବାକୁ ଚେଷ୍ଟା କରିବେ । ଏହି ସହଯୋଗ ଓ ସମନ୍ୱୟ ବିଭିନ୍ନ ଆଞ୍ଚଳିକ ସାଂଗନଠିକ ବ୍ୟବସ୍ଥା ମଧ୍ୟରେ ରକ୍ଷା କରାଯିବ । ପ୍ୟାରିସରେ ଅନୁଷ୍ଠିତ ପ୍ରଥମ ଭାରତ-ଫ୍ରାନ୍ସ ମନ୍ତ୍ରିସ୍ତରୀୟ ଫୋରମ୍ (ବୈଠକ) ୨୦୨୨ ଫେବୃୟାରୀରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଫ୍ରାନ୍ସ ୟୁରୋପୀୟ ସଂଘର ଅଧ୍ୟକ୍ଷ ଥିଲା ।
ସେତେବେଳେ ଭାରତ-ଫ୍ରାନ୍ସ ରଣକୌଶଳାତ୍ମକ ଅଂଶୀଦାରୀ ସହିତ ସାମିଲ ହେବାକୁ ୟୁରୋପୀୟ ସମୁଦାୟ ପରିଷଦ ଏକ ମହାତ୍କାଂକ୍ଷୀ କାର୍ଯ୍ୟସୂଚୀ ଆରମ୍ଭ କରିଥିଲା । ଏଥିରେ ଭାରତ ପ୍ରଶାନ୍ତ ମହାସାଗର ଅଂଚଳ ଅଗ୍ରାଧିକାର ପାଇଥିଲା ।
୬)ଭାରତ- ପ୍ରାନ୍ସ ସେମାନଙ୍କର ମିଳିତ ରଣକୌଶଳାତ୍ମକ ଜାରି ଆହୁରି ଅଧିକ ନିବିଡ ଓ ସୁଦୃଢ କରିବାକୁ ନିଜ ନିଜର ଅଙ୍ଗୀକାରକୁ ଦୋହରାଇଛନ୍ତି । ଏହାଛଡା ଭାରତ-ୟୁରୋପୀୟ ସଂଘ କନେକ୍ଟିଭିଟି ପାର୍ଟନରସିପ ଓ ୨୦୨୧ ମେ’ରେ ପୋର୍ଟୋରେ ଅନୁଷ୍ଠିତ ଭାରତ-ଇୟୁ ନେତାମାନଙ୍କ ଦ୍ୱାରା ଚୂଡାନ୍ତ ହୋଇଥିବା ଅନ୍ୟାନ୍ୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦୁଇ ଦେଶ ମଧ୍ୟ ରାଜି ହୋଇଛନ୍ତି । ଏବେ ଆରମ୍ଭ ହୋଇଥିବା ଭାରତ-ଇୟୁ ବାଣିଜ୍ୟ ଓ ବୈଷୟିକ ପରିଷଦ ସଂକ୍ରାନ୍ତ କାର୍ଯ୍ୟକୁ ଦୁଇ ଦେଶ ସ୍ୱାଗତ କରିଛନ୍ତି । ଏହି କାଉନସିଲ ବା ପରିଷଦ ବାଣିଜ୍ୟ, ଟେକ୍ନୋଲୋଜି, ନିରାପତ୍ତା ଆଦି କ୍ଷେତ୍ରରେ ରଣକୌଶଳାତ୍ମକ ଦିଗ ସମ୍ପର୍କରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ । ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଭୌଗୋଳିକ ସୂଚକାଙ୍କ ଆଦି ସମ୍ପର୍କରେ ଭାରତ ଓ ଇୟୁ ମଧ୍ୟରେ ଯେଉଁ କଥାବାର୍ତ୍ତା ପୁନର୍ବାର ଆରମ୍ଭ ହେବାକୁ ଯାଉଛି ସେଥିରେ ଏହି କାଉନସିଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ୟୁକ୍ରେନ
୭) ୟୁକ୍ରେନ ଉପରେ ବିନା କାରଣରେ ବେଆଇନଭାବେ ରୁଷିଆ ଯେଉଁ ଆକ୍ରମଣ କରିଛି ତାହାକୁ ଫ୍ରାନ୍ସ ଦୃଢ ନିନ୍ଦା କରିଛି । ପ୍ରଥମରୁ ଏହି ଆକ୍ରମଣକୁ ଫ୍ରାନ୍ସ ବିରୋଧ କରି ରୁଷିଆର କାର୍ଯ୍ୟକୁ ନିନ୍ଦା କରିଆସୁଛି ।
୮) ୟୁକ୍ରେନରେ ଏବେ ଯେଉଁ ଯୁଦ୍ଧ ଓ ମାନବିକ ସଂକଟ ସୃଷ୍ଟି ହୋଇଛି ସେ ନେଇ ଉଭୟ ଭାରତ ଓ ଫ୍ରାନ୍ସ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ୟୁକ୍ରେନରେ ବେସାମରିକ ଲୋକଙ୍କ ମୃତ୍ୟୁକୁ ଦେଇ ଦେଶ ଏକ ସ୍ୱରରେ ନିନ୍ଦା କରିବା ସହିତ ସଂଘର୍ଷରତ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ କୂଟନୈତିକ ଉଦ୍ୟମ ଦ୍ୱାରା ତୁରନ୍ତ ଏହି ଲଢେଇର ଅବସାନ ପାଇଁ ଦୁଇ ଦେଶ ଆହ୍ୱାନ ଜଣାଇଚନ୍ତି । ସେଠାକାର ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ତୁରନ୍ତ ଦୂର କରିବା ଉପରେ ଉଭୟ ଭାରତ ଓ ଫ୍ରାନ୍ସ ଗୁରୁତ୍ୱ ଦେଇଛନ୍ତି । ଉଭୟ ଦେଶ ଜାତିସଂଘ ସନନ୍ଦ, ଆନ୍ତର୍ଜାତିକ ଆଇନ ଏବଂ ସ୍ୱାଧୀନ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଆଖଣ୍ଡତାର ସୁରକ୍ଷା ଉପରେ ଜୋର ଦେଇ ତଦନୁସାରେ ୟୁକ୍ରେନ ସଂକଟର ସମାଧାନ କରିବାକୁ ମତ ଦେଇଛନ୍ତି । ଉଭୟ ଶ୍ରୀ ମୋଦୀ ଓ ଶ୍ରୀ ମ୍ୟାକ୍ରନ ୟୁକ୍ରେନ ଲଢେଇର ଆର୍ନ୍ତଜାତିକ ଓ ଆଞ୍ଚଳିକ ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଆବଶ୍ୟକ ସମନ୍ୱୟ ରକ୍ଷା କରିବାକୁ ଏକମତ ହୋଇଛନ୍ତି ।
୯) ଭାରତ ଓ ଫ୍ରାନ୍ସ ଏବେ ଖରାପ ହୋଇପଡିଥିବା ବିଶ୍ୱ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହିତ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ପରିଣାମ ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଛି । ବିକାଶଶୀଳ ଦେଶଗୁଡିକର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା, କୋଭିଡ ମହାମାରୀ ଦ୍ୱାରା ବିଗିଡି ଯାଇଥିବାବେଳେ ୟୁକ୍ରେନ ଲଢେଇ ପରିସ୍ଥିତିକୁ ଅଧିକ ଶୋଚନୀୟ କରିଥିବା ଦୁଇପକ୍ଷ ମତ ପ୍ରକାଶ କରିଛନ୍ତି । ବିଶ୍ୱର ଖାଦ୍ୟ ସଙ୍କଟ ଦୂର କରିବାକୁ ଏକ ସମନ୍ୱିତ ବହୁପାକ୍ଷିକ ପ୍ରୟାସ ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଦୁଇ ଦେଶ ରାଜି ହୋଇଛନ୍ତି । ଏଥିପାଇଁ ମଧ ଦୁଇନେତା ଖାଦ୍ୟ ଓ କୃଷି ରେଜିଲେନ୍ସ ମିଶନ (ଫାର୍ମ) ମାଧ୍ୟମରେ କାମ କରିବାକୁ ଅଙ୍ଗୀକାର ପ୍ରକାଶ କରିଛନ୍ତି ।
୧୦)ଆଫଗାନିସ୍ଥାନ ସ୍ଥିତି ଘେନି ଉଭୟ ଭାରତ ଓ ଫ୍ରାନ୍ସ ଘୋର ଉଦ୍ବେଗ ପ୍ରକାଶ କରିବା ସହିତ କହିଛନ୍ତି ଯେ ସେଠାରେ ମାନବିକ ଅଧିକାର ଓ ମାନବୀୟ ସୁରକ୍ଷା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଫଗାନିସ୍ଥାନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା କରାଯିବା ଉଚିତ ବୋଲି ଭାରତ ଓ ଫ୍ରାନ୍ସ କହିଛନ୍ତି । ସେଠାରେ ଏକ ସମାବେଶୀ ପ୍ରତିନିଧିମୂଳକ ସରକାର ଗଠନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଦୁଇଦେଶ ଗୁରୁତ୍ୱ ଦେଇଛନ୍ତି । ଜାତିସଂଘର ୨୫୯୩ତମ ପ୍ରସ୍ତାବ (୨୦୨୧) ଉପରେ ଦୁଇଦେଶ ଗୁରୁତ୍ୱ ଦେବା ସହିତ କହିଛନ୍ତି ଯେ ଆଫଗାନ ମାଟିକୁ ଆତଙ୍କବାଦର ପ୍ରସାର ପାଇଁ ବ୍ୟବହାର କରିବାକୁ କସ୍ମିନକାଳେ ସୁଯୋଗ ଦିଆଯିବା ଅନୁଚିତ । ଏହି ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦ ସହିତ ଅନ୍ୟାନ୍ୟ ମଞ୍ଚରେ ମିଳିତଭାବେ ଉଦ୍ୟମ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି ।
ରଣକୌଶଳାତ୍ମକ ସମ୍ପର୍କ
୧୧) ଦୁଇପକ୍ଷ ମଧ୍ୟରେ ଏକ ପ୍ରତିରକ୍ଷା କ୍ଷେତ୍ରରେ ଚାଲିଥିବା ସହଯୋଗ ଓ ଅଂଶୀଦାରୀଙ୍କୁ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ମିଳିତ ସମରାଭ୍ୟାସ(ଶକ୍ତି, ବରୁଣ, ପେଗାସେ, ଡେଜାର୍ଟ ନାଇଟ୍ ଓ ଗରୁଡ) ଦ୍ୱାରା ଦୁଇପକ୍ଷ ମଧ୍ୟରେ ସାମରିକ କ୍ଷେତ୍ରରେ ଆବଶ୍ୟକସ୍ଥଳେ ସମନ୍ୱୟ ଓ ଆନ୍ତଃ ସଞ୍ଚାଳନତା ଅଧିକ ଭଲ ହେବ । ସେହିଭଳି ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଇତିମଧ୍ୟରେ ଏକ ନୂଆ ସ୍ତରରେ ପହଞ୍ଚିଛି । ଭାରତ ମହାସାଗରରେ ମିଳିତ ନୌ-ସମରାଭ୍ୟାସ ଓ ସହଯୋଗ ଜାରି ରଖିବାକୁ ଦୁଇ ଦେଶ ରାଜି ହୋଇଛନ୍ତି ।
୧୨) ଦୁଇ ଦେଶ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଥିବା ପୁରୁଣା ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ପାରସ୍ପରିକ ବିଶ୍ୱାସର ଦୃଢ ଭିତ୍ତିଭୂମି ଉପରେ ଏହା ସମ୍ଭବ ହୋଇଥିବା ଉଭୟ ଭାରତ ଓ ଫ୍ରାନ୍ସ କହିଛନ୍ତି । ଭାରତ ପାଇଁ ଛ’ଟି ସ୍କରପେନ ବୁଡାଜାହାଜ ନିର୍ମାଣ କରିବାକୁ ଫ୍ରାନ୍ସ ଯେଉଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦେଇଛି ତାହା ଏହି ନିବିଡତା, ଗଭୀର ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଭାରତ ମୁମ୍ବାଇରେ ଏହି ସବୁ ବୁଡାଜାହାଜ “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ କରୁଛି । ସେହିଭଳି ଭାରତକୁ ଠିକ୍ ସମୟରେ ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦେଇଛି ଏବଂ ମହାମାରୀ ସତ୍ୱେ ଏହା ସୁରୁଖୁୁରରେ ଭାରତ ପହଞ୍ଚିଛି । ଏହା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ବିଳଷ୍ଠ ଉଦାହରଣ ବୋଲି ଉଭୟ ପକ୍ଷ ମତ ଦେଇଛନ୍ତି । ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତ ଯେଉଁ ଉଦ୍ୟମ ଚଳାଇଛିି ସେଥିରେ ଫ୍ରାନ୍ସର ସହଯୋଗକୁ ଭାରତ ଉଚ୍ଚ ପ୍ରଶଂସା କରିଛି ।
୧୩) ମହାକାଶ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ୬୦ବର୍ଷର ସହଯୋଗ ଓ ଅଂଶୀଦାରୀକୁ ଦୁଇ ନେତା ପ୍ରଶଂସା କରିବା ସହିତ ମହାକାଶକୁ ସୁରକ୍ଷିତ କରି ଏହାକୁ ବିଶ୍ୱର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ଗୁରୁତ୍ୱ ଦେଇଛନ୍ତି । ମହାକାଶ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିବାକୁ ଦୁଇପକ୍ଷ ରାଜି ହୋଇ ଏକ ବ୍ୟବସ୍ଥା ନିର୍ମାଣ କରିବାକୁ ଏକମତ ହୋଇଛନ୍ତି । ଦୁଇପକ୍ଷର ବିଶେଷଜ୍ଞମାନେ ଏହି ଆଲୋଚନାରେ ଭାଗ ନେଇ ସହଯୋଗ ଭିତ୍ତିରେ ମାର୍ଗ ପ୍ରସ୍ତୁତ କରିବେ । ବିଶେଷକରି ମହାକାଶରେ ଯେଉଁ ନିରାପତ୍ତା ଓ ଅର୍ଥନୀତିକ ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ଦିଗରେ କାମ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ଏ ସଂକ୍ରାନ୍ତ ପ୍ରଥମ କଥାବାର୍ତ୍ତା ଚଳିତବର୍ଷ ଖୁବ୍ ଶୀଘ୍ର ଆରମ୍ଭ ହେବ ।
୧୫) ଷ୍ଟାର୍ଟ ଅପ୍ ବ୍ୟବସ୍ଥାର ବିକାଶ ପାଇଁ ଉଭୟ ଫ୍ରାନ୍ସ ଓ ଭାରତ ମିଳିତଭାବେ କାମ କରିବେ । ଏ କ୍ଷେତ୍ରରେ ଯେଉଁ ସରକାରୀ-ଘରୋଇ ସହଯୋଗ ଆରମ୍ଭ ହୋଇଛି ତାହାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଷ୍ଟାର୍ଟ ଅପ୍ ମାଧ୍ୟମରେ ନୂଆ ନୂଆ ସୂତ୍ର ବାହାର କରି ସାଧାରଣ ସମସ୍ୟାଗୁଡିକୁ ଆଶୁ ସମାଧାନ ଉପରେ ଦୁଇପକ୍ଷ ଗୁରୁତ୍ୱ ଦେଉଛନ୍ତି । ଚଳିତବର୍ଷ ୟୁରୋପର ସର୍ବବୃହତ୍ ଡିଜିଟାଲ ମେଳା ଭିଭାଟେକ୍ ପ୍ୟାରିସରେ ଅନୁଷ୍ଠିତ ହେଉଛି । ଭାରତ ଏବର୍ଷର ପ୍ରଥମ ରାଷ୍ଟ୍ରଭାବେ ଏଥିରେ ଭାଗ ନେବେ ।
୧୬) ଦୁଇ ଦେଶ ନେତା ମଧ୍ୟ ସାଇବର ନିରାପତ୍ତା ଓ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ନିଜର ଅଂଶୀଦାରକୁ ଅଧିକ ନିବିଡ କରିବାକୁ ଏକମତ ହୋଇଛନ୍ତି । ଇତିମଧ୍ୟରେ ସି-ଡାକ୍ ଓ ଏଟିଓଏମ୍ ମଧ୍ୟରେ ସହଯୋଗ ସ୍ଥାପନ ଫଳରେ ଭାରତରେ ସୁପର କମ୍ପ୍ୟୁଟର ନିର୍ମାଣ ସମ୍ଭ ହୋଇଛି । ୫ଜି ଓ ୬ଜି ଟେଲିକମ୍ ବ୍ୟବସ୍ଥାରେ ଦୁଇପକ୍ଷ ମିଳିତଭାବେ କାମ କରିବାକୁ ରାଜି ହୋଇଛନ୍ତି ।
୧୭) ଜଇତାପୁର ଅକ୍ଷୟ ଶକ୍ତି କେନ୍ଦ୍ରର ସଫଳତା ପାଇଁ ଦୁଇ ନେତା ମିଳିତଭାବେ କାମ କରିବାକୁ ଘୋଷଣା କରିଛନ୍ତି । ଏହାଫଳରେ ଭାରତରେ ଅଙ୍ଗାରକାମ୍ଳମୁକ୍ତ ଇନ୍ଧନ/ଊର୍ଜା ଉତ୍ପାଦନ ପ୍ରୟାସ ତ୍ୱରାନ୍ୱିତ ହେବ । ଜଇତାପୁର ପ୍ରକଳ୍ପର ଅଗ୍ରଗତି ଘେନି ଦୁଇପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି ।
୧୮) ଆତଙ୍କବାଦର ମୁକାବିଲା ଭାରତ-ଫ୍ରାନ୍ସ ସହଯୋଗର ଏକ ମୁଖ୍ୟ ବିଷୟବସ୍ତୁ ଏବଂ ଏହା ରଣକୌଶଳାତ୍ମକ ଅଂଶୀଦାରୀରେ ଅଗ୍ରାଧିକାର ପାଇଛି । ବିଶେଷକରି ଭାରତ-ପ୍ରଶାନ୍ତ କ୍ଷେତ୍ର ଆତଙ୍କବାଦୀରୁ ମୁକ୍ତ ରଖିବାକୁ ଦୁଇପକ୍ଷ ବିଶେଷ ଦେଉଚନ୍ତି । ସୀମାପାର ଆତଙ୍କବାଦ, ଆତଙ୍କବାଦୀକୁ ଅର୍ଥଯୋଗାଣ ସମେତ ସବୁପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୁଇଦେଶ ଦୃଢଭାବେ ନିନ୍ଦା କରିଛନ୍ତି । । ଆନ୍ତର୍ଜାତିକ ଆତଙ୍କବାଦ ବିରୋଧୀ ଲଢେଇରେ ସାମିଲ ହୋଇ କାକମ କରିବାକୁ ଦୁଇଦେଶ ପୁନର୍ବାର ନିଜର ନିଷ୍ପତ୍ତିକୁ ଦୋହରାଇଛନ୍ତି । ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ, ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ, ଇଣ୍ଟରନେଟ୍କୁ ଆତଙ୍କବାଦ ପାଇଁ ବ୍ୟବହାର ଆଦି କାର୍ଯ୍ୟକୁ ଉଭୟ ନେତା ବିରୋଧ କରିବ ସହିତ ଏଥିପାଇଁ ବୈଶ୍ୱିକ ପ୍ରୟାସକୁ ଜୋରଦାର କରିବାକୁ ରାଜି ହୋଇଛନ୍ତି । ୨୦୨୨ରେ ଭାରତ “ନୋ ମନି ଫର ଟେରର” ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବ । ଏଥିରେ ସହଯୋଗ କରିବାକୁ ଫ୍ରାନ୍ସ ରାଜି ହୋଇଛି ।
ଜଳବାୟୁ, ସ୍ୱଚ୍ଛ ଊର୍ଜା ଓ ନିରନ୍ତର ବିକାଶ
୧୯) ପ୍ୟାରିସ ଚୁକ୍ତି ସ୍ୱାକ୍ଷରର ସାତବର୍ଷ ମଧ୍ୟରେ ଏବଂ ଆନ୍ତର୍ଜାତିକ ସୌର ମୈତ୍ରୀର ମିଳିତ ଆରମ୍ଭ ପରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ -ଫ୍ରାନ୍ସ ସହଯୋଗ ଏ କ୍ଷେତ୍ରରେ ନିବିଡ ଓ ଉତ୍ସାହ୍ଜନକ ହୋଇଛି । ଏ କ୍ଷେତ୍ରରେ ସ୍ୱଚ୍ଚ ଓ ଅକ୍ଷୟଶକ୍ତିର ଗୁରୁତ୍ୱ ଅଧିକ ଥିବାରୁ ଦୁଇ ଦେଶ ସୌର ମୈତ୍ରୀ ପ୍ରୟାସକୁ ଅଧିକ ସୁଦୃଢ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି । ଜି-୭ ସହିତ ବିଭିନ୍ନ ମଂଚରେ ଅଣପାରମ୍ପରିକ ଓ ଅକ୍ଷୟଶକ୍ତି ର ଉତ୍ପାଦନ ଏବଂ ବ୍ୟବହାକୁ ବଢାଇବାକୁ ଉଭୟ କାର୍ଯ୍ୟ କରିବେ ଏବଂ ଏହି ଊର୍ଜା ଯେପରି ସୁଲଭ ମୂଲ୍ୟରେ ମିଳିବ ସେଥିôପ୍ରତି ଦୃଷ୍ଟି ଦେବେ । ଜାତୀୟ ହାଇଡ୍ରୋଜନ ମିଶନ ଅଧୀନରେ ଭାରତକୁ ଏକ ସବୁଜ ଉଦ୍ଜାନ ହବ୍ରେ ପରିଣତ କରିବାକୁ ଭାରତ ଫ୍ରାନ୍ସର ସହଯୋଗ ଲୋଡିଛି । ଫ୍ରାନ୍ସ ମଧ୍ୟ ଏଥିରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି ।
୨୦)ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟପାଇଁ ଋଣ ଯୋଗାଇ ଦେବାକୁ ଏଏଫଡି ଓ ଏକ୍ଜିମ୍ ବ୍ୟାଙ୍କ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାକୁ ଦୁଇନେତା ସ୍ୱାଗତ କରିଛନ୍ତି । ଉଭୟ ପକ୍ଷ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ ବଢାଇବାକୁ ରାଜି ହୋଇଛନ୍ତି । ଇତିମଧ୍ୟରେ ଗତ ଫେବୃୟାରୀ ମାସରେ ‘ଇଣ୍ଡୋ-ପ୍ୟାସିଫିକ୍ ପାର୍କସ୍ ପାର୍ଟନରସିପ’ ଦୁଇଦେଶର ସହଯୋଗରେ ଆରମ୍ଭ ହୋଇଛି । ପରିବେଶର ସୁରକ୍ଷା ପାଇଁ ଏହି ଅଞ୍ଚଳରେ ଥିବା ସୁରକ୍ଷିତ ଅଞ୍ଚଳ ଓ ପ୍ରାକୃତିକ ଉଦ୍ୟାନଗୁଡିକର ସୁରକ୍ଷା କରାଯିବ ।
୨୧)ଭାରତ ଓ ଫ୍ରାନ୍ସ ଉଭୟ ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା ପାଇଁ ଆଗ୍ରହୀ । ଏଥିପାଇଁ ଉତ୍ପାଦିତ ପ୍ଲାଷ୍ଟିକର ଜୀବନକାଳ ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦୁଇ ଦେଶ ଆନ୍ତର୍ଜାତିକସ୍ତରରେ ଉଦ୍ୟମ ଆରମ୍ଭ କରି ଓ ଏକ ବିଧିବଦ୍ଧ ଆଇନଗତ ବ୍ୟବସ୍ଥା ସୃଷ୍ଟି ଦିଗରେ କାର୍ଯ୍ୟ କରିବେ । ଏହି କାର୍ଯ୍ୟରେ ସହଯୋଗ କରିବାକୁ ଉଭୟ ପକ୍ଷ ସବୁ ଦେଶକୁ ଅନୁରୋଧ କରିଛନ୍ତି ଏବଂ ଜରୁରୀ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଛନ୍ତି ।
୨୨) ଭାରତର ନିରନ୍ତର ସହର ବିକାଶ, ଜୈବିବିବିଧତା, ଊର୍ଜା ପରିବର୍ତ୍ତନ ଓ ଅନ୍ୟାନ୍ୟ ଜଳବାୟୁ ଅନୁକୂଳ ପ୍ରକଳ୍ପକୁ ଫ୍ରାନ୍ସ ପ୍ରଶଂସା କରିଛି । ଏ କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ଫ୍ରାନ୍ସର ପ୍ରତିଶ୍ରୁତିକୁ ଭାରତ ସ୍ୱାଗତ ଜଣାଇଛି ।
୨୩) ବ୍ଲୁ ଇକନମି ଏବଂ ମହାସାଗର ପ୍ରଶାସନ ସଂକ୍ରାନ୍ତ ଦ୍ୱିପାକ୍ଷିକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଉଭୟ ଫ୍ରାନ୍ସ ଓ ଭରତ ଏଥିରେ ସନ୍ତୋଷ ପ୍ରକାଶ କରିଛନ୍ତି । ସାମୁଦ୍ରିକ ସମ୍ପଦର ଉତ୍ତୋଳନ ଓ ବ୍ୟବହାର ବା ବ୍ଲୁ ଇକନମିର ଗୁରୁତ୍ୱ ଏବେ ଯଥେଷ୍ଟ ବଢିଛି । ଶୀଘ୍ର ଏହି ମିଳିତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି ।
୨୪) ନିଜର ସାମୁଦ୍ରିକ ପରିସୀମା ବାହାରେ ଥିବା ସାଗର ସମ୍ପଦ ଓ ଏହାର ଜୈବ ବିବିଧତାର ସୁରକ୍ଷା ଉପରେ ଦୁଇପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଜାତିସଂଘର ବ୍ୟବସ୍ଥା ମଧ୍ୟରେ ଏକ ଆର୍ନ୍ତଜାତିକ ଆନ୍ତଃ ସରକାରୀ ସମ୍ମିଳନୀ ଆୟୋଜନକୁ ଉଭୟ ଭାରତ ଓ ଫ୍ରାନ୍ସ ସମର୍ଥନ ଜଣାଇଛନ୍ତି । ସାମୁଦ୍ରିକ ସମ୍ପଦର ବୁଝିବିଚାରୀ ବ୍ୟବହାର ଏବଂ ସୁରକ୍ଷା ଉପରେ ଦୁଇନେତା ଗୁରୁତ୍ୱ ଦେଇ ଏଥିପାଇଁ ବିଶ୍ୱସ୍ତରରେ ଆଇନଗତ ବ୍ୟବସ୍ଥା ସୃଷ୍ଟି ସପକ୍ଷରେ ମତ ଦେଇଛନ୍ତି ।
୨୫) ଜି-୨୦ରେ ଦୃଢ ସହଯୋଗ ଓ ସମନ୍ୱୟ ରକ୍ଷା ଉପରେ ଦୁଇ ଦେଶ ରାଜି ହୋଇଥିବା ବେଳେ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟଭାବେ ଭାରତକୁ ଗ୍ରହଣ କରିବା ପ୍ରସ୍ତାବକୁ ଫ୍ରାନ୍ସ ଦୃଢ ସମର୍ଥନ ଜଣାଇଛି । ଏହାଛଡା ଭାରତକୁ ଆଣବିକ ଯୋଗାଣ ଗୋଷ୍ଠୀ (ଏନଏସ୍ଡି)ର ସଦସ୍ୟଭାବେ ଗ୍ରହଣ କରିବାକୁ ମଧ୍ୟ ଫ୍ରାନ୍ସ ତାର ସମର୍ଥନ ଦୋହରାଇଛି ।
୨୬) ଭାରତ ଓ ପ୍ରାନ୍ସ ମଧ୍ୟରେ ୨୦୨୧ ଅକ୍ଟୋବର ପହିଲାରେ ସ୍ୱାକ୍ଷରିତ ମାଇଗ୍ରେସନ ଓ ମବିଲିଟି (ଦେଶଟନ ଓ ଗମନାଗମନ)ଅଂଶଦାରୀ ଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି । ଏହାଫଳରେ ଦୁଇଦେଶ ମଧ୍ୟରେ ନାଗରିରକଙ୍କ ଗମନାଗମନ ସହଜ ହେବ ।
୨୭) ଦୁଇଦେଶର ଛାତ୍ରଛାତ୍ରୀ , ସ୍ନାତକ, ବୃତ୍ତିଧାରୀ ଓ କୁଶଳୀ ଶ୍ରମିକ ଉଭୟ ଦେଶକୁ କିପରି ଅଧିକାର ଅଧିକ ଯିବା ଆସିବା କରିପାରିବେ ସେଥିପାଇଁ ମିଳିତ ପଦକ୍ଷେପ ନେବାକୁ ଭାରତ ଓ ଫ୍ରାନ୍ସ ରାଜି ହୋଇଛନ୍ତି । ଏହି ବ୍ୟବସ୍ଥାକୁ ସୁଦୃଢ କରିବାର ସହିତ ବେଆଇନ ଭ୍ରମଣ ଓ ଦେଶାଟନକୁ ରୋକିବାକୁ ପଦକ୍ଷେପ ନେବାକୁ ଦୁଇ ପକ୍ଷ ନିଷ୍ପତ୍ତି ନେଇଛନ୍ତି । ୨୦୨୫ ସୁଦ୍ଧା ୨୦ହଜାର ଭାରତୀୟ ବିଦ୍ୟାର୍ଥୀଙ୍କୁ ନିଜ ଦେଶରେ ଅଧ୍ୟୟନ ପାଇଁ ସୁଯୋଗ ଦେବାକୁ ଫ୍ରାନ୍ସ ରାଜି ହୋଇଛି । ଏହାଛଡା ଦୁଇଦେଶ ମଧ୍ୟରେ ବ୍ୟବସାୟ, ବାଣିଜ୍ୟ, ଷ୍ଟାର୍ଟଅପ୍ ଓ ଇନୋଭେସନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି ।
୨୮) ଭାରତ ଓ ଫ୍ରାନ୍ସ ମଧ୍ୟରେ କଳା ସାଂସ୍କୃତିକ ସହଯୋଗ ଯଥେଷ୍ଟ ବଢିଛି । ଦୁଇ ଦେଶର କଳାକାର ଓ ଶିଳ୍ପୀମାନେ ଉଭୟ ରାଷ୍ଟ୍ରରେ ଉତ୍ସବ ଆୟୋଜନ, ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀମାନ ଅଧିକ ସଂଖ୍ୟାରେ ଆୟୋଜନ କରିବାକୁ ଆଗ୍ରହୀ । ସେମାନେ ଏସବୁ କାର୍ଯ୍ୟକ୍ରମକୁୁ ମିଳିମିଶି ସଫଳ କରୁଛନ୍ତି । ଏହି ସମ୍ପର୍କକୁ ଅଧିକ ନିବିଡ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି । ଭାରତୀୟ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ୨୦୨୨ ମାର୍ଚ୍ଚରୁ ଫ୍ରାନ୍ସ ପକ୍ଷରୁ ‘ବନଜୋର ଇଣ୍ଡିଆ ଫେଷ୍ଟିଭାଲ’ ମାଧ୍ୟମରେ ପାଳିତ ହେଉଛି । ଏଥିପାଇଁ ଭାରତର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମ ଓ ଉତ୍ସବ ପାଳନ କରାଯାଉଛି । ସେହିଭଳି ଭାରତ ମଧ୍ୟ ‘ନମସ୍ତେ ଫ୍ରାନ୍ସ’ ଉତ୍ସବ ପାଳନ କରୁଛି । ୨୦୨୨ ପ୍ୟାରିସ ବିଶ୍ୱ ପୁସ୍ତକ ମେଳାରେ ଭାରତ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲା । ସେହିଭଳି ନୂଆଦିଲ୍ଳୀରେ ଆୟୋଜିତ ହେବାକୁ ଯାଉଥିବା ପରବର୍ତ୍ତୀ ବିଶ୍ୱ ପୁସ୍ତକ ମେଳାରେ ଫ୍ରାନ୍ସ ସମ୍ମାନୀତ ଅତିଥିଭାବେ ଯୋଗଦେବ ।
୨୯) ୨୦୨୦ ଜାନୁୟାରୀ ୨୮ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସଂଗ୍ରହାଳୟ ଓ ଐତିହ୍ୟ ସଂଯୋଗ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତଦନୁସାରେ ନୂଆଦିଲ୍ଲୀର ଏକ ଜାତୀୟ ସଂଗ୍ରହାଳୟ ସ୍ଥାପନ ପାଇଁ ଭାରତ ଫ୍ରାନ୍ସକୁ ‘ଜ୍ଞାନର ଅଂଶୀଦାର’ଭାବେ ଗ୍ରହଣ କରିବାକୁ ଭାରତ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଫ୍ରାନ୍ସ ସରକାର ବିଚାର କରି ଦେଖିବାକୁ ରାଜି ହୋଇଛନ୍ତି ।
୩୦) ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରନଙ୍କୁ ନିଜ ସୁବିଧା ଅନୁସାରେ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଗସ୍ତ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ, ପରସ୍ପର ସ୍ୱାର୍ଥଜଡିତ ବିଷୟ ଏବଂ ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରି ସହଯୋଗ ବୃଦ୍ଧି ସହିତ କାମ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।